Cruel Husband Photograph: (OTV)
କୋଳରେ ୧୫ ଦିନର ଛୁଆ... ପୁଅ ହେଲାନି ବୋଲି ଘରୁ ତଡିଦେଇଛି ସ୍ୱାମୀ । ନିଜର ଜନ୍ମକଲା ୫ ଝିଅଙ୍କ ମୁହଁକୁ ବି ଚାହିଁଲା ନାହିଁ । ଝିଅମାନଙ୍କ ସହ ସ୍ତ୍ରୀକୁ ମାଡ ମାରି ଘରୁ ବାହାର କରିଦେଲା । ଆଉ ଏ ଥୁରୁଥୁରୁ ଶୀତ ରାତିରେ କୁନି କୁନି ପିଲାମାନଙ୍କୁ ନେଇ କୁଆଡେ ଯିବେ କଣ କରିବେ କିଛି ଉପାୟ ନପାଇ ଶେଷରେ ଡାକ୍ତରଖାନା ବାରଣ୍ଡାରେ ଆଶ୍ରୟ ନେଇଛନ୍ତି ମହିଳା । ଇଏ କେମିତିକା ସ୍ୱାମୀ...
ଏମିତି କେହି କଣ ନିଜ ସ୍ତ୍ରୀ-ଛୁଆଙ୍କ ପ୍ରତି ନିଷ୍ଠୁର ହୋଇପାରେ । ଏଭଳି ଅମାନୁଷିକ ଓ ମଧ୍ୟଯୁଗୀୟ ମାନସିକତା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ମୁରୁଗା ଗାଁରେ ।
ଏବେ ବି ସମାଜରେ ଅଲୋଡା ହେଉଛନ୍ତି କନ୍ୟାସନ୍ତାନ । ପୁଅ ଜନ୍ମ ନହେବାରୁ ନିର୍ଯାତନା ସହୁଛନ୍ତି ମହିଳା ।
ସ୍ତ୍ରୀକୁ ଅକଥନୀୟ ନିର୍ଯାତନା
୧୪ ବର୍ଷ ତଳେ ସଂପୃକ୍ତ ମହିଳା ଗୁଡ଼ିଆକାଟେଣି ଗାଁର ଚୈତନ୍ୟ ନାୟକଙ୍କୁ ବିବାହ କରିଥିଲେ । ପୁଅ ଚାହୁଁଥିଲେ ଚୈତନ୍ୟ । ହେଲେ ବାରମ୍ବାର ଝିଅ ଜନ୍ମ ହେଉଥିବାରୁ ବର୍ଷ ବର୍ଷ ଧରି ସ୍ତ୍ରୀକୁ ନିର୍ଯାତନା ଦେଉଥିଲେ ସ୍ବାମୀ । ୧୫ ଦିନ ତଳେ ମହିଳା ଆଉ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । ଏଥିରେ ଉତ୍ତ୍ୟକ୍ତ ହୋଇ ସ୍ତ୍ରୀକୁ ଅକଥନୀୟ ନିର୍ଯାତନା ଦେଇଥିଲେ । ତୁ ମତେ ପୁଅ ଦେଇପାରୁନୁ, ତୋର ଏହି ଘରେ ରହିବାର ଅଧିକାର ନାହିଁ । ଏହା କହି ୫ ଝିଅଙ୍କ ସହ ସ୍ତ୍ରୀକୁ ଘରୁ ବାହାର କରିଦେଲା ଅମଣିଷ ସ୍ବାମୀ।
ନବଜାତ ଶିଶୁକନ୍ୟା ସହ ଅନ୍ୟ ୪ ଝିଅଙ୍କୁ ଶୀତ ରାତିରେ ଆଶ୍ରୟ ପାଇଁ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ପହଞ୍ଚିଥିଲେ ମହିଳା । ସେଇଠି ଡାକ୍ତରଖାନା ବାରଣ୍ଡାରେ ଆଶ୍ରୟ ନେଇଥିଲେ । ଏହି ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ମାନବାଧିକାର କର୍ମୀ ପୁଷ୍ପଲତା ରଣା । ସାରା ରାତି ଡାକ୍ତରଖାନାରେ ଆଶ୍ରୟ ନେବାପରେ ମାନବାଧିକାର କର୍ମୀଙ୍କ ସହାୟତାରେ ମହିଳା ଓ ତାଙ୍କ ଛୁଆଙ୍କୁ ସ୍ୱଧାର ଗୃହକୁ ନିଆଯାଇଛି । ଏନେଇ ଥାନାରେ ଏତଲା ହୋଇଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/16/cruel-husband-2025-11-16-19-35-06.jpg)