TWO-CRORE-SWEEPER Photograph: (OTV)
ପୋଲିସ ଏଏସଆଇ ଚାକିରି ମହାଘୋଟାଲାକୁ ନେଇ ରାଜ୍ୟରେ ତମ୍ବିତଫାନ ଥମି ନଥିବା ବେଳେ ପୁଣି ଗୋଟିଏ ଜବ୍ ଫ୍ରଡକୁ ନେଇ ଚାଞ୍ଚଲ୍ୟ। ସମ୍ବଲପୁରରେ ଝାଡୁଦାର ଚାକିରି ନାଁରେ କୋଟି କୋଟି ଟଙ୍କା ଆତ୍ମସାତ ଅଭିଯୋଗରେ ୨ ଜଣ ଗିରଫ ପରେ ଠକେଇ କାରସାଦିର ଗୁମର ଫିଟିଛି।ଚାକିରି ବିକ୍ରି କରିଥିବା ମହା ଠକ ଜଣେ ପୁରୁଷ ଓ ଜଣେ ମହିଳାଙ୍କୁ ଗିରଫ ସହ ୬୨ ଲକ୍ଷ ଟଙ୍କା ଜବତ କରିଛି ପୋଲିସ।
ମିଛ ସୁଇପର ଚାକିରି ଠକେଇ ଚେର ବରଗଡ, ବୌଦ୍ଧ ଓ ସୋନପୁର ଜିଲ୍ଲାକୁ ବି ଲମ୍ବିଛି। ରିମାଣ୍ଡରେ ଦୁଇ ଅଭିଯୁକ୍ତଙ୍କ ମୁହଁରୁ ଗୋଟି ଗୋଟି ସତ ବାହାର କରିବାକୁ ଲକ୍ଷ୍ୟ ରଖିଛି ସମ୍ବଲପୁର ପୋଲିସ।
ଚାକିରି ନାଁରେ ପୁଣି ବଡ଼ ଧରଣର ଠକେଇ। ରୋଜଗାର ଦେବାକୁ କହି ଟଙ୍କା ଆତ୍ମସାତ। ଝାଡୁଦାର ଚାକିରି ନାଁରେ ମହା କାରସାଦି। ଦାନା ଦେବା ଲୋଭ ଦେଖାଇ ଗରିବ ଖଟିଖିଆଙ୍କ ପେଟକୁ ଲାତ ମାରିବାକୁ ବଡ଼ ଚଞ୍ଚକତା। ସଂସ୍ଥା ମିଛ, କାମ ଦେଇଥିବା ଲୋକ ବି ଜାଲିଆ। ନା ଥିଲା ଖାତା ଖତିଆନ୍ ନା ପରିଚୟ। କେବଳ ଲୋକଙ୍କୁ ଭୂଆଁ ବୁଲାଉଥିଲେ, ବିଶ୍ବାସ ଜନ୍ମାଇ ଲୁଟିଥିଲେ ଲକ୍ଷ ଲକ୍ଷ ଟଙ୍କା। ଧରାପଡ଼ିଲା ମହା ମିଛ, ବନ୍ଧା ହେଲେ ଅଭିଯୁକ୍ତ। ସୁଟକେସରେ ଥାକ ମାରି ଓ ପୋଲିସ ଟେବୁଲରେ ଥିବା ପାଞ୍ଚ ଶହ, ଦୁଇ ଶହ ଓ ଶହେ ଟଙ୍କିଆ ନୋଟ୍ ବିଡ଼ା କୌଣସି ଭିଜିଲାନ୍ସ ରେଡରୁ ମିଳିନି। ଏ ଟଙ୍କା ଶହ ଶହ ସୁଇପର ଚାକିରି ଆଶାୟୀଙ୍କର।
ମିଛ ଝାଡୁଦାର ଚାକିରି ଠକେଇର ପର୍ଦ୍ଦାଫାସ ସହ ୬୨ ଲକ୍ଷ ନଗଦ କ୍ୟାସ୍ ଜବତ କରିଛି ସମ୍ବଲପୁର ପୋଲିସ। ଏମାନେ ସେହି ଠକ, ଯେଉଁମାନେ ମିଛ ଚାକିରି ବିକ୍ରି କରୁଥିଲେ। ଜଣେ ରାହୁଲ ରାୟ ଓ ଅନ୍ୟ ଜଣେ ପଦ୍ମାବତୀ ତାଣ୍ଡି। ଜବ୍ ଫ୍ରଡର ମାଷ୍ଟରମାଇଣ୍ଡ ରାହୁଲ ଓ ତାକୁ ସହଯୋଗ କରୁଥିଲା ପଦ୍ମାବତୀ। ଦୁଇ ଜଣଙ୍କୁ ଗିରଫ କରିଛି ବୁର୍ଲା ପୋଲିସ।
ଠକେଇରେ କରିଛି ପିଏଚଡି
