Odisha Politics: ଉତ୍କଳ ଦିବସ ନା ଓଡ଼ିଶା ଦିବସ... କାହିଁକି ଏତେ ଦ୍ୱନ୍ଦ୍ୱ ?

ଉତ୍କଳ ହେଉ କି ଓଡ଼ିଶା ଦିବସ ଯିଏ ଯାହା ପାଳନ କରୁଥିଲେ ବି ଏହି ଭୂଖଣ୍ଡ ପ୍ରତି ଅନୁରାଗ, ଆନୁଗତ୍ୟ ଓ ଅଙ୍ଗୀକାର ରହିବା ଉଚିତ । ବିଗତ କିଛିବର୍ଷ ଧରି ଏଭଳି ମିଶ୍ରିତ ଦିବସ ପାଳନ ହୋଇ ଆସୁଥିଲେ ମଧ୍ୟ ଏହାକୁ ନେଇ ବିତର୍କ କି ଦ୍ୱନ୍ଦ୍ୱ ପରିଲକ୍ଷିତ ହୋଇନଥିଲା ଯାହା ଚଳିତ ବର୍ଷ ଦେଖିବାକୁ ମିଳିଛି l ଏହି ଭିନ୍ନତାକୁ ଦୂରକରି ଏକତାର ସହିତ ଦ୍ୱନ୍ଦ୍ୱ, ଦ୍ୱିଧା, ବିତର୍କକୁ ପୋଛି ଗର୍ବ ଓ ଗୌରବର ସହିତ ପ୍ରତ୍ୟେକ ଓଡ଼ିଆ ଆମ ପ୍ରଦେଶର ଜନ୍ମଦିନ ପାଳନ କରିବେ, ଏ କଥାକୁ ସରକାର ସୁନିଶ୍ଚିତ କରିବା ଆବଶ୍ୟକ l 

ଉତ୍କଳ ଦିବସ ନା ଓଡ଼ିଶା ଦିବସ

‘ଉତ୍କଳ ଦିବସ’ ନା ‘ଓଡିଶା ଦିବସ’? ୧୯୩୬ ମସିହାରେ ସ୍ୱତନ୍ତ୍ର ଭାଷା ଭିତ୍ତିକ ପ୍ରଦେଶ ଭାବେ ଜନ୍ମଲାଭ କରିଥିବା ଦିନଟି ୨୦୨୫ ମସିହା ଆଜିର ଦିନରେ ଏଭଳି ପ୍ରଶ୍ନର ଦୋଛକିରେ ଆସି ଠିଆ ହେବା କାରଣ କ’ଣ? କିଏ ‘ଉତ୍କଳ ଦିବସ’ ତ ଆଉ କିଏ ‘ଓଡିଶା ଦିବସ’ ଲେଖୁଛନ୍ତି, ଅଭିନନ୍ଦନ, ଶୁଭେଚ୍ଛା ଜଣାଉଛନ୍ତି । ସାମାଜିକ ଗଣମାଧ୍ୟମରେ ଏହାକୁ ନେଇ ଦ୍ୱନ୍ଦ୍ୱ, ବିତର୍କ ଓ ଭିନ୍ନତା ଦେଖିବାକୁ ମିଳୁଛି । ରାଜ୍ୟ ସଙ୍ଗୀତ ଗାନ ବେଳେ ଖୋଦ ବିଧାୟକ ଆସନରୁ ଉଠୁନାହାନ୍ତି l ରାଜନୈତିକ, ସାମାଜିକ ତଥା ବିଭିନ୍ନ ମହଲରେ ଏ ନେଇ ଚର୍ଚ୍ଚା ଲାଗିରହିଛି । ସ୍ୱତନ୍ତ୍ର ପ୍ରଦେଶ ଗଠନ ହେବାର ୮୯ ବର୍ଷ ପରେ ଏଭଳି ସ୍ଥିତି କାହିଁକି? ଆଉ ୧୦ ବର୍ଷ ପରେ, ୨୦୩୬ ମସିହାରେ ଓଡ଼ିଶା ଜନ୍ମ ଶତବାର୍ଷିକୀ ସମାରୋହ ପାଳନ କରିବାକୁ ଯାଉଥିବାବେଳେ ଏକ୍ଷେତ୍ରରେ ସ୍ପଷ୍ଟତା ଆସିବା ଆବଶ୍ୟକ ନୁହେଁ କି?

