ବାଦ ପଡିଲେ ଅସଲ ଚାଷୀ, ବିକ୍ରି ହୋଇପାରୁନି ଧାନ

ପୁଣି ଧାନ କିଣାରେ ଅବ୍ୟବସ୍ଥା ! ଗ୍ରାଉଣ୍ଡ ଜିରୋରୁ ସାମନାକୁ ଆସିଲା ଚାଷୀଙ୍କ ବିକଳ ଚିତ୍ର ।

Farmers

ଧାନ କିଣାରେ ଦୁର୍ନୀତି ହେଉଥିବା ନେଇ ଅନେକ ସମୟରେ ଅଭିଯୋଗ ହୁଏ । କେବେ ଟୋକନ୍ ସ୍କାମ୍ ତ ଆଉ କେବେ କଟ୍‌ନି ଛଟ୍‌ନି କରି ମିଲରକୁ ସିଧା ଫାଇଦା ପହଞ୍ଚାଇବା ଭଳି ଖବର ଗଣମାଧ୍ୟମକୁ ଆସେ । ତେବେ ଚଳିତବର୍ଷ ସରକାରଙ୍କ ସାଟେଲାଇଟ୍ ସର୍ଭେ ଅନେକ ଚାଷୀଙ୍କୁ ନିରାଶ କରିଛି । କାରଣ ଅସଲ ଚାଷୀ, ଯେଉଁମାନେ ଏକର ଏକର ଧାନ ଚାଷ କରିଛନ୍ତି, ସେମାନଙ୍କର ସାଟେଲାଇଟ୍ ସର୍ଭେ ପରେ କୁଇଣ୍ଟାଲ କୁଇଣ୍ଟାଲ ଧାନ ବିକ୍ରି ହେବାରୁ ବାଦ୍ ପଡିଛି । ଫଳରେ ଏବେ ଅମଳ ଧାନ କେମିତି ବିକିବେ, ତାକୁ ନେଇ ଚିନ୍ତାରେ ପଡିଯାଇଛନ୍ତି ବାଲେଶ୍ୱର, କୋରାପୁଟ, କରଞ୍ଜିଆ ଓ ମାଲକାନଗିରି ଚାଷୀ ।

ଅମଳ ସରିବା ପରେ ପ୍ରାୟ ସବୁଆଡେ ଚାଲିଛି ଧାନ କିଣା ପ୍ରକ୍ରିୟା । କିନ୍ତୁ ସରକାରଙ୍କ ସାଟେଲାଇଟ୍ ସର୍ଭେ ଅନେକ ଚାଷୀଙ୍କୁ ନିରାଶ କରିଛି । ଅନେକ ଧାନ ଚାଷୀ ନିଜର ଧାନ ବିକ୍ରି କରିବାରୁ ବାଦ୍ ପଡିଥିବା ଘଟଣା ସାମ୍ନାକୁ ଆସିଛି । ସେମିତି ଜଣେ ଚାଷୀ ହେଲେ ବାଲେଶ୍ୱର ଜିଲ୍ଲା ବଡ଼ପାଳ ଅଞ୍ଚଳର ନିରଞ୍ଜନ ବେହେରା । ନିରଞ୍ଜନ ନିଜର ସାଢେ ୪ ଏକର ଜମିରେ ଚାଷ କରିଥିଲେ ।

