CHEATER-AJIT Photograph: (OTV)
ସିବିଆଇ ହାତରେ ଗିରଫ କୁଖ୍ୟାତ ଦଲାଲ ଅଜିତ ପାତ୍ରକୁ ନେଇ ବଢୁଛି ଚର୍ଚ୍ଚା । ଥାଟପାଟରେ ଚଳୁଥିଲା । ସରକାରୀ କଳକୁ ବ୍ୟବହାର କରି ଦଲାଲି କରୁଥିଲା । ବିଜେଡି ସରକାର ସମୟରେ ସେ ଥିଲା ବେଶ ପ୍ରଭାବଶାଳୀ । ଦଲାଲି ଟଙ୍କାରେ ରାଜଧାନୀ ଭୁବନେଶ୍ବର ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଆଲିଶାନ ଘର କରିବା ସାଙ୍ଗକୁ ଦାମୀ ଗାଡି ଚଢୁଥିଲା। ଆଉ ନିଜକୁ ବଡ଼ବାବୁର ପରିଚୟ ଦେଇ ସରକାରୀ ଭିଆଇପିର ସୁବିଧା ନେଉଥିଲା । ରାଜସ୍ଥାନରେ ଏକ ଲାଞ୍ଚ କାରବାରରେ ଅଜିତକୁ ବାନ୍ଧିବା ପରେ ତାର ଅନ୍ୟ ଲିଙ୍କକୁ ନେଇ ଅଧିକ ତଦନ୍ତ କରୁଛି ସିବିଆଇ । ...
ଆଲିଶାନ ବଙ୍ଗଳା । ୩ ମହଲା ବିଶିଷ୍ଟ ଏହି ଘର ରହିଛି ଭୁବନେଶ୍ବର ନିଳାଦ୍ରୀ ବିହାରର ସେକ୍ଟର ୪ରେ । କୁଖ୍ୟାତ ଦଲାଲ ଅଜିତ ପାତ୍ରର ଏ ଘର ଦେଖିବା ପରେ ସିବିଆଇ ଅଧିକାରୀଙ୍କ ଆଖି ତରାଟି ଯାଇଥିଲା । ଘର ଭିତରେ ଥିବା ଏକ ଦାମୀ ରେଞ୍ଜରୋଭର ବି ଥିଲା । ଯାହାର ମୂଲ୍ୟ ପାଖାପାଖି ୫୦ ଲକ୍ଷ ଟଙ୍କାରୁ କମ ହେବ ନାହିଁ । ଏହାକୁ ୨୦୨୨ ମସିହାରେ କିଣିଥିଲା ଅଜିତ ପାତ୍ର ।
ଖାଲି ଏହି ଗୋଟିଏ ନୁହେଁ ଏହିଭଳି ୪ଟି ଦାମୀ କାର ଜବତ କରିଛି ସିବିଆଇ। ସେହିପରି ତା ନିକଟରୁ ୩ କୋଟି ୭୦ ଲକ୍ଷ ନଗଦ ଟଙ୍କା, କେଜିଏ ସୁନା ଅଳଙ୍କାର, ୨୬ଟି ଦାମୀ ସମ୍ପତ୍ତିର କାଗଜପତ୍ର ଓ ୧୨ଟି ଗାଡି ସହ ଡିଜିଟାଲ୍ ଡିଭାଇସ୍ ଜବତ ହୋଇଛି । ଅଜିତ ପାତ୍ର କିଭଳି ଦଲାଲି କରି କୋଟି କୋଟି ଟଙ୍କା ରୋଜଗାର କରିବାକୁ ସକ୍ଷମ ହୋଇଥିଲା ଏଠାରୁ ଜାଣିପାରିଥିଲା ଏହି କେନ୍ଦ୍ରୀୟ ଏଜେନ୍ସି । ଭୁବନେଶ୍ବରରେ ହିଁ ନିଜର ଠକେଇ ସାମ୍ରାଜ୍ୟ ଗଢିଥିଲା ଅଜିତ ପାତ୍ର ।
କେତେବେଳେ ଆୟକର ଅଧିକାରୀ ତ ଆଉ କେତେବେଳେ ରାଜ୍ୟ ସରକାରଙ୍କ ବଡବାବୁର ପରିଚୟ ଦେଇ ସରକାରୀ ସୁରକ୍ଷା ଭିତରେ ଘୂରି ବଲୁଥିଲା । ତେବେ ରାଜ୍ୟରେ ବିଜେପି ସରକାର ଆସିବା ପରେ ଗତ ୨୦୨୪ ଜୁନ ମାସ ଠାରୁ ହଠାତ ଭୁବନେଶ୍ବର ଛାଡି ଦେଇଥିଲା ଅଜିତ । ଆଉ ଦିଲ୍ଲୀରେ ରହି ନିଜର ଠକେଇ ନେଟୱର୍କ ଚଳେଇଥିବା ବେଳେ କାବୁ କରିଥିଲା ସିବିଆଇ ।