୧୯୩୬ ଏପ୍ରିଲ ପହିଲାରେ ଓଡିଶା ଏକ ସ୍ୱତନ୍ତ୍ର ଭାଷା ଭିତ୍ତିକ ପ୍ରଦେଶର ମାନ୍ୟତା ଲାଭ କରିଥିଲା । ଏହି ଐତିହାସିକ ଦିବସ ସ୍ମରଣରରେ ସରକାରୀ ସ୍ତରରେ ‘ଉତ୍କଳ ଦିବସ’ ୧୯୭୫ ମସିହାରୁ ପାଳନ ହୋଇଆସୁଥିବା ମତ ରହିଛି। ଯଦିଓ ଗତ କିଛିବର୍ଷ ଧରି ସରକାର ରାଜ୍ୟସ୍ତରରେ ଏହାକୁ ‘ଓଡିଶା ଦିବସ’ ଭାବରେ ପାଳନ କରି ଆସୁଛନ୍ତି; କିନ୍ତୁ ବିଭିନ୍ନ ବିଭାଗ, ସରକାରୀ ସଂସ୍ଥା, ମନ୍ତ୍ରୀ, ସାଂସଦ, ବିଧାୟକ ଏବଂ ଦଳୀୟ ବ୍ୟାପାରରେ ‘ଉତ୍କଳ ଦିବସ’ ଦର୍ଶାଯାଇଛି । ଏଭଳି କି ସରକାରୀ କ୍ୟାଲେଣ୍ଡରରେ ଛୁଟିଦିନ ଭାବରେ ‘ଉତ୍କଳ ଦିବସ’ ଉଲ୍ଲେଖ ରହୁଛି ।

ବିଗତ ବର୍ଷମାନଙ୍କରେ ବିଭିନ୍ନ ସ୍ତରରେ ଉଭୟ ‘ଉତ୍କଳ ଦିବସ’ ଓ ‘ଓଡିଶା ଦିବସ’ ମିଶ୍ରିତ ଭାବରେ ପାଳନ କରାଯାଇଥିଲେ ମଧ୍ୟ ଏଥିପ୍ରତି ବିଶେଷ ଗୁରୁତ୍ୱ କିମ୍ବା ଲୋକଙ୍କ ଦୃଷ୍ଟି କେନ୍ଦ୍ରୀଭୂତ ହୋଇନଥିଲା । ଯଦିଓ ଅଧିକାଂଶ କ୍ଷେତ୍ରରେ ‘ଉତ୍କଳ ଦିବସ’ ଉଲ୍ଲେଖ ରହୁଥିଲା । ତେବେ ଚଳିତ ବର୍ଷ ନୂଆ ସରକାର ଏପ୍ରିଲ ପହିଲାକୁ ‘ଓଡିଶା ଦିବସ’ ଭାବରେ ୧ରୁ ୧୪ ତାରିଖ ପର୍ଯ୍ୟନ୍ତ ‘ଓଡିଶା ପକ୍ଷ’ ପାଳନ କରିବା ଘୋଷଣାକୁ ନେଇ ଚର୍ଚ୍ଚା ଏବଂ ସାମାଜିକ ଗଣମାଧ୍ୟମରେ ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଲା । ତେବେ କାହିଁକି ଏବଂ ଏହା ପଛର କାରଣ କ’ଣ?

