Odia Classic Short Story: ବ୍ୟାସକବି ଫକୀର ମୋହନ ସେନାପତିଙ୍କ 'ରାଣ୍ଡିପୁଅ ଅନନ୍ତା' (ଭାଗ-୨)

(ପୂର୍ବ ପ୍ରକାଶିତ ଉତ୍ତାରୁ).. ତେତିକିବେଳେ କ’ଣ ହେଲା କି, ଆମମାନଙ୍କ ସେଠେ ପଲ ତନଖି କରିବାକୁ ଯାଇ ସେଇଠି ପାରିଧି ଦେଖୁଥିଲେ। କୁହା ନାହିଁ ବୋଲା ନାହିଁ କ’ଣ ମନକୁ ଆସିଲା, ହୁଡ଼ହୁଡ଼ କରି ପାଣିରେ ପଶିଗଲେ। ଦଣ୍ଡକ ଭିତରେ କାଜ ଦୁଇଟାକୁ ଆଣି ସାଇବ ଆଗରେ ଥୋଇ ଦେଲେ। ସାଇବ ତ ମହା ଖୁସି।.. ପଚାରିଲେ- ତୁମ୍ କୋନ୍ ହେ?

ବ୍ୟାସକବି ଫକୀର ମୋହନ ସେନାପତିଙ୍କ 'ରାଣ୍ଡିପୁଅ ଅନନ୍ତା'

‘‘ମଣିମା ମୁଁ ଜମିଦାର ପଲର ସୁବଳ ସେଠ।’

ସାହେବ– ‘‘ତୁମ୍ କନଷ୍ଟେବଳ ନୌକରି କରେଗା?’’

ସେଠିଏ ଟିକିଏ ଗୁମ୍‌ ମାରି ରହିଲେ। ଦଣ୍ଡକ ବାଦ୍ କହିଲେ- ‘‘ମୁଁ ଘରଆଡ଼େ ନବୁଝି କହିପାରୁ ନାହିଁ।’

ସାହେବ ବୁଝିପାରିଲେ ନାହିଁ। ଜମାଦାର ମୁହଁକୁ ଚାହିଁଲେ, ଜମାଦାର ଇଂରେଜ ପଢୁଆ ବୋଲି ଚୌକୀଦାରମାନଙ୍କୁ ଜଣା। ଆମ୍ଭେମାନେ ଜାଣୁଁ ସେ ଫାଷ୍ଟବୁକ୍ ଖଣ୍ଡକ ବିଲକୁଲ ପଢ଼ିଥିଲେ, ଆଉ କାଗଜରେ ଇଂରେଜୀରେ ଦସ୍ତଖତ କରନ୍ତି। ସେ ମହାକୁଡ଼ କଥା ଇଂରେଜୀରେ ସାହେବଙ୍କୁ ବୁଝାଇ ଦେଲେ- "Sir, this Guala Mahakur said he ask his wife. If he tell he will constable."

ସାହେବ ମନ ମଧ୍ୟରେ ଟିକିଏ ହସିଲେ। ଅସଲ କଥାଟା ବୁଝିବାକୁ ଦି’ ମିନିଟ୍ ଡେରି ହେଲା। ପକେଟରୁ ନୋଟ୍‌ବୁକ୍ ବାହାର କରି ଲେଖିଲେ– "Subal Singh is fit to be a constable. He seems to be a clever man. He is stout and strong and knows how to show respect to the fair sex." ହୁକୁମ୍ ଦେଲେ- ‘‘ତୁମ୍ କାଲ୍ ଫଜର୍ ଡେରା କା ପାଶ୍ ହାଜର ହୋ।’

