ୱକଫ୍ ବିଲ୍ ଉପରେ ବିଜୁ ଜନତା ଦଳର ଯେଉଁ ଦ୍ୱୈତ ଆଭିମୁଖ୍ୟ ରହିଲା, ସେ ନେଇ ଦଳ ମଧ୍ୟରେ ବେଶ୍ ତମ୍ବୀତୋଫାନ ହେବା ଦେଖିବାକୁ ମିଳିଥିଲା । ଦଳର ଅନେକ ନେତା ଏହାକୁ ନାପସନ୍ଦ କରିଥିଲେ । ରାଜ୍ୟସଭା ସଦସ୍ୟ ମୁନା ଖାଁ ଓ ଓରଫ ମୁଜିବୁଲ୍ଲା ଖାଁଙ୍କ ସମେତ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରତାପ ଜେନା, ନୃସିଂହ ସାହୁ, ପ୍ରଫୁଲ ମଲ୍ଲିକଙ୍କ ସମେତ ବହୁ ନେତା ପ୍ରଥମରୁ ବିଜେଡ଼ିର ଦୋମୁଁହା ନୀତିକୁ ବିରୋଧ କରିଥିଲେ । ଏ ନେଇ ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ସେମାନେ ଫେରାଦ ହେବା ସହିତ ବିହିତ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ।
ଏହା ଭିତରେ ଅନେକ କିଛି ଦିନ ବିତିଗଲାଣି । ନବୀନଙ୍କ ନିକଟରେ ଯେତେବେଳେ ୱକ୍ଫ ଭୋଟ୍ ନେଇ ଯେଉଁ ନେତାମାନେ ଫେରାଦ ହୋଇଥିଲେ, ସେମାନେ ତାଙ୍କର ତଥାକଥିତ ପରାମର୍ଶଦାତା ତଥା ପୂର୍ବତନ ପ୍ରଶାସକ ଭୈରବ କାର୍ତିକେୟନ ପାଣ୍ଡିଆନଙ୍କ ସନ୍ଦେହାତ୍ମକ ଭୂମିକା ସମ୍ପର୍କରେ ଆଲୋକପାତ କରିବା ପାଇଁ ଚେଷ୍ଟା କରିଥିଲେ । ରାଜ୍ୟସଭାରେ ୱକଫ୍ ବିଲ୍ରେ ହୋଇଥିବା ଦ୍ୱୈତ ମତଦାନ ପଛରେ ତାଙ୍କର ପରୋକ୍ଷ ଇଙ୍ଗିତ ଅଛି ବୋଲି ସେମାନେ ଗଣମାଧ୍ୟମ ମାଧ୍ୟମରେ ଏକ ପ୍ରକାର ଧାରଣା ସୃଷ୍ଟି କଲେ । ଯେଉଁଭଳି ଭାବରେ ଓ ଢଙ୍ଗରେ ବିଜେଡ଼ିର ବରିଷ୍ଠ ଓ ତାଙ୍କ ସହିତ କିଛି ଯୁବନେତାମାନେ ୱକଫ୍ ବିଲ୍ ଭୋଟ୍ ପ୍ରସଙ୍ଗରେ ଏକାଠି ହେଉଥିଲେ ସେତେବେଳେ ଆଶା କରାଯାଉଥିଲା ଯେ ଦଳ ଏକ ବିଭାଜନ ଆଡ଼କୁ ଗତି କରୁଛି । ରାଜ୍ୟ ତଥା ଜାତୀୟ ଗଣମାଧ୍ୟମରେ ଏ ନେଇ ଅନେକ ଆକଳନପୂର୍ଣ୍ଣ ଖବର ପ୍ରକାଶ ପାଇଲା ।
