ପ୍ରତିବର୍ଷ ରାମ ନବମୀରେ ଦିବ୍ୟଦୃଶ୍ୟର ସାକ୍ଷୀ ହେବେ ରାମଭକ୍ତ; ରାମଲାଲାଙ୍କର ହେବ ସୂର୍ଯ୍ୟତିଳକ

ଅଯୋଧ୍ୟା ରାମମନ୍ଦିରରେ ସତେକି ଘଟିବ ଅଲୌକିକ ଘଟଣା । ରାମଲାଲାଙ୍କ ଲଲାଟରେ ଆକାଶର ସୂର୍ଯ୍ୟ ଆଙ୍କିବେ ସୁଦୀପ୍ତ ତିଳକ ।

Ayodhya Ram Mandir

ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ତିଥି ଯେତେ ପାଖେଇ ଆସୁଛି, ସାମ୍ନାକୁ ଆସୁଛି ସେତେ ନୂଆ ନୂଆ କଥା, ବିସ୍ମିତ ଓ ଚମତ୍କୃତ କଲା ଭଳି ବିଷୟ । ସୂଚନା ମିଳିଛି, ଏହି ମନ୍ଦିରର ଦିବ୍ୟତାକୁ ଆହୁରି ବଢ଼ାଇବା ପାଇଁ ଭଳି ଏକ ବିରଳ ଟେକନୋଲୋଜି ବ୍ୟବହୃତ କରାଯାଇଛି, ଯାହା ଦ୍ୱାରା ରାମନବମୀ ଦିନ ଗର୍ଭଗୃହରେ ଘଟିବ ଅଲୌକିକ ଘଟଣା । ୩ ମହଲା ବିଶିଷ୍ଟ ମନ୍ଦିରର ତଳ ମହଲାରେ ଥିବା ଗର୍ଭଗୃହ ଭିତରକୁ ଆସିବ ସୂର୍ଯ୍ୟଙ୍କ ଆଲୋକ ରଶ୍ମୀ ଏବଂ ରାମଲାଲାଙ୍କ କପାଳରେ ସଜେଇ ହେବ ଏକ ଜ୍ୟୋତିମନ୍ତ ତିଳକ ଭଳି । ଜଣେ ଓଡ଼ିଆ ବୈଜ୍ଞାନିକଙ୍କ ନେତୃତ୍ୱରେ ଏହି ଅସମ୍ଭବ କିପରି ସମ୍ଭବ ହେଲା, ଜାଣନ୍ତୁ..

ପ୍ରତିବର୍ଷ ରାମ ନବମୀରେ ଦିବ୍ୟଦୃଶ୍ୟର ସାକ୍ଷୀ ହେବେ ରାମଭକ୍ତ । ଅଯୋଧ୍ୟା ରାମମନ୍ଦିରରେ ସତେକି ଘଟିବ ଅଲୌକିକ ଘଟଣା । ରାମଲାଲାଙ୍କ ଲଲାଟରେ ଆକାଶର ସୂର୍ଯ୍ୟ ଆଙ୍କିବେ ସୁଦୀପ୍ତ ତିଳକ । ପ୍ରତିବର୍ଷ ପବିତ୍ର ରାମ ନବମୀରେ ସୂର୍ଯ୍ୟ ଯେତେବେଳେ ମନ୍ଦିର ଚୂଡ଼ା ଉପରେ ଥିବେ, ଠିକ୍ ସେତିକି ବେଳେ କରିସ୍ମା ଦେଖାଇବ ବିଜ୍ଞାନ କାରିଗରୀ । ସୂର୍ଯ୍ୟ କିରଣ ପ୍ରତିଫଳିତ ହୋଇ ଗର୍ଭଗୃହ ଭିତରେ ବିଗ୍ରହର କପାଳ ଉପରେ ପଡ଼ିବ ଏବଂ ରାମଲାଲାଙ୍କ ସୂର୍ଯ୍ୟାଭିଷେକ ହେବ ।

ପ୍ରଭୁ ଶ୍ରୀରାମଚନ୍ଦ୍ର ସୂର୍ଯ୍ୟବଂଶୀ ହୋଇଥିବାରୁ, ତାଙ୍କ ଜନ୍ମତିଥିରେ ସୂର୍ଯ୍ୟାଭିଷେକ ପାଇଁ ଆଗ୍ରହ କରିଥିଲେ ବହୁ ସାଧୁସନ୍ଥ । ତେଣୁ ସେମାନଙ୍କ ଭାବାବେଗକୁ ରକ୍ଷା କରି, ଅଯୋଧ୍ୟାର ଭବ୍ୟ ରାମମନ୍ଦିର ନିର୍ମାଣରେ ଏହି ପରିକଳ୍ପନାକୁ ମଧ୍ୟ ବାସ୍ତବତାର ରୂପ ଦିଆଯାଇଛି । ଆଉ ଓଡ଼ିଶା ପାଇଁ ଗର୍ବର କଥା ହେଉଛି, ଏହି ପ୍ରୋଜେକ୍ଟ ସୂର୍ଯ୍ୟ ତିଳକର ମୁଖ୍ୟ ବିନ୍ଧାଣୀ ହେଉଛନ୍ତି ଜଣେ ଓଡ଼ିଆ ପୁଅ । ପାରଳାଖେମୁଣ୍ଡିର ବୈଜ୍ଞାନିକ ସରୋଜ କୁମାର ପାଣିଗ୍ରାହୀ, ଯିଏ କି ଏବେ ସେଣ୍ଟ୍ରାଲ୍ ବିଲ୍ଡିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ବା CBRIର ମୁଖ୍ୟ ବୈଜ୍ଞାନିକ ଭାବେ କାର୍ଯ୍ୟରତ ଅଛନ୍ତି ।