ସୁବଳ ସିଂହ ସାହେବଙ୍କ ଅର୍ଦ୍ଦଳି। ସାହେବ ତ ଭାରି ଶିକାରପ୍ରିୟ। ଶିକାର ସରଞ୍ଜାମ ତାହା ଜିମା ଥାଏ। ସୁବଳ ସିଂହ ନଥିଲେ ସାହେବ ଶିକାରକୁ ବାହାରି ପାରନ୍ତି ନାହିଁ। ସୁବଳ ଉପରେ ସାଇବଙ୍କର ଅନୁଗ୍ରହ ଦେଖି ଭଲ ଭଲ ଲୋକମାନେ ତାହାର ଅନୁସରଣ କରିଥାଆନ୍ତି। ସେଥିରେ ତାହାର ଦରମା ମାସିକ ଟ୯ ଛଡ଼ା, ଉପରି ଦି-ଚାରି ପଇସା ବେଶ୍ ରୋଜଗାର ହୁଏ। ହେଲେ ସବୁ ଦେବକୀ ହିସାବ କରି ନିଏ। କେବେ କାଳେ ସିଂହର ଟଙ୍କେ ମଷେ ବେଜାୟ ଖରଚ ଧରାପଡ଼ିଲେ ଦେବକୀ ଖପା ହୋଇ ଗାଳିଦିଏ। ‘‘କାଠଖିଆ, ତୁ ତ ଟଙ୍କା ଏଇରକମ ଉଡ଼େଇବୁ, ପର ଘର ଗୋଲାମୀ କରୁଚୁ କ୍ୟା?’’ ଆଉ ଗୋଟାଏ କଥା, ମା’କୁଡ଼ ସିଂହ ହେଲାରୁ ଦେବକୀ ନାମ ହେଲା ହେଲା ସିଂହାଣୀ, ସେ ଆପେ ଗାଁଯାକ ଏହି ନାମ କହି ଆସିଲା।

ସିଂହଙ୍କର ଦି-ତିନି ବରଷ ଚାକିରି ବାଆଦେ ଥରେ ପୁଲିଶ୍ ସାହେବ, ମେଜଷ୍ଟର ସାହେବ ମିଶି ଡୋମପଡ଼ା ବଣକୁ ଶିକାର କରି ଯାଇଥିଲେ। ମେଜଷ୍ଟର ସାଇବ ଗୋଟେ କେନ୍ଦୁଆକୁ ଯିମିତି ଗୁଳି କରିଚନ୍ତି, ହେଲା ଅଣ୍ଟାଗୁଳି; କେନ୍ଦୁଆଟା ଗୋଟାଏ ଝୁମ୍ପୁଡ଼ିଲଟା ଭିତରେ ପଶି ଗର୍ଜନ କରୁଥାଏ। ସାଇବ ସାଙ୍ଗରେ ଶକଡ଼ା ବେଠିଆ, ଯୋଡ଼ାଏ ହାତୀ – ଘାଉଲା କେନ୍ଦୁଆ ପାଖକୁ ଯାଉଚି କିଏ? ଘାଉଲା ବାଘ, ଧଇଲା ଯମ- ଏକା କଥା। ପୁଲିଶ୍ ସାହେବ ସୁବଳ ସିଂହ ମୁହଁକୁ ଚାହିଁଲେ।

ସିଂହେ ଉଁ କି ଚୁଁ ନକରି ପଶିଲେ ବଣରେ। ସିଂହେ ସେଇ ମଇଁଷିମୁଣା ଠେଙ୍ଗା ଆଜିଯାଏ ଛାଡ଼ି ନାହାନ୍ତି। ବାଘମୁଣ୍ଡରେ ଚାରି ପାହାର କଷିଦେଇ ଲାଞ୍ଜ ଧରି ଭିଡି଼ ଭିଡ଼ି ଆଣି ମେଜିଷ୍ଟର ସାହେବଙ୍କ ଆଗରେ ଥୋଇଦେଲେ। ସାଙ୍ଗେସାଙ୍ଗେ ନଗଦ ଟ୨୦ଙ୍କା ବକ୍‌ସିସ୍, ଆଉ ଟ୧୫ଙ୍କା ଦର୍ମାର ଜମାଦାରୀ। ଏତେ ହେଲା ହଁ, ହେଲେ ସିଂହଙ୍କୁ କାଳ ସହିଲା ନାହିଁ। କାର୍ତିକ ମାସିଆ ଛୁଟି ନେଇ ଘରକୁ ଆସିଚନ୍ତି, କାହୁଁ ଗୋଟାଏ କାଳଜର ଆସି ମାଡ଼ି ବସିଲା। ଜର ସାଙ୍ଗେ ସାଙ୍ଗେ ସନ୍ନିପାତ। ଦିନ ତିନିଟାରେ ଶେଷ।

