/odishatv-khabar/media/post_attachments/uploadimage/library/16_9/16_9_0/s_1679283023.jpg)
Salman Khan's House Security Beefed Up After Death Threats
ବଲିଉଡ୍ର ଭାଇଜାନ ସଲମାନ ଖାନଙ୍କ ଘର ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା। ଇ-ମେଲ୍ରେ ହତ୍ୟା ଧମକ ମିଳିବା ପରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି। ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋୟୀ ଗ୍ୟାଙ୍ଗ ଏହି ଧମକ ଦେଇଥିବା ସଲମାନଙ୍କ ଟିମ୍ କହିଛି। ଏନେଇ ବାନ୍ଦ୍ରା ପୋଲିସ୍ରେ ଅଭିଯୋଗ ମଧ୍ୟ ହୋଇଛି। ଗ୍ୟାଙ୍ଗଷ୍ଟର ଲରେନ୍ସ, ଗୋଲ୍ଡି ବ୍ରାର୍ ଓ ରୋହିତ ଗର୍ଗ ନାମକ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ମୁମ୍ବାଇ ପୋଲିସ୍ ଏହି ଇ-ମେଲ୍ର ଯାଞ୍ଚ କରୁଛି।
କୁଖ୍ୟାତ ଗ୍ୟାଙ୍ଗଷ୍ଟର୍ ତଥା ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡ ର ଅଭିଯୁକ୍ତ ଲରେନ୍ସ ବିଷ୍ଣୋୟୀ ଏବେ ପଞ୍ଜାବର ଭଟିଣ୍ଡା ଜେଲ୍ରେ ରହିଛି। ଶନିବାର ଅପରାହ୍ଣରେ ସଲମାନଙ୍କ ଅଫିସକୁ ଏହି ଧମକପୂର୍ଣ୍ଣ ଇ-ମେଲ୍ ଆସିଥିଲା। ଏଥିରେ ଉଲ୍ଲେଖ କରାଯାଇଥିଲା, ଗ୍ୟାଙ୍ଗଷ୍ଟର ତଥା ଲରେନ୍ସର ଅତି ଘନିଷ୍ଠ ଗୋଲ୍ଡି ବ୍ରାର୍, ସଲମାନଙ୍କ ସହ କଥା ହେବାକୁ ଚାହୁଁଛନ୍ତି।
ହିନ୍ଦୀରେ ଲେଖା ଯାଇଥିବା ଏହି ଇ-ମେଲ୍ରେ ଉଲ୍ଲେଖ କରାଯାଇଛି ଯେ, ସଲମାନ ନିଶ୍ଚିତ ଭାବେ ଲରେନ୍ସ ବିଷ୍ଣୋୟୀଙ୍କ ସାକ୍ଷାତକାର ଦେଖିଥିବେ। ଯଦି ନୁହେଁ, ତା’ହେଲେ ନିଶ୍ଚିତ ଭାବେ ଦେଖିବା ଉଚିତ୍। ନିକଟରେ ଲରେନ୍ସ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେବା ପରେ, ଏହାକୁ ନେଇ ଚାଞ୍ଚଲ୍ୟ ପ୍ରକାଶ ପାଇଛି। ବଲିଉଡ୍ ଅଭିନେତା ସଲମାନ୍ ଖାନଙ୍କୁ କୃଷ୍ଣସାର ମୃଗ ଶିକାର ଅଭିଯୋଗ ଘଟଣାରେ ପୁଣି ଥରେ ଖୋଲା ଧମକ ଦେଇଛି ଲରେନ୍ସ। ସେ କହିଛି, ‘ସଲମାନ ଖାନ ରାବଣ ଠାରୁ ମଧ୍ୟ ଅଧିକ ଅହଙ୍କାରୀ । ତାକୁ ମାରି ତାର ଅହଙ୍କାର ଭାଙ୍ଗିବା ମୋ ଜୀବନର ଏକମାତ୍ର ଲକ୍ଷ୍ୟ।’
ତେବେ ଏହା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ମଧ୍ୟ ଗ୍ୟାଙ୍ଗଷ୍ଟର ପକ୍ଷରୁ ସଲମାନଙ୍କୁ ଧମକ ମିଳିସାରିଛି। ସୂଚନାଥାଉ କି, ଗତବର୍ଷ ନଭେମ୍ବରରେ ମହାରାଷ୍ଟ୍ର ସରକାର ସଲମାନଙ୍କୁ Y+ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେବା ଲାଗି ନିଷ୍ପତ୍ତି ନେଇଥିଲେ। ଏବେ ସଲମାନଙ୍କୁ ମୁମ୍ବାଇ ପୋଲିସ୍ ସଲମାନଙ୍କୁ Y+ସୁରକ୍ଷା ଯୋଗାଇ ଦେଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)