ଭୋଟ୍ ବ୍ୟାଙ୍କ ଚିନ୍ତା: ବିଜେଡିର ନଜର ସହରାଞ୍ଚଳ, ବିଜେପି ଫୋକସରେ ଗ୍ରାମାଞ୍ଚଳ

ଭୋଟ୍ ବ୍ୟାଙ୍କ ବଢାଇବାକୁ ବିଜେପିର ନୂଆ ତରିକା, ଫୋକସରେ ଗ୍ରାମାଞ୍ଚଳ । ବିଜେପି ଆଡକୁ ଢଳୁଛନ୍ତି ସରପଞ୍ଚ ଓ ସମିତିସଭ୍ୟ ।

BJP

ଭୋଟ୍ ବ୍ୟାଙ୍କ ବଢାଇବାକୁ ବିଜେପିର ନୂଆ ତରିକା, ଫୋକସରେ ଗ୍ରାମାଞ୍ଚଳ । ଯେହେତୁ ବିଜେଡିର ନଜର ସହରାଞ୍ଚଳ ଉପରେ ରହିଛି, ତେଣୁ ଶାସକ ଦଳ ଆପଣାଇଛି ନୂଆ ଫଣ୍ଡା । ଗ୍ରାମାଞ୍ଚଳରେ ନିଜ ସ୍ଥିତି ଅଧିକ ମଜବୁତ୍ କରିବାକୁ ବିଜେପି ଏବେ ସରପଞ୍ଚ ଓ  ସମିତିସଭ୍ୟଙ୍କୁ ହାତେଇବା ଆରମ୍ଭ କରିଛି । ଅନ୍ୟପଟେ ୨୪ ବର୍ଷ ପରେ ସତ୍ତା ପରିବର୍ତ୍ତନ ହୋଇଥିବାରୁ ଏବେ ସରପଞ୍ଚ ଓ ସମିତିସଭ୍ୟ କ୍ଷମତାରେ ଥିବା ବିଜେପି ଆଡକୁ ସ୍ୱତଃପ୍ରବୃତ୍ତ ଭାବେ ଦଳରେ ସାମିଲ ହେଉଛନ୍ତି ।

ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିର୍ବାଚନମଣ୍ଡଳୀ କେନ୍ଦୁଝରରେ ଏହାର ଝଲକ ଦେଖିବାକୁ ମିଳିଲାଣି । କେନ୍ଦୁଝର ସଦର ପଞ୍ଚାୟତର ୧୮ ଜଣ ବିଜେଡି ସମର୍ଥିତ ସମିତିସଭ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭୁବନେଶ୍ୱରରେ ଭେଟି ସମ୍ବର୍ଦ୍ଧନା ଜଣାଇଛନ୍ତି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଯେଉଁଥିରୁ ଜିଲ୍ଲାରେ ଆଗକୁ ବଡ ହଲଚଲ୍ ଦେଖିବାକୁ ମିଳିପାରେ ବୋଲି ଆକଳନ କରାଯାଉଛି ।

ସେହିପରି କିଛିଦିନ ତଳେ ଧର୍ମଶାଳା ସ୍ୱାଧୀନ ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଉପସ୍ଥିତିରେ ୧୩ ଜଣ ସମିତିସଭ୍ୟ ଓ ୮ ଜଣ ସରପଞ୍ଚ ବି ବିଜେପିରେ ଯୋଗ ଦେଇଥିଲେ। ଯେହେତୁ ଗତ ଜୁଲାଇ ୨୩ରେ ଫୁଲବାଣୀ ପୌରାଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣି ତାଙ୍କୁ ହଟାଇବା ମିଶନରେ ବିଜେଡି ସଫଳ ହୋଇଗଲା, ତେଣୁ ଏବେ ଜୁନାଗଡ ଏନ୍ଏସିରେ ବି ସମାନ ଫର୍ମୁଲା ଆପଣାଇଛି ଦଳ । ସେଠି ବିଜେପି ନଗରପାଳ ମୁକେଶ ଅଗ୍ରୱାଲଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଛି ।

ଯେହେତୁ ପଞ୍ଚାୟତ ସ୍ତରରେ ଦଳ ଚିହ୍ନରେ ନିର୍ବାଚନ ଲଢା ଯାଇନଥାଏ, ସେଥିଲାଗି ବିଭିନ୍ନ ଦଳରୁ ସମର୍ଥିତ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥାନ୍ତି । ଏବେ ରାଜ୍ୟରେ ସରକାର ପରିବର୍ତ୍ତନ ହୋଇଥିବାରୁ ଏହେ ଗ୍ରାମାଞ୍ଚଳର ଜନ ପ୍ରତିନିଧିମାନେ ଶାସକ ଦଳ ଆଡକୁ ଢଳିବାରେ ଲାଗିଛନ୍ତି । ଏହା ଦେଖି ବିଜେଡି ଛାନିଆ ହୋଇଛି ଓ ଯେଉଁସବୁ ପୌର ପରିଷଦ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଶଙ୍ଖ ଦଳର ଅଧ୍ୟକ୍ଷ କି ଉପାଧ୍ୟକ୍ଷ ନାହାନ୍ତି ସେଠି, ଅନାସ୍ଥାକୁ ଅସ୍ତ୍ର କରୁଛି । ଯାହାକି କେବଳ ନିଜ ଭୋଟ ବ୍ୟାଙ୍କକୁ ସୁରକ୍ଷିତ ରଖିବାକୁ ପ୍ରୟାସ ବୋଲି କହିଛନ୍ତି ରାଜନୈତିକ ସମୀକ୍ଷକ ।

ରାଜ୍ୟରେ ପଞ୍ଚାୟତ ନିର୍ବାଚନକୁ ଆଉ ମାତ୍ର ଅଢେଇ ବର୍ଷ ବାକି । ତାପରେ ମହାନଗର ନିଗମ ନିର୍ବାଚନ ବି ହେବ । ତେଣୁ ଏବେଠୁ ଉଭୟ ଶାସକ ଓ ବିରୋଧୀ ନିଜ ଗଡ ସଜାଡିବାକୁ ଜୋରଦାର ପ୍ରୟାସ ଆରମ୍ଭ କଲେଣି । ତେଣୁ ଦେଖିବାର କଥା କାହା ସପକ୍ଷରେ ଯାଉଛି ଜନମତ ।