Mahabharat Story: ଖାଣ୍ଡବ ବନ ଦହନ ଓ ଜଙ୍ଗଲ ପୋଡିରୁ ରକ୍ଷା ପାଇଥିବା କେତେଜଣଙ୍କ କାହାଣୀ

କାହିଁକି ଅଗ୍ନିଦେବଙ୍କୁ ଅଗ୍ନିମାନ୍ଦ୍ୟ ରୋଗ ହୋଇଥିଲା? କାହିଁକି ଏତେ ସୁନ୍ଦର ବନକୁ ମିଳି ମିଶି ଦହନ କଲେ କୃଷ୍ଣ ଓ ଅର୍ଜୁନ? ବନରେ ପୋଡିହୋଇ ସମସ୍ତେ ମରିଯିବା ବେଳେ, କେମିତି ବଞ୍ଚିଗଲେ କେତେଜଣ? କିଏ କିଏ ବଞ୍ଚିଲେ? ମହାଭାରତ ଭିତରର ଏଇ ସମସ୍ତ ଅଜଣା କଥା ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।

ଖାଣ୍ଡବ ବନ ଦହନ

ଅର୍ଜୁନ ଓ କୃଷ୍ଣ ଥରେ ଗ୍ରୀଷ୍ମ ଦାଉରୁ ରକ୍ଷା ପାଇବାକୁ ଓ ଜଳକ୍ରୀଡା କରିବାକୁ ଖାଣ୍ଡବ ବନ ନିକଟସ୍ଥ ଗଙ୍ଗା ନଦୀ ପାଖକୁ ବୁଲିବାକୁ ଯାଇଥାନ୍ତି । ଖାଣ୍ଡବ ବନ ନାମକ ଜଙ୍ଗଲଟି ଅତ୍ୟନ୍ତ ମନୋରମ ଓ ଶୀତଳ । ଜଙ୍ଗଲରେ ଭଳିକି ଭଳି ଔଷଧୀୟ ବୃକ୍ଷ ସହ ଶହ ଶହ ପଶୁ, ପକ୍ଷୀ, ନାଗ , ଦାନବ ଓ ଅନ୍ୟମାନେ ବାସ କରୁଥାନ୍ତି । କୃଷ୍ଣ ଓ ଅର୍ଜୁନ ଦୁଇ ସଖା ନଦୀ କୂଳର ଗୋଟେ ବଡ ଗଛ ତଳେ ବସି କଥା ହେଉଥିବା ବେଳେ ଦେଖିଲେ ସେମାନଙ୍କ ଆଡକୁ ଜଣେ ରୋଗିଣା ବୃଦ୍ଧ ବ୍ରାହ୍ମଣ ଆସୁଛନ୍ତି । ରୋଗର ପ୍ରକୋପରେ ବ୍ରାହ୍ମଣଙ୍କ ଶରୀର କ୍ଷୀଣ । ପୋଷାକ ପତ୍ରରେ ବଡ ଦରିଦ୍ର ଓ ଦୟନୀୟ ଦିଶୁଥାନ୍ତି ସେ । ଶରୀର ଦୁର୍ବଳ ପାଇଁ ଠିକରେ ଚାଲି ବି ପାରୁନଥାନ୍ତି । ପାଖରେ ପହଞ୍ଚିଲା ପରେ ସେ ବ୍ରାହ୍ମଣ ଜଣକ କୃଷ୍ଣ ଓ ଅର୍ଜୁନଙ୍କୁ ଆଶୀର୍ବାଦ ଦେବା ସହ ବେଦ ଧ୍ୱନୀ କଲେ ।

