CHOUDWAR JAIL Photograph: (OTV)
ଖତମ୍ ହେଲା ୫ ମାସର ଲୁଚକାଳି। ଆଉ ଖସିପାରିଲାନି ଚୌଦ୍ବାର ଜେଲରୁ ଚମ୍ପଟ ମାରିଥିବା ବିହାରୀ କଏଦୀ ମଧୁକାନ୍ତ ରାଣା। ବନ୍ଧା ହେଲା ଉତ୍ତରପ୍ରଦେଶର ବୃନ୍ଦାବନରୁ। ମଧୁକାନ୍ତରୁ ନିଜକୁ ବାସୁ ପାଣ୍ଡେର ପରିଚୟ ଦେଇ ଗେଷ୍ଟହାଉସ କର୍ମଚାରୀ ସାଜି କେମିତି ଆତ୍ମଗୋପନ କରିଥିଲା ମଧୁ, ଗୁମର ଖୋଲିଛନ୍ତି ପୋଲିସ କମିଶନର। କହିଛନ୍ତି ଦୁର୍ଦ୍ଦାନ୍ତ ଅପରାଧୀ ରାଜା ସାହାଣୀକୁ ଧରି ମଧୁକାନ୍ତ ଚୌଦ୍ବାର ଜେଲରୁ ଖସି ପଳାଇଥିଲା କଟକ।
ସେଠାରୁ ଟ୍ରେନ ଯୋଗେ ଉଭୟେ ଯାଇଥିଲେ ପୁରୀ। ଦିନକ ପରେ ପୁରୀରୁ ଆଉ ଏକ ଟ୍ରେନ ଧରି ଖସିଯାଇଥିଲେ ବିହାର। ଏମାନଙ୍କୁ ଧରିବା ପାଇଁ ବିଭିନ୍ନ ରାଙ୍କର ୨୬ ଅଧିକାରୀଙ୍କୁ ଧରି ୬ଟି ଟିମ୍ ଗଠନ କରିଥିଲା ପୋଲିସ। ଆଉ ସିସିଟିଭି ଫୁଟେଜ୍ ଆଧାରରେ ଏମାନଙ୍କୁ ପିଛା କରିବା ସହ ପାଟଣାରୁ ନୋଇଡା, ପୁଣି ନାଗାଲାଣ୍ଡ ଯାଏଁ ଜାଲ ବିଛାଇଥିଲା ସ୍ପେଶାଲ୍-୨୬ ଟିମ୍।
ଏସବୁ ଭିତରେ ପୋଲିସ ପାଇଥିଲା ମଧୁକାନ୍ତର ସୁରାଗ୍। ଯିଏ ବିହାରରୁ ଉତ୍ତରପ୍ରଦେଶର ବୃନ୍ଦାବନକୁ ଖସି ପଳାଇଥିଲା। ସେଠାରେ ନିଜକୁ ବାସୁ ପାଣ୍ଡେ ନାଁରେ ମିଛ ପରିଚୟ ଦେଇ ଏକ ମଠର ଗେଷ୍ଟହାଉସରେ ବନିଥିଲା କର୍ମଚାରୀ।
ତେବେ ଅଣ୍ଡରକଭର୍ ଏଜେଣ୍ଟ ସାଜି ପୋଲିସର କିଛି ଅଧିକାରୀ ସେହି ଗେଷ୍ଟହାଉସରେ ରହିବାକୁ ଫୋନ କରିଥିଲେ। ଆଉ ଫୋନ କଲ୍ ପାଇ ଗ୍ରାହକ ବୋଲି ଭାବିବା ସହ ନିଜେ ବାଇକ୍ ଧରି ରିସିଭ୍ କରିବାକୁ ଯାଇଥିଲା ନିଜେ ମଧୁକାନ୍ତ। ଶେଷରେ ପୋଲିସ ଟିମ୍ ସେହି ଗେଷ୍ଟହାଉସରେ ମଧୁକାନ୍ତର ସମସ୍ତ ତଥ୍ୟ ପାଇବା ପରେ ତାକୁ ବାନ୍ଧିବାରେ ସଫଳ ହୋଇଛି।
