IPS-BEHIND-GOA-TRAGEDY Photograph: (OTV)
ଗୋଆ ନାଇଟ କ୍ଲବ ଟ୍ରାଜେଡି ପଛରେ ବହୁ ବଡ଼ ମୁଣ୍ଡଙ୍କ ହାତ ଥିବା କ୍ରମେ ସ୍ପଷ୍ଟ ହେବାରେ ଲାଗିଲାଣି। ଏମିତିକି କିଛି ଆଇପିଏସ୍ ଅଫିସରଙ୍କ ସଂପୃକ୍ତି ଥିବା ବି ଜଣାପଡ଼ିଗଲାଣି। ବିଭିନ୍ନ ପ୍ରକାର ନିୟମ ଉଲ୍ଲଂଘନ ହେଉଥିଲେ ବି ସଂପୃକ୍ତ ଆଇପିଏସ୍ ଅଫିସର ଦ୍ବୟ ଏହାକୁ ଚାପି ଦେବାରେ ସକ୍ଷମ ହେଉଥିଲେ । ଶନିବାର ରାତିରେ ଗୋଆ ଆର୍ପୋରା ଅଞ୍ଚଳର ଜଣାଶୁଣା ନାଇଟ କ୍ଲବ ବିର୍ଚ ବାଇ ରୋମିଓ ଲେନ୍ରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ଡିଜେ ସାଉଣ୍ଡରେ ଗ୍ରାହକମାନେ ଝୁମୁଥିବା ବେଳେ ହଠାତ୍ ନିଆଁ ଲାଗି ଜଳି ଯାଇଥିଲା ନାଇଟ କ୍ଲବ । ଏଥିରେ କ୍ଲବର ଷ୍ଟାଫ୍ ଏବଂ ଗ୍ରାହକଙ୍କୁ ମିଶାଇ ୨୫ ଜଣଙ୍କ ଜୀବନ ଚାଲି ଯାଇଥିଲା ।
ଘଟଣାକୁ ନେଇ ସାରା ଦେଶରେ ଆଲୋଡ଼ନ ଖେଳି ଯାଇଥିଲା ବେଳେ ଗୋଆ ପୋଲିସ ତଦନ୍ତ ଜୋରଦାର କରିଥିଲା । ତଦନ୍ତ କାଳରେ ଯେଉଁ ତଥ୍ୟ ମିଳିଥିଲା ତାହା ଯେତିକି ଗୁରୁତ୍ବପୂର୍ଣ୍ଣ ସେତିକି ଚିନ୍ତାଜନକ ମଧ୍ୟ । ଦୁଇ ବରିଷ୍ଠ ଆପିଏସ୍ ଚାହିଁଥିଲେ ଏଭଳି ଅଘଟଣକୁ ଏଡାଇ ଦିଆଯାଇପାରିନଥାନ୍ତା ବୋଲି ପ୍ରାଥମିକ ତଦନ୍ତ କାଳରେ ଜଣାପଡ଼ିଥିଲା । ସ୍ଥାନୀୟ ପୋଲିସକୁ ଯଦି ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦୁଇ ଆଇପିଏସ୍ ରୋକି ନଥାନ୍ତେ ତେବେ ଏଭଳି ଅଘଟଣକୁ ସାମ୍ନା କରିବାକୁ ପଡ଼ିନଥାନ୍ତା । ଆଇନ ଉଲ୍ଲଂଘନ ନେଇ ଅଞ୍ଜୁନା ଥାନା ପକ୍ଷରୁ ବିର୍ଚ ବାଇ ରୋମିଓ ଲେନ୍ ନାଇଟ କ୍ଲବକୁ ନୋଟିସ କରାଯାଇଥିଲା । କିନ୍ତୁ ୨ ଜଣଙ୍କ ମଧ୍ୟରୁ ଜଣେ ବରିଷ୍ଠ ଆଇପିଏସ୍ ନୋଟିସ ଫେରାଇ ଆଣିବାକୁ ଥାନା ଅଧିକାରୀଙ୍କ ଉପରେ ଚାପ ପକାଇଥିଲେ । ଏମିତିକି ମାମଲାକୁ କ୍ଲୋଜ୍ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ସଂପୃକ୍ତ ଆଇପିଏସ୍ ।
