ଯେଉଁ ସାଂସଦ ଓ ବିଧାୟକମାନଙ୍କ ବିରୋଧରେ ବିଭିନ୍ନ ପ୍ରକାରର କେଶ୍ ରହିଛି, ସେଗୁଡିକର ଶୁଣାଣି ଶୀଘ୍ର କରାଯିବ । ସାଧାରଣତଃ ଏହି କେଶ୍ ଗୁଡିକର ବିଚାରରେ ବିଳମ୍ୱ ହେଉଛି । ସାଂସଦ ଓ ବିଧାୟକମାନେ ପ୍ରଭାବଶାଳୀ ହୋଇଥିବାରୁ ମାମଲାଗୁଡିକର ଶୀଘ୍ର ବିଚାର ହୋଇପାରୁନାହିଁ । ତାରିଖ ପରେ ତାରିଖ ଗଡ଼ୁଛି । ଏ ନେଇ ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି । କ’ଣ କରାଗଲେ ତ୍ୱରିତ ବିଚାର ହୋଇପାରିବ, ସେ ସଂପର୍କରେ ସତ୍ୟପାଠ ଜରିଆରେ ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି ଆମିକସ୍ କ୍ୟୁରି ତଥା ବରିଷ୍ଠ ଆଇନଜୀବୀ ବିଜୟ ହଂସାରିଆ । ଏମିତି ହେଲେ ଆଉ ଖସିପାରିବେନି ପ୍ରଭାବଶାଳୀ ନେତା । ମନିଟର୍ କରିବେ ହାଇକୋର୍ଟ । କଠୋର ହୋଇପାରନ୍ତି ସୁପ୍ରିମକୋର୍ଟ ।
ସୁପ୍ରିମକୋର୍ଟରେ ଏ ସଂପର୍କରେ ଏକ ସଦ୍ୟତମ ରିପୋର୍ଟ ସେ ଦାଖଲ କରିଛନ୍ତି । ADR ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ରିପୋର୍ଟ ମଧ୍ୟ ସେ ସୁପ୍ରିମକୋର୍ଟଙ୍କ ଦୃଷ୍ଟିକୁ ଆଣିଛନ୍ତି । ଲୋକସଭାର ୨୫୧ ଜଣ ସାଂସଦ ବିଭିନ୍ନ ମାମଲାରେ ଛନ୍ଦି ହୋଇଛନ୍ତି । ଏହି ୨୫୧ ଜଣଙ୍କ ମଧ୍ୟରୁ ଓଡ଼ିଶାର ୧୬ ଜଣ ସାଂସଦଙ୍କ ବିରୋଧରେ ରହିଛି ମାମଲା । ସେମାନଙ୍କ ମଧ୍ୟରୁ ୯ ଜଣଙ୍କ ବିରୋଧରେ ରହିଛି ଗୁରୁତର ମାମଲା । ଓଡ଼ିଶାର ୪୫୭ଟି କେଶ୍ ମଧ୍ୟରୁ ୨୦୬ଟି କେଶ୍ ୧୦ ବର୍ଷରୁ ଅଧିକ ସମୟ ଧରି ବିଚାରାଧୀନ ଥିବା ବେଳେ ୧୬୧ଟି କେଶ୍ ୫ ବର୍ଷରୁ ୧୦ ବର୍ଷ ହେଲା ଚାଲିଛି । ୯୦ଟି ମାମଲା ୫ ବର୍ଷ ଭିତରେ ରହିଛି । ଓଡ଼ିଶାରେ ୨୦୨୪ରେ ୪୨ଟି ନୂଆ ମାମଲା ରୁଜୁ ହୋଇଥିଲା ବେଳେ ଫଇସଲା ହୋଇଛି ୪୨ଟି ମାମଲା । କଟକରେ ଏକ ମାମଲା ୧୯୯୧ ମସିହାରୁ ବିଚାରାଧୀନ ଥିବା ରିପୋର୍ଟରେ ଦର୍ଶାଯାଇଛି ।
Also Read
