Advertisment

Biju’s Statue Colour Change Politics: ରାତାରାତି ବଦଳିଗଲା ବିଜୁଙ୍କ ରଙ୍ଗ, ଥିଲେ ସବୁଜ, ହେଲେ… ଯାହାକୁ ପଚାରିଲେ ସେ କହୁଛି…

ବିଜେଡିର ଥିମ୍ କଲର୍ ବା ଦଳୀୟ ରଙ୍ଗ ହେଉଛି ସବୁଜ। ବିଜେପି ସରକାରକୁ ଆସିବା ପରେ ରଙ୍ଗକୁ ନେଇ ଛକ୍କା ପଞ୍ଝା ଜାରି ରହିଛି। ଏହି ସମୟରେ ବିଜେଡି ଯେଉଁ ବିଜୁ ପଟ୍ଟନାୟକଙ୍କ ନାଁରେ ତିଆରି ହୋଇଛି, ଏବେ ସେଇ ବିଜୁଙ୍କ କଲର୍ କିଏ ବଦଲେଇ ଦେଇଛି। କିନ୍ତୁ କିଏ ବଦଳେଇଛି ତାହା ଜଣାପଡୁନି। ପଢ଼ନ୍ତୁ ପୂରା ଷ୍ଟୋରି।

ଅଦ୍ୟତନ ହୋଇଛି
suspense behind overnight change of colour of Biju pattnaik’s Statue at cuttack

suspense behind overnight change of colour of Biju pattnaik’s Statue at cuttack

Advertisment

ରଙ୍ଗ ବଦଳେଇବା ପ୍ରସଙ୍ଗକୁ ନେଇ ସମାଲୋଚନାର ଶରବ୍ୟ ହୋଇ ଆସିଥିବା ଓଡ଼ିଶାର ବର୍ତ୍ତମାନର ବିଜେପି ସରକାର ଯଦିଓ ଏହିପରି ଅଭିଯୋଗ ଭିତ୍ତିହୀନ ବୋଲି ସବୁବେଳେ ସଫେଇ ଦେଇଆସିଛି, କିନ୍ତୁ ରଙ୍ଗ ପରିବର୍ତ୍ତନ ଚର୍ଚ୍ଚା ସରକାରକୁ ଛାଡୁନି।

Advertisment

ରଙ୍ଗ ପରିବର୍ତ୍ତନ ବିବାଦ

ସରକାରକୁ ଆସିବା ପରେ ମୋହନ ସରକାର ମୋ ବସ୍, ସ୍କୁଲ କୋଠା, ସ୍କୁଲ ଡ୍ରେସ୍ ପ୍ରଭୃତିର ରଙ୍ଗ ବଦଳେଇବା ନେଇ ଅଭିଯୋଗ ଉଠିଛି। ଏହାକୁ ବିରୋଧୀମାନେ ସମାଲୋଚନା କରୁଛନ୍ତି। ବିରୋଧୀ ସବୁବେଳେ କହି ଆସିଛନ୍ତି, ମୋହନ ସରକାର ନୂଆ ଯୋଜନା ନକରି, କେବଳ ବିଜେଡି ସରକାର ଅମଳର ପୁରୁଣା ଯୋଜନାକୁ ନାଁ ଓ ରଙ୍ଗ ବଦଳାଇବାରେ ବ୍ୟସ୍ତ ଅଛି। ଯଦିଓ ଏହା ରାଜନୈତିକ ପ୍ରସଙ୍ଗ ପାଲଟି ଯାଇଛି, ଏବେ କିନ୍ତୁ ଅଭିଯୋଗ ଟିକିଏ ଅଲଗା।

ଏବେ ବିଜୁଙ୍କ ପ୍ରତିମୂର୍ତ୍ତି ପାଳି

ଘଟଣାଟି ଘଟିଛି କଟକ ସହରରେ। ଅଭିଯୋଗ ଉଠିଛି, ସହରର ଏକ କଲୋନୀରେ ଥିବା ଏକ ବିଶାଳ ବିଜୁମୂର୍ତ୍ତିର ରଙ୍ଗକୁ ବଦଳାଇ ଦିଆଯାଇଛି। ଅଭିଯୋଗ ବେଶୀ ତୀବ୍ର ହେଉଛି ସେତିକିବେଳେ, ଯେତେବେଳେ ଜଣାପଡ଼ିଲା ଯେ, ବିଜୁଙ୍କ ପ୍ରତୂମୂର୍ତ୍ତିର ରଙ୍ଗ ପୂର୍ବରୁ ଘନ ସବୁଜ ଥିବାବେଳେ ଏବେ ଏହା ତମ୍ବା ରଙ୍ଗର ହୋଇଯାଇଛି, ଯାହାକି ଗେରୁଆ ପରି ଦିଶୁଛି ବୋଲି ଅଭିଯୋଗ ଆସିଛି।

