Advertisment

Mahabharat Story: ମାଛ ପେଟରେ ଯାଆଁଳା ପିଲା ଓ କୁମାରୀ କନ୍ୟାର ପୁତ୍ର ଲାଭ କଥା

ମାଛ ପେଟରେ କେମିତି ରହିଲେ ଯାଆଁଳା ମଣିଷ ପିଲା? ପୁଅ ଜନ୍ମ କଲା ପରେ ବି ତଥାପି କେମିତି କୁମାରୀ ରହିଲେ ଯୁବତୀ? ବୁଢ଼ା ବାପା ପାଇଁ କାହିଁକି କନିଆଁ ଖୋଜିଲା ପୁଅ?

ଅଦ୍ୟତନ ହୋଇଛି
Story of twins in the belly of a fish and the son of a virgin girl

Story of twins in the belly of a fish and the son of a virgin girl

Advertisment

ଉପରିଚର ନାମରେ ଜଣେ ରାଜା ଥରେ ମୃଗୟାରେ ଜଙ୍ଗଲରେ ବୁଲୁ ବୁଲୁ କ୍ଲାନ୍ତ ହେଇ ବିଶ୍ରାମ ପାଇଁ ଗଛ ଛାଇରେ ବସିଥାନ୍ତି । ରାଜା ପତ୍ନୀଙ୍କ ନାମ ହେଲା ଗିରୀକା । ନିର୍ଜନ ଜଙ୍ଗଲରେ ରାଜାଙ୍କର ହଠାତ୍ ଆପଣା ପତ୍ନୀ ଗିରୀକାଙ୍କ କଥା ମନେ ପଡିଲା। ପତ୍ନୀଙ୍କ କଥା ମନେ ପଡ଼ିବାରୁ ରାଜା ଅତ୍ୟନ୍ତ କାମାସକ୍ତ ହେଇପଡିଲେ । ଫଳରେ ତାଙ୍କର ରେତ ସ୍ଖଳନ ହୋଇଗଲା । ରାଜା ଉପରିଚର ସେଇ ରେତକୁ ସମିପତ୍ରରେ ରଖି ପାଖରେ ବସିଥିବା ଏକ ଶୁଆକୁ କହିଲେ, ଯା ମୋ ପତ୍ନୀଙ୍କୁ ଏତକ ଦେଇ ଆସିବୁ । ଶୁକ ପକ୍ଷୀ ପତ୍ରରେ ରାଜାଙ୍କ ରେତ ନେଇ ଆକାଶରେ ଉଡ଼ି ଉଡ଼ି ଯାଉଥିବା ସମୟରେ ବାଟରେ ତାକୁ ଏକ ବାଜପକ୍ଷୀ ଆକ୍ରମଣ କଲା । ଫଳରେ ଉପରିଚରଙ୍କ ରେତ ଶୁକ ପକ୍ଷୀର ଥଣ୍ଟରୁ ଖସି ସିଧା ପାଣିରେ ପଡିଗଲା। ସେତିକିବେଳେ ପାଣି ଭିତରେ ଅଭିଶାପ ପାଇ ମାଛ ଭାବରେ ରହୁଥିବା ଆଦ୍ରୀକା ନାମକ ଏକ ଅପସରୀ ସେ ରେତକୁ ଖାଇଲା ଓ ଗର୍ଭବତୀ ହେଲା । କିଛି ଦିନ ପରେ ଥରେ କିଛି ଧୀବର ଯମୁନା ନଦୀରେ ଜାଲ ପକେଇ ମାଛ ଧରିଲା ବେଳକୁ ସେ ମାଛ ରୂପୀ ଅପସରୀ ବି ଜାଲରେ ପଡିଗଲା । ଧୀବରମାନେ ଯେତେବେଳେ ସେ ମାଛକୁ ଉପରକୁ ଆଣି କାଟିଲେ ସେତେବେଳେ ମାଛ ପେଟରୁ ଯାଆଁଳା ପିଲା ଦୁଇଟି ବାହାରିଲେ। ଗୋଟେ ପୁଅ, ଗୋଟେ ଝିଅ । ମାଛ ପେଟରୁ ଏମିତି ମଣିଷ ପିଲା ବାହାରିବା ଦେଖି ଧୀବରମାନେ ସେ ଦୁହିଁ ପିଲାଙ୍କୁ ଧରି ରାଜା ଉପରିଚରଙ୍କ ପାଖରେ ପହଞ୍ଚିଲେ । ରାଜା କେବଳ ପୁଅଟିକୁ ନେଲେ ଓ ଝିଅଟିକୁ ଧୀବରମାନଙ୍କୁ ଫେରେଇ ଦେଲେ । ଧୀବରମାନଙ୍କର ମୁଖିଆ ସେ ଝିଅଟିକୁ ଘରକୁ ନେଲେ ଓ ନିଜ ଝିଅ ପରି ଶ୍ରଦ୍ଧାର ସହ ପାଳିଲେ । ଝିଅର ନାଁ ଦିଆଗଲା ସତ୍ୟବତୀ । ମାଛ ପେଟରୁ ଜନ୍ମ ନେଇଥିବାରୁ ଓ ଧୀବରମାନଙ୍କ ସହ ରହୁଥିବାରୁ ଝିଅଟିର ଦେହରୁ ସବୁବେଳେ ତୀବ୍ର ଆଇଁଶିଆ ମାଛ ଗନ୍ଧ ବାହାରୁଥାଏ । ସେଥିପାଇଁ ତାକୁ ଅନ୍ୟମାନେ ମତ୍ସ୍ୟଗନ୍ଧା ନାମରେ ବି ଡାକୁଥା'ନ୍ତି ।