ଏଣେ ସିଂହାଣୀର ଦେହରେ ଯିମିତିକା ବଳ, ମନରେ ବି ସେହିପରି ସାହସ; ଘୋର ବିପଦରେ ପଡ଼ିବି ହଟିବାର ନୁହନ୍ତି। ସ୍ଵାମୀର ଶୁଦ୍ଧିକାର୍ଯ୍ୟ ସାରି ଆପଣା ବେଉସାରେ ଲାଗିଗଲେ। ସିଂହେ ସିଂହାଣୀ ରୂପରେ ଗୁଣରେ ସମାନ। ବିଧାତା ଯେମନ୍ତ ଗୋଟିଏ ଚକରେ ଦୁଇଜଣଙ୍କୁ ଗଢ଼ିଛନ୍ତି; ତେବେ ସିଂହାଣୀ ଉଚ୍ଚାରେ ଅଧଚୌକେ ବେଶି ହେବ। ନାହି ତଳକୁ ଲୁଗା ପିନ୍ଧିଥିଲେ ପେଟଟି ଛ ନଉତିଆ ଧାନ ଉଷୁଆଁ କଳାହାଣ୍ଡି ପରି ବାହାରି ପଡ଼ିଥାଏ। ସିଂହାଣୀ ଅଳଙ୍କାରକୁ ବୋଧହୁଏ ବଡ଼ ଭଲ ପାନ୍ତି। ପ୍ରଥମେ ବିଧବା ଦିନ ଦେହରୁ ସବୁ ଅଳଙ୍କାର କାଢ଼ି ପକାଇଥିଲେ। ଶୁଦ୍ଧ ବାସିଦିନ ଫେର୍ ହାତଗଣ୍ଠିଠାରୁ କହୁଣୀ ଯାଏ ଦଶବିଶାର ପିତଳ ବାହିବଳା ଦୁଇ ହାତରେ ଲଗାଇ ଦେଲେ।

