ଓଡ଼ିଶା ସହିତ ଧାନର ସମ୍ପର୍କ କାହିଁ କେତେ ପୁରୁଣା । ଏମିତିବି କେହି କେହି ମତ ଦିଅନ୍ତି, ଓଡ଼ିଶାରେ କୁଆଡେ଼ ପ୍ରଥମ କରି ଧାନ ଚାଷ ହେଇଥିଲା । ଓଡ଼ିଶାର ଭୂଦୃଶ୍ୟରେ ବର୍ଷା ଦିନରେ ସବୁଜ ଛନ ଛନ ଧାନ ଗଛ ଓ ଶୀତ ଦିନେ ସୁନା ହଳଦୀ ରଙ୍ଗର ଦିଗନ୍ତ ବିସ୍ତାରି ଧାନବିଲର ପ୍ରାଚୁର୍ଯ୍ୟ । ଧାନ ଅମଳ ବେଳକୁ ଓଡ଼ିଆ ଘରେ ଆରମ୍ଭ ହେଇଯାଏ ପର୍ବ ପର୍ବାଣୀ । ମାର୍ଗଶୀର ମାସରେ ମା’ ଲକ୍ଷ୍ମୀଙ୍କ ଆରାଧନା କରାଯାଏ । ଘରେ ଘରେ ବିରାଜମାନ କରନ୍ତି ମା । ଧାନ ବେଣୀ ଓ ଧାନକୁ ଲକ୍ଷ୍ମୀଙ୍କ ପ୍ରତୀକ ଭାବରେ ପୂଜା କରାଯାଏ । ଚାଉଳ ପିଠଉରେ ଘର ବାରିରେ ଅଙ୍କାଯାଏ ଚିତା । ପଶ୍ଚିମ ଓଡ଼ିଶାରେ ନୂଆ ଚାଉଳ ଖାଇବାକୁ ‘ନୂଆଖାଇ’ ନାମରେ ଏକ ପ୍ରମୁଖ ପର୍ବ ପାଳନ କରାଯାଏ । ଓଡ଼ିଆ ଲୋକଙ୍କର ଖାଇବାରେ ଚାଉଳ ମୂଖ୍ୟ ସ୍ଥାନ ଅଧିକାର କରିଆସିଛି ସବୁବେଳେ । ପଖାଳ କଂସାଏ; ବାସି ପଖାଳର ସୁଆଦ କୋଉ ଓଡ଼ିଆ ନଜାଣେ? ଓଡ଼ିଆ ଖାଇବାରେ କେବଳ ଚାଉଳ ତିଆରି ଭିନ୍ନ ଭିନ୍ନ ଖାଦ୍ୟର ତାଲିକା ରହିଛି । ହିସାବ କରି କୁହାଯାଏ କେବଳ ଓଡ଼ିଶାରେ ଶତାଧିକ କିସମର ଧାନ ରହିଛି । ।
ଧାନ କେଣ୍ଡାରେ ତିଆରି ଧାନ ବେଣୀ ପରି ଓଡ଼ିଶାରେ ଧାନ ମୂର୍ତ୍ତି ତିଆରିର ଇତିହାସ ଖୁବ୍ ପୁରୁଣା, ଯଦିଓ ଏହାର ସଠିକ୍ ସମୟ ଏଯାଏଁ ନିରୂପଣ ହୋଇପାରିନି । ନବରଙ୍ଗପୁରର କୋଡ଼ିଙ୍ଗା ଠୁ ସାତ କିଲୋମିଟର ଦୂର କସାକମୁଣ୍ଡା ବ୍ଲକ୍ ର ଲିମବଟା ଗାଁରେ ଚନ୍ଦ୍ରସେଣା ମାଝିଙ୍କ ଘର । କେଇ କିଲୋମିଟର ଜଙ୍ଗଲ ପାରି ହେଲେ ପ୍ରକୃତି କୋଳରେ ତାଙ୍କ ଗାଁ । ଗାଁ ସରୁସରୁ ଇନ୍ଦ୍ରାବତୀ ଯାଏଁ ସମତଳ ଭୂଇଁ । ଠାଏ ଠାଏ ଖାଲି ପଥୁରିଆ ପଡ଼ିଆ ତ ବାକି ସବୁ ଚାଷ ଭୂଇଁ । ବଥରା ଆଦିବାସୀ ସମ୍ପ୍ରଦାୟର ମଣିଷ ସେ । ବର୍ଷ ସାରା ଧାନ ମୂର୍ତ୍ତି ସବୁ ଗଢ଼ନ୍ତି । କେବେ ଗାଁ ଲୋକଙ୍କ ଆବଶ୍ୟକତା ପାଇଁ ତ କେବେ ମେଳା ମଉଛବ ଓ ପ୍ରଦର୍ଶନୀ ପାଇଁ ।
