GIRLFRIEND Photograph: (OTV)
ଦିଲ୍ଲୀର ଗାନ୍ଧୀ ବିହାରରେ କିଛି ସପ୍ତାହ ପୂର୍ବେ ଘଟିଥିବା ଏକ ଅଗ୍ନିକାଣ୍ଡର ରହସ୍ୟ ଏବେ ଖୋଲିଛି । ଯେଉଁ କୋଠରୀକୁ ସମସ୍ତେ ଅଶୁଭ ଭାବୁଥିଲେ ସେଠାରେ ପ୍ରକୃତରେ ଏକ ଯୋଜନାବଦ୍ଧ ହତ୍ୟା ଘଟିଥିଲା। ଏହି ହତ୍ୟା ରହସ୍ୟର ମାଷ୍ଟରମାଇଣ୍ଡ ବାହାରିଲା ସେହି ଝିଅ, ଯିଏ ଫରେନ୍ସିକ୍ ସାଇନ୍ସର ଛାତ୍ରୀ ଥିଲା ଏବଂ ଅପରାଧଗୁଡ଼ିକୁ ବିଜ୍ଞାନର ଦୃଷ୍ଟିରୁ ବୁଝିବାକୁ ସକ୍ଷମ ଥିଲା ।
ପୁଲିସ୍ ତଦନ୍ତରେ ଜଣାପଡ଼ିଲା ଯେ ସେ ନିଜର ପୂର୍ବ ପ୍ରେମିକ ଏବଂ ଅନ୍ୟ ଏକ ସାଙ୍ଗ ସହିତ ମିଶି UPSC ପ୍ରସ୍ତୁତି କରୁଥିବା ରାମକେଶ ମୀନାଙ୍କର ନିଷ୍ଠୁର ହତ୍ୟା କରିଥିଲା ଏବଂ ତା’ପରେ ନିଆଁ ଲଗାଇ ଏହାକୁ ଦୁର୍ଘଟଣା ଦେଖାଇବାର ଷଡ଼ଯନ୍ତ୍ର ରଚିଥିଲା।
କ୍ରାଇମ୍ ୱେବ୍ ସିରିଜ୍ ଦେଖି ‘ପରଫେକ୍ଟ ମର୍ଡର’ର ଯୋଜନା କରିଥିବା ଅଭିଯୁକ୍ତ ଛାତ୍ରୀ ପ୍ରତ୍ୟେକ ପଦକ୍ଷେପ ବୈଜ୍ଞାନିକ ଢଙ୍ଗରେ ଉଠାଇଥିଲା କିନ୍ତୁ CCTV ଏବଂ ମୋବାଇଲ୍ ଡାଟା ସବୁ ରହସ୍ୟକ ଖୋଲିଦେଲା ।
୨୦୨୫ ଅକ୍ଟୋବର ୬ ତାରିଖ ସକାଳୁ ଦିଲ୍ଲୀ ପୁଲିସ୍କୁ ସୂଚନା ମିଳିଲା ଯେ ଗାନ୍ଧୀ ବିହାରର ଏକ ବିଲ୍ଡିଙ୍ଗର ଚତୁର୍ଥ ମହଲାରେ ନିଆଁ ଲାଗିଛି। ଅଗ୍ନିଶମ ଦଳ ଅଗ୍ନିକୁ ଲିଭାଇଥିଲା । କିନ୍ତୁ ଭିତରର ଦୃଶ୍ୟ ସମସ୍ତଙ୍କୁ ଚମକାଇ ଦେଇଥିଲା।
ରୁମ ଭିତରେ ଏକ ଜଳିଯାଇଥିବା ଶବ ପଡ଼ିଥିଲା। ମୃତକ ଥିଲେ ୩୨ ବର୍ଷୀୟ ରାମକେଶ ମୀନା । ଯିଏ ସେଠାରେ ରହି UPSC ପ୍ରସ୍ତୁତି କରୁଥିଲେ। ପ୍ରାରମ୍ଭରେ ଏହାକୁ ଗ୍ୟାସ୍ ଲିକ୍ ଦୁର୍ଘଟଣା ଭାବି ନିଆଯାଇଥିଲା, କିନ୍ତୁ ଶବର ଅବସ୍ଥା ଏବଂ କୋଠରୀରେ ବିଛାଇ ହୋଇଥିବା ଜିନିଷଗୁଡ଼ିକ ପୁଲିସ୍କୁ ସନ୍ଦେହରେ ପକାଇଦେଲା।
