ପକ୍ଷୀଙ୍କ ପାଇଁ ଷ୍ଟାର ହାଉସ୍ : ଜମାପୁଞ୍ଜି ଖର୍ଚ୍ଚ କରିଦେଲେ ରାଜକୋଟର ଜଣେ ଚାଷୀ

ଖୋଲା ଆକାଶରେ ବୁଲିବା ପରେ ପକ୍ଷୀ ଗଛରେ ରୁହନ୍ତି, ସେପରି କଙ୍କ୍ରିଟ୍ ସହର ଓ ଛଳନା ଭରା ଦୁନିଆରେ ଜଣେ ଚାଷୀ ପକ୍ଷୀଙ୍କ ପାଇଁ ନିଜର ସଞ୍ଚିତ ସବୁ କିଛି ସମର୍ପି ଦେଇଛନ୍ତି ।

ପକ୍ଷୀଙ୍କ ପାଇଁ ଘର

ଖରା ହେଉ କି ବର୍ଷା ଆଉ ଅବା ଶୀତ । ମୁଣ୍ଡ ଗୁଞ୍ଜିବାକୁ ଘର ତ ସମସ୍ତଙ୍କୁ ଦରକାର । ମଣିଷ ଯେନତେନ ପ୍ରକାରରେ ନିଜ ପାଇଁ ବାସର ବ୍ୟବସ୍ଥା କରିଦିଏ । ହେଲେ ଖୋଲା ଆକାଶରେ ବୁଲୁଥିବା ପକ୍ଷୀଙ୍କ କଥା କେବେ ଭାବିଛନ୍ତି । ଟାଇଁ ଟାଇଁ ଖରାରେ ସେମାନେ କେମିତି ରୁହନ୍ତି ? କେମିତି ଖାଆନ୍ତି ଆଉ କେମିତି ରାତିଯାପନ କରନ୍ତି ? ପକ୍ଷୀଙ୍କ ଦୁଃଖକୁ ସହିନପାରି ଗୁଜରାଟ ରାଜକୋଟ ନବିସାଙ୍କଡ଼ି ଗାଁର ଜଣେ ଚାଷୀ ଏପରି କିଛି କରିଛନ୍ତି ଯାହା ସମସ୍ତଙ୍କୁ ତାଜୁବ୍ କରୁଛି ।

ସେ ପକ୍ଷୀଙ୍କ ପାଇଁ ତିଆରି କରିଛନ୍ତି ଫାଇଭ୍ ଷ୍ଟାର ହାଉସ୍ ।  ପକ୍ଷୀଙ୍କ ପାଇଁ ସ୍ୱତନ୍ତ୍ର ଘର, ଖାଇବା ଓ ପିଇବାକୁ ସ୍ୱତନ୍ତ୍ର ବ୍ୟବସ୍ଥା । ନା କୌଣସି ପ୍ରତିବନ୍ଧକ ନା କିଛି ନିୟମ । ଦୂରରୁ ଦେଖିଲେ ଲାଗିବ ଏକ ବିଶାଳ ଶିବ ଲିଙ୍ଗ । ମହାଦେବଙ୍କ ଆସ୍ଥାନ । ହେଲେ ଏହା ଶିବଲିଙ୍ଗ ନୁହେଁ ବରଂ ପକ୍ଷୀଙ୍କ ପାଇଁ ତିଆରି ହୋଇଥିବା ବାସସ୍ଥାନ । ଛୋଟ ଛୋଟ ଆକୃତିର ମଜବୁତ୍ ମାଟି ହାଣ୍ଡିକୁ ଏକ ଛାଞ୍ଚରେ ଫିଟ୍ କରାଯାଇଛି । ଅଢ଼େଇ ହଜାର ମାଟି ହାଣ୍ଡିକୁ ଶିବ ଲିଙ୍ଗ ଭଳି ସଜା ଯାଇଛି । ଯେଉଁଥିରେ ପକ୍ଷୀଙ୍କ ପାଇଁ ଖାଦ୍ୟ ଓ ପାନୀୟ ରହିଛି ।

ଗୋଟିଏ ମାଟି ହାଣ୍ଡିରେ ଯେପରି ଗୋଟିଏ ପକ୍ଷୀ ପରିବାର ରହିପାରିବେ ସେଥିପାଇଁ ବ୍ୟବସ୍ଥା ହୋଇଛି । ଆଉ ଏସବୁକୁ ତିଆରି କରିଛନ୍ତି ଚାଷୀ ଭଗବାନ୍ ଜୀ ଭାଇ । ଏଥିପାଇଁ ନିଜ ପକେଟରୁ ସେ ଖର୍ଚ୍ଚ କରିଛନ୍ତି ୨୦ ଲକ୍ଷରୁ ଅଧିକ ।

ଭଗବାନ ନିଜ ଚାଷ ଜମିରେ ବୁଲୁଥିବା ବେଳେ ପକ୍ଷୀଙ୍କ ଦୂରାବସ୍ଥାକୁ ଦେଖିଥିଲେ । ଦୂର ଦୂର ଯାଏଁ ଗଛ ନଥିଲା, ପାଣି ପାଇଁ ବ୍ୟବସ୍ଥା ନଥିଲା । ଏସବୁରେ କିପରି ଡହଳ ବିକଳ ହେଉଥିଲେ ପକ୍ଷୀ ତାହା ଦେଖି ମର୍ମାହାତ ହୋଇଥିଲେ । ଶେଷରେ ନିଜ ସଞ୍ଚିତ ଟଙ୍କାରୁ ଏହି ବର୍ଡ ହାଉସ୍ ତିଆରି କରିବାକୁ ଲାଗି ପଡ଼ିଥିଲେ ।

ଆଖପାଖ ହଜାର ହଜାର ପକ୍ଷୀ ଏବେ ଏଠି ରହୁଛନ୍ତି । ଯେଉଁ ଅଞ୍ଚଳରେ ପକ୍ଷୀଟେ ରହିବା ପୂର୍ବରୁ ସମ୍ଭବ ହେଉନଥିଲା ଏବେ ଭଳି ଭଳିକା ପକ୍ଷୀଙ୍କ ମେଳି ଜମୁଛି । ଆଉ ପକ୍ଷୀଙ୍କୁ ଦେଖିବାକୁ ଦୂର ଦୂରାନ୍ତରୁ ଆସୁଛନ୍ତି ଅନେକ ଲୋକ ।ସ୍ୱାର୍ଥପର ଦୁନିଆରେ ମଣିଷ ଭାଇ ଭାଇର ସମ୍ପର୍କକୁ ଭୁଲି ଯାଉଛନ୍ତି, ଆଉ ସେ ସମୟରେ ଭଗବାନ ଜୀ ଭାଇଙ୍କ ଏହି ପ୍ରାୟସ...ସତରେ ପ୍ରଶଂସନୀୟ ।