Also Read
ୱକଫ୍ ବିଲ୍ରେ ଭୋଟ ହେବାର ପ୍ରାୟ ଏକ ସପ୍ତାହ ପରେ ନବୀନ ମୁଁହ ଖୋଲିଥିଲେ । ପାଣ୍ଡିଆନ୍ଙ୍କର କୌଣସି ଭୂମିକା ନାହିଁ ବୋଲି କହିଥିଲେ । ଏହା ସହିତ ସେ ଘୋଷଣା କରିଥିଲେ ଯେ ଦ୍ୱୈତ ଭୋଟ୍ ବା ବିଭାଜିତ ମତଦାନ ସମ୍ପର୍କରେ ସେ ତଦନ୍ତ କରିବେ ଏବଂ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ହେଲେ ଏହା ମଧ୍ୟରେ ଏକ ମାସ ବିତିଯାଇଥିଲେ ବି ନବୀନଙ୍କର ଆଉ କିଛି ପ୍ରତିକ୍ରିୟା ଦେଖିବାକୁ ମିଳୁନାହିଁ । ଅନୂରୂପ ଭାବରେ ଯେଉଁମାନେ ୱକଫ୍ ବିଲ୍ ନେଇ ଝଡ଼ ସୃଷ୍ଟି କରୁଥିଲେ, ସେମାନେ ଏବେ ମଧ୍ୟ ଚୁପ୍ । ସେମାନଙ୍କର ସିଂହ ରଡ଼ି ଆଉ ଶୁଭୁନାହିଁ କି ହୋଟେଲ୍ରେ ମେଳି ଦେଖିବାକୁ ମିଳୁ ନାହିଁ ।
ଦୀର୍ଘ ୨୮ ବର୍ଷ ହେଲାଣି ନବୀନ ପଟ୍ଟନାୟକ ଓଡ଼ିଶା ରାଜନୀତିର ପୋଲ୍ ପୋଜିସନ୍ ବା ମୁଖ୍ୟ କେନ୍ଦ୍ରବିନ୍ଦୁ ହୋଇ ରହିଛନ୍ତି । ତାଙ୍କ ଚାରିପଟେ ରାଜନୀତି ଘୁରିବୁଲୁଛି । ଏହି ଦୀର୍ଘ ୨୮ ବର୍ଷରୁ ୨୪ରୁ ଉର୍ଦ୍ଧ ସେ ମୁଖ୍ୟମନ୍ତ୍ରୀ ହୋଇ ରହିଛନ୍ତି । ଏହି ସମୟ ଭିତରେ ସେ ଓଡ଼ିଶା ରାଜନୀତିର ଅନେକ ବରିଷ୍ଠ, ଅଭିଜ୍ଞ ଓ ପୋଖତ ଖେଳୁଆଡ଼ଙ୍କୁ ଅନାୟସରେ ତାଙ୍କର ଶକ୍ତ ପ୍ରହାର ମାଧ୍ୟମରେ ପରାହତ କରିଛନ୍ତି । ଏହି ଦୃଷ୍ଟିରୁ ଦେଖିଲେ ୱକଫ୍ ବିଲ୍ ଉପରେ ହୋଇଥିବା ବିଭାଜିତ ଭୋଟ୍ ବା ସ୍ପ୍ଲିଟ୍ ଭୋଟିଂ ଏବଂ ଏହାପର ଝଡ଼କୁ ପ୍ରଶମିତ କରିବା ତାଙ୍କ ପାଇଁ ସେମିତି କିଛି ଏକ ବଡ଼ ଆହ୍ୱାନ ନଥିଲା ।