ଅଧିକ ପଢ଼ନ୍ତୁ: ୨୫ ବର୍ଷ ଜେଲରେ ଥିବା ବାଳ ଅପରାଧୀକୁ ମୁକ୍ତ କଲେ ସୁପ୍ରିମକୋର୍ଟ, ଥଇଥାନ କରିବାକୁ ଦେଲେ ନିର୍ଦ୍ଦେଶ
ଆମିକସ୍ କ୍ୟୁରି ବିଜୟ ହଂସାରିଆ ସୁପ୍ରିମକୋର୍ଟରେ କହିଛନ୍ତି ଯେ, ଅନେକ ମାମଲାରେ ଅଭିଯୁକ୍ତମାନେ ନିର୍ଦ୍ଧାରିତ ତାରିଖରେ କୋର୍ଟରେ ହାଜର ହେଉନାହାନ୍ତି । ବାରମ୍ୱାର ତାରିଖ ଗଡାଉଛନ୍ତି । ତଳ କୋର୍ଟ ମଧ୍ୟ କୋହଳ ମନୋଭାବ ପୋଷଣ କରି ସମୟ ଦେଇ ଚାଲିଛନ୍ତି । ହାଇକୋର୍ଟଙ୍କ ସ୍ପଷ୍ଟ ନିର୍ଦ୍ଦେଶ ସତ୍ତ୍ୱେ କେତେକ କୋର୍ଟରେ ମାମଲାର ବିଚାର ମନ୍ଥର ଗତିରେ ଚାଲିଛି । ତେଣୁ ତ୍ୱରିତ ବିଚାର ପାଇଁ ପୁଣି ଥରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଆବଶ୍ୟକତା ଥିବା ସେ କହିଛନ୍ତି । ସ୍ୱତନ୍ତ୍ର କୋର୍ଟଗୁଡିକ ଏହି ମାମଲାର ବିଚାର ପରେ ଅନ୍ୟ ମାମଲାର ଶୁଣାଣି କଲେ ଠିକ୍ ହେବ ଓ ମାମଲାଗୁଡିକର ଶୀଘ୍ର ବିଚାର ହୋଇପାରିବ ବୋଲି ସେ ଦର୍ଶାଇଛନ୍ତି । ୩ ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ମାମଲା ଗୁଡିକର ଶୁଣାଣି ପ୍ରତିଦିନ କରିବା ପାଇଁ ସେ ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି । ଏପରିକି ଜଣେ ଅଭିଯୁକ୍ତ ଯଦି ଦୁଇଟି ତାରିଖରେ ହାଜର ହେଉନାହାନ୍ତି, ତାଙ୍କ ବିରୋଧରେ ଗିରଫ ପରୱାନା ଜାରି କରାଯାଉ ।
ସାଂସଦ ଓ ବିଧାୟକଙ୍କ ବିରୋଧରେ ଚାଲିଥିବା ମାମଲା ସଂପର୍କରେ ସାଧାରଣ ଲୋକ ବା ଭୋଟର ମାନଙ୍କର ଜାଣିବାର ଅଧିକାର ରହିଛି । ତେଣୁ ଏ ମାମଲା ଗୁଡିକର ତଥ୍ୟ ଜାଣିବା ପାଇଁ ହାଇକୋର୍ଟ ୱେବସାଇଟରେ ଏକ ପ୍ରମୁଖ ଟାବ୍ ରଖାଯାଉ । ବର୍ଷ ବର୍ଷ ଧରି କୋର୍ଟରେ ମାମଲା ପଡିରହିଥିବା ଘଟଣା ଦର୍ଶାଉଛି ଯେ, କେଶର ତଦନ୍ତ ଓ ଶୁଣାଣି ଉପରେ ସାଂସଦ ଓ ବିଧାୟକମାନଙ୍କ ପ୍ରଭାବ ରହୁଥିବାରୁ କେଶ୍ ଶୀଘ୍ର ସରୁନାହିଁ । କେବଳ ବିଶେଷ ପରିସ୍ଥିତିରେ ଶୁଣାଣି ଘୁଞ୍ଚାଯାଉ । ଏହା ଆମିକସ୍ କ୍ୟୁରି ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି ।
