ନାତି ପାଠପଢ଼ି ବଡ଼ ମଣିଷ ହେବ; ଅହରହ ଖଟୁଛି ଜେଜେମାଆ

ମାତ୍ର ୫ ବର୍ଷରେ ସାଙ୍ଗ ହୋଇ ଚାଲିଗଲେ ବାପା-ମାଆ। ବୁଢୀ ମାଆର ଏତେ ବୟସ ହେଲାଣି ଯେ ସେ ନିଜେ ଚାଲିବୁଲି ପାରୁନାହାନ୍ତି। ଆଉ ଏ ବୟସରେ ଶିବାର ସେବା କରିବେ ବା କେମିତି? ହେଲେ ଅଣ୍ଟାରେ ବଳ ନଥିଲେ ବି ଶିବାର ନେଉଛନ୍ତି ଯତ୍ନ। ସରକାରୀ ସାହାଯ୍ୟ ନମିଳିଲେ କେମିତି ଆଗକୁ ବଢିବ ଶିବା ?

Orphaned Grandson

ନୁଆଣିଆ ଟାଇଲ ଘର, ଆଉ ବୁଢ଼ୀ ମାଉସୀଙ୍କ ଚର୍ମ ଧୁଡୁଧୁଡୁ ହୋଇଗଲାଣି । ପାଖରେ ବସିଥିବା ନାତିକୁ ଆଉଁଷି ଦେଉଛନ୍ତି ତ ପୁଣି କେତେବେଳେ ଗେଲ କରି ପକାଉଛନ୍ତି । ଆଉ ବାପା-ମାଆଙ୍କ ସ୍ନେହ ଅଜାଡି ଦେବାକୁ ବି ଚେଷ୍ଟା କରୁଛନ୍ତି। କାରଣ ସେ ଜାଣିଛନ୍ତି ଏ ବୟସରେ ନାତିକୁ ଦରକାର ସ୍ନେହ ଆଉ ଶ୍ରଦ୍ଧା ।

ଯେଉଁ ବୟସରେ ପୁଅ-ବୋହୂ ତାଙ୍କ ସେବା କରିବା କଥା ସେଇ ବୟସରେ ଖଟି ନାତିକୁ ମଣିଷ କରିବା ପାଇଁ କରୁଛନ୍ତି ଅକ୍ଲାନ୍ତ ପରିଶ୍ରମ । ଚେହେରା ଦେଖିଲେ ବୟସ କହିବାର କୌଣସି ଆବଶ୍ୟକତା ବି ନାହିଁ । କିନ୍ତୁ ନାତିକୁ ମଣିଷ କରିବା ପାଇଁ ନିଜ ବୟସକୁ ଦେଖୁନାହାନ୍ତି ବରଂ ଯେତିକି ପାରୁଛନ୍ତି, ସେତିକିରେ ନାତିର ପେଟ ପୂରାଇବାକୁ ଚେଷ୍ଟା କରୁଛନ୍ତି ।

ଏଭଳି ଦୃଶ୍ୟ ମୟୂରଭଂଜ କରଂଜିଆ କୂଳପୋଷି ପଂଚାୟତରେ ଦେଖିବାକୁ ମିଳିଛି। ସବୁ କିଛି ଠିକ୍‌ଠାକ୍‌ ଚାଲିଥିଲା । କୁନି ପିଲା ଶିବାକୁ ମଣିଷ କରି ଗଢି ତୋଳିବାକୁ ବାପା-ମାଆ ବେଶ୍‌ ସଂଘର୍ଷ ବି କରୁଥିଲେ । ହେଲେ ବିଧିର ବିଧାନ କିଛି ଅଲଗା ଥିଲା । ଶିବା ବର୍ଷକର ହୋଇଥିବା ବେଳେ ବାପା ସୋନୁଙ୍କର ଅଜଣା ରୋଗରେ ଦେହାନ୍ତ ହୋଇଗଲା । ସ୍ୱାମୀ ଚାଲିଯିବା ପରେ ମାଆ ନନ୍ଦୀନି ଭାଙ୍ଗି ପଡିନଥିଲେ। ବରଂ ଶାଶୂ ଓ ପୁଅ ମୁହଁରେ ଆହାର ଦେବା ପାଇଁ କଠିନ ପରିଶ୍ରମ ବି କରୁଥିଲେ ।

ହେଲେ ଭଗବାନ ଏ ପିଲା ପାଇଁ ଏତେ ନିଷ୍ଠୁର ହୋଇଗଲେ ଯେ ମାତ୍ର ୫ ବର୍ଷ ପରେ ମାଆକୁ ବି ଛଡାଇ ନେଲେ । ବାପା-ମାଆ ଚାଲିଯିବା ପରେ ଅନାଥ ଶିବା ଏବେ ବୁଢୀ ମାଆ ପାଖରେ ବଢୁଛି । ଶିବାର ଲାଳନପାଳନ ସହ ସବୁ ଦାୟିତ୍ୱ ଏବେ ତାଙ୍କ ଉପରେ। ବର୍ତ୍ତମାନ ଶିବାଙ୍କ ବୁଢୀ ମାଆ ମାସକୁ ମାତ୍ର ୧୦ କିଲୋ ଚାଉଳ ଓ ଭତା ବାବଦରେ ୫୦୦ ଟଙ୍କା ପାଉଛନ୍ତି। ଆଉ ସେଇଥିରେ ଚଳୁଛନ୍ତି ଜେଜେମାଆ-ନାତି ।

ଶିବାକୁ ମଣିଷ କରିବାର ସ୍ୱପ୍ନ ଦେଖୁଥିବା ବୁଢି ମାଆର ବୟସ ଏତେ ଯେ, ସେ ଠିକ୍‌ରେ ଚାଲିବୁଲି ପାରୁନାହାନ୍ତି । ହେଲେ ବୟସର ଅପରାହ୍ମରେ ହାର୍‌ ନମାନି ବରଂ ସଂଘର୍ଷ କରୁଛି । ଏମିତିକି ମାସସାରା ଚଳିବାକୁ ଅନେକ କଷ୍ଟର ସାମ୍ନା କରୁଥିବା ବେଳେ ସାହାଯ୍ୟ ପାଇଁ କାହା ସାମ୍ନାରେ ମୁହଁ ଖୋଲି ନାହାନ୍ତି । ସେପଟେ ଶିବାର ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି ଗାଁ ଲୋକ।

(ରିପୋର୍ଟ- ଦୀପକ କୁମାର ମହାନ୍ତ,କରଞ୍ଜିଆ)