ଭୁବନେଶ୍ୱରରେ ସୂର୍ଯ୍ୟକିରଣ ଶୋ : ଆକାଶରେ ଜଲୱା ଦେଖାଇଲେ ବାୟୁବୀର

ବାୟୁବୀରଙ୍କ ସୂର୍ଯ୍ୟକିରଣ ଶୋ

ବାୟୁବୀରଙ୍କ ସୂର୍ଯ୍ୟକିରଣ ଶୋ

ଭୁବନେଶ୍ୱର ଆକାଶରେ ନିଜ ଶକ୍ତି ଓ ସାମର୍ଥ ଦେଖାଉଛନ୍ତି ବାୟୁ ବୀର । ଏଥିପାଇଁ ଶହ ଶହ ଲୋକଙ୍କ ଭିଡ଼ ଜମିଛି । ଭୁବନେଶ୍ୱର କୁଆଖାଇ ପଠା ବାଲିଯାତ୍ରା ପଡିଆରେ ବାୟୁସେନା ପକ୍ଷରୁ ହେଉଛି ସୂର୍ଯ୍ୟକିରଣ ଶୋ । ୯ଟି ହକ୍ ବିମାନରେ ଚିତ୍ତାକର୍ଷକ ଶୋ ପ୍ରଦର୍ଶନ କରାଯାଉଛି । ୧୦ଟାରୁ ଏହି ଶୋ ଆରମ୍ଭ ହୋଇଥିବା ବେଳେ ୧୧ ଟା ଯାଏଁ ଚାଲିବ ।

ବାଲିଯାତ୍ରା ପଡିଆ ଓ ଆଖପାଖରେ ପ୍ରାୟ ୫୦ ହଜାର ଲୋକ ସୂର୍ଯ୍ୟ ଶୋ ଦେଖୁଛନ୍ତି । ତେଣୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ରାଜ୍ୟପାଳ ଗଣେଶୀ ଲାଲ ସୂର୍ଯ୍ୟକିରଣ ଶୋ ଦେଖିବାକୁ କୁଆଖାଇ ପଠା ବାଲିଯାତ୍ରା ପଡ଼ିଆରେ ପହଞ୍ଚିଛନ୍ତି । ସେପଟେ ଏୟାର ସୋ ପାଇଁ କୁଆଖାଇ ନଦୀର ଉଭୟ ପାର୍ଶ୍ୱରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ଓଡ୍ରାଫ୍ ଟିମ୍ ସହ ୪୫ ସେକସନ୍ ଫୋର୍ସ ମୁତୟନ ରହିଛନ୍ତି ।

ଭୁବନେଶ୍ୱରରେ ସୂର୍ଯ୍ୟକିରଣ ଟିମ୍ ପକ୍ଷରୁ ୧୮ରୁ ୨୦ ମିନିଟ୍ ଶୋ ହୋଇଛି । ଏହାକୁ ଦୁଇଟି ପର୍ଯ୍ୟାୟରେ କୋମ୍ପୋଜାଇଟ୍ ଓ ସିଙ୍କୋରେ ଭାଗ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ୫୦୦ରୁ ୧୦୦୦ଫୁଟ ଉଚ୍ଚତାରେ ସବୁ ବିମାନ ଉଡ଼ାଣ ଭରିଛନ୍ତି । ଏହାପରେ ଦ୍ୱିତୀୟ ପର୍ଯ୍ୟାୟରେ ଗୋଟିକ ପରେ ଗୋଟିଏ ସବୁ ବିମାନ ଆକାଶମାର୍ଗରେ ଚିତାକର୍ଷକ ଶୋ ପ୍ରଦର୍ଶନ କରିଛନ୍ତି । ଏଥିପାଇଁ ୯ଜଣ ପାଇଲଟ ଆଉ ଦୁଇଜଣ ଷ୍ଟାଣ୍ଡବାଇ ରହିଛନ୍ତି । ସୂର୍ଯ୍ୟକିରଣର ଏହି ସ୍ୱତନ୍ତ୍ର ସୋ ପାଇଁ ସେମାନଙ୍କୁ ୬ ମାସ ଧରି ଅଭ୍ୟାସ କରିବାକୁ ପଡିଥାଏ । ଏଥିପାଇଁ ଏପ୍ରିଲରୁ ଅଗଷ୍ଟ ମାସ ମଧ୍ୟରେ ପ୍ରତିଦିନ ଦୁଇଥର ଲେଖାଏଁ ଉଡାଣ କରାଯାଇଥିଲା ।