ନାକରେ ତୋଳାଏ ଓଜନର ସୁନାଗୁଣା ଚେପ୍‌ଟା ବିଶାଳ ନାକକୁ କାମୁଡ଼ି ଧରିଥାଏ। ବେକରେ ଦଶ ଦଶ ଗଣ୍ଡା ଗୋଡ଼ଲଗା ଟଙ୍କାମାଳ ନାହିଯାଏ ଲମ୍ବି ପଡ଼ିଥାଏ। ଦୁଇ ହାତରେ ଦିପୁଞ୍ଜା ଗେଣ୍ଡା ପରି ଛାପ ମୁଦି। ସିଂହାଣୀର ସାହସ ଊଣା ନୁହେଁ। ଗାଁ ମୁଣ୍ଡ ନିଛାଟିଆରେ ଘର, ଛୁଆଟାକୁ ଧରି ଏକୁଟିଆ ପଡ଼ିଥାଏ। ସିଂହାଣୀ ହାତରେ ଢେର ଟଙ୍କା, ଏ କଥା ଗାଁଲୋକେ ଜାଣନ୍ତି; ଚୋରଗୋଡ଼ାକ ସନ୍ଧାନ ପାଇ ଦିନେ ଅନ୍ଧାର ରାତିଆ ସିନ୍ଧିକରି ତିନିଜଣ ଚୋର ଘରଭିତରେ ପଶିଲେ। ସିଂହାଣୀ ଶୋଇଥିଲା। ତାକୁ ଯିମିତି ମାଡ଼ି ବସିଛନ୍ତି ସେ ତ ହାଉଳି ଖାଇ ହାତ ଯୋଡ଼ାକ ଛିଞ୍ଚାଡ଼ି ଦେଲା। ଚୋରଗୋଡ଼ାକ ଚାରି ଚାରି ହାତ ଦୂରରେ ପଡ଼ିଗଲେ। ଯୋଡ଼ାଏ ଚୋର ତ ପଳାଇଲେ; ଗୋଟାକୁ ମାଡ଼ି ବସିଲା, ଗାଈପଘାରେ ଘର ମଝିଖୁମ୍ବରେ ଭିଡ଼ି ବାନ୍ଧିଦେଲା। ସକାଳୁ ଗାଁଲୋକେ ଦେଖି ଧାଇଁଲେ। ଏ ଚୋରଟା କିଏ ମ? ମଲା ମଲା ! ଏ ତ ଗାଁ ଚଉକିଆ ବାଉରୀ ଝପଟ ସିଂ। ସମସ୍ତେ ପରାମର୍ଶ କଲେ, ଚୋରକୁ ଚଲାଣ ଦେବେ। ସିଂହାଣୀ କହିଲା- ‘‘ଆଚ୍ଛା ମୁଁ ଚଲାଣ ଦେବି।’ଦୁଇ ଗାଲରେ କସି ଲଗାଇଲା ଦୁଇ ଚାପଡ଼ା। ଉଆଉଫଡ଼ା ପରି ଫୁଲିଗଲା– ଚଉକିଆପୁଅ ପନ୍ଦର ଦିନ ଘରୁ ବାହାରି ନାହିଁ, ବିଛଣାରେ ପଡ଼ିଥିଲା। ସିଂହେ ବିଯୋଗ ବେଳକୁ ପୁଅ ଅନନ୍ତାର ହେଇଥିଲା ଚାରି ବରଷ। ବୟସ ଟଳାବେଳେ ପୁଅଟିଏ ହେବାରୁ କୋଟିନିଧି ପାଇଥିଲେ। ପୁଅଟିର ଆକାର ବାପ ମାଆ ପରି– ସେହିପରି ଦେହର ବର୍ଣ୍ଣ। ସିଂହାଣୀ ସଞ୍ଜବେଳେ କାମ ପାଇଟି ସାରି ପୁଅଟିକୁ ଘଡ଼ିଏ କୋଡ଼ରେ ବସାଇ ଗେଲ କଲାବେଳେ ଗୀତ ଗାଉଥାନ୍ତି –

‘‘ହାତୀ ଝୁଲୁଥାଏ ଲସରପସର, କିଆକନ୍ଦା ଖାଇବାକୁ,

ଅନନ୍ତୁ ଝୁଲୁଛି ଲସରପସର, ମାଆଦୁଧ ଖାଇବାକୁ।

ଆକାଶେ ବୁଲୁଛି ଚନ୍ଦ୍ର ଉଦିଆରେ, ସାଙ୍ଗରେ ବହୁତ ତରା,

ଅନନ୍ତୁ ଝୁଲୁଛି ମାଆକୋଳେ ବସି, ଦୁଧ ସେ ଖାଇବ ପରା।

ବାପ ତ ଯାଇଛି ମଇଁଷିଗୋଠକୁ ମାଆ ତ ଦୁହିଁବ ଗାଈ,

ରାଜାଙ୍କ ଦୁଆରେ ପାଟହାତୀ ବନ୍ଧା, ଅନନ୍ତୁ ଚଢ଼ିବ ଯାଇ।”