ଗତବର୍ଷ ସେହି ସମାନ ଜମିରେ ଧାନ ଚାଷ କରି ୫୪ କୁଇଣ୍ଟାଲ ୪୦ କିଲୋ ଧାନ ବିକ୍ରି କରିବାକୁ ଟୋକନ୍ ପାଇଥିଲେ । ଏବର୍ଷ ସେତିକି ଜମିରେ ଚାଷ କରିଛନ୍ତି କିନ୍ତୁ ମାତ୍ର ୩୬ କୁଇଣ୍ଟାଲ ୪୦ କେଜି ଧାନ ବିକ୍ରି ପାଇଁ ମିଳିଛି ଟୋକନ୍ । ବାଦ୍ ପଡିଛି ୧୮ କୁଇଣ୍ଟାଲ ଧାନ ଏବେ ସେହି ଅମଳ ଧାନକୁ ନେଇ ସେ କଣ କରିବେ, ତାକୁ ନେଇ ଚିନ୍ତାରେ ନିରଞ୍ଜନ । ସମାନ ଦଶା ମୟୂରଭଂଜ ଜିଲ୍ଲା କରଞ୍ଜିଆର ଶରତ ନାୟକଙ୍କର । ଭୁଲ ସାଟେଲାଇଟ୍ ସର୍ଭେକୁ ସେ ବି ଦାୟୀ କରିଛନ୍ତି ।

ଅଧିକ ପଢ଼ନ୍ତୁ: ସାଟେଲାଇଟ୍ ସର୍ବେକ୍ଷଣରେ ଚାଂଚଲ୍ୟକର ତଥ୍ୟ; ୯୦% ଜମିରେ ନାହିଁ ଧାନ ଚାଷର ନାଁ ଗନ୍ଧ

ଆଉ ଜଣେ ଚାଷୀ ହେଲେ କୋରାପୁଟ ଜୟପୁର ବ୍ଲକ ଡାଙ୍ଗର ଗାଁର ତ୍ରିନାଥ ମାଝୀ । ସବୁ ରବି ଓ ଖରିଫ ରୁତୁରେ ୧୫୦ରୁ ଅଧିକ କୁଇଣ୍ଟାଲ ଧାନ, ମଣ୍ଡିରେ ବିକିଥାନ୍ତି । ଗତ ରବି ରୁତୁରେ ମଧ୍ୟ ୧୬୦ କୁଇଣ୍ଟାଲ ଧାନ ବିକ୍ରି କରିଛନ୍ତି ହେଲେ ଚଳିତ ଖରିଫ ମଣ୍ଡିରେ ୮ ଏକରରୁ ମାତ୍ର ଗୋଟିଏ ଏକରର ୧୯ କୁଇଣ୍ଟାଲ ଧାନ ବିକ୍ରି ପାଇଁ ଟୋକନ୍ ଆସିଥିବାରୁ ଚିନ୍ତାରେ ତ୍ରିନାଥ । କାରଣ ସରକାରଙ୍କ ସାଟେଲାଇଟ୍ ସର୍ଭେରେ କଟିଯାଇଛି ୭ ଏକର ଜମି । କୋରାପୁଟ ଜିଲ୍ଲାର କୋଟପାଡ଼, ବୋରିଗୁମ୍ମା, କୁନ୍ଦୁରା, ବୈପାରୀଗୁଡ଼ା ବ୍ଲକର ଶହ ଶହ ଚାଷୀଙ୍କର ଏବେ ଏଭଳି ଅବସ୍ଥା । ସେପଟେ ବିଭାଗୀୟ ଅଧିକାରୀ କହିଛନ୍ତି, ଫିଲ୍ଡ ଭେରିଫିକେସନ୍ କରି ତଦନ୍ତ ରିପୋର୍ଟ ଦିଆଯାଇଛି, ସରକାର ଯାହା ନିଷ୍ପତ୍ତି ନେବେ ।

ସେହିପରି ମାଲକାନଗିରି ଜିଲ୍ଲା ରେ ଗତ ମାସ ୧୪ ତାରିଖରୁ ମଣ୍ଡି ଆରମ୍ଭ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଅନେକ ଚାଷୀଙ୍କୁ ମିଳିନି ଟୋକନ୍ । ଯେଉଁମାନଙ୍କୁ ମିଳିଛି, ସେମାନଙ୍କ ଅମଳ ଫସଲର ୨୦ରୁ ୩୦ ପ୍ରତିଶତ । ମଣ୍ଡିରେ ଟାର୍ଗେଟ ସରି ସରି ଆସୁଥିବା ବେଳେ ଚାଷୀଙ୍କ ଧାନ ଘର ବାହାରେ ପଡି ରହିଛି ।