ଓଡିଆ ଅସ୍ମିତାକୁ ନିର୍ବାଚନୀ ଅସ୍ତ୍ର କରି ୨୦୨୪ ନିର୍ବାଚନ ଜିତି ପ୍ରଥମ ଥର ଏକାକୀ ସରକାର ଗଠନ କଲା ବିଜେପି । ମୋହନ ଚରଣ ମାଝୀ ସରକାରଙ୍କ ୧୦୦ ଦିନ ପୂର୍ତ୍ତି ଅବସରରେ ସମ୍ବଲପୁରରେ ଏକ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ କରାଯାଇଥିଲା । ଯାହାର ଶୀର୍ଷକ ଥିଲା ‘ପ୍ରଗତିର ନୂତନ ସୂର୍ଯ୍ୟୋଦୟ, ୨୦୩୬ ସୁଦ୍ଧା ବିକଶିତ ଓଡିଶାର ଅଭ୍ୟୁଦୟ’ । ଏଠାକାର ଏକ ଦୃଶ୍ୟ ସମଗ୍ର ରାଜ୍ୟରେ ଚହଳ ସୃଷ୍ଟି କରିଥିଲାଊ ! ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ଗାନ ସମୟରେ ଜଣକୁ ବାଦ୍ ଦେଲେ ମଂଚ ଉପରେ ଓ ତଳେ ଥିବା ସମସ୍ତ ବ୍ୟକ୍ତିବିଶେଷ ନିଜ ଆସନରୁ ଉଠିଯାଇଥିଲେ । ଆଉ ଆସନରେ ବସି ରହିଥିଲେ ଖୋଦ୍ ଶାସକ ଦଳର ଜଣେ ବରିଷ୍ଠ ନେତା ତଥା ବିଧାୟକ। 

ପୁନର୍ବାର ସମାନ ଚିତ୍ର ସାମ୍ନାକୁ ଆସିଲା ମାର୍ଚ୍ଚ ୮ ସମ୍ବଲପୁରରେ ସରକାରଙ୍କ ‘ସୁଭଦ୍ରା’ ଦ୍ୱିତୀୟ କିସ୍ତିର ଶୁଭାରମ୍ଭ କାର୍ଯ୍ୟକ୍ରମରେ । ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ବୋଲାଯିବା ସମୟରେ ସଭିଏ ଆସନ ଛାଡି ଛିଆ ହୋଇଥିବାବେଳେ ଶାସକ ଦଳର ଏହି ବିଧାୟକ ନିଜ ଆସନରେ ବସିରହିବା ସଭିଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଏହି ସନ୍ଦର୍ଭରେ ସେ ନିଜ ଯୁକ୍ତି ଦର୍ଶାଇଥିଲେ, ‘ଉତ୍କଳ, କୋଶଳ, କଳିଙ୍ଗ ମିଶି ଓଡିଶା ପ୍ରଦେଶ ଗଠନ ହୋଇଥିଲେ ମଧ୍ୟ କେବଳ ଉତ୍କଳର ଜୟଗାନ ହେଉଛି କାହିଁକି? ଓଡିଶାରେ ମିଶିବା ଆମର ଐତିହାସିକ ଭୁଲ ହୋଇଛି’ ସଭାମଂଚରେ ଶ୍ରୀ ମିଶ୍ରଙ୍କ ବିବାଦୀୟ ବୟାନ ସାରା ରାଜ୍ୟରେ ବିତର୍କ ସୃଷ୍ଟି କଲା । 

ଭିନ୍ନତା ଭିତରେ ଏକତାର ସ୍ୱର ହେଉଛି ଆମ ଜାତୀୟ ସଂଗୀତ “ଜନ ଗଣ ମନ..” । ଧର୍ମ, ଭାଷା, ଜାତିରେ ଯେତେ ଭିନ୍ନତା ରହିଥିଲେ ମଧ୍ୟ ଜାତୀୟ ପତାକା ତଳେ ଏକାଠି ହେଉ । ଜାତୀୟ ସଂଗୀତ ଶୁଣିବା ମାତ୍ରେ ଆସନରୁ ଉଠିଯାଉ । କିନ୍ତୁ କୌଣସି ପ୍ରତିବାଦ ପାଇଁ ଏହାକୁ ଅବମାନନା କି ଅସମ୍ମାନ କରିପାରିବା କି ? 

ଏହି ବରିଷ୍ଠ ନେତା ୫ଥର ବିଧାନସଭାକୁ ନିର୍ବାଚୀତ ହୋଇଛନ୍ତି । ବର୍ତ୍ତମାନ ମଧ୍ୟ ସେ ବିଧାୟକ ଅଛନ୍ତି । ଯଦି କୌଣସି ପ୍ରତିକ୍ରିୟା, ଦାବି, ଅଭିଯୋଗ ଆପତ୍ତି ଅଛି, ତେବେ ସରକାରଙ୍କ ସମ୍ମୁଖରେ, ବିଧାନସଭାରେ ଉପସ୍ଥାପନ କରିପାରିବେ । କିନ୍ତୁ ରାଜ୍ୟ ସଂଗୀତକୁ ‘ଅସମ୍ମାନ’ ଠିକ୍ କି ? 