ଏହିପରି ଗେଲ କରି ପୁଅକୁ ବସି ଝୁଲାଉଥାନ୍ତି। ହାତୁଣୀ କୋଳରେ ହାତୀପିଲା ପରି ପିଲାଟି ଝୁଲିଲେ ବଡ଼ ମାନେ। ରୋଜି ବଡ଼ି ସଖାଳୁ ଉଠି ପୁଅକୁ ତେଲ ହଳଦୀ ଟିକିଏ ମାଖିଦେଇ କାଠ ପାନିଆରେ କୁଣ୍ଡେଇ ମୁଣ୍ଡରେ ଗୋଟାଏ ସାନ ଜଟ ବାନ୍ଧିଦିଏ। ଘଡ଼ିଏଯାଏ ପୁଅ ମୁହଁକୁ ଚାହେଁ – ତା ବାଦ୍ ଆପେ ଜିଭ କାମୁଡ଼ି ପକାଇ କୁହେ, ‘‘ମା ଡାହାଣୀ ! ସୁନ୍ଦର ପୁଅଟିକୁ ମୁଁ ଚାହିଁଛି।’ତାହା ବାଦେ ତୁଳସୀମୂଳରୁ ଟିକିଏ ମାଟି ଆଣି ମୁଣ୍ଡରେ ଚିତା କରିଦିଏ। ଜଟ ଉପରେ ଟିକିଏ ଗୋବର ଲଗାଇଦିଏ। ତାହା ବାଦେ ପୁଅ ଉପରକୁ ଟିକିଏ ଛେପ ପକାଇ ଦିଏ। ଗାଁରେ କେତେ ରକମ ମାଇକିନିଆ ଅଛନ୍ତି– କାହା ନଜର କେମିତି? ପୁଅକୁ ହାୟରା କରିଦେବେ – ଏହିଲାଗି ଖଣ୍ଡିଏ ଘୁଷୁରିଥୋମଣୀ, ଗୋଟାଏ ତମ୍ବା ଡେଉଁରିଆ ଭିତରେ ମହାଦେବ ବେଲପତ୍ରୀ, ଦିକଡ଼ା କାଣୀକଉଡ଼ି, ଚାରିଟା ରୁପା ଡେଉଁରିଆ, ମୂଳ ମୁଟିକା ହାର କରି ପୁଅ ବେକରେ ଲଗାଇ ଦେଇଛି। ବାରଲୋକର ନ‌ଜର କଟିଯିବ ବୋଲି ଆପଣା ଗୋଡ଼ରୁ ଟିକିଏ ଧୂଳି ନେଇ ପୁଅ ମୁଣ୍ଡରେ ଲଗେଇ ଦିଏ। ରାତିରେ ସେରେ ଚାଉଳରେ ଗୋଟିଏ ପୋଡ଼ପିଠା କରି ରଖିଥାଏ; ସେଟି ପୁଅ ହାତରେ ଦେଇ ଦହି ମୁହାଁଇ ବସେ। ତାହା ବାଦେ ପସରା ଉପରେ ଦୁଇ ତିନିଟା କଳସୀରେ ଚହ୍ଲା ପୂରାଇ ଗାଁକୁ ଦହି ବିକି ଯାଏ। ମୁଣ୍ଡ ଉପରେ ପସରାରେ ଦୁଇ ତିନି କଳସୀ ଦହି, ତାକୁ ନଧରି ଦୁଇ ବାହୁ ଝୁଲାଇ ଗୋହିରୀ ଦାଣ୍ଡରେ ଚାଲିଯିବା ବେଳେ ଲୋକମାନେ ଚାହିଁ ରହନ୍ତି। କୁହନ୍ତି ନନ୍ଦିଘୋଷ ରଥ ! ସିଂହାଣୀର ଢେରଗୁଡ଼ିଏ ନାମ; ଏକ– ଦେବକୀ ଗଉଡ଼ୁଣୀ, ଦୁଇ– ମହାକୁଡ଼ାଣୀ, ତିନି– ତାଡ଼କା ଅସୁରୀ, ଚାରି– ନନ୍ଦିଘୋଷ ରଥ; ହେଲେ ସିଂହାଣୀର ଅଜଣାରେ ଲୋକମାନେ ଏହିସବୁ ନାମ ଦେଇଛନ୍ତି। ସିଂହାଣୀ ବୋଲି ଡାକିଲେ ସେ ବଡ଼ ଖୁସି ହୋଇଯାଏ। ଗାଁରେ କେତେଗୁଡ଼ିଏ ଥଟିଆଲା ମଣିଷ ତୁଚ୍ଛାଟାରେ– ‘ଏ ସିଂହାଣି ! ଦହି ଦେଇ ଯା’ ବୋଲି ଡାକନ୍ତି। ଦହି କିଣିବା ବେଳେ ତାକୁ ଦୁଇ ଚାରିଥର ସିଂହାଣୀ ସିଂହାଣୀ କହିଲେ ସେ ବଡ଼ ଖୁସିହୋଇ ଦୁଇଚାରି ସଡ଼େଇ ବ‌ହି ଲାଭ ବୋଲି ଢାଳିଦିଏ।