ନବୀନଙ୍କର ସବୁଠାରୁ ବଡ଼ ଅସ୍ତ୍ର ହେଲା ସମୟ ନେବା ଏବଂ ଅଳ୍ପ କହିବା । ସମୟ ନେବାକୁ ଇଂରାଜୀରେ ଟାଇମ୍ କିଲିଂ କୁହାଯାଏ । ଏହି ଟାଇମ୍ କିଲିଂକୁ ଯୁଦ୍ଧ ଓ କୁଟନୀତି ତଥା ରାଜନୈତିକ କ୍ଷେତ୍ରରେ ବେଶ୍ ସଫଳତାର ସହିତ ପ୍ରୟୋଗ କରିପାରିଲେ କେବଳ ଶତ୍ରୁକୁ ଦୂରେଇ ରଖାଯାଇପାରିବ ତାହା ନୁହେଁ, ଏକ ଅଭୂତପୂର୍ବ ତଥା ଇର୍ଷଣୀୟ ବିଜୟ ମଧ୍ୟ ହାସଲ କରାଯାଇପାରିବ । ନବୀନ ଏହି ଅସ୍ତ୍ରଟିକୁ ଅନେକ ଥର ପ୍ରୟୋଗ କରିଛନ୍ତି ଏବଂ ସଫଳତା ପାଇଛନ୍ତି ମଧ୍ୟ । ଅଳ୍ପ କହିବା ନବୀନ ପଟ୍ଟନାୟକଙ୍କ ସବୁଠାରୁ ଅମୋଘ ଅସ୍ତ୍ର ଭାବେ ଏହା ସାବସ୍ତ୍ୟ ହୋଇଛି । ସେ ଅନେକ ଗପାଗପି କରି ନିଜକୁ ଅଡ଼ୁଆ ପରିସ୍ଥିତିରେ ପକାଇନାହାନ୍ତି । ଯେତେବେଳେ ଦଳରୁ କାହାକୁ ବାହାର କରନ୍ତି ବା ଦଳରେ କାହାକୁ ସାମିଲ୍ କରନ୍ତି, ଗୋଟିଏ ଦୁଇଟି ଶବ୍ଦରେ ସେ ନିଜର ମତ ରଖନ୍ତି । ଏହାଦ୍ୱାରା ସେ ଅଯଥା ବିବାଦରେ ଛନ୍ଦି ହେବା ପରିସ୍ଥିତିରୁ ନିଜକୁ ଦୂରେଇ ରଖିବାରେ ସମର୍ଥ ହୋଇଥାନ୍ତି ।
ୱକଫ ବିଲ୍ ନେଇ ନବୀନ ଆଉ ମୁଁହ ଖୋଲିବାର ସମ୍ଭାବନା କମ୍ । ସେହିପରି କାହା ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ହେବା ସମ୍ଭାବନା ମଧ୍ୟ କ୍ଷୀଣ । ନବୀନ ଏବେ ତାଙ୍କର ସୁରମ୍ୟ ଆବାସ ର୍ନବୀନ ନିବାସ’ରେ ଗ୍ରୀଷ୍ମକାଳୀନ ସମୟକୁ ଅତିବାହିତ କରୁଛନ୍ତି । ହୁଏତ ଗ୍ରୀଷ୍ମଅବକାଶ ପରେ ସେ ଦଳୀୟ କାର୍ଯ୍ୟକ୍ରମ ଆରମ୍ଭ କରିପାରନ୍ତି ବୋଲି ବିଜୁ ଜନତା ଦଳ ସୂତ୍ରରୁ ଖବର ମିଳୁଛି । ଗ୍ରୀଷ୍ମର ଉତ୍ତାପ ସହିତ ସେତେବେଳକୁ ୱକଫ୍ ତାତି ମଧ୍ୟ ପ୍ରଶମିତ ହୋଇସାରିଥିବ । ନବୀନ ଭଲ ଭାବରେ ଜାଣିଛନ୍ତି ସେତବେଳକୁ ଥଣ୍ଡା ପବନ ବହିବା ସହିତ ଚହଲା ପାଣି ମଧ୍ୟ ସ୍ଥିର ହୋଇସାରିଥିବ । ଆଉ ସିଂହ ରଡ଼ି ପରିବର୍ତେ ତୃଣଭୋଜି ପ୍ରାଣୀମାନେ ସଦ୍ୟ କଅଁଳୁ ଥିବା ଘାସ ଗାଲିଚାରେ କ୍ଷୁଧା ମେଂଟାଇବାରେ ନିମଗ୍ନ ଥିବେ ।