ଲିଙ୍ଗ ପରିବର୍ତ୍ତନ ଗହନ କଥା, LGBT କମ୍ୟୁନିଟିରେ ବଢ଼ୁଛି SRS ଟ୍ରେଣ୍ଡ୍

LGBT କମ୍ୟୁନିଟିରେ ବଢ଼ିବାରେ ଲାଗିଛି ଲିଙ୍ଗ ପରିବର୍ତ୍ତନ ସର୍ଜରୀ ଟ୍ରେଣ୍ଡ୍ । ଏହି କମ୍ୟୁନିଟିରେ ପୂର୍ବରୁ ପୁରୁଷ ଭାବେ ଜନ୍ମ ହୋଇଥିଲେ ବି, ଅନେକେ ଯୁବତୀ ବା ମହିଳାଙ୍କ ଭଳି ବଞ୍ଚିବା ଇଚ୍ଛାରେ ଶାଢ଼ି ଓ ସାଲୱାର ଆଦି ପିନ୍ଧୁଥିଲେ ।

LGBTQ

LGBT କମ୍ୟୁନିଟିରେ ବଢ଼ିବାରେ ଲାଗିଛି ଲିଙ୍ଗ ପରିବର୍ତ୍ତନ ସର୍ଜରୀ ଟ୍ରେଣ୍ଡ୍ । ଏହି କମ୍ୟୁନିଟିରେ ପୂର୍ବରୁ ପୁରୁଷ ଭାବେ ଜନ୍ମ ହୋଇଥିଲେ ବି, ଅନେକେ ଯୁବତୀ ବା ମହିଳାଙ୍କ ଭଳି ବଞ୍ଚିବା ଇଚ୍ଛାରେ ଶାଢ଼ି ଓ ସାଲୱାର ଆଦି ପିନ୍ଧୁଥିଲେ । ଝିଅଙ୍କ ଭଳି ସଜେଇ ହେଉଥିଲେ । ସେହିପରି ଝିଅମାନେ ବି ପୁଅ ଭଳି ବଞ୍ଚିବାକୁ ବୟକଟ୍ ଚୁଟିକାଟି ପ୍ୟାଣ୍ଟସାର୍ଟ ପିନ୍ଧୁଥିଲେ ।

ତେବେ କେବଳ ବାହାରୁ ନୁହେଁ, ଭିତରୁ ବି ନିଜ ପସନ୍ଦର ଲିଙ୍ଗଗତ ପରିଚୟ ପାଇବାକୁ ଏହି ଜଟିଳ ଅସ୍ତ୍ରୋପଚାରର କରାଉଛନ୍ତି ଅନେକ । ପୂର୍ବରୁ ଯୁବତୀ ଥିବା ସମସ୍ତେ ବର୍ତ୍ତମାନ ଯୁବକ । ଆଗରୁ ମନରୁ ତ ପୁଅ ଥିଲେ, ହେଲେ ଝିଅ ଭାବେ ଜନ୍ମ ଦେଇଥିଲା ବିଧାତା । କିନ୍ତୁ ଏବେ, ମନରୁ... ଶରୀରରୁ... ସମସ୍ତେ ପାଲଟିଛନ୍ତି ପୂରାପୂରି ପୁଅ ।

ଲିଙ୍ଗ ପରିବର୍ତ୍ତନ ସର୍ଜରୀ ବା SRS କରାଇଥିବା ଅନେକ ଟ୍ରାନ୍ସ-ମ୍ୟାନ୍ ଓ ଟ୍ରାନ୍ସ-ୱିମେନ୍‌ଙ୍କୁ ଦେଖିବାକୁ ମିଳିଥିଲା, କିଛି ଦିନ ତଳେ ଭୁବନେଶ୍ୱରରେ ଆୟୋଜିତ ରେନବୋ ପ୍ରାଇଡ୍ ୱାକ୍‌ରେ । LGBT କମ୍ୟୁନିଟିରେ ଧୀରେ ଧୀରେ ବଢ଼ିବାରେ ଲାଗିଛି ଲିଙ୍ଗ ପରିବର୍ତ୍ତନ ସର୍ଜରୀ ଟ୍ରେଣ୍ଡ୍ ।