CCTV ଫୁଟେଜ୍ ଷଡ଼ଯନ୍ତ୍ରର ସ୍ତରଗୁଡ଼ିକୁ ଖୋଲିଦେଲା । ଘଟଣା ସ୍ଥଳରେ କ୍ରାଇମ୍ ଟିମ୍ ଏବଂ FSL ଟିମ୍ ପହଞ୍ଚିଲେ। ଆଖପାଖର CCTV ଫୁଟେଜ୍ ଖୋଜାଯାଇଥିଲା । ପରେ ପୁରା ଘଟଣା ସାମନାକୁ ଆସିଥିଲା ।
୫ ଏବଂ ୬ ଅକ୍ଟୋବର ରାତି ପ୍ରାୟ ୨:୨୦ରେ ଦୁଇ ଜଣ ବ୍ୟକ୍ତି ମୁହଁ ଢାଙ୍କି ବିଲ୍ଡିଙ୍ଗରେ ପ୍ରବେଶ କରିଥିଲେ ଏବଂ କିଛି ସମୟ ପରେ କେବଳ ଜଣେ ବାହାରକୁ ଆସିଥିଲା। ପ୍ରାୟ ୨:୫୭ରେ ଏକ ଝିଅ, ଯାହାର ପରିଚୟ ପରେ ଅମୃତା ଚୌହାନ ଭାବେ ହେଲା, ନିଜ ସାଥୀ ସହିତ ବିଲ୍ଡିଙ୍ଗରୁ ବାହାରକୁ ଯାଉଥିବା ଦେଖାଗଲା। କିଛି ମିନିଟ୍ ପରେ ନିଆଁ ଲାଗିଥିଲା ।
ପୁଲିସ୍ ଅମୃତାର ମୋବାଇଲ୍ ଡାଟା ଏବଂ କଲ୍ ରେକର୍ଡ ବାହାର କରି ଦେଖିଲା ଯେ ସେହି ରାତିରେ ଅମୃତାର ଲୋକେସନ ଗାନ୍ଧୀ ବିହାର ଆଖପାଖରେ ଥିଲା। ଏବେ ସନ୍ଦେହ ନିଶ୍ଚିତତାରେ ପରିଣତ ହେଲା।ଫରେନ୍ସିକ୍ ଛାତ୍ରୀ ‘ପରଫେକ୍ଟ ମର୍ଡର’ର ଷଡ଼ଯନ୍ତ୍ର ରଚିଥିଲା
୧୮ ଅକ୍ଟୋବରରେ ପୁଲିସ୍ ଅମୃତାକୁ ମୁରାଦାବାଦରୁ ଗିରଫ କଲା। ଜେରାରେ ସେ ସ୍ୱୀକାର କଲା ଯେ ସେ ନିଜର ଦୁଇ ସାଙ୍ଗ – ସୁମିତ କଶ୍ୟପ (ପୂର୍ବ ପ୍ରେମିକ, LPG ଡିଷ୍ଟ୍ରିବ୍ୟୁଟର) ଏବଂ ସନ୍ଦୀପ କୁମାର ସହିତ ମିଶି ହତ୍ୟା ଯୋଜନା ପ୍ରସ୍ତୁତ କରିଥିଲା।