ଅର୍ଜୁନ ବ୍ରାହ୍ମଣଙ୍କ ଅବସ୍ଥା ଦେଖି କୃଷ୍ଣଙ୍କୁ କହିଲେ ଏପରି ରୋଗରେ, ଶୋକରେ ଓ ଦାରିଦ୍ର୍ୟରେ ପୀଡିତ ବିପ୍ର ମୁଁ ଦେଖିନଥିଲି। ତାପରେ ଅର୍ଜୁନ ଦୟାପୂର୍ବକ କହିଲେ, ହେ ବ୍ରାହ୍ମଣ ! ଆପଣ ଆମ ପାଖରୁ କ'ଣ ଚାହୁଁଛନ୍ତି ନିଃସଙ୍କୋଚରେ କୁହନ୍ତୁ । କୁହନ୍ତୁ ଆପଣଙ୍କୁ ମୁଁ କିପରି ସାହାଯ୍ୟ କରିପାରିବି? ବ୍ରାହ୍ମଣ ଜଣକ କହିଲେ ସେମିତି ହେବନି । ପ୍ରଥମେ ତୁମେ ଶପଥ କର, ତା’ପରେ ମୋର ଯାହା ଦରକାର ତାହା ମୁଁ ମାଗିବି । ଅର୍ଜୁନ ହଁ କହିବାରୁ ବ୍ରାହ୍ମଣ ତାଙ୍କ ଝୁଲାରୁ ଏକ ଶଂଖ ବାହାର କରି ସେଥିରେ ପାଣି ଭରି ଅର୍ଜୁନଙ୍କ ହାତରେ ଦେଲେ ଓ କହିଲେ ଏବେ ଦଶ ଦିଗପାଳଙ୍କୁ ସାକ୍ଷୀ ରଖି ତ୍ରିବାର ସତ୍ୟ କର । ଅର୍ଜୁନ ଶଙ୍ଖ ଧରି ସତ୍ୟ ସତ୍ୟ ସତ୍ୟ କହିଲେ । ସେଉଠୁ ବ୍ରାହ୍ମଣ କହିଲେ ମୁଁ ଅଗ୍ନିମାନ୍ଦ୍ୟ ରୋଗରେ ପୀଡିତ । ମୋ ରୋଗର ମହୌଷଧି ଇନ୍ଦ୍ରଙ୍କର ଏହି ଖାଣ୍ଡବ ବଣରେ ଅଛି । ତେଣୁ ତୁମକୁ ଏଇ ବନକୁ ଦହନ କରିବାରେ ମୋତେ ସହେଯାଗ କରିବାକୁ ହେବ । ଜୀବଜନ୍ତୁ ସହ ପୂରା ଜଙ୍ଗଲକୁ ଭକ୍ଷଣ କଲାପରେ ଯାଇଁ ତାହା ମୋର ବ୍ୟାଧିର ମହୌଷଧି ଭାବରେ କାମ ଦେବ ଓ ମୋ ଅଗ୍ନିମାନ୍ଦ୍ୟ ରୋଗ ଉପଶମ ହେବ ।

ଅଧିକ ପଢ଼ନ୍ତୁ : ଗଣ୍ଡା ପାଇଁ ମହାଦେବଙ୍କ ସହ ଓ ଗନ୍ଧର୍ବ ପାଇଁ କୃଷ୍ଣଙ୍କ ସହ ଅର୍ଜୁନଙ୍କ ଯୁଦ୍ଧର କାହାଣୀ

ବିନା କାରଣରେ ସାରା ଜଙ୍ଗଲର ପଶୁ, ପକ୍ଷୀ, ନାଗ ଓ କୀଟ ପତଙ୍ଗକୁ ହତ୍ୟା କରିବାକୁ ଅର୍ଜୁନ ଚାହୁଁନଥିଲେ । ଅର୍ଜୁନ କହିଲେ, ହେ ବ୍ରାହ୍ମଣ ତୁମେ ଏ କ'ଣ କଲ? ତୁମେ ଜଣେ ଦରିଦ୍ର ବ୍ୟାଧିଗ୍ରସ୍ତ ବ୍ରାହ୍ମଣ ଅଥଚ ହୃଦୟରେ ବଡ ନିଷ୍ଠୁର । ମୋତେ ଶପଥ କରାଇ ମୋ ହାତରେ ଏବେ ଏତେ ସଂଖ୍ୟାର ଜୀବଙ୍କୁ ବିନା ଦୋଷରେ ହତ୍ୟା କରାଇବ?