ଓଡିଆ ଜାତିର ଅସ୍ମିତା ଓ ସ୍ୱାଭିମାନର ସଙ୍ଗୀତ ଭାବରେ 'ବନ୍ଦେ ଉତ୍କଳ ଜନନୀ..'କୁ ରାଜ୍ୟ ସଂଗୀତର ମାନ୍ୟତା ଦିଆଯାଇଥିଲା। ତେଣୁ ବନ୍ଦେ ଉତ୍କଳ ଜନନୀକୁ ସରକାରୀ କାର୍ଯ୍ୟକ୍ରମ, ଶିକ୍ଷାନୁଷ୍ଠାନ ଆଦିରେ ବୋଲାଯିବା ନେଇ ୭ଜୁନ ୨୦୨୦ରେ ମନ୍ତ୍ରୀମଣ୍ଡଳସ୍ତରୀୟ ସଙ୍କଳ୍ପ ପାରିତ ହୋଇଥିଲା । ଏହି ସଙ୍ଗୀତ ଗାନ ବେଳେ ଆସନରୁ ଉଠି ସମ୍ମାନ ଜଣାଇବା ସଙ୍କଳ୍ପରେ ଉଲ୍ଲେଖ ରହିଥିଲା । ତେବେ ଭିନ୍ନକ୍ଷମ ଓ ଗର୍ଭବତୀମହିଳାମାନଙ୍କ କ୍ଷେତ୍ରରେ ଠିଆହେବା ବାଧ୍ୟତାମୂଳକ ନଥିଲେ ବି ନୀରବତା ଅବଲମ୍ବନ କରିବେ ବୋଲି ଦର୍ଶାଯାଇଛି । ତେବେ ଏଥିପ୍ରତି ବ୍ୟତିକ୍ରମ ଦେଖାଯିବା ଓ ଭିନ୍ନମତ ପ୍ରକାଶ ପାଇବା ଆଗାମୀ ଦିନପାଇଁ ଶୁଭଙ୍କର ହୋଇନପାରେ । 

ଉତ୍କଳ ହେଉ କି ଓଡ଼ିଶା ଦିବସ ଯିଏ ଯାହା ପାଳନ କରୁଥିଲେ ବି ଏହି ଭୂଖଣ୍ଡ ପ୍ରତି ଅନୁରାଗ, ଆନୁଗତ୍ୟ ଓ ଅଙ୍ଗୀକାର ରହିବା ଉଚିତ । ବିଗତ କିଛିବର୍ଷ ଧରି ଏଭଳି ମିଶ୍ରିତ ଦିବସ ପାଳନ ହୋଇ ଆସୁଥିଲେ ମଧ୍ୟ ଏହାକୁ ନେଇ ବିତର୍କ କି ଦ୍ୱନ୍ଦ୍ୱ ପରିଲକ୍ଷିତ ହୋଇନଥିଲା ଯାହା ଚଳିତ ବର୍ଷ ଦେଖିବାକୁ ମିଳିଛି l ଏହି ଭିନ୍ନତାକୁ ଦୂରକରି ଏକତାର ସହିତ ଦ୍ୱନ୍ଦ୍ୱ, ଦ୍ୱିଧା, ବିତର୍କକୁ ପୋଛି ଗର୍ବ ଓ ଗୌରବର ସହିତ ପ୍ରତ୍ୟେକ ଓଡ଼ିଆ ଆମ ପ୍ରଦେଶର ଜନ୍ମଦିନ ପାଳନ କରିବେ, ଏ କଥାକୁ ସରକାର ସୁନିଶ୍ଚିତ କରିବା ଆବଶ୍ୟକ l 

ବି.ଦ୍ର.- (ଏହି ଲେଖାରେ ଥିବା ସମସ୍ତ ତର୍ଜମା ଲେଖକଙ୍କ ନିଜସ୍ୱ ଅନୁଶୀଳନ)