ରାମନବମୀରେ ଏହି ଚମତ୍କାର ଦୃଶ୍ୟ ୩ ରୁ ୪ ମିନିଟ ପାଇଁ ଦେଖିବାକୁ ମିଳିବ । ଗର୍ଭଗୃହରେ ରାମଲାଲାଙ୍କ ମସ୍ତକରେ ଦୃଶ୍ୟମାନ ହେବ ୭୫ ମିଲିମିଟରର ସୂର୍ଯ୍ୟ ତିଳକ । ତେବେ ଏହି ପ୍ରକଳ୍ପକୁ ସଫଳ କରିବା ପାଇଁ ବୈଜ୍ଞାନିକଙ୍କ ସାମ୍ନାରେ ଥିଲା ୨ଟି ବଡ଼ ଚାଲେଞ୍ଜ । ବିଶାଳ ରାମମନ୍ଦିରର ଜଟିଳ ଆର୍କିଟେକଚର ଯୋଗୁଁ, ସୂର୍ଯ୍ୟାଲୋକକୁ ସିଧାସଳଖ ଗର୍ଭଗୃହ ଯାଏଁ ନେବା ଖୁବ୍ କଷ୍ଟସାଧ୍ୟ ଥିଲା । ଏଥିପାଇଁ ଉନ୍ନତ ଦର୍ପଣ, ଲେନ୍ସ ଓ ଅଷ୍ଟଧାତୁର ସ୍ବତନ୍ତ୍ର ପାଇପ ସହାୟତାରେ ଅପ୍ଟି-ମେକାନିକାଲ ସିଷ୍ଟମର ପ୍ରୟୋଗ କରାଯାଇଛି । ଦ୍ୱିତୀୟ ଚାଲେଞ୍ଜ ଥିଲା, ସବୁବର୍ଷ ରାମ ନବମୀ ଗୋଟିଏ ତାରିଖରେ ପଡ଼ୁନଥିବାରୁ, ସୂର୍ଯ୍ୟଙ୍କ କିରଣ ମଧ୍ୟ ସମାନ ସ୍ଥାନରେ ପଡ଼ିବ ନାହିଁ । ଏହାର ସମାଧାନ ପାଇଁ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ ଅଫ୍ ଆଷ୍ଟ୍ରୋ ଫିଜିକ୍ସର ସହାୟତା ନେଇ ଟିଲ୍ଟ ମେକାନିଜିମ୍ ସ୍ଥାପନ କରାଯାଇଛି ।

ଭବ୍ୟ ମନ୍ଦିର ରାମଲାଲାଙ୍କୁ ଅପେକ୍ଷା କରିଥିବା ବେଳେ, ଆଜି ଶତଗୁଣ ବଢ଼ିଛି ଏହାର ସୌନ୍ଦର୍ଯ୍ୟ । ଗୋଟିଏ ଦ୍ୱାରରେ ଲାଗିଛି ସୁନା କବାଟ। ହାତୀ, ନର୍ତ୍ତକୀ ଓ ଦେବ ବିମାନ ଆଦି ଖୋଦିତ ଏହି ଭଳି ଆହୁରି ୧୩ଟି ସୁନା କବାଟ ଆଗାମୀ ୩ ଦିନ ଭିତରେ ଲାଗିବ । ଗର୍ଭଗୃହ ସିଂହାସନରେ ବି ସୁନା ଛାଉଣୀ ହେବ । ସେପଟେ ପ୍ରାଣପ୍ରତିଷ୍ଠା ତିଥି ପାଖେଇ ଆସୁଥିବା ବେଳେ, ରାମଭକ୍ତି ଓ ରାମଚେତନାରେ ଉଦବୁଦ୍ଧ ହେଉଛି ସାରା ଦେଶ । ଏବେ ବିରଳ ଉଦାହରଣ- 'ରାମସେତୁ ଶାଢ଼ି' । ଓଡ଼ିଶାର ବାନ୍ଧକଳାକୁ ରାମସେତୁ ଥିମରେ ସଜାଇ ଦିଲ୍ଲୀରେ ଏହି ସୁନ୍ଦର ଶାଢ଼ି ପ୍ରଦର୍ଶନ କରୁଛନ୍ତି ସମ୍ବଲପୁରର ଦୁଶ୍ୟନ୍ତ ମେହେର । ଜାତୀୟ ପୁରସ୍କାର ପ୍ରାପ୍ତ ହସ୍ତତନ୍ତ ଶିଳ୍ପୀ ଈଶ୍ବର ମେହେର ତିଆରି କରିଥିବା ଏହି ଶାଢ଼ୀରେ ସମୁଦ୍ର ମଝିରେ ସେତୁବନ୍ଧ, ପଥରରେ ଶ୍ରୀରାମ ଲେଖା, ବାନର ସେନା, ଅଙ୍ଗଦ, ନଳ, ନୀଳ ଓ ଗୁଣ୍ଡୁଚି ମୂଷା ଆଦି ସୂକ୍ଷ୍ମ କାରିଗରୀ ଦେଖିବାକୁ ମିଳିଛି ।