ଅର୍ଜୁନ ଜାଣି ପାରିନଥିଲେ ମଧ୍ୟ କୃଷ୍ଣ କିନ୍ତୁ ବ୍ରାହ୍ମଣ ବେଶୀ ଅଗ୍ନିଦେବଙ୍କୁ ଚିହ୍ନି ସାରିଥିଲେ । କୃଷ୍ଣ କହିଲେ ସଖା, ତୁମେ ଯାହାକୁ ଦରିଦ୍ର ବ୍ରାହ୍ମଣ ଭାବୁଛ ପ୍ରକୃତରେ ସେ ହେଉଛନ୍ତି ଅଗ୍ନିଦେବ । ସତ୍ୟ ଯୁଗରେ ଶ୍ୱେତକୀ ନାମରେ ଜଣେ ରାଜା ଥିଲେ । ସେ ଥରେ ଏକ ବିରାଟ ଯଜ୍ଞର ଆୟୋଜନ କଲେ । ଯଜ୍ଞରେ ରାଜା ଶ୍ୱେତକୀ, ଅଗ୍ନିରେ ବାର ବର୍ଷ ପାଇଁ ପ୍ରଚୁର ପରିମାଣର ଘିଅ ଆହୁତି ଦେଲେ । ଏତେ ପରିମାଣରେ ଘିଅ ଖାଇବା ଦ୍ୱାରା ଅଗ୍ନିଦେବଙ୍କୁ ଅଗ୍ନିମାନ୍ଦ୍ୟ ରୋଗ ହୋଇଥିଲା । ଫଳରେ ଅନେକ ବର୍ଷ ଧରି ଅଗ୍ନିଦେବ ଆଉ କିଛି ଖାଇପାରୁନଥିଲେ । ତାଙ୍କର ଶିଖା ତେଜହୀନ ହୋଇଗଲା । ପୂର୍ବ ତେଜ ଫେରିପାଇବାର ଉପାୟ ସନ୍ଧାନରେ ଅଗ୍ନିଦେବ ବ୍ରହ୍ମାଙ୍କ ପାଖରେ ପହଞ୍ଚିଲେ । ବ୍ରହ୍ମା କହିଲେ ହେ ଅଗ୍ନିଦେବ ତୁମେ ଯାଇ ଖାଣ୍ଡବ ବନକୁ ଦହନ କର । ବନର ବନସ୍ପତିଙ୍କ ସହ ସେଠାର ଜୀବଜନ୍ତୁଙ୍କ ମେଦ ଭକ୍ଷଣ କଲେ ଯାଇଁ ତୁମର ବିକାର ଦୂର ହେବ। ଅଗ୍ନି ବ୍ରହ୍ମାଙ୍କ କଥା ଶୁଣି ତୁରନ୍ତ ଖାଣ୍ଡବ ବନରେ ପହଞ୍ଚି ତାଙ୍କ ଜିଭ ବିସ୍ତାର କଲେ । କିନ୍ତୁ ସେଠାର ଜୀବ ଜନ୍ତୁ ଓ ନାଗମାନେ ତୁରନ୍ତ ଅଗ୍ନି ନିର୍ବାପିତ କରିଦେଲେ । ଥର ଥର କରି ଅଗ୍ନି ସାତ ଥର ପ୍ରୟାସ କଲେ, କିନ୍ତୁ ସବୁଥର ଅସଫଳ ହେବାରୁ ପୁଣି ଥରେ ବ୍ରହ୍ମାଙ୍କୁ ସାକ୍ଷାତ କଲେ । ପିତାମହ ବ୍ରହ୍ମା କହିଲେ ତୁମେ ଆଉ କିଛି ଦିନ ଅପେକ୍ଷା କର । ନର ନାରାୟଣ ରୂପରେ କୃଷ୍ଣ ଓ ଅର୍ଜୁନ ଏବେ ଖାଣ୍ଡବ ବନ ପାଖରେ ଅଛନ୍ତି । ସେ ଦୁହିଁଙ୍କୁ ଯାଇଁ ଅନୁରୋଧ କର ତୁମ କାର୍ଯ୍ୟ ସହଜରେ ସିଦ୍ଧ ହେଇଯିବ ।