Advertisment

ଯମୁନା ନଦୀରେ ଧୀବର ମୁଖିଆ ମାଛ ଧରି ଓ ଡଙ୍ଗାରେ ଲୋକମାନଙ୍କୁ ନଦୀ ପାର କରାଇ ପରିବାର ଚଳାଉଥିଲେ । ତାଙ୍କ ଝିଅ ସୁନ୍ଦରୀ ସତ୍ୟବତୀ ମଧ୍ୟ ସମୟେ ସମୟେ ଡଙ୍ଗାରେ ଲୋକମାନଙ୍କୁ ନଦୀ ପାର କରାଏ । ଥରେ ସତ୍ୟବତୀ ଘାଟରେ ଡଙ୍ଗା ଧରି ବସିଥିବା ବେଳେ ପରାଶର ଋଷି ନଦୀ ପାର ହେବା ପାଇଁ ଯମୁନା ଘାଟରେ ପହଞ୍ଚିଲେ ।

ଋଷିଙ୍କ ଅନୁରୋଧ ରକ୍ଷା କରି ଯୁବତୀ ସତ୍ୟବତୀ ଋଷି ପରାଶରଙ୍କୁ ନଦୀର ଅପର ପାଶ୍ୱର୍କୁ ନେବା ପାଇଁ ଡଙ୍ଗାରେ ବସାଇ ଆହୁଲା ମାରିଲେ । ଡଙ୍ଗାରେ କେବଳ ପରାଶର ଓ ସୁନ୍ଦରୀ ଯୁବତୀ ସତ୍ୟବତୀ । କିଛି ସମୟ ପରେ ଠିକ୍ ମଝି ନଈରେ ସତ୍ୟବତୀଙ୍କ କମନୀୟ ରୂପ ଲାବଣ୍ୟ ଓ ସୌନ୍ଦର୍ଯ୍ୟ ଦେଖି ପରାଶରଙ୍କ ମନରେ କାମ ଭାବ ଜାଗ୍ରତ ହେଲା ଓ ଋଷି ତୁରନ୍ତ ମିଳନ ପାଇଁ ସତ୍ୟବତୀଙ୍କୁ ପ୍ରେମ ନିବେଦନ କଲେ । ଋଷିବରଙ୍କ ଅନୁରୋଧ ଶୁଣି ସତ୍ୟବତୀ ତ ପ୍ରଥମେ ଡରିଗଲେ । ଏକରେ ସେ କୁମାରୀ କନ୍ୟା । ଦୁଇରେ ପୁଣି ଏ ମଝି ନଈରେ ? ନଈର ଦୁଇ ପାଖରେ ଲୋକବାକ ଚଳପ୍ରଚଳ ବି ହେଉଛନ୍ତି । ଏମିତି କଥା ବାପା ଓ ଅନ୍ୟମାନେ ଜାଣିଲେ କ'ଣ ଯେ ହେବ କିଏ ଜାଣେ? ସତ୍ୟବତୀ କହିଲେ ନା.. .. ।