ଅମୃତା କହିଲା ଯେ ରାମକେଶ ତା’ ସହିତ ଲିଭ୍-ଇନ୍ ସମ୍ପର୍କରେ ରହୁଥିଲା ଏବଂ ତା’ର କିଛି ବ୍ୟକ୍ତିଗତ ଭିଡିଓ ଏବଂ ଫଟୋ ଏକ ହାର୍ଡ ଡିସ୍କରେ ସେଭ୍ କରି ରଖିଥିଲା। ଯେତେବେଳେ ଅମୃତା ଏଗୁଡ଼ିକୁ ଡିଲିଟ୍ କରିବାକୁ କହିଲା, ରାମକେଶ ମନା କରିଦେଲା। ରାଗରେ ଅମୃତା ନିଜର ଏକ୍ସ-ବୟଫ୍ରେଣ୍ଡ ସୁମିତକୁ କହିଲା ଏବଂ ଉଭୟେ ମିଶି ଷଡ଼ଯନ୍ତ୍ର ରଚିଥିଲେ ।
ପ୍ରଥମେ ହତ୍ୟା, ତା’ପରେ ଦୁର୍ଘଟଣା ଦେଖାଇବାର ଯୋଜନା
ଫରେନ୍ସିକ୍ ସାଇନ୍ସର ଛାତ୍ରୀ ହେବାର କାରଣରୁ ଅମୃତାକୁ ଜଣା ଥିଲା ଯେ ପ୍ରମାଣଗୁଡ଼ିକ କିପରି ନଷ୍ଟ କରାଯାଏ। ୫-୬ ଅକ୍ଟୋବର ରାତିରେ ତିନିଜଣ ଗାନ୍ଧୀ ବିହାର ପହଞ୍ଚିଲେ। ସେମାନେ ପ୍ରଥମେ ରାମକେଶର ତଣ୍ଟି ଚିପିଲେ, ତା’ପରେ ବାଡ଼ିରେ ପିଟି ମାରିଦେଲେ। ଶବ ଉପରେ ଘିଅ, ତେଲ ଏବଂ ୱାଇନ୍ ଢାଳିଦେଲେ ଯାହା ଦ୍ୱାରା ନିଆଁ ଲାଗିଯିବ ସହଜରେ ।
ସୁମିତ ସିଲିଣ୍ଡରର ନବ୍ ଖୋଲି ନିଆଁ ଲଗାଇଦେଲା। ଅମୃତା କବାଟ ଜାଲି ହଟାଇ ଭିତରୁ ଗେଟ୍ ଲକ୍ କଲା ଯାହା ଦ୍ୱାରା ସମସ୍ତଙ୍କୁ ଲାଗିବ ଯେ ଏହା ଦୁର୍ଘଟଣା ଥିଲା। ସୁମିତ କଶ୍ୟପ, ଯିଏ LPG ସିଲିଣ୍ଡର ଡିଷ୍ଟ୍ରିବ୍ୟୁଟର, ତାକୁ ଜଣା ଥିଲା ଯେ ଗ୍ୟାସ୍ ସିଲିଣ୍ଡର କେବେ ଏବଂ କିପରି ଫାଟିବ। ସେ ସିଲିଣ୍ଡରର ନବ୍ ଖୋଲି, ଶବ ପାଖରେ ରଖି ଅଗ୍ନି ଲଗାଇ ବାହାରକୁ ଚାଲିଗଲା। ପ୍ରାୟ ଏକ ଘଣ୍ଟା ପରେ ବିସ୍ଫୋରଣ ହେଲା ଏବଂ କୋଠରୀରେ ଅଗ୍ନି ଭୟଙ୍କର ରୂପ ନେଲା। ବାହାରେ ଥିବା ଲୋକମାନଙ୍କୁ ସବୁକିଛି ଗ୍ୟାସ୍ ବ୍ଲାଷ୍ଟ ପରି ଲାଗିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/27/girlfriend-2025-10-27-16-06-44.jpg)