ଧୃଷ୍ଟତା ! ରାଷ୍ଟ୍ରପତିଙ୍କ ବିରୋଧରେ ପୁଣି ଅପଶଦ୍ଦ କହିଲେ ଜଣେ କଂଗ୍ରେସ ନେତା

ରାଷ୍ଟ୍ରପତିଙ୍କ ପ୍ରତି ଅପଶଦ୍ଦ ବ୍ୟବହାର, ପଦାରେ ପଡ଼ିଲା କଂଗ୍ରେସର ଦେବାଳିଆ ଚିନ୍ତାଧାରା ?

President Droupadi Murmu, Congress leader Udit Raj

ଅଜୟ କୁମାର ଓ ଅଧୀର ରଂଜନ ଚୌଧୁରୀଙ୍କ ପରେ ଉଦିତ୍ ରାଜ୍(Congress leader Udit Raj )। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ(President Droupadi Murmu) ଙ୍କ ବିରୋଧରେ ପୁଣି ଅପଶଦ୍ଦ କହିଛନ୍ତି ଆଉ ଜଣେ କଂଗ୍ରେସ ନେତା । ପୂରା ଦେଶ ଗୁଜୁରାଟରେ ଉତ୍ପାଦନ ହେଉଥିବା ଲୁଣ ଖାଉଥିବା କହିଥିଲେ ରାଷ୍ଟ୍ରପତି । ତେବେ ଏହା ଚାମଚାଗିରିର ଶେଷ ସୀମା ବୋଲି କହିଛନ୍ତି ପୂର୍ବତନ କଂଗ୍ରେସ ସାଂସଦ ଉଦିତ୍ ରାଜ୍ । କୌଣସି ଦେଶର ବି ଏଭଳି ଜଣେ ରାଷ୍ଟ୍ରପତି ହେବା ଉଚିତ୍ ନୁହେଁ ବୋଲି କହିଛନ୍ତି । ତେବେ ତାଙ୍କ ମନ୍ତବ୍ୟକୁ ନେଇ କଂଗ୍ରେସ ଉପରେ ଜୋରଦାର ପ୍ରତି ଆକ୍ରମଣ କରିଛି ବିଜେପି । ଅନ୍ୟପକ୍ଷରେ ଖୁବ୍ ଶୀଘ୍ର ଉଦିତ୍ ରାଜଙ୍କୁ କାରଣ ଦର୍ଶାଇ ନୋଟିସ ପଠାଯିବ ବୋଲି କହିଛନ୍ତି ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ରେଖା ଶର୍ମା ।

ନିଜକୁ ପଛୁଆ ବର୍ଗ ଓ ସଂଖ୍ୟାଲଘୁଙ୍କ ତ୍ରାଣକର୍ତ୍ତା କହୁଛି କଂଗ୍ରେସ । ଏଣେ ଜଣେ ଆଦିବାସୀ ମହିଳାଙ୍କୁ ଅଭ୍ୟାସଗତଙ୍କ ଭଳି ଅପମାନିତ କରି ଚାଲିଛନ୍ତି ଦଳୀୟ ନେତା । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଅପଶଦ୍ଦ ବ୍ୟବହାର କଂଗ୍ରେସର ଦେବାଳିଆ ଚିନ୍ତାଧାରାକୁ ପଦାରେ ପକାଉନି କି ? ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ପୂର୍ବତନ କଂଗ୍ରେସ ସାଂସଦ ଉଦିତ୍ ରାଜଙ୍କ ଆପତ୍ତିଜନକ ମନ୍ତବ୍ୟକୁ ନେଇ ଉଠିଛି ଏଭଳି ପ୍ରଶ୍ନ ।