Advertisment
Story of twins in the belly of a fish and the son of a virgin girlମାଛ ପେଟରେ ଯାଆଁଳା ପିଲା ଓ କୁମାରୀ କନ୍ୟାର ପୁତ୍ର ଲାଭ କଥା

ପରାଶର କହିଲେ ବ୍ୟସ୍ତ ହେବାର ନାହିଁ । କେହି କିଛି ଜାଣିପାରିବେନି । ସେ ବ୍ୟବସ୍ଥା ମୁଁ କରିବି । ମୁଁ ଏବେ ନଦୀ ଭିତରେ ଘନ କୁକୁଡି ସୃଷ୍ଟି କରିଦେବି । କେହି କିଛି ଦେଖିପାରିବେନି । କେହି କିଛି ଵି ଜାଣିପାରିବେନି । ତାପରେ ତୋ ଦେହରୁ ଯେଉଁ ମାଛ ଗନ୍ଧ ବାହାରୁଛି ତାକୁ ବି ମୁଁ ବଦଳେଇଦେବି । ଏଣିକି ତୋ ଦେହରୁ ଏମିତି ସୁଗନ୍ଧ ବାହାରିବ ଯେ, ଯେ କେହି ସେ ସୁଗନ୍ଧରେ ମୁଗ୍ଧ ହେଇ ତୋ ପ୍ରତି ଆକର୍ଷିତ ହେଇପଡିବ । ତାପରେ ରହିଲା ତୋର କୁମାରୀ ହେବା କଥା । ମୋ ସହ ମିଳନ ପରେ ଓ ପୁତ୍ର ସନ୍ତାନ ଜନ୍ମ କଲାପରେ ବି ତୁ ପୂର୍ବ ପରି ଅକ୍ଷତ କୁମାରୀ ହୋଇ ରହିବୁ ।

ସତ୍ୟବତୀଙ୍କର ଆଉ କିଛି କହିବାର ହୁଏତ ନଥିଲା । ଏବେ ଡଙ୍ଗା ଯାଇ ଯମୁନା ନଦୀର ମଝିରେ ଥିବା ଏକ ଦୀପରେ ଲାଗିଲା । ଚାରିଦିଗ ହଠାତ୍ ଘୋଡେଇ ହୋଇପଡିଲା ଅଦିନିଆ ଘନ କୁହୁଡିରେ । କୁହୁଡି ଭାଙ୍ଗିଲା ବେଳକୁ ସତ୍ୟବତୀ, ମତ୍ସ୍ୟଗନ୍ଧାରୁ ପାଲଟି ସାରିଥିଲେ ଯୋଜନଗନ୍ଧାରେ । ଗୋଟେ କଳା ରଙ୍ଗର ପୁଅର ମା ହେଇ ସାରିଥିଲେ । ପରାଶରଙ୍କ ସହ ସମ୍ପର୍କ ରଖିସାରି ପୁଣି ଅକ୍ଷତ କୁମାରୀ ହେଇସାରିଥିଲେ ।

Advertisment

ସତ୍ୟବତୀଙ୍କ ସହ ମିଳନ ପରେ ଜନ୍ମିତ ଶିଶୁ ପୁତ୍ରର ନାମ ପରାଶର ବ୍ୟାସ ରଖିଲେ । କଳା ରଙ୍ଗର ପିଲା ଓ ନଦୀ ମଝିର ଦୀପରେ ଜନ୍ମ ହେଇଥିଲେ ବୋଲି ତାଙ୍କୁ କୃଷ୍ଣ ଦୈପାୟନ ବି କୁହାଗଲା । ଜନ୍ମ ପରେ ପରେ ଶିଶୁ ବ୍ୟାସ ଧର୍ମ ଓ ଜ୍ଞାନର ରାସ୍ତାରେ ବାଟ ଚାଲିବାକୁ ବାହାରିଗଲେ । ପରାଶର ନଦୀ ପାର ହୋଇ ତାଙ୍କ ଗନ୍ତବ୍ୟ ସ୍ଥଳକୁ ଓ ସତ୍ୟବତୀ ନିଜ ଘରକୁ ଚାଲିଗଲେ ।