Advertisment

ମିଳିଥିବା ସୂଚନା ଅନୁଯାୟୀ, କଟକ ସହରର ମହାନଦୀ ବିହାର କଲୋନୀରେ ୨୦୧୮ ମସିହା ସେପ୍ଟେମ୍ବର ୧୧ ତାରିଖରେ ଉଦଘାଟିତ ହୋଇଥିବା ଏହି ପ୍ରତିମୂର୍ତ୍ତିଟିକୁ ଉଦଘାଟନ କରିଥିଲେ ସେତେବେଳର ଚୌଦ୍ବାର-କଟକର ବିଜେଡି ବିଧାୟକ ପ୍ରଭାତ ରଂଜନ ବିଶ୍ବାଳ। ତାଙ୍କ ସହିତ ଥିଲେ, କଟକ ମେୟର ମିନାକ୍ଷୀ ବେହେରା, ଡେପୁଟୀ ମେୟର ଅଜୟ କୁମାର ବାରିକ, ୪୭ ନମ୍ବର କର୍ପୋରେଟର କବିତା ଖଣ୍ଡାଇ।

କିଏ ବଦଳେଇଲା ରଙ୍ଗ?

ତେବେ ବିଜୁଙ୍କ ପ୍ରତିମୂର୍ତ୍ତିର ରଙ୍ଗ ବଦଳିବାକୁ ନେଇ ଦେଖାଦେଇଛି ବିବାଦ। ମହାନଦୀ ବିହାର ମଙ୍ଗଳା ମନ୍ଦିର ଛକ ନିକଟରେ ଥିବା ବିଜୁବାବୁଙ୍କର ଏହି ପ୍ରତିମୂର୍ତ୍ତିର ରଙ୍ଗ କିଏ କାହିଁକି ବଦଳେଇଲା ତାହା ସ୍ପଷ୍ଟ ହୋଇନାହିଁ। କୌଣସି କର୍ତ୍ତୃପକ୍ଷ ରଙ୍ଗ ବଦଳାଇଥିବା ବିଷୟ ମାନୁ ନାହାଁନ୍ତି।

Advertisment

ଆଶ୍ଚର୍ଯ୍ୟର କଥା ହେଉଛି, କଟକ ମହାନଗର ନିଗମ ବା ସିଏମସି କର୍ତ୍ତୃପକ୍ଷ ମଧ୍ୟ ଏ ବାବଦରେ ଅବଗତ ନଥିବା କହିଛନ୍ତି। ଏଠି ପ୍ରଶ୍ନ ଉଠୁଛି ବିଜୁବାବୁଙ୍କ ପ୍ରତିମୂର୍ତ୍ତିକୁ କିଏ ଓ କାହିଁକି ରଂଗ ବଦଳେଇଲା। ସାଧାରଣ ଭାବେ ସହରର ବିଭିନ୍ନ ସ୍ଥାନରେ ଥିବା ମୂର୍ତ୍ତିଗୁଡ଼ିକର ମାଲିକ ହେଉଛି ସିଏମସି। ଏହାର ରକ୍ଷଣାବେକ୍ଷଣ ମଧ୍ୟ ମହାନଗର ନିଗମ କର୍ତ୍ତୃପକ୍ଷଙ୍କର। ମୂର୍ତ୍ତିଗୁଡ଼ିକରେ ଯଦି କୌଣସି ବି ପରିବର୍ତ୍ତନ କରାଯାଏ ତେବେ ଏହା ସିଏମସି ହିଁ କରିଥାଏ।

ଏତେ ବଡ଼ ମୂର୍ତ୍ତିଟିକୁ ରଙ୍ଗ କରିବାକୁ ବହୁତ ଟଙ୍କା ଖର୍ଚ୍ଚ ହେଉଥିବ। ଯଦି ମହାନଗର କର୍ତ୍ତୃପକ୍ଷ ତାହା କରିନାହାଁନ୍ତି, ତାହେଲେ ଏତେ ଟଙ୍କା ଖର୍ଚ୍ଚ କରି କେଉଁ ବିଶେଷ କାରଣରୁ କେଉଁ ବ୍ୟକ୍ତି ଏହାର ରଙ୍ଗ ବଦଳାଇଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସ୍ବଭାବିକ।