ଗୁଜୁରାଟ ଦୁଗ୍ଧ ଓ ଲୁଣ ଉତ୍ପାଦନରେ ଅଗ୍ରଣୀ ଭୂମିକା ନେଇଥିବା ଦର୍ଶାଇଥିଲେ ରାଷ୍ଟ୍ରପତି । ସାରା ଦେଶ ଗୁଜୁରାଟର ଲୁଣ ଖାଉଛି କହିଲେ ଅତ୍ୟୁକ୍ତି ହେବନି ବୋଲି କଥା ଛଳରେ କହିଥିଲେ ମହାମହିମ୍‌ ଦ୍ରୌପଦୀ । ଏହାକୁ ନେଇ ତାଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ଉଦିତ ରାଜ୍ । ଦ୍ରୌପଦୀଙ୍କ ମନ୍ତବ୍ୟ ଚାଟୁକାରିତାର ଶେଷ ସୀମା ବୋଲି ସେ ଟ୍ୱିଟ୍ କରିଥିଲେ । ସେ ଲେଖିତିଲେ, କୌଣସି ଦେଶକୁ ଦ୍ରୌପଦୀଙ୍କ ଭଳି ରାଷ୍ଟ୍ରପତି ନମିଳନ୍ତୁ ।

ଦ୍ରୌପଦୀଙ୍କ ବିରୋଧରେ କଟୁ ମନ୍ତବ୍ୟକୁ ନେଇ କଂଗ୍ରେସ ଉପରେ ଜୋରଦାର ପ୍ରତି ଆକ୍ରମଣ କରିଛି ବିଜେପି । କଂଗ୍ରେସ ଓ ଏହାର ନେତାମାନେ ଦେଶ ପାଇଁ ଲଜ୍ଜା ବୋଲି ଟୁଇଟ୍ କରି କହିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପରିବାରବାଦର ପ୍ରଚାରକମାନେ ଜଣେ ଆଦିବାସୀ ମହିଳାଙ୍କ ସଫଳତାକୁ ହଜମ କରିପାରୁନାହାନ୍ତି ବୋଲି ଲେଖିଛନ୍ତି । ଦ୍ରୌପଦୀଙ୍କ ବିରୋଧରେ ବାରମ୍ବାର ଏଭଳି ଅପଶଦ୍ଦ ବ୍ୟବହାର ସେମାନଙ୍କ ହତାଶାକୁ ପଦାରେ ପକାଇଛି ।

ପୂରା ପ୍ରସଙ୍ଗରେ ସୋନିଆ ଓ ରାହୁଲ ନିରବ ରହିବାକୁ ନେଇ ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର । ଗାନ୍ଧୀ ପରିବାରର ବିନା ସମର୍ଥନରେ କଂଗ୍ରେସ ନେତା ଏଭଳି ମନ୍ତବ୍ୟ ଦେବାକୁ ସାହସ କରିବେ ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି. । ସେହିପରି ରାଷ୍ଟ୍ରପତିଙ୍କ ବିରୋଧରେ କଂଗ୍ରେସ ନେତାଙ୍କ ମନ୍ତବ୍ୟ ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ବିଜେପି ମୁଖପାତ୍ର ଶେହଜାଦ୍ ପୁନା ଓ୍ୱାଲା । ବିଜେପି ମୁଖପାତ୍ର ସମ୍ବିତ୍ ପାତ୍ର ମଧ୍ୟ ଏହି ପ୍ରସଙ୍ଗରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ଏଭଳି ମନ୍ତବ୍ୟକୁ ଚିନ୍ତାଜନକ ବୋଲି କହିବା ସହ, ଏହା କଂଗ୍ରେସର ଆଦିବାସୀ ବିରୋଧୀ ଚିନ୍ତାଧାରାକୁ ପଦାରେ ପକାଇଥିବା କହିଛନ୍ତି ସମ୍ବିତ୍ ।