ଆଇପିଏସ , ଆଇଏଏସଙ୍କ ସହ ଥିଲା ଘନିଷ୍ଠ ସଂପର୍କ
ନିଜ ଜନ୍ମମାଟି ବଲାଙ୍ଗୀରର ପାଟଣାଗଡରୁ ଠକେଇ ବିଦ୍ୟା ଆରମ୍ଭ କରିଥିଲା ଅଜିତ । ଆଉ ଭାୟା ଭୁବନେଶ୍ବର ଦେଇ ଦିଲ୍ଲୀରେ ନିଜର ଆସ୍ଥାନ ଜମାଇ ସାରିଥିଲା । ଓଡିଶାରେ ଦଲାଲ ଅଜିତର ବେଶ ଦବଦବା ଥିଲା । ଏଠାରେ ଏକାଧିକ ଆଇପିଏସ , ଆଇଏଏସଙ୍କ ସହ ଥିଲା ଅତି ଘନିଷ୍ଠ ସଂପର୍କ । କୁହାଯାଉଛି ସେ ଚୁଟକିରେ ଅଫିସରଙ୍କ ବଦଳି କରି ଦେଉଥିବା ବେଳେ କଣ୍ଟ୍ରାକ୍ଟରକୁ ମନ ପସନ୍ଦର ଟେଣ୍ଡର କରାଇ ଦେଉଥିଲା । ଯେଉଁଥିପାଇଁ ଅଜିତ ବିରୋଧରେ ମୁହଁ ଖୋଲିବା ପାଇଁ ମଧ୍ୟ ଲୋକେ ଡରୁଥିଲେ ।
ସିବିଆଇର ଏଫଆଇଆର୍ ଅନୁସାରେ, ଅଜିତ ସରକାରୀ ପ୍ରୋଟୋକଲ ଭିତରେ ଭିଆଇପି ସୁବିଧାର ବେଶ ଫାଇଦା ନେଉଥିଲା । ଯେଉଁଠିକୁ ଯାଉଥିଲା ସେଠି ସରକାରୀ ଘର, ସରକାରୀ ବ୍ୟବସ୍ଥା ଭିତରେ ରହି ପ୍ରୋଟୋକଲରେ ବୁଲୁଥିଲା । ଏପରିକି ହାଇସିକ୍ୟୁରିଟି ଜୋନକୁ ମଧ୍ୟ ଅଜିତର ଥିଲା ଅବାଧ ପ୍ରବେଶ । ନିଜକୁ କେନ୍ଦ୍ର ସରକାରଙ୍କ ପ୍ରଭାବଶାଳୀ ଅଫିସର ପରିଚୟ ଦେଇ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହେଉଥିଲା ।
ଅଜିତ ସହ ଥିବା ବଡବଡିଆ ଓ ପ୍ରଭାବଶାଳୀ ଅଫିସରଙ୍କ ସଂପର୍କ ନେଇ ଖୋଳତାଡ କରୁଛି ସିବିଆଇ । ନିଜକୁ ଜିଏସଟି ଇଣ୍ଟେଲିଜେନ୍ସ ଅଧିକାରୀ କହି ୧୮ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ରାଜସ୍ଥାନରୁ ଗିରଫ ହୋଇଥିବା ଏହି ଦଲାଲ ଆଉ କାହାକୁ ଚୂନ ମାରିଛି ତାକୁ ନେଇ ସିବିଆଇ କରୁଛି ତନାଘନା । ସେପଟେ ଏହି ମାମଲାରେ ଅଜିତ ସମେତ ମୋଟ ୫ ଜଣଙ୍କୁ ଗିରଫ କରିଛି ସିବିଆଇ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/13/cheater-ajit-2025-11-13-19-53-38.jpg)