Advertisment

ପୌର ବ୍ୟବସ୍ଥାରେ ଆଇନର ଗଳାବାଟକୁ ଅସ୍ତ୍ର କରୁଛି କି ବିଜେଡି ?

ସିଧାସଳଖ ନିର୍ବାଚିତ ପୌରାଧ୍ୟକ୍ଷଙ୍କୁ ମହଙ୍ଗା ପଡୁଛି ଅନାସ୍ଥା ପ୍ରସ୍ତାବ । ଫୁଲବାଣୀ ପରେ ସୂତା ଖିଅରେ ଝୁଲୁଛି ଜୁନାଗଡ଼ NAC ଅଧ୍ୟକ୍ଷଙ୍କ ପଦ ।

ଅଦ୍ୟତନ ହୋଇଛି
undefined

no confidence motion

Advertisment

ବିଜେପି ହାତରୁ ଚାଲିଯାଇପାରେ ଆଉ ଏକ ଅଧ୍ୟକ୍ଷ ପଦ ! ଗତ ୨୩ ତାରିଖରେ ଫୁଲବାଣୀ ପୌରାଧ୍ୟକ୍ଷ, ଅନାସ୍ଥା ଭୋଟରେ ହାରିବା ପରେ ବିଜେପି ହାତରୁ ଖସି ଯାଇଥିଲା ଅଧ୍ୟକ୍ଷ ପଦ। ଆଉ ଏବେ କଳାହାଣ୍ଡି ଜୁନାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦରେ ବି ସମାନ ସ୍ଥିତି । ଏଠାକାର ବିଜେପି ନଗରପାଳ ମୁକେଶ ଅଗ୍ରୱାଲଙ୍କ ବିରୋଧରେ ଆସିଛି ଅନାସ୍ଥା ପ୍ରସ୍ତାବ, ଯାହା ଉପରେ ଆସନ୍ତା ଅଗଷ୍ଟ ୧ରେ ବସିବାକୁ ଯାଉଛି ବୈଠକ । ଜୁନାଗଡ଼ NACର ମୋଟ୍ କାଉନସିଲରଙ୍କ ସଂଖ୍ୟା ୧୨। ସେ ଭିତରୁ ବିଜେଡିର ୧୦ ଓ ବିଜେପିର ମାତ୍ର ୨।

Advertisment

ତେଣୁ ନଗରପାଳ ଭାବେ ସିଧାସଳଖ ନିର୍ବାଚିତ ହୋଇଥିବା ମୁକେଶ ପଦ ହରାଇବାର ଆଶଙ୍କା ବଢ଼ିଛି । ସେପଟେ ତାଙ୍କ ବିରୋଧରେ ମିଛ ଅଭିଯୋଗ ଆଣି ଅନାସ୍ଥା ପ୍ରସ୍ତାବ ଆଗତ କରାଯାଇଥିବା ମୁକେଶ କହିବା ସହ, ମୁନିସିପାଲ ଆକ୍ଟରେ ଥିବା ଗଳାବାଟର ସାହାରା ନେଇ ଏଭଳି ଷଡ଼ଯନ୍ତ୍ର ହୋଇଥିବା ସେ ଅଭିଯୋଗ କରିଛନ୍ତି ।

ଏହା ପୂର୍ବରୁ ଗତ ୨୩ ତାରିଖରେ ଫୁଲବାଣୀ ପୌର ପରିଷଦର ଅଧ୍ୟକ୍ଷା ଥିବା ବିଜେପିର ସ୍ମିତାରାଣୀ ମହାନ୍ତିଙ୍କୁ ମଧ୍ୟ ସମାନ ପରିସ୍ଥିତିରେ ପଦ ହରାଇବାକୁ ପଡ଼ିଛି । ଅଧ୍ୟକ୍ଷା ଭାବେ ସେ ସିଧାସଳଖ ଲୋକଙ୍କ ଦ୍ୱାରା ନିର୍ବାଚିତ ହୋଇଥିଲେ ବି କାର୍ଯ୍ୟକାଳ ସରିବା 
ପୂର୍ବରୁ ତାଙ୍କ ବିରୋଧରେ ସଂଖ୍ୟା ଗରିଷ୍ଠତା ଥିବା ବିଜେଡିର ୭ କାଉନସିଲର, ବିଜେପିର ୨ ଏବଂ ଦୁଇ ସ୍ୱାଧୀନ କାଉନସିଲର ଅନାସ୍ଥା ପ୍ରସ୍ତାବ ଆଣିବାରୁ ସେ ପଦ ହରାଇଥିଲେ । ଏସବୁ ଘଟଣା ପରେ ଚର୍ଚ୍ଚା ହେଉଛି, ଯେଉଁ ଏନ୍ଏସି କିମ୍ବା ମୁନିସିପାଲିଟିରେ ବିଜେପି ନେତା ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି କିନ୍ତୁ ଦଳ ପାଖରେ କାଉନସିଲରଙ୍କ ସଂଖ୍ୟା ଗରିଷ୍ଠତା ନାହିଁ, ସେସବୁ ସ୍ଥାନ ଉପରେ ଏବେ ବିଜେଡିର ଆଖି । ଅନାସ୍ଥା ପ୍ରସ୍ତାବ ଆଣି ପୌରପାଳିକାକୁ ନିଜ ଅକ୍ତିଆର ନେବାକୁ ଫନ୍ଦି କରୁଛି ।

