Bikram Panda Photograph: (OTV)
ବ୍ରହ୍ମପୁରର ବହୁ ଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ମୁଖ୍ୟ ମୁଦାଲା ବିକ୍ରମ ପଣ୍ଡାଙ୍କ ମୁଁହରେ ଅଭିଯୋଗର ଲମ୍ବା ଫର୍ଦ୍ଦ। ସେ ନିର୍ଦ୍ଦୋଷ ଆଉ ତାଙ୍କୁ ଫସାଇ ଦିଆଯାଇଥିବା କହି ଗଣମାଧ୍ୟମ ଆଗରେ ବାଢିଛନ୍ତି ଗୋଟିଏ ପରେ ଗୋଟିଏ ଅଭିଯୋଗ।
ସ୍ବାସ୍ଥ୍ୟ ସମସ୍ୟା ନେଇ ବ୍ରହ୍ମପୁର ଜେଲରୁ ଆଜି କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ଏମକେସିଜି ମେଡିକାଲ ଆସିଥିଲେ ବିକ୍ରମ। ଏହି ସମୟରେ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି ବିକ୍ରମ କହିଛନ୍ତି, ଯେ ତାଙ୍କୁ ଓ ବିଜୁ ଜନତା ଦଳକୁ ବଦନାମ କରିବାକୁ ହୋଇଛି ଏ ଷଡ଼ଯନ୍ତ୍ର। ରାଜନୈତିକ ଉଦ୍ଦେଶ୍ୟରୁ ହିଁ ତାଙ୍କୁ ଫସାଇ ଦିଆଯାଇଛି।
ତେବେ ନ୍ୟାୟିକ ବ୍ୟବସ୍ଥା ଓ ନ୍ୟାୟପାଳିକା ଉପରେ ତାଙ୍କର ଭରସା ଓ ବିଶ୍ବାସ ଥିବା କହିଛନ୍ତି ବିକ୍ରମ। ସେପଟେ ଅଭିଯୁକ୍ତ କେବେ ସତ କହେନା ଏବଂ ବିକ୍ରମ ପଣ୍ଡା ତାର ବ୍ୟତିକ୍ରମ ନୁହଁନ୍ତି ବୋଲି କହିଛନ୍ତି ଆଇନଜୀବୀ ପୀତବାସ ପଣ୍ଡାଙ୍କ ଭାଇ। ସ୍ବାସ୍ଥ୍ୟ ଖରାପ ବାହାନାରେ ହସ୍ପିଟାଲ ଆସି, ଏଭଳି ପ୍ରତିକ୍ରିୟା ଦେବା ଏକ ଚାଲ ହୋଇଥାଇପାରେ ବୋଲି କହିଛନ୍ତି ପୀତବାସଙ୍କ ଭାଇ।...
ନିର୍ଯାତନା ଦିଆଯାଉଥିବା ଆରୋପ
ସେପଟେ ବ୍ରହ୍ମପୁର ଜେଲ କର୍ତ୍ତୃପକ୍ଷଙ୍କ ବିରୋଧରେ ବି ବିକ୍ରମ ଆଣିଛନ୍ତି ସଙ୍ଗୀନ ଅଭିଯୋଗ। କହିଛନ୍ତି, ଗଲା ୪ ମାସ ହେଲା ଜେଲ୍ ଭିତରେ ତାଙ୍କୁ ହଇରାଣ କରାଯାଉଛି। ଯାହାର ଅନୁସନ୍ଧାନ କଲେ ସବୁ ଜଣାପଡ଼ିବ। ତାଙ୍କୁ ୪ ମାସ ଧରି ନିର୍ଯାତନା ଦିଆଯାଉଥିବା କଥା ମିଡିଆ ଆଗରେ ଆରୋପ ଲଗାଇଛନ୍ତି ବିକ୍ରମ।