କେବଳ ପୋଷାକ-ପରିଧାନ କି ପ୍ରସାଧନ-ପରିପାଟୀ ନୁହେଁ, ଶାରିରୀକ ଭାବେ ଲିଙ୍ଗ ବଦଳାଇ ଇଚ୍ଛା ମୁତାବକ ପୁରୁଷ କି ମହିଳାର ପରିଚୟ ପାଇବାକୁ ଆଗେଇ ଆସୁଛନ୍ତି ଅନେକ । ନିଜ ଇଚ୍ଛା ଅନୁସାରେ ବଞ୍ଚିବାକୁ କିଏ ବା ନଚାହେଁ । ହେଲେ କିଶୋରାବସ୍ଥା ଆସୁ ଆସୁ ଏମାନଙ୍କୁ ଲାଗୁଥିଲା, ସତେ ଯେମିତି ଏମାନେ ବଞ୍ଚିଛନ୍ତି ଆଉ କାହା ଶରୀରରେ ।

ମନ ଗୋଟିଏ, ଶରୀର ଆଉ ଗୋଟିଏ । ଏଭଳି ଅସାମଞ୍ଜସ୍ୟତା ଭିତରେ ଘାଣ୍ଟି ହେବା ଅପେକ୍ଷା, ଚିକିତ୍ସା ବିଜ୍ଞାନ ସହାୟତାରେ ଲିଙ୍ଗ ବଦଳାଇବା ଫଳରେ, ଏମାନେ କେବଳ ମାନସିକ ଶାନ୍ତି ପାଇନାହାନ୍ତି, ଅନେକେ ବିବାହ କରି ସଂସାର ଗଢ଼ିବାର ସ୍ୱପ୍ନ ବି ଦେଖୁଛନ୍ତି । ଲିଙ୍ଗ ପରିବର୍ତ୍ତନ ସର୍ଜରୀ ବା SRS ଏକ ଦୀର୍ଘ ଏବଂ ଜଟିଳ ପ୍ରକ୍ରିୟା ।

ଏଥିପାଇଁ ମନୋଚିକିତ୍ସକଙ୍କ ଅନୁମୋଦନ ପରେ ବର୍ଷକ ପାଇଁ ଦିଆଯାଏ ହରମୋନ୍ ଥେରାପି । ତା ପରେ ଗୋଟିଏ କିମ୍ବା ଏକାଧିକ ପର୍ଯ୍ୟାୟରେ ହୁଏ ଅସ୍ତ୍ରୋପଚାର । ସ୍ତନ ସର୍ଜରୀ ପାଇଁ ଜଣେ ଏବଂ ଯୌନାଙ୍ଗ ପରିବର୍ତ୍ତନ ପାଇଁ ଦୁଇ ଜଣ ମନୋ ଚିକିତ୍ସକଙ୍କ ସାର୍ଟିଫିକେଟ୍ ସହ ବାପାମାଆଙ୍କ ଅନୁମତିର ଆବଶ୍ୟକତା ରହିଛି ।

ଏହି ସର୍ଜରୀ ଅପେକ୍ଷାକୃତ ବ୍ୟୟବହୁଳ, ଏହାର ପାର୍ଶ୍ୱପ୍ରତିକ୍ରିୟା ଆଶଙ୍କା ରହିଛି ଏବଂ ଥରେ କଲେ ଆଉ ପୂର୍ବସ୍ଥିତିକୁ ଫେରିବା ଅସମ୍ଭବ । ଲିଙ୍ଗ ପରିବର୍ତ୍ତନ ସର୍ଜରୀ ଅନେକେ କେବଳ ମାନସିକ ଶାନ୍ତି ନୁହେଁ; ସ୍ୱାଭାବିକ ଯୌନସଂପର୍କ, ପାର୍ଟନରଙ୍କ ଚାପ ଏବଂ ସହଜ ରୋଜଗାର ଆଶାରେ କରୁଥିବା ମଧ୍ୟ ଅଭିଯୋଗ ହୁଏ । ସେପଟେ ପ୍ରକୃତି ବିରୁଦ୍ଧରେ ଯାଇ ଏଭଳି ସର୍ଜରୀ କରିବା ଠିକ୍ ନୁହେଁ ବୋଲି ବ୍ୟକ୍ତିଗତ ମତ ରଖିଛନ୍ତି ତୃତୀୟ ଲିଙ୍ଗୀ ସଂଗଠନ ସଂପାଦିକା ।