ଆଜିକାଲି ତ କଳାପ୍ରେମୀ ମାନେ ବମ୍ବେ ଦିଲ୍ଲୀରୁ ଆସି କାମ ନେଇ ଯାଉଛନ୍ତ । ତେଣୁ ଯେନତେନ ପ୍ରକାରେ ପେଟ ପାଟଣା ଚଳିଯାଉଛି । ତାଙ୍କ କହିବା ଅନୁସାରେ; ତାଙ୍କରି ଗାଁର କୋଡ଼ିଏ ବାଇଶି ଘର କେବଳ ଏଯାଏଁ ଧାନ ମୂର୍ତ୍ତି ତିଆରି କାମ କରୁଛନ୍ତି । ତାଙ୍କ ବାପା ପୁନୁ ମାଝି ଓ ଜେଜେବାପା ମୁଦି ମାଝି ବି ଏଇ କାମ କରୁଥିଲେ । କାମଟି କେବଳ ତାଙ୍କରି ପରିବାର ଆଗରୁ କରୁଥିଲେ । ପରେ ଭାଇ ଭଗାରି ଓ ପିଲା କବିଲା ବଢ଼ିବାରୁ ଏବେ ସେଇ ଗୋଟେ ପରିବାର ବଢ଼ି ବଢ଼ି କୋଡ଼ିଏ ହେଲାଣି । ଏବେ ଚନ୍ଦ୍ରସୋଣା ମାଝି ପତ୍ନୀ ଧନେଇ ମାଝିଙ୍କୁ ଧରି ବିଭିନ୍ନ ପ୍ରଦର୍ଶନୀକୁ ଆସିଲେଣି । କିନ୍ତୁ ତାଙ୍କ ବାପା ଜେଜେବାପାଙ୍କ ଅମଳରେ ସେସବୁ ନଥିଲା ।
ଆଗକାଳେ ଗାଁରେ ପୂଜା ପାଇଁ ଧାନ ମୂର୍ତ୍ତି ଦରକାର ହେଉଥିଲା ଯାହା । ତେଣୁ ଧାନରେ ତିଆରି ହେଉଥିଲେ ଲକ୍ଷ୍ମୀ, ଗଣେଷ, ସରସ୍ୱତୀ । ଯେଉଁ ମାନଙ୍କର ମୂର୍ତ୍ତି ଦରକାର ହୁଏ ସେମାନେ ଆସି କାରିଗର ଘରୁ ନେଇଯାଆନ୍ତି ନହେଲେ ମୂର୍ତ୍ତି ଧରି ଯିବାକୁ ହୁଏ ହାଟକୁ । ଖଟୁଳିରେ ତିନି ମୂର୍ତ୍ତି ଲକ୍ଷ୍ମୀ, ଗଣେଷ, ସରସ୍ୱତୀଙ୍କୁ ଧରି ବିକି ବାହାରନ୍ତି ମୁଦି ମାଝି । ଆଉ ଯାହା ଘରେ ଲକ୍ଷ୍ମୀ ସ୍ଥାପନା ହେବାର ଥାଏ ସେମାନଙ୍କ ଘରକୁ ଯାଇ ଲକ୍ଷ୍ମୀ ତୁଷ୍ଟି କରି ଆସନ୍ତି । ଧାନ ମୂର୍ତ୍ତି ଅନେକ ଭାବରେ ପୂଜା ପାଠ ଓ ଧର୍ମୀୟ ବିଶ୍ୱାସ ସହ ସମ୍ପୃକ୍ତ । ଲୋକେ ଧାନକୁ ଅନ୍ନ ଓ ସୂତାକୁ ବସ୍ତ୍ର ସହ ତୁଳନା କରନ୍ତି । ଆଉ ଲକ୍ଷ୍ମୀଙ୍କୁ ଧନଧାନ୍ୟର ପ୍ରତୀକ । ତେଣୁ ସମୃଦ୍ଧି ସହ ଏହାକୁ ଯୋଡ଼ାଯାଏ ।
ମୁଁ ଯେବେ ପ୍ରଥମ ଥର ଧାନ ମୂର୍ତ୍ତି ଦେଖିଥିଲି ଗୋଟେ ପ୍ରଦର୍ଶନୀରେ ସେବେ ଆଶ୍ଚର୍ଯ୍ୟ ଲାଗିଥିଲା । ବେଞ୍ଚ ଉପରେ ବିଭିନ୍ନ ଆକାରର ଗଣେଷ ମୂର୍ତ୍ତି ସହ ସଜା ହୋଇ ରହିଥାଏ ଧାନରେ ତିଆରି ହାତୀ, ଫୁଲଦାନୀ, ମୟୁର, କାନଫୁଲ ଆଦି ରକମ ରକମର ଜିନିଷ । ତଳେ ଚକା ପାରି ବସିଯାଇଥାଆନ୍ତି