ଏପେଟ ବିକ୍ରମ ପଣ୍ଡାଙ୍କ ଏଭଳି ଅଭିଯୋଗକୁ କିନ୍ତୁ ସଫା ସଫା ଖଣ୍ଡନ କରିଛନ୍ତି ବ୍ରହ୍ମପୁର ଜେଲ ଅଧୀକ୍ଷକ। କହିଛନ୍ତି, ବିକ୍ରମ ଅସୁବିଧାର ସମ୍ମୁଖୀନ ହେଉଥିବା କଥା, କେବେ ଆପତ୍ତି ଅଭିଯୋଗ କରି ନାହାନ୍ତି। ଆଉ ଖାଦ୍ୟ ବାବଦରେ ଉଠିଥିବା ଅଭିଯୋଗ ନେଇ ଜେଲ ଅଧୀକ୍ଷକ କହିଛନ୍ତି, ଅନ୍ୟ ଜେଲ୍ ଅନ୍ତେବାସୀଙ୍କୁ ଯାହା ଖାଇବାକୁ ଦିଆଯାଉଛି, ବିକ୍ରମଙ୍କୁ ମଧ୍ୟ ସମାନ ଖାଦ୍ୟ ଦିଆଯାଉଛି। ଅସୁବିଧା କିମ୍ବା ହଇରାଣ ନେଇ ତାଙ୍କ ଦୃଷ୍ଟିକୁ କେବେ ବି ଆସିନି।...
ଗତବର୍ଷ ଅକ୍ଟୋବର ୬ରେ ବ୍ରହ୍ମପୁର ବୈକୁଣ୍ଠନଗର ସାହି ଛକରେ ପୀତବାସ ପଣ୍ଡାଙ୍କୁ ପଏଣ୍ଟ ବ୍ଲାଙ୍କରୁ ହୋଇଥିଲା ଗୁଳି। ପରେ ଘଟଣାର ଅନେକ ଦିନ ପରେ ଏ ହାଇପ୍ରୋଫାଇଲ ମର୍ଡର କେସର ରହସ୍ୟ ଭେଦି, ତାଙ୍କୁ ରାଜନୈତିକ କାରଣରୁ ହତ୍ୟା କରାଯାଇଥିବା କହିଥିଲା ବ୍ରହ୍ମପୁର ପୋଲିସ।
ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ସହ ଏ ମାମଲାରେ ପୂର୍ବତନ ମେୟର ଶିବ ଶଙ୍କର ଦାସ, ବିଜେଡ଼ି କର୍ପୋରେଟର ମଳୟ ବିଷୋୟୀ, ବିଜେଡ଼ି ନେତା ମଦନ ଦଳେଇଙ୍କ ସମେତ ୧୬ ଜଣଙ୍କୁ ଗିରଫ କରାଯାଇଥିଲା। କିଛି ଦିନ ତଳେ ଏ ମାମଲାରେ ବ୍ରହ୍ମପୁର କୋର୍ଟରେ ଚାର୍ଜସିଟ୍ ଓ କେସ୍ ଡାଏରୀ ଦାଖଲ କରିଛି ପୋଲିସ। ଖୁବଶୀଘ୍ର ଏ ମାମଲାରେ ବିଚାର ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ତା ପୂର୍ବରୁ ବିକ୍ରମଙ୍କ ଏ ଅଭିଯୋଗ, ମାମଲାକୁ ପୁଣି ତାଜା କରିଛି। ସେପଟେ ବିକ୍ରମ କହୁଥିବା କଥାରେ ସତ୍ୟତା ଥାଇପାରେ ବୋଲି କହିଛନ୍ତି ତାଙ୍କ ଓକିଲ।
ତେବେ ବିକ୍ରମଙ୍କ ଅଭିଯୋଗର ଦମ୍ ଆଉ ପୋଲିସ ଆରୋପ ପଛର ସତ୍ୟତା କଣ, ତାହା ଖୁବଶୀଘ୍ର ସାମ୍ନାକୁ ଆସିବା ନେଇ ଅନୁମାନ କରାଯାଉଛି।...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/08/bikram-panda-2026-02-08-20-18-59.jpg)