ଦିଲ୍ଲୀ ଦେଶର ପ୍ରଦୂଷଣ ରାଜଧାନୀ ପାଲଟିଥିବା ବେଳେ, ଭୁବନେଶ୍ବରରେ ବି ବିଗିଡ଼ିଲାଣି କି ବାୟୁର ମାନ ? ୩୭୧ AQI ସହ ଦିଲ୍ଲୀ ଆଜି ଦେଶର ସବୁଠୁ ପ୍ରଦୂଷିତ ସହର ରହିଛି । ଏୟାର କ୍ବାଲିଟି ଇଣ୍ଡେକ୍ସ ବା ବାୟୁର ମାନ ସୂଚକାଙ୍କ ରହିଛି ୩୭୧, ଯାହାକି ଅତି ନିମ୍ନମାନର । ଏହା ପୂର୍ବରୁ ଏକ ସପ୍ତାହ ଧରି ସିଭିୟର୍ ବା ଭୀଷଣ AQI ପ୍ରଦୂଷଣ ବର୍ଗରେ ରହିଥିଲା ଦିଲ୍ଲୀ ।
କେବଳ ଦିଲ୍ଲୀ ନୁହେଁ, ଲକ୍ଷ୍ନୌ ଓ ପାଟନାର ବାୟୁର ମାନ ବି ଉଦବେଗଜନକ ରହିଛି । ଏପଟେ ଭୁବନେଶ୍ବରରେ ରହିଛି ମଡରେଟ୍ ବା ମଧ୍ୟମ ଧରଣର ବାୟୁର ମାନ। ଭୁବନେଶ୍ବରର AQI ରହିଛି ୧୭୧ । ସୂଚନା ଅନୁସାରେ, ବାୟୁର ମାନ ୧୫୧ ରୁ ୨ଶହ ମଧ୍ୟରେ ରହିଲେ ଏହା ରେଡ୍ କାଟାଗୋରି ଅନ୍ତର୍ଭୁକ୍ତ ଏବଂ ଶରୀର ପ୍ରତି ଅସ୍ବାସ୍ଥ୍ୟକର।
Also Read
ଅଧିକ ପଢ଼ନ୍ତୁ: ବାୟୁରେ ବିଷ ! ଦିଲ୍ଲୀ-NCRରେ ୭୫% ପରିବାର ଶ୍ୱାସଜନିତ ସମସ୍ୟାରେ ପୀଡ଼ିତ
ଏପଟେ ବିଷାକ୍ତ ବାୟୁରେ ଅସ୍ତବ୍ୟସ୍ତ ହେଉଛନ୍ତି ଦିଲ୍ଲୀବାସୀ । ଚାରିଆଡ଼େ ଧୂଆଁ ଧୂଆଁ, ପ୍ରଦୂଷିତ କୁହୁଡ଼ି ଭଳି ଆସ୍ତରଣ । ତେବେ ଅନଲାଇନ୍ କମ୍ୟୁନିଟି ପ୍ଲାଟଫର୍ମ ଲୋକାଲ୍ ସର୍କଲ୍ସ ଦ୍ୱାରା କରାଯାଇଥିବା ଏହି ସର୍ଭେରେ ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ସ୍ତର ବୃଦ୍ଧି ହେବା ଫଳର ଗୁରୁତର ସ୍ୱାସ୍ଥ୍ୟଗତ ପ୍ରଭାବ ଦର୍ଶାଯାଇଛି । ଯେଉଁଠାରେ ବାୟୁ ଗୁଣବତ୍ତା 'ଗୁରୁତର' ବର୍ଗରେ ରହିଛି । ଦିଲ୍ଲୀ, ଗୁରୁଗ୍ରାମ, ନୋଏଡା, ଫରିଦାବାଦ ଏବଂ ଗାଜିଆବାଦର ୨୧ହଜାରରୁ ଅଧିକ ଲୋକଙ୍କୁ ନେଇ ଏହି ସର୍ଭେରେ ସାମିଲ୍ କରାଯାଇଥିଲା । ସେଥିମଧ୍ୟରୁ ୬୩% ପୁରୁଷ ଏବଂ ୩୭% ମହିଳା ଥିଲେ । ରିପୋର୍ଟରେ ଏହା ମଧ୍ୟ ଦର୍ଶାଯାଇଛି ଯେ ୫୮% ପରିବାରର ଲୋକ ମୁଣ୍ଡବିନ୍ଧା ଅନୁଭବ କରୁଛନ୍ତି । ଅର୍ଦ୍ଧେକ ସଦସ୍ୟଙ୍କର ଶ୍ୱାସକ୍ରିୟାରେ ଅସୁବିଧା କିମ୍ବା ଅଛି ଅଥବା ସେମାନେ ଆଜମା ରୋଗରେ ପୀଡିତ ।