କୃଷ୍ଣ ଓ ଅର୍ଜୁନଙ୍କୁ ଭେଟିଲେ ବ୍ରାହ୍ମଣ

କୃଷ୍ଣ କହିଲା ପରେ ଅର୍ଜୁନ ଏବେ ଅଗ୍ନିଦେବଙ୍କ ପରିଚୟ ପାଇ କହିଲେ ମୁଁ ଜାଣିଛି ଏ ବନ ଦେବରାଜ ଇନ୍ଦ୍ରଙ୍କର । ଏ ବନକୁ ଦହନ କରିବାକୁ ବାହାରିଲେ ଇନ୍ଦ୍ର ଅବଶ୍ୟ ବାଧା ଦେବେ । ଇନ୍ଦ୍ରଙ୍କ ସାଙ୍ଗରେ ଲଢିବାକୁ ଆମ ପାଖରେ ଯଥାଯୋଗ୍ୟ ଅସ୍ତ୍ରଶସ୍ତ୍ର ନାହିଁ। ତାପରେ ଏତେ ବଡ ବନର ଚାରିପାଖ ଦ୍ରୁତ ଗତିରେ ପରିକ୍ରମା କରିବାକୁ ଉପଯୁକ୍ତ ରଥ ଓ ଘୋଡା ବି ନାହିଁ । ଅର୍ଜୁନଙ୍କ କଥା ଶୁଣି ଅଗ୍ନିଦେବ ବରୁଣଙ୍କ ପାଖରୁ ଆଣି ଏକଦା ବ୍ରହ୍ମାଙ୍କ ଦ୍ୱାରା ସୃଷ୍ଟ ଗାଣ୍ଡିବ ଧନୁ, ପବନ ବେଗରେ ଧାଉଁଥିବା ଘୋଡା ଯୋଚା ଯାଇଥିବା କପି ଧ୍ୱଜ ରଥ ଆଣି ଦେଲେ । ତାସହ କୃଷ୍ଣଙ୍କୁ ସୁଦର୍ଶନ ଚକ୍ର ମଧ୍ୟ ପ୍ରଦାନ କଲେ ।

ସବୁ ଆୟୋଜନ ସରିଲା ପରେ ଅର୍ଜୁନ ତାଙ୍କ ତୀର ମୁନରେ ଅଗ୍ନିଦେବଙ୍କୁ ବସାଇ ଖାଣ୍ଡବ ବନକୁ ପେଷିଲେ । କଥା ହେଇଥିଲା ସାମାନ୍ୟ କୀଟ କି ପତଙ୍ଗ ବି ଯେମିତି ଜଙ୍ଗଲରୁ ଖସି ଯାଇ ନପାରନ୍ତି । ସେଥିପାଇଁ କୃଷ୍ଣ ଓ ଅର୍ଜୁନ ରଥରେ ବଣକୁ ପ୍ରଦକ୍ଷଣ କଲେ । ଚାହୁଁ ଚାହୁଁ ଅଗ୍ନିଦେବ ତାଙ୍କ ଶିଖାରେ ରପ ରପ କରି ଜଙ୍ଗଲକୁ ଚାଟିବାକୁ ଲାଗିଲେ । ଅଗ୍ନିଙ୍କ କବଳରୁ ଗ୍ରାସ ହେବା ଆଗରୁ କୌଣସି ପକ୍ଷୀ ଆକାଶକୁ ଉଡିଲେ ତାକୁ ତୀର ସନ୍ଧାନ କରି ଅର୍ଜୁନ ପୁନର୍ବାର ସେଇ ଜଳୁଥିବା ଜଙ୍ଗଲ ଭିତରକୁ ଖସେଇ ପକାଉଥାନ୍ତି । କୌଣସି ନାଗ, ରାକ୍ଷସ ଅବା ଜୀବଜନ୍ତୁ ସେଠୁ ବାହାରିବାକୁ ବାଟ ପାଉନଥାନ୍ତି । ବାହାରକୁ ବାହାରିବାର ପ୍ରୟାସ କଲେ କୃଷ୍ଣ ତାଙ୍କ ସୁଦର୍ଶନ ଚକ୍ରରେ ସେମାନଙ୍କୁ କାଟି ଦେଉଥିଲେ । ଭିତରେ ଅଗ୍ନି ଓ ବାହାରେ କୃଷ୍ଣ ଓ ଅର୍ଜୁନ । ସେଠାରେ ରହୁଥିବା ଅନେକ ବନବାସୀଙ୍କ ପରିବାର ତା' ସହ ବାଘ, ଭାଲୁ, ହାତୀ, ଘୋଡା, ଗଣ୍ଡା, ହରିଣ, ସମ୍ବର, କୁଟୁରା, ଖୁରାଣ୍ଟି, ଠେକୁଆ, କଟାସ, ଶାଳିଆପତନୀ, ଗୋଧି, ନେଉଳ, ମୂଷା, ସାପ, କୁମ୍ଭାଟୁଆ, ଶୁଆ, ଶାରୀ, ବଗ, କାଠହଣା , ପାଣିକୁଆ, ବଣି, କଙ୍କି, ପ୍ରଜାପତିଙ୍କ ସହ ସାନ ସାନ ଉଈ କିମ୍ବା ପିମ୍ପୁଡି କେହି ବି ବାଦ ଗଲେନି । ସମସ୍ତଙ୍କୁ ଅଗ୍ନିଦେବ ଭକ୍ଷଣ କରି ପକାଉଥାନ୍ତି ।

