Corrupt DIG Photograph: (OTV)
ପଞ୍ଜାବ ପୋଲିସର ଗିରଫ ହୋଇଥିବା DIG ହରଚରଣ ସିଂହ ଭୁଲ୍ଲରଙ୍କ ଘରୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI) ପକ୍ଷରୁ ପ୍ରାୟ ୫ କୋଟି ନଗଦ ଟଙ୍କା ଜବତ ହୋଇଛି। ଏଥି ସହିତ ଦେଢ଼ କିଲୋ ସୁନା, ଅନେକ ବିଳାସପୂର୍ଣ୍ଣ ଗାଡ଼ି ଓ ବହୁ ମୂଲ୍ୟବାନ ସାମଗ୍ରୀ ମଧ୍ୟ ମିଳିଛି । ଏହା ଭୁଲ୍ଲର ସହିତ ସମ୍ପର୍କିତ ବୋଲି କୁହାଯାଉଛି।
ଲାଞ୍ଚ ନେବା ଅଭିଯୋଗରେ ଗିରଫ ହୋଇଥିବା ପଞ୍ଜାବ ପୋଲିସର DIG ହରଚରଣ ସିଂହ ଭୁଲ୍ଲରଙ୍କ (Harcharan Singh Bhullar IPS) ବିଭିନ୍ନ ଠିକଣାରେ ରେଡ୍ କରିଛି ସିବିଆଇ । CBI ୫ କୋଟି ଟଙ୍କା, ଦେଢ଼ କିଲୋ ସୁନା, ୨୨ଟି ଦାମୀ ଘଣ୍ଟା, ଗୋଟିଏ ଅଡି ଓ ଗୋଟିଏ ମର୍ସିଡିଜ୍ ଗାଡ଼ିର ଚାବି, ୪୦ ଲିଟର ବିଦେଶୀ ମଦ ଓ କିଛି ଅସ୍ତ୍ର ଜବତ ହୋଇଛି। ଭୁଲ୍ଲରଙ୍କ ସହିତ ଜଣେ ମଧ୍ୟସ୍ଥିଙ୍କୁ ମଧ୍ୟ ଗିରଫ କରାଯାଇଛି।
ଏହି ଗିରଫ ଫତେହଗଡ଼ ସାହିବର ଜଣେ ଲୁହା ବ୍ୟବସାୟୀଙ୍କ ଅଭିଯୋଗ ଆଧାରରେ ହୋଇଛି। ସେ ଅଭିଯୋଗ କରିଥିଲେ ଯେ, ତାଙ୍କ ବିରୁଦ୍ଧରେ ଚାଲିଥିବା ମାମଲାକୁ ତୁଟାଇବା ପାଇଁ ଭୁଲ୍ଲର ୮ ଲକ୍ଷ ଟଙ୍କା ଲାଞ୍ଚ ଚାହିଁଥିଲେ। ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଅଭିଯୋଗକାରୀ କହିଥିଲେ ଯେ ଜଣେ ମଧ୍ୟସ୍ଥ ମାଧ୍ୟମରେ ପୋଲିସ ଅଧିକାରୀ ଲାଞ୍ଚ ମାଗିଥିଲେ ଓ ଏହାର ବଦଳରେ ସେ ପୋଲିସ ତାଙ୍କ ବ୍ୟବସାୟ ବିରୋଧରେ କୌଣସି ନେଗେଟିଭ୍ କାର୍ଯ୍ୟ କରିବେନି ବୋଲି ପ୍ରତିଶ୍ରୁତି ଦେଇଥିଲେ।
ମଣ୍ଡି ଗୋବିନ୍ଦଗଡ଼ର ଆକାଶ ବତ୍ତା ନାମକ ବ୍ୟକ୍ତି ବିରୋଧରେ ଲୁହା ଓ ଷ୍ଟିଲ୍ ପ୍ରଡକ୍ଟ ଚୋରି ସମ୍ପର୍କିତ ମାମଲା ଚାଲିଥିଲା। ଭୁଲ୍ଲର ନିଜ ସ୍ଵାର୍ଥ ପାଇଁ ଲାଞ୍ଚ ନେଇ ଏହାକୁ ତୁଟାଇବାକୁ ଚେଷ୍ଟା କରୁଥିଲେ।
ଭୁଲ୍ଲରଙ୍କ ବିରୋଧରେ ଥିବା ହୋଇଥିବା FIR କପିରେ ଲେଖାଅଛି ଯେ, ଭୁଲ୍ଲର ‘କିରଶାନୁ’ ନାମକ ଜଣେ ମଧ୍ୟସ୍ଥି ମାଧ୍ୟମରେ ଅଭିଯୋଗକାରୀ ଆକାଶ ବତ୍ତାଙ୍କୁ ଲାଞ୍ଚ ଦେବାକୁ କହିଥିଲେ। ପ୍ରତିମାସ ‘ସେବା ପାଣି’ ନାମରେ ଲାଞ୍ଚ ଚାହିଁଥିଲେ ଓ ନଦେଲେ ମିଥ୍ୟା ମାମଲାରେ ଫସାଇବେ ବୋଲି ଧମକ ଦେଇଥିଲେ।
ଟଙ୍କା ଦେଲେ ପୋଲିସ କେବେ ବି ତାଙ୍କ ବିରୋଧରେ କୌଣସି ଆକ୍ସନ ନେବ ନାହିଁ ବୋଲି କହିଥିଲେ । ୧୧ ଅକ୍ଟୋବର ୨୦୨୫ ରେ ରେକର୍ଡ ହୋଇଥିବା ଏକ WhatsApp କଲ୍ ରୁ ଏହି କଥା ଜଣାପଡିଛି । ପୋଲିସ ମଧ୍ୟସ୍ଥିଙ୍କ ଠାରୁ ୨୧ ଲକ୍ଷ ଟଙ୍କା ପାଇଛି।
ତଲାସୀରେ କ’ଣ ମିଳିଲା?