Story of twins in the belly of a fish and the son of a virgin girlମାଛ ପେଟରେ ଯାଆଁଳା ପିଲା ଓ କୁମାରୀ କନ୍ୟାର ପୁତ୍ର ଲାଭ କଥା

କିଛି ଦିନ ବିତିଗଲା । ଥରେ ସତ୍ୟବତୀ ଯମୁନା ନଈ କୂଳରେ ବୁଲୁଥା'ନ୍ତି । ପରାଶରଙ୍କ ଆଶୀର୍ବାଦରେ ସେ ଏବେ ଯୋଜନାଗନ୍ଧା । ଯୋଜନ ବ୍ୟାପି ତାଙ୍କ ସୁଗନ୍ଧ ପବନରେ ଖେଳିବୁଲୁଥାଏ । ରାଜା ଶାନ୍ତନୁ ମଧ୍ୟ ସେ ନଦୀ ପାଖରେ ଭ୍ରମଣ କରୁଥା'ନ୍ତି । ହଠାତ୍ ଏକ ଚମତ୍କାର ମନଲୋଭା ବାସ୍ନା ତାଙ୍କୁ ପ୍ରଲୁବ୍ଧ କଲା । ସେଇ ସୁଗନ୍ଧକୁ ଖୋଜି ଖୋଜି ତା' ପଛରେ ଟାଣି ହେଇ ରାଜା ଶାନ୍ତନୁ ଆସି ସତ୍ୟବତୀଙ୍କ ପାଖରେ ପହଞ୍ଚିଲେ । ପହଞ୍ଚି ଦେଖିଲେ ଜଣେ ଅତି ସୁନ୍ଦରୀ ଯୁବତୀ ନଈ କୂଳରେ ବସିଛି । ପରିଚୟ ପଚାରିବା ପରେ ଶାନ୍ତନୁ ଜାଣିଲେ ଯୁବତୀ ଜଣକ ହେଉଛନ୍ତି, ଧୀବର ରାଜାଙ୍କ ଝିଅ ସତ୍ୟବତୀ । କୁଳ ବେଉସା ଭାବରେ ସେ ଡଙ୍ଗା ଚଲାଉଛନ୍ତି ବୋଲି ବି ରାଜାଙ୍କୁ କହିଲେ । ରାଜା ଶାନ୍ତନୁ ସେତେବେଳକୁ ସତ୍ୟବତୀଙ୍କ ସୌନ୍ଦର୍ଯ୍ୟ ଓ ସୁଗନ୍ଧରେ ମୁଗ୍ଧ । ରାଜା ମନେ ମନେ ଭାବୁଥା'ନ୍ତି ଏମିତି ଏକ ସୁନ୍ଦରୀ ଯୁବତୀକୁ ରାଣୀ କରି ରାଜନଅରକୁ ନେଲେ କେମିତି ହେବ । ଗଙ୍ଗା ତାଙ୍କୁ ଛାଡିଗଲା ପରେ ସେ ବି ଅନେକ ଦିନ ହେଲାଣି ଏକା । ମନ କଥା କହିବାକୁ ପାଖରେ କେହି ନାହିଁ ।

ତାପରେ ରାଜା ଶାନ୍ତନୁ ଧୀବର ରାଜାଙ୍କ ପାଖରେ ପହଞ୍ଚିଲେ ଓ ବିବାହ ପ୍ରସ୍ତାବ କଥା କହିଲେ। କହିଲେ, କିଛି ଆପତ୍ତି ନଥିଲେ ସେ ସତ୍ୟବତୀଙ୍କୁ ବିବାହ କରି ହସ୍ତିନାର ରାଜପୁରୀକୁ ନେଇଯିବେ। ଝିଅର ବିବାହ ପ୍ରସ୍ଥାବ ସ୍ୱୟଂ ରାଜାଙ୍କ ପାଖରୁ ପାଇ ଧୀବର ରାଜା ଖୁସି ହେଇଗଲେ । ସେ ଜାଣିଥିଲେ ଝିଅ ସତ୍ୟବତୀ ପାଇଁ ରାଜା ଶାନ୍ତନୁଙ୍କ ସମକ୍ଷକ ଉପଯୁକ୍ତ ବର ସମଗ୍ର ଭାରତ ବର୍ଷରେ ଆଉ କେହି ନଥିଲେ । ଧୀବର ରାଜା କହିଲେ, ମହାରାଜ ଝିଅର ଜନ୍ମ ଦିନରୁ ମୁଁ ଜାଣିଥିଲି ତା' ଭାଗ୍ୟରେ ରାଜରାଣୀ ହେବା ଲେଖାଅଛି । ଆପଣଙ୍କ ପରି ଜଣେ ବୀର, ଧର୍ମପରାୟଣ ଓ ଶୌର୍ଯ୍ୟବନ୍ତ ପୁରୁଷ ହାତରେ ଝିଅକୁ ଟେକିଦେବାରେ ମୋର ତିଳେ ବି ଆପତ୍ତି ନାହିଁ । କିନ୍ତୁ ମୋର ଗୋଟେ ସର୍ତ୍ତ ଅଛି ମହାରାଜ ।