ପୂରା ଫିଲ୍ମ ଷ୍ଟାଇଲରେ ମାରିଥିଲେ ଚମ୍ପଟ
ସେଦିନ ଥିଲା ଅକଟୋବର ୨ ତାରିଖ। ଦଶହରା ପାଇଁ ଉଛୁଳୁଥିଲା ପରିବେଶ। ରାତିରେ ଜେଲରେ ଚାଲିଥିଲା ପୂଜା ସେଲିବ୍ରେସନ୍। ଆଉ ପାର୍ବଣର ଏହି ମଉକା ଭିତରେ ଚୌଦ୍ବାର ମଣ୍ଡଳ କାରାଗାରର ପାଚେରୀ ଡେଇଁ ରାଜା ସାହାଣୀକୁ ଧରି ସୀମାପାର୍ ହୋଇଯାଇଥିଲା ବିହାରର ଏହି ଦୁର୍ଦ୍ଦାନ୍ତ ଅପରାଧୀ ମଧୁକାନ୍ତ ରାଣା। ସେମାନେ ନିଜ ସେଲର ଲୁହା ଗ୍ରୀଲ୍ କାଟି ବାହାରକୁ ଆସିଥିଲେ ଆଉ ପାଚେରୀ ଡେଇଁବା ପାଇଁ ବ୍ୟବହାର କରିଥିଲେ ନିଜ ନିଜର ପିନ୍ଧା ପୋଷାକ, କମ୍ବଳ ସହ ଏକ ଦଉଡ଼ି। ପୂରା ଫିଲ୍ମ ଷ୍ଟାଇଲରେ ସୁରକ୍ଷା ବଳୟ ଭେଦ କରି ପୋଲିସ ଜେଲ୍ କର୍ମଚାରୀଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଚମ୍ପଟ ମାରିଲେ ଚୌଦ୍ବାର ଜେଲରୁ।
ଏହି ଘଟଣା ପରେ ଜେଲରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଥିଲା ନାନା ପ୍ରଶ୍ନ। କର୍ତ୍ତବ୍ୟରେ ଅବହେଳା ପାଇଁ ୱାର୍ଡର ଓ ଚିଫ୍ ୱାର୍ଡରଙ୍କୁ ନିଲମ୍ବନ କରି କଟକ ରେଞ୍ଜ୍ ଡିଆଇଜିଙ୍କୁ ତଦନ୍ତ ଭାର ଦେଇଥିଲେ ଜେଲ୍ ବିଭାଗ ଡିଜି। ରିପୋର୍ଟ ଆସିବା ପରେ ଜେଲର୍ ସନ୍ତୋଷିନୀ ଦାସଙ୍କୁ ଚୌଦ୍ବାର ଜେଲରୁ କଣ୍ଟାବାଞ୍ଜି ପଠାଇ ଦିଆଯାଇଥିଲା। ମଧୁ ଓ ରାଜାର ଫଟୋ ଜାରି କରି ୫୦ ହଜାର ଟଙ୍କାର ପୁରସ୍କାର ରାଶି ବି ଘୋଷଣା କରିଥିଲା କମିଶନରେଟ୍ ପୋଲିସ୍। ତେବେ ୫ ମାସର କସରତ ପରେ ଉତ୍ତରପ୍ରଦେଶ ବୃନ୍ଦାବନରୁ କେବଳ ମଧୁକୁ ପୋଲିସ ଧରିଥିବାବେଳେ ରାଜା ଏବେ କେଉଁଠି ? କେବେ ଧରାପଡ଼ିବ ସେ ? ଉଠିଛି ପ୍ରଶ୍ନ।