ପବ୍ଲିକ୍ କହିଲେ ଏମିତି

କଟକର ମହାନଦୀ ବିହାର ବାସିନ୍ଦା ରବି ଶତପଥୀ ପ୍ରତିକ୍ରିୟା ଦେଇ କହିଛନ୍ତି- ‘ମୂର୍ତ୍ତିର ରଙ୍ଗ ପରିବର୍ତ୍ତନ କରାଯିବା ଆଦୌ ସମୀଚିନ ନୁହେଁ। କାରଣ ପ୍ରତି ମୂର୍ତ୍ତିର ରଙ୍ଗ ତା ଅନୁଯାୟୀ ହୋଇଥାଏ। ଯେଉଁ ବିଶିଷ୍ଟ ବ୍ୟକ୍ତିଙ୍କ ମୂର୍ତ୍ତି କରାଯାଏ, ସେମାନେ ଯେଉଁଭଳ ବେଶପୋଷାକ ପିନ୍ଧିଥିବେ, ଯେଉଁ ରଙ୍ଗର ପୋଷାକ ପିନ୍ଧିଥିବେ, ମୂର୍ତ୍ତିଟିରେ ସେହି ରଙ୍ଗ ଦିଆଯାଇଥାଏ। ସବୁ ମୂର୍ତ୍ତିର ରଙ୍ଗ କେବେବି ଗୋଟିଏ ରଙ୍ଗ ରଖାଯାଇ ନଥାଏ। ଯଦି ବିଜୁବାବୁଙ୍କ ଉଦାହରଣ ନେବା, ତାହେଲେ ମୁଁ କହିବି ସେ ସବୁବେଳେ ଧଳା ପିନ୍ଧୁଥିଲେ, ତାଙ୍କ ମୂର୍ତ୍ତି ଧଳା ହେବା କଥା। ସେହିପରି ମଧୁବାବୁଙ୍କର ପୋଷାକ ତାଙ୍କ ଋଚି ଅନୁସାରେ ହେବା ଉଚିତ। ବିର୍ସା ମୁଣ୍ଡାଙ୍କର ମଧ୍ୟ ସେହିଭଳି ହେବା ଉଚିତ। ଏହା ନହେଲେ ମୂର୍ତ୍ତିଟି ବିକୃତ ହୋଇଯିବ।'

ଜିଲ୍ଲାପାଳ କହିଲେ…

କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେଙ୍କ କଥା ଆହୁରି ଆଶ୍ଚର୍ଯ୍ୟଜନକ। ସେ କହିଛନ୍ତି- ବିଜୁଙ୍କ ପ୍ରତିମୂର୍ତ୍ତର ରଙ୍ଗ ବଦଳାଇବାକୁ ଜିଲ୍ଲା ପ୍ରଶାସନ କାହାରିକୁ ନିର୍ଦ୍ଦେଶ ଦେଇନି। ସରକାରଙ୍କ ତରଫରୁ ମଧ୍ୟ ସେପରି କୌଣସି ନିର୍ଦ୍ଦେଶନାମା ଆସିନାହିଁ। ଏ ସଂପର୍କରେ ତଦନ୍ତ କରାଯିବ।

କମିଶନର କହିଲେ…

ସେହିପରି ମହାନଗର ନିଗମର କମିଶନର ଅନାମ ଚରଣ ପାତ୍ରଙ୍କୁ ଏ ସଂପର୍କରେ ଗଣମାଧ୍ୟମ ପଚାରିବାରୁ ସେ କହିଛନ୍ତି, ପ୍ରତିମୂର୍ତ୍ତିର ରଙ୍ଗ ବଦଳାଇବାକୁ କାହାରିକୁ କୁହାଯାଇ ନାହିଁ। ମଝିରେ ମଝିରେ ନିଗମ ତରଫରୁ ପ୍ରତିମୂର୍ତ୍ତି ଗୁଡ଼ିକର ସଫା କରିବାକୁ ବ୍ୟବସ୍ଥା କରାଯାଏ। ଆବଶ୍ୟକ ଥିଲେ ଯେଉଁ ରଙ୍ଗ ଥାଏ ସେହି ରଙ୍ଗ କରିବାକୁ କୁହାଯାଏ।

ବିଜେଡି-ବିଜେଡି ରାଜନୀତି

ସେପଟେ ବିଜୁଙ୍କ ପ୍ରତିମୂର୍ତ୍ତିର ରଙ୍ଗ ବଦଳକୁ ନେଇ ବିଜେଡି-‘ବିଜେପି କଥା କଟାକଟି ହେବ କଣ, ବରଂ ବିଜେଡି ଭିତରେ କଥା କଟାକଟି ହେଲାଣି। ଗଣମାଧ୍ୟମକୁ ଏ ସଂପର୍କରେ ପ୍ରତିକ୍ରିୟା ଦେଇ, କଟକ ଜିଲ୍ଲା ବିଜେଡି ସଭାପତି ତଥା ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ କହିଛନ୍ତି, ସରକାର ବଦଳିଲେ ମୂର୍ତ୍ତିର ରଙ୍ଗ କେଉଁଠି ବଦଳେ ନାହିଁ। ଏହା ଦୁର୍ଭାଗ୍ୟଜନକ। ସେହି ଅଂଚଳର ଯିଏ ବିଧାୟକ ସେ ବିଜେଡିର ବିଧାୟକ। ସେ ଏ ଯାଏଁ କାହିଁକି ଏହାର ପ୍ରତିବାଦ କରିନାହାଁନ୍ତି ତାହା ମତେ ଚକିତ କରିଛି।’

ତେବେ ଏ ସଂପର୍କରେ କଟକ-ଚୌଦ୍ବାର ବିଧାୟକ ସୌଭିକ ବିଶ୍ବାଳ କିମ୍ବା ପୂର୍ବତନ ବିଧାୟକ ତଥା ତାଙ୍କ ବାପା ପ୍ରଭାତ ରଂଜନ ବିଶ୍ବାଳଙ୍କର ପ୍ରତିକ୍ରିୟା ଆମର ହସ୍ତଗତ ହୋଇନାହିଁ।

Odisha Cuttack Biju Patnaik Odisha Politics Bharatiya Janata Party Biju Janata Dal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