ସର୍ତ୍ତ ଟି କ'ଣ ବୋଲି ଯେତେବେଳେ ରାଜା ଶାନ୍ତନୁ ଜାଣିବାକୁ ଚାହିଁଲେ, ସେତେବେଳେ ଧୀବର ରାଜ କହିଲେ, ମହାରାଜ କଥା ଦିଅନ୍ତୁ ଆପଣଙ୍କ ଔରସରୁ ଓ ସତ୍ୟବତୀର ଗର୍ଭରୁ ଯୋଉ ପୁଅଟି ଜନ୍ମ ହେବ ସେ ହିଁ ହେବ ଆପଣଙ୍କ ପରେ ହସ୍ତିନାପୁରର ରାଜା । ସତ୍ୟବତୀ କେବଳ ରାଜରାଣୀ ହେବନି, ତା' ସାଙ୍ଗରେ ରାଜମାତା ବି ହେବ । ଝିଅର ବାପା ହିସାବରେ ମୋର ଏତିକି ଇଛା ।

ଧୀବର ରାଜାଙ୍କ ଏମିତି ସର୍ତ୍ତ ଶୁଣି ବିଚଳିତ ହେଇଗଲେ ରାଜା ଶାନ୍ତନୁ। ସେତବେଳକୁ ଗଙ୍ଗାପୁତ୍ର ଦେବବ୍ରତ ହିଁ ହସ୍ତିନାପୁରର ରାଜକୁମାର । ବଡ ପୁଅ ଭାବରେ ନ୍ୟାୟତଃ ରାଜଗାଦୀ ହେଉଛି ଦେବବ୍ରତର । ଦେବବ୍ରତ ସାଙ୍ଗରେ ସେ ଏପରି ଅନ୍ୟାୟ କରିପାରିବେନି ।

ଧୀବର ରାଜାଙ୍କ ସର୍ତ୍ତ କଥା ଶୁଣି ଆଉ ଅଧିକ କିଛି କହିପାରିଲେନି ଶାନ୍ତନୁ । ହୃଦୟର ଆଶା ତାଙ୍କର ଭାଙ୍ଗି ଯାଇଥିଲା । ତାପରେ ସେଉଠୁ ସେ ଚୁପ ଚାପ ଫେରି ଆସିଲେ ରାଜ ନଅରକୁ ।

Story of twins in the belly of a fish and the son of a virgin girlମାଛ ପେଟରେ ଯାଆଁଳା ପିଲା ଓ କୁମାରୀ କନ୍ୟାର ପୁତ୍ର ଲାଭ କଥା