ଡେଲିଭରି ବଏରୁ ସୁଇପର ଜବ୍ ଫ୍ରଡର ମାଷ୍ଟରମାଇଣ୍ଡ ସାଜିଥିଲା ରାହୁଲ। ଚିପିଲିମା ଅଞ୍ଚଳର ପଦ୍ମାବତୀ ସହ ଚିହ୍ନା ପରିଚୟ ପରେ ଗଢ଼ିଥିଲା ଠକେଇ ନେଟୱର୍କ। ବେଶୀ ପାଠ ପଢ଼ି ନଥିଲେ ବି ଠକେଇରେ କରିଛି ପିଏଚଡି ଡିଗ୍ରୀ। ଗତବର୍ଷ ଅକ୍ଟୋବରରୁ ଆରମ୍ଭ କରିଥିଲେ କାରସାଦି। ଗାଁ ଗାଁରେ ସଭା କରି ଲୋକଙ୍କୁ ରୁଣ୍ଡ କରୁଥିଲେ। ଚାକିରି ଲାଳସା ଦେଖାଇ ଜଣ ପିଛା ଆଦାୟ କରୁଥିଲେ ୧୨ରୁ ୧୩ ହଜାର ଟଙ୍କା। ଏରିଆ ମ୍ୟାନେଜର ପାଇଁ ନେଉଥିଲେ ୨୦ ହଜାର।
ଗାଁ ଗାଁରେ ପଦ୍ମାବତୀ ଲୋକଙ୍କ ସାଙ୍ଗରେ ମୂଲଚାଲ କରି ଡିଲ୍ କରିବା ଓ ଟଙ୍କା ଆଦାୟ କରିବାର ଭିଜୁଆଲ୍ ରହିଛି। ଗତକାଲି ଚିପିଲିମା ମାରାଙ୍ଗୋଲାରେ ଚାକିରି ଆଶାୟୀଙ୍କୁ ଡାକି ବିରାଟ ସଭା କରିଥିବାର ଦୃଶ୍ୟ ମଧ୍ୟ କ୍ୟାମେରାରେ କଏଦ୍ ହୋଇଛି । ଲୋକଙ୍କ ଭରସା ଜିତିବାକୁ ବଡ଼ ବଡ଼ ବାହାସ୍ଫୋଟ୍ ମାରୁଥିଲା ପଦ୍ମାବତୀ। ନେତାଙ୍କ ଭଳି ଭାଷଣ ମାରୁଥିଲା । ତା କଥାରେ ଭାସି ଯାଇ ପ୍ରାୟ ୨ କୋଟି ଧରାଇ ଦେଇଥିଲେ ଝାଡୁଦାର ଚାକିରି ଆଶାୟୀ।
ସେମାନଙ୍କ ମନରେ ବିଶ୍ବାସ ଜନ୍ମାଇବାକୁ ଦିନକୁ ୪୦୦ ଟଙ୍କା ଲେଖାଏଁ ଦରମା ଆକାରରେ କିଛି କିଛି ଟଙ୍କା ଫେରାଇ ବି ଦେଉଥିଲେ ଅଭିଯୁକ୍ତ। ସମ୍ବଲପୁର ସମେତ ପଡ଼ୋଶୀ ବରଡଗଡ଼, ବୌଦ୍ଧ, ସୋନପୁର ଜିଲ୍ଲାକୁ ବି ଲମ୍ବିଛି ଠକେଇ ଚେର। ...
ରାହୁଲ ଓ ପଦ୍ମାବତୀର କାରସାଦି ଜାଣିବା ପରେ ଚାକିରି ପାଇଁ ଟଙ୍କା ଦେଇଥିବା ଲୋକଙ୍କ ଅକଲ ଗୁଡୁମ। ସେମାନଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। ସମ୍ବଲପୁର ଏସପିଙ୍କୁ ଭେଟି ଟଙ୍କା ଫେରସ୍ତ ଦାବି ପାଇଁ ଗୁହାରି କରିଛନ୍ତି। ସେପଟେ ସମ୍ବଲପୁର ମହାନଗର ନିଗମ କର୍ତ୍ତୃପକ୍ଷ କହିଛନ୍ତି, ଝାଡୁଦାର ନେଇ କୌଣସି ନିଯୁକ୍ତି ହୋଇନି। ଦୁଇଟି ଅନୁବନ୍ଧିତ ଏଜେନ୍ସୀ ସଫେଇ ଦାୟିତ୍ବ ତୁଲାଉଛନ୍ତି। ...
୪ଟି ଜିଲ୍ଲାର ପ୍ରାୟ ୨ ହଜାର ଲୋକ ଠକେଇ ମାୟାଜାଲରେ ଛନ୍ଦି ହୋଇଛନ୍ତି। ଆଉ କେଉଁମାନେ ସାମିଲ ଅଛନ୍ତି କି ? ଦୁଇ ଠକଙ୍କୁ ରିମାଣ୍ଡରେ ନେଇ ଜେରା ପରେ କେଳେଙ୍କାରୀର ଅଧିକ ଗୁମର ଫିଟିବ। ...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/23/two-crore-sweeper-2025-10-23-21-11-38.jpg)