• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଏପ୍ରିଲ ୧ରୁ ମହଙ୍ଗା ହେବ ୮ଶହରୁ ଅଧିକ ଅତିଜରୁରୀ ଔଷଧ । ଯାହା ଦର ଅଛି, ଆହୁରି ୧୨ ପ୍ରତିଶତ ବଢ଼ିଯିବ । ଫଳରେ ନିତିଦିନିଆ ଔଷଧ ଖାଉଥିବା କ୍ରୋନିକ୍ ଡିଜିଜ୍ ରୋଗୀ ସର୍ବାଧିକ ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି । ତେଣେ ରୋଗୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର ନିଷ୍ପତ୍ତି ନେବାକୁ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ୍ କହିଥିବାବେଳେ ଜେନେରିକ୍ ମେଡିସିନ୍ ଆପଣାଇବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ।

ପେନ୍ ବଢ଼ାଇଦେବ ପେନ୍ କିଲର । ବିପି ବଢ଼େଇବ ବ୍ଲଡ୍ ପ୍ରେସର ମେଡିସିନ୍ । କାରଣ ଏପ୍ରିଲ ପହିଲାରୁ ମହଙ୍ଗା ହେବ ଔଷଧ । ନିଇତି ଦରକାର ପଡ଼ୁଥିବା ଅତ୍ୟାବଶ୍ୟକ ଔଷଧ ଦାମ୍ ୧୨ ପ୍ରତିଶତ ବଢ଼ିଯିବ । ପାଇକାରୀ ମୂଲ୍ୟ ସୂଚୀ-WPI ବୃଦ୍ଧି ଆଧାରରେ ୨୭ଟି ବର୍ଗର ୮୦୦ରୁ ଅଧିକ ଔଷଧର ମୂଲ୍ୟ ବଢ଼ାଇବାକୁ କମ୍ପାନିଙ୍କୁ ଅନୁମତି ଦେଇଛି ନ୍ୟାସନାଲ ଫାର୍ମାସିଟିକାଲ ପ୍ରାଇସିଂ ଅଥରିଟି-NPPA ।

ଏପ୍ରିଲ ୧ରୁ ମହଙ୍ଗା ହେବାକୁ ଯାଉଥିବା ଏ ଔଷଧ ତାଲିକାରେ ରହିଛି, ପେନ୍ କିଲର୍ ଡାଇକ୍ଲୋଫେନାକ୍, ମରଫିନ୍ ଠାରୁ ଆରମ୍ଭ କରି ଜ୍ୱର ଔଷଧ ପାରାସିଟାମଲ୍, ଆଣ୍ଟିବାୟୋଟିକ୍ ଆମୋକ୍ସିସିଲିନ୍, ସେଫାଡ୍ରକ୍ସିଲ, ମ୍ୟାଲେରିଆ ଔଷଧ କ୍ଲୋରାକୁଇନ୍, କୁଇନାଇନ୍, ରକ୍ତହୀନତା ପାଇଁ ବ୍ୟବହାର ହେଉଥିବା ଫଲିକ୍ ଏସିଡ୍, ଆଇରନ୍ ସୁକ୍ରୋଜ୍ ସମେତ ହେପାଟାଇଟିସ୍-ବି, ଜାପାନିଜ୍ ଏନସେଫାଲାଇଟିସ ଓ ମିଳିମିଳା ଭ୍ୟାକସିନ୍ ଇତ୍ୟାଦି । କେମିଷ୍ଟ୍ର ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ୍ କହିବା କଥା, ଚୀନରୁ କଞ୍ଚାମାଲ ଆମଦାନୀରେ ରୋକ୍ ଲାଗିଥିବାରୁ ଔଷଧ କମ୍ପାନିଙ୍କ ଲାଗି ୟୁରୋପୀୟ ବଜାରରୁ କଞ୍ଚାମାଲ କିଣିବା ବ୍ୟୟବହୁଳ ହେଉଛି ।

ତାଛଡ଼ା ତେଲ ଦର ବୃଦ୍ଧି ଯୋଗୁ ବି ଔଷଧ ପରିବହନ ଖର୍ଚ୍ଚ ବଢ଼ିଛି । ଯେଉଁଥିପାଇଁ ମେଡିସିନ୍ ଦାମ ବଢ଼ାଇବାକୁ ବାଧ୍ୟ ହେଉଛନ୍ତି କମ୍ପାନି । ଏସବୁ ସତ୍ତ୍ୱେ ଔଷଧ କମ୍ପାନି ଓ ସରକାର, ରୋଗୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେବାର ଆବଶ୍ୟକତା ରହିଛି । ଅତ୍ୟାବଶ୍ୟକ ଔଷଧଗୁଡ଼ିର ଏଭଳି ଦର ବୃଦ୍ଧିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । କହିଛନ୍ତି- ମଧୁମେହ, ହୃଦରୋଗ ଓ ବ୍ଲଡ୍ ପ୍ରେସର ପାଇଁ ସାରା ଜୀବନ ମେଡିସିନ୍ ଖାଉଥିବା କ୍ରୋନିକ୍ ରୋଗୀ ହିଁ ସର୍ବାଧିକ ପ୍ରଭାବିତ ହେବେ । ଏହାଛଡ଼ା ହାଇଏଣ୍ଡ ଆଣ୍ଟିବାୟୋଟିକ୍ ଦାମ ବଢ଼ିବା ଫଳରେ ଡାକ୍ତରଖାନାରେ ଚିକିତ୍ସିତ ରୋଗୀ ବି ପ୍ରଭାବିତ ହେବେ ।

ଏଭଳି କ୍ଷେତ୍ରରେ ଔଷଧ ଦରଦାମ୍ ବୃଦ୍ଧିରୁ ମୁକୁଳିବା ପାଇଁ ଲୋକମାନେ ବ୍ରାଣ୍ଡେଡ୍ ମେଡିସିନ୍ ବଦଳରେ ଜେନେରିକ୍ ମେଡିସିନ୍ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି । ଜେନେରିକ୍ ମେଡିସିନ୍ ବ୍ୟବହାର ପାଇଁ ଲୋକମାନଙ୍କୁ ବାରମ୍ବାର ପ୍ରୋତ୍ସାହିତ କରୁଛନ୍ତି ସରକାର । ତେଣୁ ବର୍ତ୍ତମାନ ସ୍ଥିତିରେ ବ୍ରାଣ୍ଡେଡ୍ ମେଡିସିନ୍ ଦରବୃଦ୍ଧି ଲୋକଙ୍କୁ ଜେନେରିକ୍ ମେଡିସିନ୍ ବ୍ୟବହାର ଆଡ଼କୁ ଟାଣିବା ଅନୁମାନ କରାଯାଉଛି ।

ଭୁବନେଶ୍ୱରରୁ କ୍ୟାମେରାପର୍ସନ ଅନନ୍ତଙ୍କ ସହ କପିଳେନ୍ଦ୍ର ପ୍ରଧାନଙ୍କ ରିପୋର୍ଟ, ଓଟିଭି