ଶାନ୍ତନୁ ରାଜପୁରକୁ ଫେରି ସିନା ଆସିଲେ ମନ କିନ୍ତୁ ସତ୍ୟବତୀଙ୍କ ପାଖରେ । ହେଲେ ସେ କ'ଣ ବା କରିପାରିବେ? ଧୀବର ରାଜାଙ୍କ କଥା ତ ରଖିହେବନି । ତେଣୁ ରାଜା ସବୁବେଳେ ଅନ୍ୟମନସ୍କ ଓ ଦୁଃଖି ଦୁଃଖି ଥାଆନ୍ତି । ଦେବବ୍ରତ କିନ୍ତୁ ଦେଖୁଥା'ନ୍ତି କିଛିଦିନ ହେଲାଣି ଶାନ୍ତନୁଙ୍କ ମନରେ ସ୍ଥିରତା ନାହିଁ । ଶେଷରେ ଦିନେ ଦେବବ୍ରତ ପାଖକୁ ଆସି ଶାନ୍ତନୁଙ୍କୁ ପଚାରିଲେ, କଥା କ'ଣ? କ'ଣ ପାଇଁ ଏତେ ଉଦାସ ? ଶାନ୍ତନୁ କହିଲେ ହଁ ରେ ବାପା । ମନ ମୋର ଆଜିକାଲି ଟିକେ ସ୍ଥିର ରହୁନି । ଧ୍ୟାନରେ ବି ଏକାଗ୍ରତା ଆସୁନି । ମୋତେ ଚିନ୍ତା ଘାରିଛି ତୁମର ଯଦି କେବେ କିଛି ହେଇଯାଏ ତେବେ ଆମର ଏ ମହାନ କୁରୁବଂଶକୁ ଆଗକୁ ନେବାକୁ ଆଉ କେହି ନାହାଁନ୍ତି । ଶାସ୍ତ୍ରରେ କୁହାଯାଇଛି ଗୋଟେ ପୁଅ ଆଦୌ ପୁଅ ନଥିବା ସହ ସମାନ । ଆମ ବଂଶର ଭବିଷ୍ୟତ କଥା ଭାବି ଭାବି ମୁଁ ଟିକେ ମାନସିକ ଭାବରେ ବିବ୍ରତ ଅନୁଭବ କରୁଛି । ଶାନ୍ତନୁଙ୍କ ଉତ୍ତରରେ ଏତେଟା ସନ୍ତୁଷ୍ଟ କିନ୍ତୁ ହେଲେନି ଦେବବ୍ରତ । ତାଙ୍କୁ ଲାଗିଲା ବାପା ତାଙ୍କର ଅସଲ କଥା ଖୋଲି କହୁନାହାନ୍ତି ।

ବାପା ଶାନ୍ତନୁଙ୍କ କଥା ଶୁଣିଲା ପରେ ଦେବବ୍ରତ ପ୍ରକୃତ କାରଣ ଜାଣିବାକୁ ରାଜାଙ୍କର ଜଣେ ବୟସ୍କ ପାରିଷଦଙ୍କୁ ଏକାନ୍ତରେ ଭେଟି ରାଜାଙ୍କ ଉଦାସ ହେବାର କାରଣ ପଚାରିଲେ । ପାରିଷଦଙ୍କ ପାଖରୁ ଦେବବ୍ରତ ଏବେ ସବୁ ପ୍ରକୃତ କାହାଣୀ ଜାଣିଲେ । ଧୀବର କନ୍ୟା ସତ୍ୟବତୀଙ୍କୁ ଶାନ୍ତନୁ ଯମୁନା ତଟରେ ଭେଟିବା, ସତ୍ୟବତୀଙ୍କୁ ବିବାହ ପାଇଁ ଧୀବର ରାଜାଙ୍କୁ ପ୍ରସ୍ତାବ ଦେବା ଓ ଧୀବର ରାଜାଙ୍କ ସର୍ତ୍ତ, ସବୁ କିଛି ଜାଣିଲେ ଦେବବ୍ରତ ।

ଦେବବ୍ରତଙ୍କ ପାଇଁ ଶାନ୍ତନୁଙ୍କ ସୁଖ ହିଁ ସବୁକିଛି ଥିଲା । ସେ ଚାହୁଁ ନଥିଲେ ଶାନ୍ତନୁ କୌଣସି ପ୍ରକାରର ଉଦାସ ପଣରେ ଘାରି ହୁଅନ୍ତୁ । ତାଙ୍କ ପାଖରେ ଏକମାତ୍ର ସାମାଧାନର ରାସ୍ତା ଥିଲା ସେ ତୁରନ୍ତ ଯାଇ ଧୀବର ରାଜାଙ୍କ ସହ ଭେଟିବେ । କାହାକୁ କିଛି ନକହି ଦେବବ୍ରତ ହସ୍ତିନାପୁରର ଧୀବର ରାଜା ଓ ସତ୍ୟବତୀଙ୍କ ପାଖକୁ ବାହାରିଲେ ।

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Mahabharata Special Story Mahabharat Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