ଖାଣ୍ଡବ ବନରେ ନିଆଁ ଲାଗିବାର ଖବର ଇନ୍ଦ୍ରଦେବଙ୍କୁ ଯାଇ ନାରଦ ମୁନି କହିଲେ । ଇନ୍ଦ୍ର ନିଆଁ ଲିଭାଇବାକୁ ଆବର୍ତ୍ତକ, ସମ୍ବର୍ତ୍ତକ, ଦ୍ରୋଣ ଓ ପୁଷ୍କର ଚାରି ମେଘକୁ ପଠେଇଲେ । କିନ୍ତୁ ଅର୍ଜୁନ ଶର ମାରି ସମଗ୍ର ବନକୁ ଏମିତି ଘୋଡେଇ ପକେଇଲେ ଯେ ପାଣିର ବୁନ୍ଦାଟେ ବି ତଳେ ପଡିଲାନି । ମେଘମାନେ ଫେରିଯାଇ ଇନ୍ଦ୍ରଙ୍କୁ କହିଲେ ଅର୍ଜୁନ ସେମାନଙ୍କୁ ଘଉଡେଇ ଦେଲେ । ବଜ୍ରଧାରୀ ଇନ୍ଦ୍ରଦେବ ତାଙ୍କ ଐରାବତ ହାତୀରେ ବସି ସୈନ୍ୟସାମନ୍ତ ଧରି ଖାଣ୍ଡବ ବନରେ ପହଞ୍ଚିଲେ । ଇନ୍ଦ୍ରଙ୍କ ସାଙ୍ଗରେ ଅନ୍ୟ ଦେବତାମାନେ ବି ସେମାନଙ୍କ ଅସ୍ତ୍ର ଧରି ଆସିଲେ । ଦେବରାଜ ଅର୍ଜୁନଙ୍କୁ ବାରଣ କରି କହିଲେ, ବାପା ଅକାରଣରେ ମୋର ଏତେ ସୁନ୍ଦର ବନକୁ ନଷ୍ଟ କାହିଁକି କରୁଛୁ । ଅର୍ଜୁନ କହିଲେ ମୁଁ ଅଗ୍ନି ଦେବଙ୍କୁ କଥା ଦେଇ ସାରିଛି, ଅଧାରୁ ଅଟକିଲେ ଧର୍ମଦ୍ରୋହୀ ହେବି । ଅର୍ଜୁନ କଥା ନଶୁଣିବାରୁ ଇନ୍ଦ୍ର ଓ ଅନ୍ୟ ଦେବତାଙ୍କ ସହ ତାଙ୍କର ଘମାଘୋଟ ଯୁଦ୍ଧ ହେଲା । ସମସ୍ତ ଶକ୍ତି ଖଟେଇ ମଧ୍ୟ ଇନ୍ଦ୍ର ତାଙ୍କ ପ୍ରିୟ ବନକୁ ରକ୍ଷା କରିପାରିଲେନି ।

