Advertisment

Obscene Stage Performance in Odisha: ନିଶାଙ୍କ ନୃତ୍ୟ ଦେଖିବାକୁ ଯାଇ ବଦଳିଲେ ସବ-କଲେକ୍ଟର

ଛତିଶଗଡ଼ରେ ଆକ୍ସନ, ଓଡ଼ିଶାରେ ଖୋଲାମେଲା। ନିଶା ମହାରଣାଙ୍କ ଅଙ୍ଗ ପ୍ରଦର୍ଶନକୁ ନେଇ ଗରିଆବନ୍ଧରେ ହଙ୍ଗାମା। ୧୪ ଆୟୋଜକ ଗିରଫ ସହ ୩ ପୋଲିସ ସସପେଣ୍ଡ। ନିଶାଙ୍କ ନୃତ୍ୟ ଦେଖିବାକୁ ଯାଇ ବଦଳିଲେ ସବ-କଲେକ୍ଟର।

Obscene Stage Performance in OdishaA

ନିଶାଙ୍କ ନୃତ୍ୟ ଦେଖିବାକୁ ଯାଇ ବଦଳିଲେ ସବ-କଲେକ୍ଟର Photograph: (OTV)

Advertisment

ଯାତ୍ରା ମଞ୍ଚରେ ଅଙ୍ଗ ପ୍ରଦର୍ଶନ ପାଲଟିଛି ଟ୍ରେଣ୍ଡ। ଅଶ୍ଲୀଳତାର ସୀମା ଟପୁଥିବା ଆତ୍ମଘୋଷିତ କଳାକାର ଯେ, କଳା ନାଁରେ ଚଉଦ ପୁରୁଷ ଉଦ୍ଧାର କରୁଛନ୍ତି ତା’ନୁହେଁ, ବରଂ କଳା ସଂସ୍କୃତି ଓ କଳା ପ୍ରତି ରୁଚି ରଖୁଥିବା ଦର୍ଶକଙ୍କ ଭାବନା ପ୍ରତି କୁଠାରଘାତ କରୁଛନ୍ତି। ଏବେ ଛତିଶଗଡ଼ ଯାଇ ଓଡ଼ିଶା ନାଁକୁ ତଳେ ପକାଇଛନ୍ତି ଓଡ଼ିଆ ଯାତ୍ରା କମିଟି ସହ ଆଇଟମ୍ ଗାର୍ଲ ନିଶା ମହାରଣା। 

Advertisment

ଅନ୍ୟ କଳାକାରଙ୍କ ସହ ନିଶାଙ୍କ ନୃତ୍ୟକୁ ନେଇ ହଙ୍ଗାମା ପରେ ୧୪ ଆୟୋଜକଙ୍କୁ ବାନ୍ଧିଛି ଛତିଶଗଡ଼ ପୋଲିସ। ଏପରିକି ୩ ପୋଲିସ ଅଧିକାରୀ ନିଲମ୍ବିତ ହେବା ସହ ବଦଳିଛନ୍ତି ଉପ ଜିଲ୍ଲାପାଳ। ତେବେ ଓଡ଼ିଶାର ବିଭିନ୍ନ ପେଣ୍ଡାଲରେ ଏଭଳି ଅଶ୍ଳୀଳ ନୃତ୍ୟ ସହ ଅଙ୍ଗପ୍ରଦର୍ଶନ ପରେ ବି କାହିଁକି ଆପଣାଯାଉନି ଛତିଶଗଡ଼ ଫଣ୍ଡା ? ବଢ଼ିଛି ଚର୍ଚ୍ଚା।

ଯାତ୍ରା ନାଁରେ ମଞ୍ଚ ଉପରେ ଖୋଲା ଅଙ୍ଗ ପ୍ରଦର୍ଶନ... ସବୁ ସୀମା ଟପିଯାଇଛନ୍ତି ଜଣଙ୍କ ପରେ ଜଣେ ତଥାକଥିତ ଆଇଟମ୍ ଗାର୍ଲ। ସଂସ୍କୃତି ଓ ସଂସ୍କାରର ଉଡୁଛି ଧଜ୍ଜିଆ। ଯୁବ ହୁଅନ୍ତୁ କି ବୟସ୍କ। ମତୁଆଲା ଦର୍ଶକ। ୟେ ଛତିଶଗଡ଼ ଗରିଆବନ୍ଦ ଜିଲ୍ଲା ଦେଭୋଗ ଅଞ୍ଚଳର ଦୃଶ୍ୟ। ଯେଉଁଠି ଓଡ଼ିଶାର ବନଦୁର୍ଗା ଗଣନାଟ୍ୟ ମଧ୍ୟ ସାମିଲ ହୋଇଥିଲା। ଓଡ଼ିଶାରୁ ନିଶା ମହାରଣା ମଧ୍ୟ ଯାଇଥିଲେ ଏହି କାର୍ଯ୍ୟକ୍ରମକୁ। କେବଳ ନିଶା ନୁହଁନ୍ତି, ସ୍ଥାନୀୟ କିଛି ଯୁବତୀ ବି କରିଥିଲେ ଅଙ୍ଗ ପ୍ରଦର୍ଶନ। ଯାହାକୁ ନେଇ ଛତିଶଗଡ଼ରେ ହଙ୍ଗାମା। 

Advertisment

ମିଳିଥିବା ସୂଚନା ଅନୁଯାୟୀ, ଗତ ୪ରୁ ୧୦ ତାରିଖ ଯାଏଁ ଓଡ଼ିଶାର ବନଦୁର୍ଗା ଗଣନାଟ୍ୟକୁ ଯାତ୍ରା ପରିବେଷଣ ପାଇଁ ମିଳିଥିଲା ଅନୁମତି। ୯ ତାରିଖରେ ନିଶା ମଞ୍ଚକୁ ଓହ୍ଲାଇ ଆପତ୍ତିଜନକ ଭାବେ ଅଙ୍ଗପ୍ରଦର୍ଶନ କରିଥିଲେ। ଫଳରେ ଉପୁଜିଥିଲା ବିବାଦ। ତେଣୁ ୧୦ ତାରିଖରେ ଗରିଆବନ୍ଦ ଜିଲ୍ଲାପାଳ ଏହାକୁ ବନ୍ଦ କରିବା ପାଇଁ ଜାରି କରିଥିଲେ ନିର୍ଦ୍ଦେଶନାମା।

ଏହାର ଭିଡ଼ିଓ ବି ଭାଇରାଲ୍ ହୋଇଥିଲା। ଯେଉଁଥିରେ ମେନପୁର ଉପ ଜିଲ୍ଲାପାଳ ତୁଳସୀଦାସ ମାରକାମାଙ୍କ ସହ କିଛି ପୋଲିସ କର୍ମଚାରୀ ମଜ୍ଜି ଯାଇଥିଲେ ଏଭଳି। ଶେଷରେ ଆକ୍ସନ ମୋଡକୁ ଆସି ଗରିଆବନ୍ଦ ଜିଲ୍ଲାପାଳ ୩ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ ସହ ମେନପୁର ଉପଜିଲ୍ଲାପାଳଙ୍କୁ ବଦଳି କରିଥିଲେ। ତା’ସହ ବନ୍ଧା ହୋଇଥିଲେ ୧୪ ଆୟୋଜକ। 