ଧନେଇ ମାଝି । ବୁଣି ଚାଲିଥାଆନ୍ତି ଧାନ ଝିଙ୍କା ସବୁ । ସେଇ ଧାନ ଝିଙ୍କା କୁ ନେଇ ମୂର୍ତ୍ତି ଗଢ଼ୁଥାଆନ୍ତି ଚ୍ଦ୍ରସେଣା ମାଝି । କାରିଗରଙ୍କର ଏଇଟା ଗୋଟେ ଭଲ ଗୁଣ, ସେମାନେ କାମ କରିଚାଲିଥାଆନ୍ତି । ଏମିତିରେ ବର୍ଷସାରା ଧାନ କାମ ଚାଲେ ଗାଆଁରେ । ସ୍ତ୍ରୀ ଲୋକମାନେ ଧାନ ବୁଣିବା କାମ କରନ୍ତି ଓ ମୂର୍ତ୍ତି ଗଢ଼ନ୍ତି ପୁରୁଷମାନେ । କେବେ କାହାର ଅଧିକ ବୁଣା ହୋଇଥିବା କାଠି ଦରକାର ପଡ଼ିଲେ ପାଖ ପଡ଼ିଶାର ସ୍ତ୍ରୀ ଲୋକଙ୍କୁ କାଠି, ଧାନ ଓ ସୂତା ଦେଇଦେଲେ ସେମାନେ ବୁଣିଦିଅନ୍ତି । କାଠି ପିଛା ନିଅନ୍ତି ୫ ଟଙ୍କା । ବୁଣିବାଟା ହିଁ ସମୟ ସାପେକ୍ଷ ବେଶୀ । ଅସୀମ ଧୈର୍ଯ୍ୟର ଆବଶ୍ୟକତା ଥାଏ ଏଥିଲାଗି ।
ମୁଖ୍ୟତଃ ଅବିଭକ୍ତ କୋରାପୁଟ ଜିଲ୍ଲାର ଆଦିବାସୀ ସମ୍ପ୍ରଦାୟର ଲୋକେ ଏଇ ଧାନ ମୂର୍ତ୍ତି ଗଢ଼ିବା କାମ କରନ୍ତି । କଳାହାଣ୍ଡି, ବଲାଙ୍ଗିର ଆଦି ଜିଲ୍ଲାରେ ମଧ୍ୟ କିଛି ଲୋକ ଏଇ କାମ କରିବାର ଶୁଣାଯାଏ । କୌଣସି ଔପଚାରିକ ଉପକରଣର ଆବଶ୍ୟକତା ହୁଏନି ଧାନ ମୂର୍ତ୍ତି ଗଢ଼ିବାକୁ । ଧାନ ମୂର୍ତ୍ତି ପାଇଁ କାରିଗର ମାନେ ଚାଷ କରନ୍ତି ଏକ ସ୍ୱତନ୍ତ୍ର ପ୍ରକାରର ଧାନ । ନାଁ ତା’ର ସପୁରୀ ଧାନ । ଏଇ ବର୍ଷା ଦିନେ ଅନ୍ୟ ଧାନ ସାଙ୍ଗରେ ସପୁରୀ ଧାନ ବି ଚାଷ ହୁଏ ।
କିଛି ଖାଇବା ପାଇଁ ଓ ବାକି ଧାନକାମର କଳା କରିଗରୀ ପାଇଁ । ସପୁରୀ ଧାନଟି ଦେଖିବାକୁ ଲମ୍ବା । ଧାନ ଅମଳ ହେବା ପରେ ମୂର୍ତ୍ତି ପାଇଁ ଆବଶ୍ୟକ ଧାନକୁ ପ୍ରଥମରୁ ଅଲଗାକରି ରଖିଦିଆଯାଏ । ତାକୁ ଭଲରେ ଶୁଖାଇବା ପରେ କେବେ ଥରେ ଖରା ପାଗ ଦେଖି ଅଳ୍ପ ହଳଦି ପାଣିରେ କିଛି ସମୟ; ପ୍ରାୟ କୋଡ଼ିଏ ତିରିଶ ମିନିଟ୍ ଭିଜେଇ ରଖାଯାଏ । ଉଦ୍ଦେଶ୍ୟ, ଯେମିତିକି ସେଥିରେ ଆଉ ପରେ ପୋକ ନଲାଗିବେ । ତାପରେ ତାକୁ କଡା ଖରାରେ ଶୁଖେଇ ରଖାଯାଏ ।