ଖାଣ୍ଡବ ବନରେ ନାଗରାଜ ତକ୍ଷକ ପରିବାର ସହ ରହୁଥିଲେ । ତକ୍ଷକ ଦେବରାଜ ଇନ୍ଦ୍ରଙ୍କର ବନ୍ଧୁ । ଖାଣ୍ଡବ ବନ ଦହନ ସମୟରେ ସେ ଖାଣ୍ଡବ ବନରେ ନଥିଲେ, କୁରୁକ୍ଷେତ୍ର ଯାଇଥିଲେ। ଖାଣ୍ଡବରେ ଉପସ୍ଥିତ ନଥିବାରୁ ତକ୍ଷକ ସିନା ବଞ୍ଚିଗଲେ, କିନ୍ତୁ ତାଙ୍କ ପରିବାରର ସମସ୍ତ ସଦସ୍ୟ ସେଇଠି ପୋଡି ହୋଇ ନାଶ ଗଲେ । ତକ୍ଷକଙ୍କ ପୁଅ ଅଶ୍ୱସେନ ସେଠୁ ଜୀବନରକ୍ଷା କରି ଖସି ଚାଲିଯିବାକୁ ବାର ବାର ଚେଷ୍ଟା କରି ଅସଫଳ ହେଲା ପରେ ତାଙ୍କ ମାଅ ନାଗକନ୍ୟା, ଅଶ୍ୱସେନକୁ ମୁଣ୍ଡରୁ ଲାଞ୍ଜ ପର୍ଯ୍ୟନ୍ତ ଗିଳି ସେଠୁ ଚାଲିଯିବାକୁ ପ୍ରୟାସ କଲା ବେଳକୁ ଅର୍ଜୁନ ତାଙ୍କୁ ଦେଖିଲେ ଓ ଶର ମାରି ନାଗ କନ୍ୟାର ମୁଣ୍ଡ କାଟିଦେଲେ । ଦେବରାଜ ଇନ୍ଦ୍ର ବନ୍ଧୁ ପୁତ୍ର ଅଶ୍ୱସେନଙ୍କୁ ବଞ୍ଚାଇବାକୁ ଅର୍ଜୁନଙ୍କ ଉପରେ ପ୍ରବଳ ବର୍ଷା କରାଇଲେ । ପ୍ରଚଣ୍ଡ ବର୍ଷା ପାଇଁ ଅର୍ଜୁନଙ୍କୁ କିଛି ସମୟ ପାଇଁ କିଛି ଦୃଶ୍ୟ ହେଲାନି । ସେଇ ମଉକାରେ ତକ୍ଷକଙ୍କ ପୁଅ ଅଶ୍ୱସେନ ଜୀବନ ରକ୍ଷା କରି ସେଠୁ ଖସି ଚାଲିଗଲେ । ଅଶ୍ୱସେନ ଗଲାବେଳେ କିନ୍ତୁ ଶପଥ ନେଲେ, ଦିନେ ନା ଦିନେ ସେ ତାଙ୍କ ମାଆ ଓ ପରିବାରର ଅନ୍ୟମାନଙ୍କ ମରଣ ପାଇଁ ଦାୟୀ ଅର୍ଜୁନଙ୍କ ଉପରେ ନିଶ୍ଚୟ ପ୍ରତିଶୋଧ ନେବେ ।

ଖାଣ୍ଡବ ବନରେ ଦାନବ ଶିଳ୍ପୀ ଓ ସ୍ଥପତି ମୟ ମଧ୍ୟ ରହୁଥିଲେ । ଅଗ୍ନିଦେବ ତାଙ୍କ ଲେଲିହାନ ଶିଖାରେ ସମଗ୍ର ଖାଣ୍ଡବ ବନକୁ ଚତୁର୍ଦିଗକୁ ଘେରିଲା ବେଳକୁ ମୟ ତାଙ୍କ ଜୀବନ ବଞ୍ଚାଇ ପଳାୟନ କଲାବେଳକୁ କୃଷ୍ଣଙ୍କ ଆଖିରେ ପଡିଗଲେ । କୃଷ୍ଣ ତାଙ୍କ ସୁଦର୍ଶନ ଚକ୍ରଧରି ମୟକୁ ମାରିବାକୁ ଧାଇଁଲେ । ମୟ ଆର୍ତ୍ତ ଚିତ୍କାର କରି ଅର୍ଜୁନଙ୍କ ଶରଣ ପଶିଲା । ନିଜର ପରିଚୟ ଦେଇ କହିଲା ସେ ଅସୁର କୁଳର ସ୍ଥପତି ଓ ଶିଳ୍ପୀ । ପାଣ୍ଡବମାନଙ୍କ ପାଇଁ ସେ ଭବ୍ୟ ଗୃହ ନିର୍ମାଣ କରିଦେବ ବୋଲି ପ୍ରତିଶୃତି ଦେବାରୁ କୃଷ୍ଣ ଓ ଅର୍ଜୁନ ତାକୁ ଛାଡିଦେଲେ ।

ଖାଣ୍ଡବ ବନ ଦହନ

ବାର ଯୋଜନ ବ୍ୟାପି ଖାଣ୍ଡବ ବନରେ ସବୁକିଛିକୁ ଅଗ୍ନିଦେବ ପରମ ସନ୍ତୋଷରେ ଖାଇଗଲେ । ତାଙ୍କ କବଳରୁ କେବଳ ଦାନବ ସ୍ଥପତି ମୟ, ନାଗରାଜ ତକ୍ଷକଙ୍କ ପୁଅ ଅଶ୍ୱସେନ ଓ ସରପତଙ୍ଗ ଚଢେଇର ପର କଅଁଳି ନଥିବା ଚାରି ଶାବକ ବଞ୍ଚିଗଲେ ।

ଅଧିକ ପଢ଼ନ୍ତୁ : ଅର୍ଜୁନ ଓ ହନୁମାନଙ୍କ ଭେଟ ଏବଂ ବ୍ରାହ୍ମଣଙ୍କ ଅପହୃତ ଶିଶୁମାନଙ୍କ କାହାଣୀ