ସର୍ଭେରେ ଆହୁରି ଦର୍ଶାଯାଇଛି ଯେ ୨୭ପ୍ରତିଶତ ପରିବାର ଏୟାର ପ୍ୟୁରିଫାୟାର ବ୍ୟବହାର କରୁଛନ୍ତି । ଯାହାକି ଗତମାସ ତୁଳନାରେ ୧୮ ପ୍ରତିଶତ ଅଧିକ। ଅବଶ୍ୟ, ୨୩ ପ୍ରତିଶତ ଲୋକ କୌଣସି ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିନାହାଁନ୍ତି । ସେହିଭଳି ଅନ୍ୟମାନେ ଖାଦ୍ୟପେୟ ପରିବର୍ତ୍ତନ ମାଧ୍ୟମରେ ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବଢାଇବାକୁ ଧ୍ୟାନ ଦେଇଛନ୍ତି । ସପ୍ତାହେ ପୂର୍ବରୁ, ଦିଲ୍ଲୀ NCRରେ AQI ଲଗାତାର ବଢିଚାଲିଥିଲା । ଦିଲ୍ଲୀର କିଛି ଅଂଚଳରେ PM2.5 ସ୍ତର ୧୫୦୦ ଛୁଇଁଥିଲା । ଯାହାକୁ ଗ୍ୟାସ ଚାମ୍ବରରେ ରହିବା ସହିତ ତୁଳନା କରାଯାଉଛି ।
ଏହାର କାରଣ ଜାଣିବା ପାଇଁ ଲୋକାଲ୍ ସର୍କଲ୍ସ ଏକ ନୂତନ ସର୍ଭେ କରିଥିଲା । ଯେଉଁଥିରେ ଦିଲ୍ଲୀ NCRରେ ରହୁଥିବା ଲୋକମାନେ ଏହାର ମୁକାବିଲା କିପରି କରୁଛନ୍ତି ସେନେଇ ଲୋକଙ୍କୁ ପ୍ରଶ୍ନ କରାଯାଇଥିଲା । ଏହି ଉତ୍ତର ଆଧାରରେ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି । ଏହି ରିପୋର୍ଟରେ ପ୍ରଦୂଷଣ ସମ୍ବନ୍ଧୀୟ ସ୍ୱାସ୍ଥ୍ୟ ସମସ୍ୟାରେ ଏକ ଚିନ୍ତାଜନକ ବୃଦ୍ଧି ଘଟିଥିବା ଦେଖିବାକୁ ମିଳିଛି । ୨୦ ଦିନରେ ଜଣେ ଅସୁସ୍ଥ ସଦସ୍ୟ ଥିବା ପରିବାର ସଂଖ୍ୟା ୬୯ ପ୍ରତିଶତରୁ ବୃଦ୍ଧି ପାଇ ୭୫ ପ୍ରତିଶତରେ ପହଞ୍ଚିଯାଇଛି। ଯାହାକି ବାୟୁ ଗୁଣବତ୍ତା ଖରାପ ହେବାର ପ୍ରତ୍ୟକ୍ଷ ପ୍ରଭାବକୁ ଦର୍ଶାଉଛି ।