Advertisment

ଓଡ଼ିଶାରେ ବି ଏଭଳି ଅଙ୍ଗପ୍ରଦର୍ଶନ କିଛି କମ୍ ନୁହଁ। ନିଶା ମହାରଣା ହୁଅନ୍ତୁ ଅବା ସାହୁ ଭାଉଜ। ମଞ୍ଚ ଉପରେ ଟପି ଯାଇଛନ୍ତି ସବୁ ସୀମା। ଏଠି ବି ଏମାନଙ୍କର ଅଙ୍ଗ ପ୍ରଦର୍ଶନ ସହ ଆପତ୍ତିଜନକ ନୃତ୍ୟ ଭିତରେ ପୋଲିସ ବାବୁ ମଜ୍ଜିଯାଇଥିବାର ଭିଡ଼ିଓ ଭାଇରାଲ୍ ହୋଇଛି। ରେକର୍ଡ ଡାନ୍ସ ତ ନୁହେଁ, ସତେଯେମିତି ନେକେଡ୍ ଡାନ୍ସର ଭିଡ଼ିଓ ଭାଇରାଲ୍ ହୋଇଛି ବାରମ୍ବାର। 

ବ୍ୟାବସାୟିକ ଲାଭ ପାଇଁ ମଂଚରେ ସୀମା ଟପିଛି ଅଶ୍ଳୀଳତା। କିନ୍ତୁ ଛତିଶଗଡ଼ ଭଳି ଓଡ଼ିଶାରେ ଆଜି ଯାଏଁ କାହା ବିରୋଧରେ ହୋଇନି ଆକ୍ସନ। ଫଳରେ କଳା ସଂସ୍କୃତି ଓ କଳା ପ୍ରତି ରୁଚି ରଖୁଥିବା ଦର୍ଶକଙ୍କ ଭାବନା ପ୍ରତି କୁଠାରଘାତ ହେବା ସହ ବଢ଼ିଛି ଅସନ୍ତୋଷ। ତେଣେ ଯାତ୍ରାପାର୍ଟି ମାଲିକଙ୍କୁ ଦୋଷ ଝାଡ଼ିଛି ଓଡ଼ିଶା ଯାତ୍ରା ମହାସଂଘ। ଯାତ୍ରା ମାଲିକ କିନ୍ତୁ ଦର୍ଶକଙ୍କ ମାନସିକତାକୁ ଦାୟୀ କରିଛନ୍ତି। 


ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନକୁ ରୋକିବା ପାଇଁ ପୂର୍ବରୁ ସଂସ୍କୃତି ମନ୍ତ୍ରୀ ଖୁବଶୀଘ୍ର ଗାଇଡଲାଇନସ ଆସିବ ବୋଲି କହିଥିଲେ। କିନ୍ତୁ ଏଯାଏଁ କୌଣସି SOP କିମ୍ବା ଗାଇଡଲାଇନସ ଆସିନି। ତେବେ ଛତିଶଗଡ଼ରେ ସ୍ଥାନୀୟ ପ୍ରଶାସନ ଯେଭଳି ଆଖିଦୃଶିଆ ଆକ୍ସନ ନେଲା, ଓଡ଼ିଶାରେ ବି ରାଜ୍ୟ ସରକାର ସେଭଳି ଆକ୍ସନ ମୋଡକୁ ଆସିବେ କି ?

 ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଛତିଶଗଡ ଭଳି ଓଡ଼ିଶାରେ ବି ହେବ କାର୍ଯ୍ୟାନୁଷ୍ଠାନ। ସଂସ୍କୃତି ବିଭାଗ ଓ ରାଜ୍ୟ ସରକାର ଆୟୋଜକ ଏବଂ ଯାତ୍ରା ପାର୍ଟି ମାଲିକଙ୍କୁ ଅଶ୍ଳୀଳ ନୃତ୍ୟ ବନ୍ଦ ନକଲେ ପରିଣାମ ଭୋଗିବାକୁ ଜଣାଇ ଦିଆଯାଇଛି। ତେବେ ଛତିଶଗଡ଼ ଘଟଣା ସଂପର୍କରେ କିନ୍ତୁ ନିଶା ମହାରଣା କିମ୍ବା ବନଦୁର୍ଗା ଗଣନାଟ୍ୟ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରନି। 

Odisha Cultural Centre Police Action Nisha Maharana
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