ରେଳପଥରେ ସିଧାସଳଖ ଯୋଡି ହେବ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା । ଗୋପାଳପୁର ଓ ସମ୍ବଲପୁର ମଧ୍ୟରେ ନିର୍ମାଣ କରାଯିବ ରେଳପଥ । ବଜେଟ୍ରେ ପ୍ରକଳ୍ପ ପାଇଁ ଟୋକନ୍ ମନି ଘୋଷଣା କରାଯିବା ପରେ ଏହାକୁ ସ୍ୱାଗତ କରିଛନ୍ତି ଉପକୃତ ହେବାକୁ ଯାଉଥିବା ଲୋକେ । ଏହି ରେଳପଥ ଦ୍ୱାରା ପ୍ରଥମଥର କରି କନ୍ଧମାଳ ଜିଲ୍ଲାକୁ ରେଳ ଛୁଁଇବ। ତାସାଙ୍ଗକୁ ଗୋପାଳପୁର ବନ୍ଦର ଦେଇ ମାଲ ପରିବହନ ବହୁଗୁଣିତ ହେବ ।
ଦକ୍ଷିଣ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାକୁ ହେବ ସିଧା ରେଳ ସଂଯୋଗ । ଗୋପାଳପୁରଠାରୁ ଫୁଲବାଣୀ ଦେଇ ସମ୍ବଲପୁର ଯାଏଁ ବିଛା ହେବ ରେଳ ଲାଇନ୍ ପ୍ରକଳ୍ପ । କେନ୍ଦ୍ରର ଅନୁମୋଦନ ପାଇଥିବା ବେଳେ ବଜେଟ୍ରେ ଏଥିପାଇଁ ଏକ କୋଟିର ଟୋକନ ମନି ବରାଦ କରାଯାଇଛି । ଏହି ରେଳ ପ୍ରକଳ୍ପ ଦ୍ୱାରା ଗଞ୍ଜାମ, ବୌଦ୍ଧ, ଫୁଲବାଣୀ ଓ ସମ୍ବଲପୁର ଏହି ୪ ଜିଲ୍ଲା ଯୋଡି ହେବ ।
Also Read
ରେଳପଥର ଦୈର୍ଘ୍ୟ ୨୪୦ କିଲୋମିଟର ହୋଇଥିବା ବେଳେ ଭୁବନେଶ୍ୱର-ବ୍ରହ୍ମପୁର ରୁଟ୍ର ଜଗନ୍ନାଥପୁରଠାରୁ ଆରମ୍ଭ ହୋଇ ଏହା ଆସିକା, ଭଞ୍ଜନଗର, ଫୁଲବାଣୀ, ବୌଦ୍ଧ ଦେଇ ରେଢାଖୋଲଠାରେ ସମ୍ବଲପୁର-ଅନୁଗୁଳ ରୁଟ୍ ସହ ଯୋଡ଼ିହେବ । ଏହି ନୂଆ ରେଳ ରୁଟ୍ରେ ୧୮ଟି ଷ୍ଟେସନ୍ ରହିବ ।
ସେହିପରି ଏହାଦ୍ୱାରା କନ୍ଧମାଳବାସୀଙ୍କ ରେଳପଥ ସ୍ୱପ୍ନ ମଧ୍ୟ ପୂରଣ ହେବ । ସେହିପରି ଏହି ରେଳ ପ୍ରକଳ୍ପ ଦ୍ୱାରା ୪ ଜିଲ୍ଲାର ଅର୍ଥନୈତିକ ବିକାଶ ତ୍ୱରାନ୍ୱିତ ହେବା ସହ ଗୋପାଳପୁର ବନ୍ଦର ଦେଇ ମାଲ ପରିବହନ ବୃଦ୍ଧି ପାଇବ । ପ୍ରକଳ୍ପ ଘୋଷଣା ପରେ ଏହାକୁ ୪ ଜିଲ୍ଲାର ଲୋକ ସ୍ୱାଗତ କରିଛନ୍ତି ।
ବିଶେଷଜ୍ଞଙ୍କ ମତରେ, ପ୍ରକଳ୍ପ ପାଇଁ ଟୋକନ ମନି ମିଳିବା ଅର୍ଥ ଏହାକୁ କେନ୍ଦ୍ରର ଗ୍ରୀନ ସିଗ୍ନାଲ ମିଳିସାରିଛି । ତେଣୁ ପ୍ରାଥମିକ କାମ ଶୀଘ୍ର ଆରମ୍ଭ ହେବ ବୋଲି ଆଶା କରାଯାଉଛି । ଗ୍ରାଉଣ୍ଡ ୱାର୍କ ପରେ ଡିପିଆର୍ ଓ ତାପରେ ଫିଲ୍ଡ ଷ୍ଟଡି ହେବ । ଏଥିପାଇଁ ପ୍ରାୟ ଦେଢ଼ ବର୍ଷ ସମୟ ଲାଗିବ । ଏହାପରେ ଯାଇ ଜମି ଅଧିଗ୍ରହଣ ଆରମ୍ଭ ହୋଇପାରିବ ।
ଡିପିଆର୍ ପ୍ରସ୍ତୁତ ହେବା ପ୍ରକଳ୍ପରେ କେତେ ଖର୍ଚ୍ଚ ହେବ ତାହା ସ୍ପଷ୍ଟ ହେବ । ଏପଟେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ରେଳ ପ୍ରକଳ୍ପ ଲାଗି ଜମି ଅଧିଗ୍ରହଣ ପ୍ରମୁଖ ସମସ୍ୟା ହୋଇଥିବା ବେଳେ ଜଙ୍ଗଲ ଜମି ମଞ୍ଜୁରୀ ପାଇଁ ଅଧିକ ସମୟ ଲାଗେ । ତେଣୁ ରାଜ୍ୟର ସହଯୋଗ ମିଳିଲେ ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ ପ୍ରତିବନ୍ଧକ ରହିବ ନାହିଁ ।
୨୭ ବର୍ଷ ପୂର୍ବେ ବଜେଟରେ ଘୋଷଣା ହୋଇଥିବା ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ କାମ ଏଯାଏଁ ସରିନି। ଏଭଳି ସ୍ଥିତିରେ ଦକ୍ଷିଣ ଓଡ଼ିଶାକୁ ପଶ୍ଚିମ ଓଡ଼ିଶା ସହ ଯୋଡ଼ିବା ଲାଗି ଏ ନୂଆ ପ୍ରକଳ୍ପ କେବେ ବାସ୍ତବ ରୂପ ନେବ, ତା ଉପରେ ନଜର ରହିଛି ।