/odishatv-khabar/media/post_attachments/uploadimage/library/16_9/16_9_0/____1664162925.jpg)
Rajasthan Political Crisis
କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଅଶୋକ ଗେହଲୋଟ୍ଙ୍କ ନାମାଙ୍କନ ନିଶ୍ଟିତ ପରେ ଅସ୍ଥିର ରାଜସ୍ଥାନ ରାଜନୀତି। ମୁଖ୍ୟମନ୍ତ୍ରୀ ପଦକୁ ନେଇ ସଚିନ ପାଇଲଟ୍ ଓ ଗେହଲୋଟ୍ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ଙ୍କ ସମର୍ଥନରେ ୯୦ରୁ ଅଧିକ ବିଧାୟକ ରହିଛନ୍ତି। ସେମାନେ ବାଚସ୍ପତିଙ୍କୁ ଭେଟି ଅଶୋକ ଗେହଲୋଟ୍ଙ୍କ ଜଣେ ସମର୍ଥକଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଅଡ଼ି ବସିଛନ୍ତି। ଏପରି ନହେଲେ ସମୂହ ଇସ୍ତଫା ଦେବେ ବୋଲି ବାଚସ୍ପତିଙ୍କୁ ଖୋଲାଖୋଲି ଜଣାଇ ଦେଇଛନ୍ତି।
କୌଣସି ପରିସ୍ଥିତିରେ ସଚିନ୍ ପାଇଲଟ୍ଙ୍କୁ ମୁଖ୍ୟମନ୍ତ୍ରୀ ହେବାକୁ ଦିଆଯିବ ନାହିଁ ବୋଲି ଗେହଲୋଟ୍ଙ୍କ ସମର୍ଥକମାନେ କହିଛନ୍ତି। ଗତକାଲି ବିଳମ୍ବିତ ରାତିରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ମଲ୍ଲିକାର୍ଜୁନ ଖଡ୍ଗେ ଓ କଂଗ୍ରେସ ପ୍ରଭାରୀ ଅଜୟ ମାକେନ୍ଙ୍କ ଉପସ୍ଥିତିରେ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରି ନ ଥିଲା।
ସେପଟେ ଅଶୋକ ଗେହଲୋଟ୍ଙ୍କ ସମର୍ଥକମାନଙ୍କ ବିରୋଧକୁ କଂଗ୍ରେସ ହାଇକମାଣ୍ଡ ଅସନ୍ତୁଷ୍ଟ ଥିବା ସୂଚନା ମିଳିଛି। କଂଗ୍ରେସ ସଭାପତି ପାଇଁ ଶଶି ଥରୁରଙ୍କ ସହ ଅଶୋକ ଗେହଲୋଟ୍ ପ୍ରମୁଖ ଦାବିଦାର ରହିଛନ୍ତି। ତେଣୁ ଗୋଟିଏ ବ୍ୟକ୍ତି, ଗୋଟିଏ ପଦ ନୀତିରେ ଅଶୋକ ଗେହଲୋଟ୍ଙ୍କୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ କୁହାଯାଉଛି। ଶଶି ଥରୁର୍ କଂଗ୍ରେସ ସଭାପତି ପଦ ପାଇଁ ନିର୍ବାଚନ ଲଢ଼ିବାକୁ ମନସ୍ତ କରିଛନ୍ତି। ତେଣୁ ଏଥର କଂଗ୍ରେସରେ ସଭାପତି ନିର୍ବାଚନରେ ଥରୁର୍ ବନାମ୍ ଗେହଲୋଟ୍ଙ୍କ ମଧ୍ୟରେ ଲଢ଼େଇ ହୋଇପାରେ। ଯଦି, ଏପରି ହୁଏ ତା’ହେଲେ ଗାନ୍ଧି ମୁକ୍ତ ହେବ କି କଂଗ୍ରେସ ? ଏନେଇ ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଯାଇଛି।
ସୂଚନାଥାଉ କି, କଂଗ୍ରେସ ସଭାପତି ପଦ ନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇସାରିଛି। ଅକ୍ଟୋବର ୧୭ ତାରିଖରେ ନିର୍ବାଚନ ହେବ ଓ ୧୯ ତାରିଖରେ ଫଳାଫଳ ଘୋଷଣା କରାଯିବ। ଆସନ୍ତା ୩୦ ତାରିଖ ମଧ୍ୟରେ ଆଗ୍ରହୀ ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିପାରିବେ। ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି ଅକ୍ଟୋବର ୮। ଏହାପରେ ନୂଆ ସଭାପତି ପ୍ରଦେଶ କଂଗ୍ରେସ ସଭାପତିମାନଙ୍କୁ ନିଯୁକ୍ତ କରିବେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)