Gold Price Photograph: (OTV)
ଆଉ କମିବନି ସୁନା ଭାଉ ! ଚିନ୍ତା ବଢାଇଲାଣି ଏକ୍ସପର୍ଟଙ୍କ ଆକଳନ । ଗରିବ, ମଧ୍ୟବିତ୍ତଙ୍କ ପାଇଁ ସ୍ୱପ୍ନ ହୋଇଯିବ ସୁନା କିଣା । ଆଗକୁ ସୁନା ପିନ୍ଧିବା ତ ଦୂରର କଥା, ଛୁଇଁବାକୁ ବି ଡର ଲାଗିବ । ୨୦୨୫ରେ ରେକର୍ଡ ସ୍ତରରେ ରହିଛି ସୁନା ଦର ।
ବର୍ତ୍ତମାନ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ଦାମ୍ ଲକ୍ଷେ ୩୦ ହଜାର ଡେଇଁଛି । ଏ ବର୍ଷ ପ୍ରାୟ ୬୦ ପ୍ରତିଶତ ମହଙ୍ଗା ହୋଇଛି ସୁନା ଭାଉ । ହେଲେ ପିକ୍ଚର ଅଭି ବାକି ହୈ । ୨୦୨୫ରେ ଯାହା ବଢିଲା ତ ବଢିଲା, ୨୦୨୬ରେ ସବୁ ରେକର୍ଡ ଭାଙ୍ଗିବ ସୁନା ରେଟ୍ । ଏ କଥା ଆମେ କହୁନୁ, ବରଂ ୱାର୍ଲ୍ଡ ଗୋଲ୍ଡ କାଉନସିଲ୍ ବା WGC ରିପୋର୍ଟରୁ ଜଣାପଡିଛି ।
WGC ରିପୋର୍ଟ ଅନୁସାରେ, ଆଗକୁ ମଧ୍ୟ ସୁନା ଦର ହୁ ହୁ ହୋଇ ବଢିପାରେ । ୨୦୨୬ରେ ବର୍ତ୍ତମାନର ରେଟ୍ଠାରୁ ଆହୁରି ୧୫ରୁ ୩୦% ବୃଦ୍ଧି ପାଇବାରେ ସୁନା ଦର । ଅର୍ଥାତ୍ ୧୦ ଗ୍ରାମ ସୁନା ରେଟ୍ ପ୍ରାୟ ୧ ଲକ୍ଷ ୬୦ ହଜାର ପାର୍ କରିବ । WGCର କହିବା କଥା, ଭୂ-ରାଜନୈତିକ ଚାପ ଓ ସୁରକ୍ଷିତ ନିବେଶର ଡିମାଣ୍ଡ ଆଗାମୀ ଦିନରେ ମଧ୍ୟ ସୁନାକୁ ମହଙ୍ଗା କରିବ । ଯଦି ଏହି ଆକଳନ ସତ ହୁଏ, ତାହେଲେ ବାସ୍ତବରେ ଗରିବଙ୍କ ପାଇଁ ସ୍ୱପ୍ନ ହୋଇଯିବ ସୁନା ପିନ୍ଧିବା । ଏହା କହିଛନ୍ତି ମାର୍କେଟ ଏକ୍ସପର୍ଟ ତ୍ରିନାଥ ଲେଙ୍କା ।
ବର୍ତ୍ତମାନର ଦାମ୍ କଥା ଯଦି କହିବା, ବର୍ତ୍ତମାନ ଭୁବନେଶ୍ୱରରେ ୧୦ ଗ୍ରାମ ୨୨ କ୍ୟାରେଟ୍ ସୁନା ଦର ରହିଛି ୧ ଲକ୍ଷ ୧୯ ହଜାର ୪୬୦ ଟଙ୍କା । ୨୪ କ୍ୟାରେଟ ଦାମ୍ ୧ ଲକ୍ଷ ୩୦ ହଜାର ୩୨୦ ଟଙ୍କା ।
ରୁପା ୩ ଦିନରେ ୧୧ ହଜାର ବଢିଲା
ସେପଟେ ରୁପା ବି ୩ ଦିନରେ ୧୧ ହଜାର ବଢି ନୂଆ ରେକର୍ଡ କରିଛି । ବର୍ତ୍ତମାନ ଭୁବନେଶ୍ୱରରେ ୨ ଲକ୍ଷ ୭ ହଜାର ଟଙ୍କାରେ ପହଞ୍ଚିଛି ରୁପା କେଜି । ଆମେରିକା ରୁପାକୁ କ୍ରିଟିକାଲ ମିନେରାଲ ତାଲିକାରେ ସାମିଲ କରିଛି । ରୁପା ଏକ୍ସଚେଞ୍ଜ ଟ୍ରେଡେଡ୍ ଫଣ୍ଡରେ ନିବେଶକ ବିପୁଳ ପରିମାଣରେ ନିବେଶ କରୁଛନ୍ତି । ଏସବୁ କାରଣ ପାଇଁ ହୁ ହୁ ହୋଇ ରୁପା ଦର ବଢୁଥିବାର କହିଛନ୍ତି ବିଶେଷଜ୍ଞ ।
ଭାରତରେ ସୁନା କେବଳ ଏକ ଗହଣା ନୁହେଁ, ଏହା ଆମର ସଂସ୍କୃତି ଓ ପରମ୍ପରା ସହ ଜଡିତ । ଧନତେରାସ୍ ଓ ଅକ୍ଷୟତୃତୀୟାରେ ସୁନା କିଣିବା ସମୃଦ୍ଧିର ପ୍ରତୀକ ଭାବେ ଦେଖାଯାଏ । ସେହିପରି ବିବାହ ବ୍ରତ ହେଉକି ଜନ୍ମଦିନ ଆମ ଦେଶରେ ସୁନା ଉପହାର ଦେବାର ଚଳଣି କାହିଁ କେଉଁ କାଳରୁ ରହିଆସିଛି । ଏମିତିରେ ରକେଟ୍ ବେଗରେ ବଢୁଥିବା ସୁନା ଦର ଏବେ ଗରିବ ଓ ମଧ୍ୟବିତ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/11/gold-price-2025-12-11-14-35-57.jpg)