କାମ ପାଇଁ ବ୍ୟବହୃତ ହେଉଥିବା ବାଉଁଶକୁ ଲୋକେ ସେଠି ପାଣି ବାଉଁଶ କୁହଁନ୍ତି । ସେ ବାଉଁଶକୁ ଯେତେ ମୋଡ଼ିଲେ, ବଙ୍କା ଟଙ୍କା କଲେବି କିଛି ଅସୁବିଧା ନାହିଁ । ଏ ପ୍ରକାର ବାଉଁଶର ନହକା ପଣ ଅଧିକା । କାଠି ଆଉ ଧାନ ପ୍ରସ୍ତୁତ ହୋଇଗଲା ପରେ ଆରମ୍ଭ ହୁଏ ବୁଣା କାମ । କାଠିର ଉଭୟ ପାଶ୍ୱର୍ରେ ଧାନକୁ ସମାନ୍ତରାଳ କରି ଧରି ସୂତାରେ ବୁଣିବାକୁ ହୁଏ । ଘରେ ସିଲେଇପତ୍ର କରୁଥିବା ସାଧାରଣ କପା ସୂତା ବ୍ୟବହାର କରାଯାଏ । ରଙ୍ଗ ବେରଙ୍ଗର ସୂତା ସବୁ । କେତେବେଳେ ନାଲି, ହଳଦି, ସବୁଜ ଆଦି ଗୋଟିଏ ରଙ୍ଗର ସୂତାରେ କାମ ହୁଏ ତ କେତେବେଳେ ବିଭିନ୍ନ ରଙ୍ଗର ସୂତାକୁ ମିଶାଇ । ସୂତାର ରଙ୍ଗରେ ରଙ୍ଗୀନ୍ ଦିଶେ ମୂର୍ତ୍ତି ସବୁ । ଗୋଟେ ପରେ ଗୋଟେ ଧାନ ଦେଇ ହାତେ ଲମ୍ବର କାଠି ସବୁ ତିଆରି ସାରିଲା ବେଳକୁ ସଞ୍ଜ ବୁଡ଼ିଯାଏ । ଖୁବ୍ ଧୈର୍ଯ୍ୟ ଦରକାର ହେଇଥାଏ କାମ ପାଇଁ ।
କିଛି ଦିନ ତଳେ ଦିଲ୍ଲୀରୁ ଭୁବନେଶ୍ୱରର ଆସିଥିବା ଶିଳ୍ପୀ ଶର୍ମିଳା ସାମନ୍ତଙ୍କର ଗୋଟେ ସାକ୍ଷାତକାର ନେବା ଅବସରରେ ଜାଣିବାକୁ ପାଇଥିଲି ଯେ ସେ ସିଡନି ବିନାଲେ ପାଇଁ ବଲାଙ୍ଗୀରରେ ଧାନକାମ କରୁଥିବା କାରିଗରମାନଙ୍କ ପାଖରୁ କିଛି କାମ କରେଇ ନେଇଥିଲେ । ବେଶ୍ ବଡ଼ ବଡ଼ ଆକାରର ଫଣା ଟେକି ରହିଥିବା ପୁଳାଏ ଧାନରେ ତିଆରି ସାପ ସିଡନି ବିନାଲେରେ ପ୍ରଦର୍ଶିତ ହୋଇଥିଲା । ଏଥିରେ ବଲାଙ୍ଗୀରର ଧାନ କାରୀଗରଙ୍କର କଳା କୌଶଳ ଓ ଜିନିଷ ବ୍ୟବହାର କରାଯାଇଥିଲେ ମଧ୍ୟ ପୁରା ଇନଷ୍ଟଲେସନଟି ଶର୍ମିଳାଙ୍କର ଧାରଣା ଉପରେ ପର୍ଯ୍ୟବେସିତ ଥିଲା ।
ଆଜିକାଲି ଧାନରେ ମୂର୍ତ୍ତି ବ୍ୟତୀତ ପଶୁ, ପକ୍ଷୀ, ଫୁଲ, କାନଫୁଲ, ହାର, ଚୁଡ଼ି ଓ ସଜାସଜି ଜିନିଷ ସବୁ ଭାରତୀୟ କ୍ରାଫ୍ଟର ଆନ୍ତର୍ଜାତୀୟ ଚାହିଦାକୁ ଲକ୍ଷ୍ୟ କରି ତିଆରି ହେଲାଣି । ତଥାପି ଓଡ଼ିଶାର ଅନ୍ୟ କ୍ରାଫ୍ଟ ପରି ଏହା ଏତେ ପପୁଲାର୍ ହୋଇନି ଏଯାଏଁ । ଏହାକୁ ନେଇ ନୂଆ ନୂଆ ଡିଜାଇନ୍ କରାଯାଇ ପାରିବାର ଅନେକ ସମ୍ଭାବନା ଅଛି । ତେବେ ଏହାର ଆରମ୍ଭ ସମ୍ପର୍କରେ ଗବେଷଣା ହେବା ମଧ୍ୟ ଜରୁରୀ ।