ବିଜେଡି ଗଢିଲା ରାଜ୍ୟସ୍ତରୀୟ ସମନ୍ୱୟ କମିଟି, ଅସନ୍ତୋଷ ଝାଡ଼ିଲେ ଯୁବ ନେତା

ବିଜେଡି ଗଢିଲା ରାଜ୍ୟସ୍ତରୀୟ ସମନ୍ୱୟ କମିଟି । ଯୁବ ବର୍ଗଙ୍କ ପ୍ରତିନିଧିତ୍ୱ ନଗଣ୍ୟ ଥିବାରୁ ଦଳ ଭିତରୁ ଆସିଲା ଅସନ୍ତୋଷର ସ୍ୱର ।

BJD

ବିଜେଡି ଗଢିଲା ରାଜ୍ୟସ୍ତରୀୟ ସମନ୍ୱୟ କମିଟି । ୧୫ ଜଣିଆ କମିଟିରୁ ବାଦ ପଡିଲେ ବବି, ସଞ୍ଜୟ, ଅତନୁ, ରାଜା ସ୍ୱାଇଁ, ମାନସ ମଙ୍ଗରାଜଙ୍କ ଭଳି ଆଗଧାଡ଼ିର ନେତା । ଯାହାକୁ ନେଇ ଚର୍ଚ୍ଚା ଜୋରଦାର୍ । ସେପଟେ ଯୁବ ବର୍ଗଙ୍କ ପ୍ରତିନିଧିତ୍ୱ ନଗଣ୍ୟ ଥିବାରୁ ଦଳ ଭିତରୁ ଆସିଲା ଅସନ୍ତୋଷର ସ୍ୱର । ଭୁବନେଶ୍ୱର ମହାନଗର ନିଗମର ଟାଣୁଆ କର୍ପୋରେଟର ଅମରେଶ ଜେନା ଖୋଲାଖୋଲି ଭାବେ କହିଛନ୍ତି, ଯେ କମିଟିରେ ଯୁବ ବର୍ଗଙ୍କୁ ଅଧିକ ସୁଯୋଗ ମିଳିବାର ଥିଲା । 

୨୪ ନିର୍ବାଚନ ବିପର୍ଯ୍ୟୟ ପରେ ଦଳ ବରିଷ୍ଠଙ୍କ ବଦଳରେ ଯୁବ ନେତାଙ୍କୁ ଅଧିକ ଗୁରୁତ୍ବ ଦେବା ଉଚିତ ବୋଲି ଅମରେଶ କହିଛନ୍ତି । ସେହିପରି କମିଟି ଅଧ୍ୟକ୍ଷ ଦେବୀ ମିଶ୍ରଙ୍କ ଯୁକ୍ତି, ଆଗାମୀ ଦିନରେ ଦଳ, ଗଠନ କରିବାକୁ ଥିବା ଅନ୍ୟ କମିଟିରେ ବାଦ ପଡିଥିବା ନେତୃତ୍ୱଙ୍କୁ ସୁପ୍ରିମୋ ସ୍ଥାନ ଦେଇପାରନ୍ତି । କିନ୍ତୁ ଦଳକୁ ସଂଗଠିତ କରିବାକୁ ସମନ୍ୱୟ କମିଟି ଗଢାଯାଇଥିବା ସେ କହିଛନ୍ତି ।

ସେପଟେ ନିର୍ବାଚନ ପରାଜୟ ପରେ ପ୍ରାର୍ଥୀଙ୍କ ଠାରୁ ଆରମ୍ଭ କରି ନେତାଙ୍କ ପର୍ଯ୍ୟନ୍ତ ସମସ୍ତେ ଜିଲ୍ଲା ସମୀକ୍ଷା ବେଳେ ପାଣ୍ଡିଆନ୍, ବବି ଓ ମାନସ ମଙ୍ଗରାଜଙ୍କ ବିରୋଧରେ ବର୍ଷୁଛନ୍ତି । ଯେଉଁଥିପାଇଁ ସୁପ୍ରିମୋ ବର୍ତ୍ତମାନ ଏମାନଙ୍କୁ କମିଟିରୁ ଦୂରେଇ ରଖିବାକୁ ଉଚିତ ମଣିଛନ୍ତି । ରାଜନୈତିକ ସମୀକ୍ଷକଙ୍କ ମତରେ ବିଳମ୍ବରେ ହେଲେ ବି କମିଟି ଗଢିଛନ୍ତି । ହୁଏତ ଦଳ ଭିତରେ କିଛି ନେତାଙ୍କୁ ନେଇ ବଢୁଥିବା ଅସନ୍ତୋଷକୁ ପ୍ରଶମିତ କରିବାକୁ ଏହି ଆଗ ଧାଡିର ନେତାଙ୍କୁ ବାଦ ଦେଇଥାଇପାରନ୍ତି । ପ୍ରଚ୍ଛଦପଟ୍ଟରେ କିନ୍ତୁ ଏସବୁ 
ନେତାଙ୍କ ବଡ ଭୂମିକା ନେଇପାରନ୍ତି ।

ଜୁଲାଇରେ ଦଳର କମିଟିକୁ ଭାଙ୍ଗିଲେ ନବୀନ। ଏହାପରେ ନିର୍ବାଚନ ପରାଜୟର ସମୀକ୍ଷା ହେଉଛି । କିନ୍ତୁ ପୂର୍ଣ୍ଣାଙ୍ଗ କମିଟି ଗଠନ ଏଯାଏ ହୋଇପାରୁନି । ତେବେ ବିଦ୍ରୋହୀ ସାଜିଥିବା ବିଜେଡି ଯୁବ ନେତାଙ୍କୁ ନବୀନ କିଭଳି ମ୍ୟାନେଜ୍ କରୁଛନ୍ତି ତାଉପରେ ନଜର ।