ତେବେ ନୂଆ ନୁହେଁ କଂଗ୍ରେସର ଏଭଳି ଧୃଷ୍ଟତା । ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଅପଶବ୍ଦ ବ୍ୟବହାର କରିବାକୁ ପଛାଇନାହାନ୍ତି ଏକାଧିକ ଦଳୀୟ ନେତା । ପୂର୍ବରୁ ଅଧୀର ରଂଜନ ଚୌଧୁରୀ ରାଷ୍ଟ୍ରପତିଙ୍କୁ କଟାକ୍ଷ କରି ରାଷ୍ଟ୍ରପତ୍ନୀ ବୋଲି କହିଥିଲେ । ତେବେ ବିଜେପି ଏହାକୁ ଜୋରଦାର ବିରୋଧ କରିଥିଲା ବିବାଦ ଜୋର ଧରିବା ପରେ ଅଧୀର କ୍ଷମା ମାଗିଥିଲେ । ତାଙ୍କ ହିନ୍ଦୀ ଦୁର୍ବଳ ଓ ଭୁଲରେ ତାଙ୍କ ପାଟିରେ ରାଷ୍ଟ୍ରପତ୍ନୀ ଶଦ୍ଦ ପଶି ଯାଇଥିବା ସଫେଇ ଦେଇଥିଲେ । ମାତ୍ର ସେ ଉଦ୍ଦେଶ୍ୟ ମୂଳକ ଭାବେ ରାଷ୍ଟ୍ରପତିଙ୍କୁ ତାଚ୍ଛଲ୍ୟ କରୁଥିବା ଭିଡିଓରୁ ସ୍ପଷ୍ଟ ହୋଇଥିଲା ।

ଆଉ ଜଣେ କଂଗ୍ରେସ ନେତା ଅଜୟ କୁମାର ମଧ୍ୟ ଦେଇଥିଲେ ଦ୍ରୌପଦୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ । ଦ୍ରୌପଦୀ ମନ୍ଦ ବିଚାରଧାରାର ପ୍ରତିନିଧିତ୍ୱ କରନ୍ତି ବୋଲି କହିଥିଲେ ଅଜୟ । ତେବେ ତାଙ୍କ ମନ୍ତବ୍ୟ ଦ୍ରୈପଦୀଙ୍କ ପ୍ରତି ନୁହେଁ, ବରଂ ଏନଡିଏର ବିଚାରଧାରା ଉପରେ ଥିଲା ବୋଲି କହିଥିଲେ ଅଜୟ । ଜଣେ ଆଦିବାସୀ ମହିଳାଙ୍କ ନିଷ୍ଠା ଓ କର୍ତ୍ତବ୍ୟ ପରାୟଣତାକୁ ନେଇ ଦେଶର ସର୍ବୋଚ୍ଚ ଆସନରେ ଆସୀନ ହୋଇଥିଲେ ମଧ୍ୟ ତାଙ୍କ ପ୍ରତି କଂଗ୍ରେସ ନେତାଏ ବାରମ୍ବାର ଏଭଳି ଅପ-ମନ୍ତବ୍ୟ ଦେଇଚାଲିଛନ୍ତି । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ପଛୁଆବର୍ଗ ଓ ସଂଖ୍ୟାଲଘୁଙ୍କ ଦ୍ୱାହି ଦେଉଥିବା ରାହୁଲ କିମ୍ବା ସୋନିଆ ଥରଟିଏ ହେଲେ ମଧ୍ୟ ଏଭଲି ମନ୍ତବ୍ୟକୁ ନିନ୍ଦା କରିନାହାନ୍ତି । ଏହା କଂଗ୍ରେସର କଥା ଓ କାଯର୍ୟ ଭିତରେ କେତେ ପ୍ରାର୍ଥକ୍ୟ ରହିଛି ତାର ଚିତ୍ର ଉଜାଗାର କରୁଛି ।

ପୂର୍ବରୁ ଫିଲ୍ମ ନର୍ମାତା ଓ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ମଧ୍ୟ ଦ୍ରୌପଦୀଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଇଥିଲେ । ବିଜେପି ଦ୍ରୌପଦୀଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିବା ପରେ ପାଣ୍ଡବ କେଉଁମାନେ ବୋଲି ପ୍ରଶ୍ନ କରିଥିଲେ ରାମ ଗୋପାଳ ।