କାହିଁକି 'ମୋ ଘର' ଯୋଜନା ଆଣିଲେ ରାଜ୍ୟ ସରକାର ?

ପ୍ରଧାନମନ୍ତ୍ରୀ ଆବାସ ବନାମ ମୋ ଘର ଯୋଜନା । ମାଗଣା ନଦେଇ ଋଣରେ ଘର ଦେବା ନିଷ୍ପତ୍ତିକୁ ନେଇ ବିବାଦ । ଯୋଜନାକୁ ତ୍ରୁଟିପୂର୍ଣ୍ଣ କହି ପ୍ରତ୍ୟାହାର ପାଇଁ ବିଜେପିର ଦାବି ।

Odisha Politics, Mo Ghara

ପ୍ରଧାନମନ୍ତ୍ରୀ ଆବାସ ବନାମ୍ ମୋ ଘର ଯୋଜନା । ମାଗଣା ଘର ନଦେଇ ଋଣରେ ଘର ଦେବା ନିଷ୍ପତ୍ତିକୁ ନେଇ ବିବାଦ ।କେନ୍ଦ୍ର ଆବଣ୍ଟିତ କରିଥିବା ଘର ନବାଣ୍ଟି ନିଜ ଯୋଜନାକୁ ଫୋକସ୍ ।

ରାଜ୍ୟ ସରକାରଙ୍କ ନୂଆ ଯୋଜନା ମୋ ଘରକୁ ନେଇ ବଢୁଛି ବିବାଦ । ସ୍କିମ୍ ଘୋଷଣା ହେଉ ହେଉ ବିରୋଧ । କାରଣ ଏହି ଯୋଜନାରେ ଘର ତିଆରି ପାଇଁ ଋଣ କରିବାକୁ ପଡିବ । ଅବଶ୍ୟ ଋଣରେ ସବସିଡି ବ୍ୟବସ୍ଥା ରହିଛି । ଏହି ଯୋଜନାରେ ପ୍ରାୟ ୪ ଲକ୍ଷ ହିତାଧିକାରୀ ଉପକୃତ ହେବେ ବୋଲି କୁହାଯାଉଥିବା ବେଳେ ଏଥିପାଇଁ ଜୁନ୍ ୧୬ରୁ ଆରମ୍ଭ ହେବ ଆବେଦନ ପ୍ରକ୍ରିୟା ।

ସ୍କିମରେ ନୂଆ ଘର ନିର୍ମାଣ, ପୁରୁଣା ଘରର ଉନ୍ନତୀକରଣ, ସଂପ୍ରସାରଣ, ଅସଂପୂର୍ଣ୍ଣ ଘରକୁ ସଂପୂର୍ଣ୍ଣ କରିବା ପ୍ରାବଧାନ ରହିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା, କେନ୍ଦ୍ର ସରକାର ଗତ ଜାନୁୟାରୀ ମାସରୁ ପିଏମ୍ ଆବାସ ଯୋଜନାରେ ଓଡ଼ିଶା ପାଇଁ ୯ ଲକ୍ଷ ୫୦ ହଜାର ଘର ମଞ୍ଜୁର କରିଛନ୍ତି । ହେଲେ ହିତାଧିକାରୀ ଚୟନ ବାହାନାରେ ରାଜ୍ୟ ସରକାର ଦିନ ଗଡ଼ାଇ ଚାଲିଛନ୍ତି ।

ଅଧିକ ପଢ଼ନ୍ତୁ: ଭୋଟ୍ ପୂର୍ବରୁ ଘର ଥୋପ ! କ୍ୟାବିନେଟରେ ପାସ୍ 'ମୋ ଘର' ସ୍କିମ୍, ୩ ଲକ୍ଷ ଯାଏଁ ସବସିଡିରେ ଲୋନ୍

ଅପରପକ୍ଷରେ ଏବେ ନିଜସ୍ୱ ଯୋଜନା ଆଣିଛନ୍ତି । ବିଜେପି କାଳେ ଆବାସ ଯୋଜନାରେ ମାଇଲେଜ୍ ନେଇଯିବ, ତାକୁ ଚେକ୍ ଦେବାକୁ ମୋ ଘର ଯୋଜନା ଅଣାଯାଇଥିବା ଚର୍ଚ୍ଚା ହେଉଛି । ଏହାସହ ଆବାସ ହିତାଧିକାରୀ ଚୟନରେ ବ୍ୟାପକ ଗଡ଼ବଡ଼ ସହିତ ପାତରଅନ୍ତର କରାଯାଉଥିବାରୁ ରାଜ୍ୟ ସରକାରଙ୍କ ବିରୋଧରେ ଅସନ୍ତୋଷ ବଢୁଛି । ତେଣୁ ନୂଆ ସ୍କିମ୍ ଆଣି, ତା ଉପରୁ ନଜର ହଟାଇବାକୁ ଉଦ୍ୟମ ବୋଲି କୁହାଯାଉଛି ।

ବିଜେପି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ମୋ ଘର ଯୋଜନାକୁ ତ୍ରୁଟିପୂର୍ଣ୍ଣ ବୋଲି କହିବା ସହ ଲୋନ୍ ମାଧ୍ୟମରେ ଘର ନଦେଇ ମାଗଣାରେ ଦେବାକୁ ଦାବି କରିଛି । ତେବେ ପଂଚାୟତିରାଜ ମନ୍ତ୍ରୀ କହିଛନ୍ତି କେନ୍ଦ୍ର ସରକାର ଆବଶ୍ୟକତା ଅନୁସାରେ ଆବାସ ଦେଉନଥିବାରୁ ରାଜ୍ୟ ଏହି ଯୋଜନା ଆଣିଛି ।

ନୂଆ ସ୍କିମ୍‌କୁ କାର୍ଯ୍ୟକାରୀ କରିବାରେ ରାଜ୍ୟ ସରକାର ଏତେ ତତ୍ପର କାହିଁକି ? କେନ୍ଦ୍ର ମଂଜୁର କରିଥିବା ସାଢ଼େ ୯ ଲକ୍ଷ ଘର ନବାଣ୍ଟି, ନିଜ ସ୍କିମ୍ ଆଣିବା ପଛରେ କଣ ରହିଛି କାରଣ ? ମଧ୍ୟ ଓ ନିମ୍ନ ମଧ୍ୟବିତ୍ତ ଭୋଟରକୁ ହାତରେ ରଖିବାକୁ ଏ ଉଦ୍ୟମ କି ? ଏସବୁ ଚର୍ଚ୍ଚା ଭିତରେ ଜମି କିମ୍ବା ଘର ବନ୍ଧକ ରଖି ଋଣ ଆଣି ଘର କରିବା ବ୍ୟବସ୍ଥାକୁ ହିତାଧିକାରୀ ବିରୋଧ କରିଛନ୍ତି । ମାଗଣାରେ ଘର ଦେବାକୁ ସେମାନେ ଦାବି କରିଛନ୍ତି ।

ପୂର୍ବରୁ ଆବାସ ଯୋଜାନରେ ଘର ବାଣ୍ଟିବାରେ ବ୍ୟାପକ ଦୁର୍ନୀତି ଅଭିଯୋଗ ରହିଛି । ଏପରିକି ଦଳୀୟ ଭିତ୍ତିରେ ଘର ବଣ୍ଟା ଯାଉଥିବା ମଧ୍ୟ ଅଭିଯୋଗ ଆସିଛି । ଏଭଳି ସ୍ଥିତିରେ ନୂଆ ସ୍କିମରେ କେତେ ସ୍ୱଚ୍ଛତାର ସହ ପ୍ରକୃତ ହିତାଧିକାରୀଙ୍କୁ ଘର ମିଳିପାରୁଛି ତା ଉପରେ ନଜର ।