୨୦୨୫ ଜାନୁଆରୀ ୪। ପାଣିକୋଇଲିରେ ପଣ୍ଡା ଅଳଙ୍କାର ଲୁଟ୍ ଏବଂ ୨ ଜଣଙ୍କୁ ଗୁଳି କରି ହତ୍ୟା ମାମଲାରେ ଧରାପଡ଼ିଥିଲେ ୨ ବିହାରୀ କ୍ରିମିନାଲ୍ ମଧୁକାନ୍ତ ଓ ରାଜା। ସେହି ସମୟରେ ସ୍ଥାନୀୟ ଲୋକେ ଉଭୟଙ୍କୁ କାବୁ କରି ପୋଲିସ ଜିମା ଦେବାପରେ ପ୍ରଥମେ ଯାଜପୁର ଉପକାରାଗାର ଓ ପରେ ଚୌଦ୍ବାର ସର୍କଲ୍ ଜେଲରେ ରଖିଥିଲା ପୋଲିସ। କିନ୍ତୁ ଜେଲ ପରିସରରେ ଢିଲା ସୁରକ୍ଷା ସହ ଗଳାବାଟ ଦେଖି ଦୀର୍ଘଦିନରୁ ଖସିଯିବାକୁ ଯୋଜନା ତିଆରି କରୁଥିଲେ ମଧୁ ଓ ରାଜା। ଶେଷରେ ପାର୍ବଣ ମଉଜରେ ସମସ୍ତେ ବିଭୋର ଥିବାବେଳେ ହୋଇଗଲେ ସୀମାପାର୍।
ଏସବୁ ଭିତରେ ଅର୍ଥାତ ସାଢେ ୪ ମାସ ପରେ ତତ୍କାଳୀନ ଚୌଦ୍ବାର ଜେଲର୍ ସନ୍ତୋଷିନୀ ଦାସ ଏବଂ ଜେଲର ସିନିୟର ସୁପରିନଟେଣ୍ଡେଣ୍ଟ୍ ସୁଜିତ କୁମାର ରାଉଳଙ୍କ ମଧ୍ୟରେ ଉପୁଜିଥିଲା ମୁହାଁମୁହିଁ ସ୍ଥିତି। ଲମ୍ବା ଏତଲା ଦେଇ ସୁଜିତଙ୍କ ଉପରକୁ ଅଙ୍ଗୁଳି ଉଠାଇବା ସହ ବିହାରୀ କଏଦୀଙ୍କୁ ଖସାଇବାରେ ସୁଜିତଙ୍କ ବଡ଼ ଭୂମିକା ଥିବା ଦର୍ଶାଇଥିଲେ ସନ୍ତୋଷିନୀ। ଏପରିକି ଜାଲ୍ ଦସ୍ତଖତ ଓ ସର୍ଭିସ୍ ରେକର୍ଡ ଟାମ୍ପରିଂ କରିଥିବା କଥା ସନ୍ତୋଷିନୀ କହିଥିଲେ।
ଏହାପରେ ସନ୍ତୋଷିନୀଙ୍କ ବିରୋଧରେ ପାଲଟା ଏତଲା ଦେଇ ଅଭିଯୋଗକୁ ମିଥ୍ୟା କହିଥିଲେ ସୁଜିତ। ଏଭଳି ମୁହାଁମୁହିଁ ସ୍ଥିତି ଯୋଗୁ ଦୁଇ ଅଧିକାରୀଙ୍କୁ ଜେଲ ବିଭାଗ ସୋ କଜ୍ ବି ମାଗିଥିଲା। କିନ୍ତୁ ଏଯାଏଁ କି କାର୍ଯ୍ୟାନୁଷ୍ଠାନ ହୋଇଛି, ତାହା ଆସିପାରିନି ସାମ୍ନାକୁ। ତେବେ ମଧୁ ଓ ରାଜାର ଫେରାର୍ ପଛରେ କାହା ହାତ ଥିଲା ? ନା ଜେଲରେ ଗଳା ବାଟ ଖୋଜି ଖସିଯାଇଥିଲେ ଦୁହେଁ ? ମଧୁଠାରୁ ସତ ଆଦାୟ କରିବ ତ ପୋଲିସ ?
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/14/choudwar-jail-2026-02-14-19-46-26.jpg)