ସାଂସଦ ଓ ବିଧାୟକଙ୍କ ବିରୋଧରେ ଚାଲିଥିବା ମାମଲାଗୁଡିକୁ ମନିଟର କରିବାକୁ ଏକ ସ୍ବତନ୍ତ୍ର ବେଞ୍ଚ ଗଠନ କରିବାକୁ ୨୦୨୩ ନଭେମ୍ୱରରେ ସୁପ୍ରିମକୋର୍ଟ ଦେଶର ସବୁ ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ଅଧିକ ପଢ଼ନ୍ତୁ: ନଡ଼ିଆ ତେଲ ଖାଇବେ ନା କେଶରେ ଲଗାଇବେ ? ୨୦ ବର୍ଷର ବିବାଦକୁ ସମାଧାନ କଲେ ସୁପ୍ରିମକୋର୍ଟ
ବିଧାୟକ, ସାଂସଦ, ପୂର୍ବତନ ବିଧାୟକ ଓ ପୂର୍ବତନ ସାଂସଦ ମାନଙ୍କ ନାଁରେ ସମଗ୍ର ଦେଶରେ ବିଚାରାଧୀନ ରହିଛି ୪୭୩୨ଟି ଫୌଜଦାରୀ ମାମଲା । ଏହି ମାମଲା ଗୁଡିକର ତ୍ୱରିତ ବିଚାର ହୋଇପାରୁ ନଥିବାରୁ ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି । ବାରମ୍ୱାର ତାଗିଦ ସତ୍ତ୍ୱେ ବି ଦୀର୍ଘ ଦିନ ଧର ପଡିରହୁଛି ମାମଲା । ସବୁ ହାଇକୋର୍ଟଙ୍କୁ ସୁପ୍ରିମକୋର୍ଟ ବିଧାୟକ ଓ ସାଂସଦମାନଙ୍କ ବିରୋଧରେ ଥିବା ମାମଲାର ବିଚାର ଶୀଘ୍ର କରିବା ପାଇଁ ପୂର୍ବରୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଓଡ଼ିଶାରେ ଏବେ ୪୫୭ଟି ଏହି ଧରଣର ମାମଲା ବିଭିନ୍ନ କୋର୍ଟରେ ଚାଲିଥିଲା ବେଳେ ବର୍ତ୍ତମାନର ସାଂସଦ ଓ ବିଧାୟକଙ୍କ ବିରୋଧରେ ରହିଛି ୧୧୭ଟି ମାମଲା ।
ତେବେ ଉଦବେଗର ବିଷୟ ହେଉଛି, ସାରା ଦେଶରେ ସାଂସଦ ଓ ବିଧାୟକଙ୍କ ବିରୋଧରେ ଥିବା କେଶରେ ଓଡ଼ିଶାର ସ୍ଥାନ ରହିଛି ଦ୍ୱିତୀୟ । ଓଡ଼ିଶାରେ ୪୫୭ଟି କେଶ୍ ଚାଲିଛି । ତେବେ ପ୍ରଥମ ସ୍ଥାନରେ ରହିଛି ଉତ୍ତର ପ୍ରଦେଶ । ଏହି ରାଜ୍ୟରେ ସାଂସଦ, ବିଧାୟକ, ପୂର୍ବତନ ସାଂସଦ ଓ ପୂର୍ବତନ ବିଧାୟକଙ୍କ ବିରୋଧରେ ୧୧୭୧ଟି ମାମଲା ଚାଲିଛି । ଓଡ଼ିଶା ତଳକୁ ରହିଛି ମହାରାଷ୍ଟ୍ର । ମହାରାଷ୍ଟ୍ରରେ ଏହି ସଂଖ୍ୟା ୪୪୨। ତେବେ ଓଡ଼ିଶା ଭଳି ଏକ ଛୋଟ ରାଜ୍ୟରେ ଏହି ସଂଖ୍ୟା ଅଧିକ ରହିବା ଚର୍ଚ୍ଚାର ବିଷୟ ହୋଇଛି ।