ଭୁଲ୍ଲରଙ୍କ ଗିରଫ ପରେ CBI ପଞ୍ଜାବ ଓ ଚଣ୍ଡିଗଡ଼ରେ ତାଙ୍କ ସହିତ ସମ୍ପର୍କିତ ଠିକଣାଗୁଡ଼ିକରେ ରେଡ୍ କରିଥିଲା। ୧୫ରୁ ଅଧିକ ସମ୍ପତ୍ତି ଡକ୍ୟୁମେଣ୍ଟ, ମର୍ସିଡିଜ୍ ଓ ଅଡି ଗାଡ଼ିର ଚାବି, ୨୨ଟି ଦାମୀ ଘଡ଼ି, ଅନେକ ଲକର ଚାବି, ୪୦ ଲିଟର ବିଦେଶୀ ମଦ ଓ ଅସ୍ତ୍ର ଜବତ ହୋଇଛି। ଏଥିରେ ଡବଲ୍ ବ୍ୟାରେଲ୍ ବନ୍ଧୁକ, ପିସ୍ତଲ୍, ରିଭଲଭର ଓ ଗୁଳି ସହିତ ଏକ ଏୟାରଗନ୍ ମଧ୍ୟ ରହିଛି।
ଭୁଲ୍ଲରଙ୍କୁ ପଞ୍ଚକୁଲାକୁ ନେଇ ପଚରାଉଚରା କରାଯାଉଛି ଓ CBI ସେମାନଙ୍କ ରିମାଣ୍ଡ ପାଇଁ କୋର୍ଟରେ ଆବେଦନ କରିବ। ଅପରେସନ୍ ଗୋପନୀୟ ରଖିବା ପାଇଁ CBI ପକ୍ଷରୁ ପଞ୍ଜାବ ପୋଲିସର କୌଣସି ଅଧିକାରୀଙ୍କୁ ଏଥିରେ ସାମିଲ୍ କରିନଥିଲା।
CBIର ତଦନ୍ତ ଜାରି ରହିଛି । ଅଧିକାରୀମାନେ କହିଛନ୍ତି ଯେ ଭୁଲ୍ଲରଙ୍କ ସମ୍ପତ୍ତି ଓ ଲାଞ୍ଚ ନେଟୱର୍କ ସଂପର୍କରେ ଅଧିକ ତଥ୍ୟ ପାଇବାକୁ ଉଦ୍ୟମ କରାଯାଉଛି । ହରଚରଣ ସିଂହ ଭୁଲ୍ଲର ପୂର୍ବରୁ ମୋହାଲିର SSP ଓ ପଟିଆଲା ରେଞ୍ଜର DIG ଭାବେ କାମ କରିଥିଲେ। ନଭେମ୍ବର ୨୦୨୪ ରେ ତାଙ୍କ ନିଯୁକ୍ତି ରୋପର ରେଞ୍ଜରେ ହୋଇଥିଲା। ସେ ସେହି SIT ର ମୁଖ୍ୟ ଥିଲେ ଯେଉଁଠି ଅକାଳୀ ଦଳ ନେତା ବିକ୍ରମ ସିଂହ ମଜିଠିଆଙ୍କୁ ହାଇ ପ୍ରୋଫାଇଲ୍ ଡ୍ରଗ୍ସ ଚୋରାଚାଲାଣ ମାମଲାରେ ପଚରାଉଚରା କରାଯାଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/17/corrupt-dig-2025-10-17-14-53-58.jpg)