ଜାନୁଆରୀ ୨ରୁ ଯୁକ୍ତ ୨ ପ୍ରାକ୍ଟିକାଲ୍ ପରୀକ୍ଷା

ଇଣ୍ଟିଗ୍ରେଟେଡ୍ ଭୋକେସନାଲ ପାଠ୍ୟକ୍ରମର ପ୍ରାକ୍ଟିକାଲ୍ କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି । ୧୫ ମାର୍କ ବିଶିଷ୍ଟ ପ୍ରାକ୍ଟିକାଲ୍ ପାଇଁ ୨ ଘଣ୍ଟା, ୬୦, ୩୦ ଓ ୨୦ ମାର୍କ ପରୀକ୍ଷା ପାଇଁ ୩ ଘଣ୍ଟା ଧାର୍ଯ୍ୟ ହୋଇଛି ।

Plus 2 Exam

ଜାନୁଆରୀ ୨ରୁ ଯୁକ୍ତ ୨ ପ୍ରାକ୍ଟିକାଲ୍ ପରୀକ୍ଷା । ହାତରେ ଆଉ କମ୍ ସମୟ । ତେଣୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(CHSE) ପକ୍ଷରୁ ଆସନ୍ତା ୨୬ ତାରିଖରୁ ପରୀକ୍ଷା କେନ୍ଦ୍ର ଗୁଡ଼ିକୁ ପରୀକ୍ଷା ସମ୍ପର୍କିତ ଫର୍ମ, ପ୍ରଶ୍ନପତ୍ର ଏବଂ ଉତ୍ତର ଖାତା ପଠାଯିବ ।

ଚଳିତ ମାସ ୩୧ ତାରିଖ ସୁଦ୍ଧା ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକରେ ପହଞ୍ଚିବ ଏସବୁ ସାମଗ୍ରୀ । ପରୀକ୍ଷା ଅଧୀକ୍ଷକମାନେ ପ୍ରଶ୍ନପତ୍ର, ଉତ୍ତର ଖାତା ସମେତ ଅନ୍ୟାନ୍ୟ କାଗଜପତ୍ର ଗ୍ରହଣ କରିବା ସମୟରେ ଭଲ ଭାବେ ସେସବୁକୁ ଯାଞ୍ଚ କରିବେ ।

ଯଦି କୌଣସି ସ୍ଥାନରେ ପ୍ରଶ୍ନପତ୍ର କିମ୍ବା ଉତ୍ତର ଖାତାରେ ତ୍ରୁଟି ରହିଥିବ, ସଙ୍ଗେ ସଙ୍ଗେ ପରୀକ୍ଷା ନିୟନ୍ତ୍ରକଙ୍କୁ ଫୋନ୍ କରି ଜଣାଇବାକୁ CHSE, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଚିଠି ଲେଖିଛି । ପରୀକ୍ଷା ସରିବା ପରେ ମଧ୍ୟ ପ୍ରଶ୍ନପତ୍ର ଓ ପ୍ୟାକେଟ୍ ସାମଗ୍ରୀକୁ ସେମାନେ ସାଇତି ରଖିବେ ।

୨୦୨୪ ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ପାଇବାର ଅତି କମ୍‌ରେ ମାସେ ପର୍ଯ୍ୟନ୍ତ ସେଗୁଡ଼ିକୁ ଯତ୍ନର ସହ ରଖିବେ । ଜାନୁଆରୀ ୨ରୁ ୧୨ ତାରିଖ ଯାଏ ବିଜ୍ଞାନ, କଳା ଓ ବାଣିଜ୍ୟ ବିଭାଗର ବିଭିନ୍ନ ବିଷୟ ପରୀକ୍ଷା ଅନୁଷ୍ଠିତ ହେବ ।

ବିଜ୍ଞାନ ବିଭାଗର ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଉଦ୍ଭିଦ ବିଜ୍ଞାନ, ପ୍ରାଣୀ ବିଜ୍ଞାନ, ଇଲେକ୍ ଟ୍ରୋନିକ୍ସ, କମ୍ପ୍ୟୁଟର ସାଇନ୍ସ, ବାୟୋ-ଟେକ୍ନୋଲୋଜି, ପରିସଂଖ୍ୟାନ, ଭୂଗୋଳ, ଭୂତତ୍ତ୍ୱ ବିଜ୍ଞାନ ଓ ଆଇଟି ବିଷୟର ପ୍ରାକ୍ଟିକାଲ ପରୀକ୍ଷା ହେବ ।

ସେହିପରି କଳା ବିଭାଗର ଶିକ୍ଷା, ଆଇଟି, ମନୋବିଜ୍ଞାନ, ନୃତତ୍ତ୍ୱ ବିଜ୍ଞାନ, ଇଣ୍ଡିଆନ୍ ମ୍ୟୁଜିକ୍, ହୋମ୍ ସାଇନ୍ସ, ପରିସଂଖ୍ୟାନ ଓ ଭୂଗୋଳ ବିଷୟ ଏବଂ ବାଣିଜ୍ୟ ବିଭାଗର ଆଇଟି ଓ କମ୍ପ୍ୟୁଟର ସାଇନ୍ସ ବିଷୟର ପ୍ରାକ୍ଟିକାଲ୍ ପରୀକ୍ଷା କରାଯିବ ।

ଇଣ୍ଟିଗ୍ରେଟେଡ୍ ଭୋକେସନାଲ ପାଠ୍ୟକ୍ରମର ପ୍ରାକ୍ଟିକାଲ୍ କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି । ୧୫ ମାର୍କ ବିଶିଷ୍ଟ ପ୍ରାକ୍ଟିକାଲ୍ ପାଇଁ ୨ ଘଣ୍ଟା, ୬୦, ୩୦ ଓ ୨୦ ମାର୍କ ପରୀକ୍ଷା ପାଇଁ ୩ ଘଣ୍ଟା ଧାର୍ଯ୍ୟ ହୋଇଛି । ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭିକୁ ବାଧ୍ୟତାମୂଳକ କରାଯାଇଛି । ଫେବୃଆରୀ ୧୬ରୁ ଯୁକ୍ତ ୨ ଥିଓରି ପରୀକ୍ଷା ଆରମ୍ଭ ହେବାର ସମ୍ଭାବନା ରହିଛି ।