VIGILANCE-RAID Photograph: (OTV)
ଖଣି ବାବୁଙ୍କ ଘରେ ଟଙ୍କାର ଖଣି! ଓଡ଼ିଶା ଭିଜିଲାନ୍ସ ଇତିହାସରେ ନା କେହି ଏଭଳି ଦୃଶ୍ୟ ଦେଖିଥିଲେ, ନା କେହି ଶୁଣିଥିଲେ। କାରଣ ଘର ଭିତରେ ଯେଉଁଠି ହାତ ମାରିଲେ ସେଇଠୁ ବାହାରୁଥିଲା ଟଙ୍କାର ବିଡ଼ା। ଟ୍ରଲି ବ୍ୟାଗ୍, ବେଡ୍ ରୁମ୍, ରୋଷେଇ ଘର। ଭିଜିଲାନ୍ସ ଯେଉଁ ଯେଉଁ ସ୍ଥାନକୁ ଯାଇ ଯାଞ୍ଚ କରୁଥିଲା, ସେଇଠି ହାତରେ ଲାଗୁଥିଲା ନଗଦ ୫ଶହ, ୨ଶହ ଏବଂ ଶହେ ଟଙ୍କିଆ ନୋଟ୍ ବିଡ଼ା।
ଆଉ ଭିଜିଲାନ୍ସ ପାଇଁ ଏତେବଡ଼ ସଫଳତା ଯୋଗାଇଦେଇଥିବା ସେହି ବାବୁ ହେଲେ ଖଣି ବିଭାଗର କଟକ ସର୍କଲ ଉପ ନିର୍ଦ୍ଦେଶକ ଦେବବ୍ରତ ମହାନ୍ତି। ଖାଉଥିଲେ କାଜୁ ପିସ୍ତା, ଶୋଉଥିଲେ ଟଙ୍କା ଗଦାରେ। କୌଣସି ଏକ ମନ୍ଦିର ହୁଣ୍ଡିରେ ଦାନ ଟଙ୍କାର ଗଣତି ଭଳି ଗଣି ଚାଲୁଛନ୍ତି ଭିଜିଲାନ୍ସ କର୍ମଚାରୀ। ଟଙ୍କା ଗଣି ଗଣି ମେସିନ ବି ଗରମ୍। ଖଣି ଅଧିକାରୀ ଦେବବ୍ରତଙ୍କ ଭୁବନେଶ୍ବରସ୍ଥିତ ଶ୍ରୀବିହାର ଘରୁ ଆଜି ମିଳିଛି ନଗଦ ୪ କୋଟି ୨୭ ଲକ୍ଷ ଟଙ୍କା। ଅର୍ଥାତ ଭିଜିଲାନ୍ସ ଇତିହାସରେ ସର୍ବକାଳୀନ ରେକର୍ଡ।
ଏହାବ୍ୟତୀତ କଟକ ଅଫିସରୁ ନଗଦ ୧ ଲକ୍ଷ ୨୦ ହଜାର ଟଙ୍କା, ପାହାଳର ୨୪ ଶହ ବର୍ଗଫୁଟର ଏକ ୨ ମହଲା ଘରର ସନ୍ଧାନ ମିଳିଥିବାବେଳେ ବ୍ୟାଙ୍କ ଜମା, ଲକର୍, ଇନ୍ୟସୁରାନ୍ସ, ଇନଭେଷ୍ଟମେଣ୍ଟ ଆଦିର ଚାଲିଛି ହିସାବ।
ଦେବବ୍ରତଙ୍କ ଟଙ୍କାର ପାହାଡ଼
୩୦ ହଜାର ଟଙ୍କାର ଲାଞ୍ଚ ନେଉ ନେଉ ପଦାକୁ ଆସିଲା ଦେବବ୍ରତଙ୍କ ଟଙ୍କାର ପାହାଡ଼। ସୁରୁଖୁରୁରେ କୋଇଲା ଡିପୋ ଚଲାଇବା ସହ ସୁପରିବହନ ବ୍ୟବସ୍ଥା ପାଇଁ ଜଣେ କୋଇଲା ବ୍ୟବସାୟୀଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡ଼ି ବସିଲା ଭିଜିଲାନ୍ସ। ଯାହାର ଖୋଳତାଡ଼ କରୁ କରୁ ଖୋଲିଗଲା ଖଣି ବାବୁଙ୍କ ଟଙ୍କା ଖଣିର ଗୁମର।
୨୦୦୪ରେ ମାତ୍ର ୮ ହଜାର ଦରମାରେ କନିଷ୍ଠ ଖଣି ଅଧିକାରୀ ଭାବେ ଚାକିରି ଆରମ୍ଭ କରିଥିଲେ ଦେବବ୍ରତ। ତା’ପରେ ବ୍ରହ୍ମପୁର, କଟକ ଓ ଭୁବନେଶ୍ବର ସ୍ଥିତ ଖଣି ନିର୍ଦ୍ଦେଶାଳୟରେ ବିଭିନ୍ନ ପଦ ପଦବୀରେ କାମ କରିବା ପରେ ୨୦୧୮ରେ ପ୍ରମୋସନ ପାଇ ବାବୁ ବନିଗଲେ ଆସିଷ୍ଟାଣ୍ଟ ଇଞ୍ଜିନିୟର। ନିଯୁକ୍ତ ହେଲେ ସମ୍ବଲପୁରରେ।
ପରେ ପରେ ୨୦୨୨ରୁ ୨୦୨୫, ୪ ବର୍ଷ ଭିତରେ ଫୁଲବାଣୀ, ବୌଦ୍ଧ ଏବଂ ନୟାଗଡ଼ରେ କାର୍ଯ୍ୟ କରିଥିଲେ। ଗତ ଜାନୁୟାରୀ ୭ରେ ବାବୁଙ୍କ ବଦଳି ହୋଇଯାଇଥିଲା କଟକ ସର୍କଲକୁ। ଯେଉଁଠୁ ଆରମ୍ଭ କରିଥିଲେ କଳାଧନ ଠୁଳ କରିବାର ପ୍ରକ୍ରିୟା। ମାସକ ମଧ୍ୟରେ ଠୁଳ କରିଛନ୍ତି ଏହି ପାହାଡ଼ ଭଳି ଟଙ୍କା। ଏପରିକି ରାତି ଅଧରେ ବ୍ୟାଗ ଭର୍ତ୍ତି ଟଙ୍କା ଧରି ଆସୁଥିଲେ ବି କୌଣସି ଟେର୍ ପାଉନଥିଲେ ଖଣି ବାବୁଙ୍କ ପଡ଼ୋଶୀ।
ମାତ୍ର ୮ ହଜାର ଟଙ୍କାର ଦରମାରୁ ଚାକିରି ଆରମ୍ଭ କରିଥିବା ଦେବବ୍ରତ କେମିତି ଏତେ ଟଙ୍କା ଆଣି ରଖିଥିଲେ ନିଜ ବାସଘରେ ? ଯେହେତୁ ଖଣି ବିଭାଗରେ କଟକ ସର୍କଲର ଉପନିର୍ଦ୍ଦେଶକ, ତେଣୁ ବାଲିଘାଟ, କୋଇଲା ଡିପୋ ସହ ପରିବହନ, ଲଘୁ ଖଣିଜ ଉତ୍ତୋଳନ ଆଦି କ୍ଷେତ୍ର ଥିଲା କି ଅର୍ଥ ଠୁଳର ଉତ୍ସ ? ବାବୁଙ୍କୁ କିଏ ଦେଉଥିଲା କି ଅଭୟବର ?
ଭିଜିଲାନ୍ସ ଏସପିଙ୍କ କହିବା କଥା, ୨୦୦୯ରେ ବି ଖଣି ଅଧିକାରୀ ଦେବବ୍ରତଙ୍କ ନାଁରେ ବାରିପଦାରେ ଲାଞ୍ଚ କାରବାର ଅଭିଯୋଗ ନେଇ ଭିଜିଲାନ୍ସ ମାମଲା ରହିଛି। ଏହାପରେ ବି ବାବୁଙ୍କୁ କାହିଁକି ଛାଡ଼ିନଥିଲା ଲାଞ୍ଚ ମୋହ ? ଏସବୁ ଦିଗକୁ ଧରି ତନାଘନା ଚଳାଇଛି ଭିଜିଲାନ୍ସ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/25/vigilance-raid-2026-02-25-19-58-48.jpg)