Advertisment

ନିକଟରେ ଫୁଲାବାଣୀ ପୌରାଧ୍ୟକ୍ଷ ପଦ ବିଜେପି ହାତରୁ ଛଡ଼ାଇ ନେବା ପରେ ସେଠାକାର ବିଜେଡି କାଉନସିଲରମାନେ ନବୀନ ନିବାସ ଆସି ସେଲିବ୍ରେସନ କରିବା ସେଆଡକୁ ସ୍ପଷ୍ଟ ଇଶାରା କରୁଛି । ୨୦୨୨ରୁ ରାଜ୍ୟର ପରୋକ୍ଷ ଭାବେ ନହୋଇ ପ୍ରତ୍ୟକ୍ଷ ଭାବେ ପୌରାଧ୍ୟକ୍ଷ ନିର୍ବାଚନ ବ୍ୟବସ୍ଥା ଆପଣାଇଥିଲେ ବିଜେଡି ସରକାର । କିନ୍ତୁ ଓଡ଼ିଶା ମୁନିସପାଲ ଆକ୍ଟ-୧୯୫୦ ଅନୁଯାୟୀ ଅଧ୍ୟକ୍ଷ ନିର୍ବାଚିତ ହେବାର ଦୁଇ ବର୍ଷ ପରେ ଦୁଇ-ତୃତୀୟାଂଶ ସଭ୍ୟଙ୍କ ସମର୍ଥନ ଆଧାରରେ ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବା ବ୍ୟବସ୍ଥା ପ୍ରଚଳିତ ରହିଛି । ଯାହାର ଫାଇଦା ଉଠାଇ ଫୁଲବାଣୀ ପରେ ଜୁନାଗଡ଼ରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି । ଏଭଳି ଆଇନର ସଂଶୋଧନ ଆବଶ୍ୟକ ବୋଲି କହିଛନ୍ତି ବରିଷ୍ଠ ଆଇନଜୀବୀ ।

ଏପଟେ ଫୁଲବାଣୀ ଓ ଜୁନାଗଡ଼ ଭଳି ଭବାନୀପାଟଣା ପୌରପାଳିକାରେ ବି ଏକାଭଳି ସ୍ଥିତି । ଏଠି ପୌରାଧ୍ୟକ୍ଷା ସଂଯୁକ୍ତା ବେହେରା ବିଜେଡିର ଏବଂ ସଂଖ୍ୟା ଗରିଷ୍ଠତା ବିଜେଡି ପାଖରେ ଥାଇ ବି ତାଙ୍କ ବିରୋଧରେ ଏକାଠି ହୋଇଛନ୍ତି ମୋଟ ୨୦ରୁ ୧୮ ବିଜେଡି କାଉନସିଲର। ଗତ ୧୨ ତାରିଖରେ ଅନାସ୍ଥା ବୈଠକ ପାଇଁ ଜିଲ୍ଲାପାଳ ଦିନ ଧାର୍ଯ୍ୟ କରିଥିଲେ ବି ପୌରାଧ୍ୟକ୍ଷା ହାଇକୋର୍ଟ ଯାଇଥିବାରୁ ମାମଲା ଏବେ ବିଚାରାଧିନ ।

Advertisment
Odisha News No-confidence Motion
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