୨୦୨୪ ସାଧାରଣ ନିର୍ବାଚନ ବେଳେ ନାଇଟ କ୍ଲବ ନାଁରେ ନିୟମ ଉଲ୍ଲଘଂନ ଅଭିଯୋଗ ଆସିଥିଲା । ସେତେବେଳର ଅଞ୍ଜୁନା ଥାନା ଇନ୍ସପେକ୍ଟର ପ୍ରହ୍ଲାଦ ଦେଶାଇ ନାଇଟ କ୍ଲବକୁ ମିଳିଥିବା ଅନୁମତି ସଂପର୍କିତ ଦସ୍ତାବିଜ ଉପରେ ଖୋଳତାଡ଼ କରିଥିଲେ । କିନ୍ତୁ ସଂପୃକ୍ତ ଆଇପିଏସ୍ ଅଫିସର ଜଣକ ତାଙ୍କୁ ଏଥରୁ ନିବୃତ ରହିବାକୁ ଚାପ ପକାଇଥିଲେ । ଏହା ପରେ ପରେ କ୍ରାଇମବ୍ରାଞ୍ଚ ଡିଏସ୍ପି ରାଜେଶ କୁମାର ବିର୍ଚ ବାଇ ରୋମିଓ ଲେନ୍ ନାଇଟ କ୍ଲବକୁ ସମସ୍ତ କାଗଜପତ୍ର ଆଣି ହାଜର ହେବାକୁ ନୋଟିସ ଦେଇଥିଲେ । କିନ୍ତୁ ଆଉ ଜଣେ ଆଇପିଏସ୍ ରାଜେଶ କୁମାରଙ୍କୁ ଚୁପ୍ ରହିବାକୁ ସିଧା ନିର୍ଦ୍ଦେଶ ଦେଲେ ।
ଅଳ୍ପ କିଛି ଦିନ ତଳେ ଅଞ୍ଜୁନା ଥାନା ଅଞ୍ଚଳରେ ୫ଟି ନାଇଟ କ୍ଲବକୁ ପୋଲିସ ନୋଟିସ କରିଥିଲା । ଅତି ଉଚ୍ଚ ସ୍ବରରେ ମ୍ୟୁଜିକ ବଜାଉଥିବା ଅଭିଯୋଗ ଆସିଥିଲା । ୨ ଜଣଙ୍କ ମଧ୍ୟରୁ ଜଣେ ଆଇପିଏସ୍ ରୋମିଓ ଲେନ୍ ମାଲିକଙ୍କୁ ଏଥିରୁ ବାଦ୍ ଦେବାକୁ ଚାପ ପକାଇଥିବା ବେଳେ ଆର ଜଣକ କ୍ଲୋଜର ରିପୋର୍ଟ ଦେବାକୁ ବାଧ୍ୟ କରିଥିଲେ । କୁହାଯାଉଛି ମୋଟା ଅଙ୍କର ମାସିକ ଉତ୍କୋଚ ଏବଂ ଅନ୍ୟ କିଛି ପାରିତୋଷିକ ଦ୍ବାରା ୨ ବରିଷ୍ଠ ଆପିଏସ୍ଙ୍କୁ ବଶିଭୂତ କରି ରଖିଥିଲେ ବିର୍ଚ ବାଇ ରୋମିଓ ଲେନ୍ ନାଇଟ କ୍ଲବ ମାଲିକ ଲୁଥ୍ରା ଭ୍ରାତା । ଏବେ ମୁଖ୍ୟ ଅଭିଯୁକ୍ତ ମାଲିକ ଲୁଥ୍ରା ଭ୍ରାତା ଥାଇଲାଣ୍ଡ ଖସି ଯାଇଥିବା ବେଳେ ସନ୍ଦେହ ଘେରରେ ଥିବା ୨ ଆଇପିଏସ୍ଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନେବାକୁ ସବୁ ମହଲରେ ଦାବି ହେଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/10/ips-behind-goa-tragedy-2025-12-10-16-54-00.jpg)