ପ୍ରଥମ ପ୍ରୟାସରେ IAS ବନିଥିଲେ ଏହି IIT ଗ୍ରାଜୁଏଟ୍, ବଡ଼ ଚାକିରି ଛାଡ଼ି ବାଛିଥିଲେ ସିଭିଲ ସର୍ଭିସ୍

୨୦୧୫ ବ୍ୟାଚର ଗୁଜରାଟ କ୍ୟାଡରର IAS ଅଫିସର ଅନନ୍ୟା ଦାସ । ପ୍ରଥମ ପ୍ରୟାସରେ ହାସଲ କରିଥିଲେ AIR ୧୬ ରାଙ୍କ୍ ।

IAS Ananya Das

ୟୁପିଏସି ପରୀକ୍ଷାକୁ ଆମ ଦେଶରେ ସବୁଠୁ କଠିନ ପରୀକ୍ଷା ଭାବେ ବିବେଚନା କରାଯାଏ । ପ୍ରତିବର୍ଷ ବହୁ ସଂଖ୍ୟାରେ ଆଶାୟୀ IAS, IPS, IFS ଓ IRS ହେବାପାଇଁ ସିଭିଲ ସର୍ଭିସ୍ ପରୀକ୍ଷା ଦେଇଥାନ୍ତି । ତେବେ ସେମାନଙ୍କ ମଧ୍ୟରୁ କିଛିଜଣ ଦୃଢ ସଂକଳ୍ପ ଓ କଠିନ ପରିଶ୍ରମ ବଳରେ ପ୍ରଥମ ପ୍ରୟାସରେ ହିଁ ପରୀକ୍ଷାରେ ସଫଳ ହୁଅନ୍ତି ।

IAS ଅନନ୍ୟା ଦାସଙ୍କର ମଧ୍ୟ ସେହିପରି ଏକ ପ୍ରେରଣାଦାୟୀ କାହାଣୀ ରହିଛି । ଯିଏକି ନିଜର ପ୍ରଥମ ପ୍ରୟାସରେ UPSC ପରୀକ୍ଷାରେ ସଫଳ ହୋଇଛନ୍ତି । ବର୍ଷ ୧୯୯୨ ମଇ ମାସ ୧୫ ତାରିଖରେ ଓଡ଼ିଆ ଝିଅ ଅନନ୍ୟାଙ୍କ ଜନ୍ମ । ଅନନ୍ୟାଙ୍କ ବାପା ପୂର୍ବରୁ ଏକ ବ୍ୟାଙ୍କରେ ଚାକିରି କରୁଥିଲେ ମାତ୍ର ଏବେ ଅବସର ନେଇସାରିଛନ୍ତି ।

ସ୍କୁଲ ସମୟରୁ ହିଁ ପାଠପଢ଼ାରେ ରୁଚି ରଖୁଥିଲେ ଅନନ୍ୟା । ଏହାପରେ IIT ବମ୍ବେରୁ କମ୍ପ୍ୟୁଟର ସାଇନ୍ସରେ ବିଟେକ୍ କରିଛନ୍ତି । ପରେ ପିଲାନିର ବିର୍ଲା ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସରୁ ଅର୍ଥନୀତିରେ MSc କରିଛନ୍ତି । ଅଳ୍ପ ସମୟ ପାଇଁ ସେ ଏକ ବହୁଦେଶୀୟ କମ୍ପାନୀରେ ସଫୱର ଇଞ୍ଜିନିୟର ଭାବେ କାମ କରିଛନ୍ତି । ପରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଜୟପୁରରେ ଏକଜ୍ୟୁକେଟିଭ୍ ଇଣ୍ଟର୍ନ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । 

ତେବେ ଏହାମଧ୍ୟରେ ଅନନ୍ୟା ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତି କରିବାକୁ ନିଷ୍ପତ୍ତି ନେଇଥିଲେ ଓ ସେଥିପାଇଁ ଚାକିରି ଛାଡ଼ିଦେଲେ । ପରେ ପ୍ରଥମ ପ୍ରୟାସରେ ସେ UPSC CSE ୨୦୧୫ ପରୀକ୍ଷାରେ ସର୍ବଭାରତୀୟ ସ୍ଥରରେ ୧୬ ରାଙ୍କ୍ ସହ ଉତ୍ତୀର୍ଣ୍ଣ ହୋଇଥିଲେ । ୨୦୧୫ ବ୍ୟାଚର ଗୁଜରାଟ କ୍ୟାଡରର IAS ଅଫିସର ଅନନ୍ୟା ଦାସ । ନିଜ ରାଜ୍ୟରେ ସେ ଟପ୍ପର ମଧ୍ୟ ରହିଥିଲେ । 

ଜିଲ୍ଲାପାଳ ଭାବେ ଓଡ଼ିଶାର ଏକାଧିକ ଜିଲ୍ଲାରେ ଅନନ୍ୟା କାମ କରିସାରିଛନ୍ତି । ନିକଟରେ ସମ୍ବଲପୁର ଜିଲ୍ଲାପାଳ ଥିବାବେଳେ ତାଙ୍କର ପୋଷ୍ଟିଂ ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗର ଯୁଗ୍ମ ସଚିବ ଭାବେ ହୋଇଛି । ପୂର୍ବରୁ କଟକ ମହାନଗର ନିଗମର କମିଶନର ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି ।