୨୪ ଲଢ଼େଇ ପାଇଁ କଂଗ୍ରେସର ଜୋରଦାର ପ୍ରସ୍ତୁତି, ହେଲେ ସେପଟେ ଅସ୍ତ୍ର ତ୍ୟାଗ କଲେଣି ବିଧାୟକ

ଭୁବନେଶ୍ୱରରେ ଦିଗବିଜୟ ସିଂହ ଓ ଜୟରାମ ରମେଶ । ଭାରତ ଯୋଡ଼ୋ ଅଭିଯାନର ରୂପରେଖ ପ୍ରସ୍ତୁତ ହେବ  ।

Congress

୨୦୨୪ ସାଧାରଣ ନିର୍ବାଚନ ଲାଗି କଂଗ୍ରେସର ଜୋରଦାର ପ୍ରସ୍ତୁତି । ଭାରତ ଯୋଡ଼ୋ ପଦଯାତ୍ରା ଜରିଆରେ ଲୋକଙ୍କୁ ଏକାଠି କରିବ ଦଳ । ବିଜେପି ଓ ବିଜେଡିକୁ ଟକ୍କର ଦେବା ପାଇଁ ଦଳ ପ୍ରସ୍ତୁତ କରୁଛି ରଣନୀତି । ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ରାଜ୍ୟରେ ଭାରତ ଯୋଡ଼ୋ ପଦଯାତ୍ରା କରିବ କଂଗ୍ରେସ । ୩ ହଜାର କିଲୋମିଟର ବ୍ୟାପୀ ପଦଯାତ୍ରାରେ ସାମିଲ ହେବେ କଂଗ୍ରେସ ନେତା। । ପ୍ରାୟ ୨୫ ଜିଲ୍ଲାକୁ ପଦଯାତ୍ରା ମାଧ୍ୟମରେ ଛୁଇଁବ ଦଳ । ଭୁବନେଶ୍ୱରରୁ ଆରମ୍ଭ ହୋଇ ବରୁଣେଇ କିମ୍ବା କଟକରେ ଶେଷ ହେବ ପଦଯାତ୍ରା ।

ଦୁଇମାସ ଧରି ଚାଲିବାକୁ ଥିବା ପଦଯାତ୍ରାର ଶେଷରେ ବିଶାଳ ସମାବେଶ ଆୟୋଜିତ ହେବ । ବୁଥ୍‌ସ୍ତରରେ ପହଞ୍ଚି କର୍ମୀଙ୍କୁ ସକ୍ରିୟ କରିବା ସହ ଭୋଟରଙ୍କ ଆସ୍ଥାଭାଜନ ହେବା ପଦଯାତ୍ରାର ଲକ୍ଷ୍ୟ ରହିଛି । ଏଥିଲାଗି ବିଦ୍ଧିବଦ୍ଧ ପ୍ରସ୍ତୁତି କରିବାକୁ କଂଗ୍ରେସର ବରିଷ୍ଠ ନେତା ଦିଗ୍‌ବିଜୟ ସିଂହ ଓ ଜୟରାମ ରମେଶ ମଧ୍ୟ ଓଡ଼ିଶାରେ ଆସି ପହଞ୍ଚି ସାରିଛନ୍ତି ।

ଗୋଟିଏ ପଟେ କଂଗ୍ରେସ ଲୋକଙ୍କ ପାଖରେ ପହଞ୍ଚିବାକୁ ରୋଡ୍‌ମ୍ୟାପ୍ ପ୍ରସ୍ତୁତ କରୁଛି । ଅନ୍ୟପଟେ ନିଜ ଦଳରୁ ହିଁ ଆସିଛି ନିରାଶାର ଆଶଙ୍କା । କଂଗ୍ରେସର ମୋହନା ବିଧାୟକ ଦାଶରଥି ଗମାଙ୍ଗ ୨୪ ଯୁଦ୍ଧ ପୂର୍ବରୁ ଅସ୍ତ୍ର ତ୍ୟାଗ କଲା ଭଳି ଦେଇଛନ୍ତି ମନ୍ତବ୍ୟ । ସେ କହିଛନ୍ତି, ଶାସକ ବିଜେଡି ଠାରୁ ଆମେ ବହୁ ପଛରେ । ଅର୍ଥ ଅଭାବରୁ ଆମେ ପଛରେ ରହୁଛୁ । ସେପଟେ ଦାଶରଥିଙ୍କ ମତକୁ କାଉଣ୍ଟର କରିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା । ସେ କହିଛନ୍ତି କଂଗ୍ରେସ ଆର୍ଥିକ ସଙ୍କଟ ଦେଇ ଗତି କରୁଛି ସତ, କିନ୍ତୁ ତା’ମାନେ ନୁହଁ ଆମେ ବିଜେଡିକୁ ଟକ୍କର ଦେଇପାରିବୁନି ।

ରାଜ୍ୟ କଂଗ୍ରେସ ଘର ସଜଡ଼ା ସବୁବେଳେ ମୁଖିଆଙ୍କ ପାଇଁ କାଠିକର ପାଠ । ନୂଆ ମଙ୍ଗୁଆଳ ପାଇବାର ୪ ମାସ ବିତିଥିଲେ ବି ଏଯାଏଁ କମିଟି ହୋଇପାରିନି । ଯାହାକୁ ନେଇ ଦଳ ଭିତରେ ଅସନ୍ତୋଷ ଦେଖଦେଲାଣି । ଏଭଳି ସ୍ଥଳେ ପଦଯାତ୍ରା କେତେ ସଫଳତା ଆଣୁଛି ତା ଉପରେ ସମସ୍ତଙ୍କ ନଜର ।