ନଜର ପକାଇବା ସୂର୍ଯ୍ୟକିରଣ ଶୋ କ’ଣ ?

ଏହା ହେଉଛି ବାୟୁସେନାର ଏରୋବାଟିକ୍ ଡିସପ୍ଲେ ଟିମ୍ । ୧୯୮୨ରେ ବାୟୁସେନାର ସୁବର୍ଣ୍ଣ ଜୟନ୍ତୀ ଅବସରରେ ଗଠନ କରାଯାଇଥିଲା ପ୍ରଥମ ଏରୋବାଟିକ୍ ଟିମ୍ । ୯ଟି ହକର ହଣ୍ଟର ଏୟାରକ୍ରାଫ୍ଟ ଉଡାଇଥିଲେ ସ୍ୱତନ୍ତ୍ର ଟିମ୍, ସେତେବେଳେ ଏହାର ନାଁ ରଖାଯାଇଥିଲା ଥଣ୍ଡରବୋଲ୍ଟସ । ୧୯୯୦ ମସିହାରେ ଏଥିରେ ଭାରତ ନିର୍ମିତ ୪ଟି କିରଣ ଏମକେ ୨ ଟ୍ରେନର ସାମିଲ କରାଯାଇଥିଲା । ୧୯୯୬ରେ ଏଥିରେ ଆଉ ଦୁଇଟି ଏୟାରକ୍ରାଫ୍ଟ ସାମିଲ କରାଯାଇଥିଲା । ଏଥିସହ ବାୟୁସେନାର ଏରୋବାଟିକ୍ ଡିସପ୍ଲେ ଟିମର ନୂଆ ନାଁ ରଖାଯାଇଥିଲା ସୂର୍ଯକିରଣ । ଅକ୍ଟୋବର ୮ ବାୟୁସେନା ଦିବସ ଅବସରରେ ଦିଲ୍ଲୀର ପାଲାମ ବିମାନବନ୍ଦରରେ ସ୍ୱତନ୍ତ୍ର ଉଡାଣ କରାଯାଇଥିଲା ।

ସୂର୍ଯ୍ୟକିରଣ ଟିମ୍ ପକ୍ଷରୁ ୨୦୦୧ରେ ବିଦେଶରେ ପ୍ରଥମଥର ପାଇଁ ଚିତ୍ତାକର୍ଷକ ଶୋ ପ୍ରଦର୍ଶନ କରାଯାଇଥିଲା । ଶ୍ରୀଲଙ୍କାର କଲୋମ୍ବୋରେ ଏହି ଶୋ ହୋଇଥିଲା । ତା ପରଠାରୁ ସୂର୍ଯ୍ୟକିରଣ ଟିମ୍ ଦେଶ ବିଦେଶର ବିଭିନ୍ନ ସ୍ଥାନରେ ଚିତ୍ତାକର୍ଷକ ଶୋ ପ୍ରଦର୍ଶନ କରି ଆସୁଛନ୍ତି । ଅତ୍ୟାଧୁନିକ ହକ୍ ଏମକେ ୧୩୨ ଏୟାରକ୍ରାଫ୍ଟ ଦ୍ୱାରା ବାୟୁସେନା ପକ୍ଷରୁ ଏଭଳି ନିଆରା ପ୍ରଦର୍ଶନ କରାଯାଇ ଯୁବପିଢିଙ୍କୁ ପ୍ରେରଣା ଦିଆଯାଉଛି ।