ଭାରତୀୟ ଭାଷାରେ ଅଁଳାର ନାମ: ଓଡ଼ିଆ = ଅଁଳା; ହିନ୍ଦୀ = ଆଁବଳା; ସଂସ୍କୃତ= ଧାତ୍ରୀ, ବଙ୍ଗଳା= ଆମଳକି; ଆମଲା, ଅମୃତଫଳ; ତେଲୁଗୁ= ଭସରକୀୟା; ବୈଜ୍ଞାନିକ ନାମ= ଉମିଳିକା ଅଫିସି ନାଲିସ୍।
ବନସ୍ପତିର ପରିଚୟ: ଅଁଳା ଗଛ ଭାରତରେ ପ୍ରାୟ ସର୍ବତ୍ର ଦେଖାଯାଏ। ପୂର୍ବ ଓଡ଼ିଶା ଅପେକ୍ଷା ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ଅଧିକ ଅଁଳା ଉତ୍ପନ୍ନ ହୁଏ। ଏହି ଗଛଟି ମଧ୍ୟମ ଧରଣର ଉଚ୍ଚତା ଓ ଗହଳ। ଉଚ୍ଚତାରେ ପ୍ରାୟ ୨୦ରୁ ୨୫ ଫୁଟ ହୋଇଥାଏ। ପତ୍ରଗୁଡ଼ିକ ତେନ୍ତୁଳି ପତ୍ର ପରି ହୋଇଥାଏ। ଫଳଗୁଡ଼ିକ ଗୋଲାକାର, ବାହ୍ୟ ଆବରଣରେ ଛଅଟି ରେଖା ଥାଏ— ଭାଙ୍ଗି ଦେଲେ ଛଅଖଣ୍ଡ ହୋଇଯାଏ। ଅଁଳାର ଏହି ଆବରଣ ହେଉଛି ଔଷଧ। ତା ବ୍ୟତୀତ ତାର ମଞ୍ଜି ମଧ୍ୟ ପିତ୍ତାଦି ରୋଗରେ ବ୍ୟବହୃତ ହୁଏ।
Also Read
ଗୁଣାଗୁଣ ପରୀକ୍ଷା ଓ ସଂରକ୍ଷଣ: ଅଁଳା ଫଳ ଅକ୍ଟୋବରରୁ ଅପ୍ରେଲ ମାସ ମଧ୍ୟରେ ମିଳିଥାଏ। ସ୍ୱାଦରେ ଏହା ଅଳ୍ପ ଖଟା ଏବଂ କଷା ହୋଇଥାଏ। ଯଥାସମ୍ଭବ ଏହାର ପାଚିଲାଫଳ ଔଷଧରୂପେ ବ୍ୟବହାର କଲେ ଅଧିକ ଲାଭ ମିଳିଥାଏ। ଫଳଗୁଡ଼ିକ ମାଘ ଫଗୁଣରେ ସଂଗ୍ରହ କରି ଛାଇରେ ଶୁଖାଇ ଶୀତଳ ସ୍ଥାନରେ ରଖିବା ଉଚିତ। ଖରାରେ ଶୁଖାଇଲେ ଏଥିରେ ଥିବା ଭିଟାମିନ୍-ସି ନଷ୍ଟ ହୋଇଯାଏ। ବିଶେଷଜ୍ଞଙ୍କ ମତରେ ସଂଗୃହୀତ ଅଁଳା ଏକବର୍ଷ ପର୍ଯ୍ୟନ୍ତ ବ୍ୟବହାର କରାଯାଇପାରେ। ଅଁଳା କିଣିଲା କଲାବେଳେ ତାହା ନୂଆ କିମ୍ବା ପୁରୁଣା ପରଖିବା ଉଚିତ।
ଆସନ୍ତୁ ଜାଣିବା ଏହିସବୁ ରୋଗ ପାଇଁ କେମିତି କରିବେ ଅଁଳାର ପ୍ରୟୋଗ।
କେଶ ସମସ୍ୟା: ମହର୍ଷି ଚରକ ଲେଖିଛନ୍ତି- ରାଶି, ଅଁଳା, ପଦ୍ମକେଶର ଓ ଯଷ୍ଟିମଧୁ ଚୂର୍ଣ୍ଣକୁ ମହୁରେ ଗୋଳେଇ, ଶିରରେ ମାଲିସ୍ କଲେ, କେଶ ପୁଷ୍ଟ ହୋଇ ବୃଦ୍ଧି ପାଇଥାଏ। ଏଥିସହିତ ଅଁଳା ଓ ଗୁଡ଼ ସମ ପରିମାଣରେ ମିଶାଇ ସେବନ କଲେ କେଶ ଉପୁଡ଼ିବା ଓ ପାଚିବା ମଧ୍ୟ ଭଲ ହୋଇଯାଏ। ତା ସହିତ ଅଣ୍ଟାବିନ୍ଧା ମଳକବଜ ମଧ୍ୟ ଦୂର ହୁଏ।
କେଶ ପାଚିବା ଓ ଝଡ଼ିବା: ଅଁଳା ସହିତ କଳାରଙ୍ଗର ରାଶି ଏବଂ ତା ସହିତ ଭୃଙ୍ଗରାଜ ପତ୍ର (ଯଦି ଏହି ପତ୍ର ନମିଳିବ ତେବେ କେଶଦୁଦୁରା ପତ୍ର ନିଆଯାଇ ପାରିବ) ସମାନ ଭାବରେ ବାଟି ନିୟମିତ ପାନ କଲେ ଶରୀର ରୋଗମୁକ୍ତ, ଇନ୍ଦ୍ରିୟଗଣ ବିମଳ ଏବଂ କେଶ କୃଷ୍ଣବର୍ଣ୍ଣ ହୁଏ। ସେହିପରି ଅଁଳା ରସ ନିୟମିତ ପାନ କଲେ ଅକାଳରେ କେଶ ପାଚିବା ବନ୍ଦ ହୋଇଯାଏ।
ନପୁଂସକତା ଦୂର ପାଇଁ: ପ୍ରତ୍ୟହ ୩ ଗ୍ରାମ ଅଁଳାଚୂର୍ଣ୍ଣକୁ ସକାଳେ ସନ୍ଧ୍ୟାରେ ମହୁ ସହିତ ଚାଟି ଚାଟି ଖାଇ ଅଳ୍ପ ପାଣି ପିଇବେ। ଘଣ୍ଟାକ ପରେ ଅଧଲିଟର ଧାରୋଷ୍ଣ କ୍ଷୀର ପାନ କରିବ। ଏହାଦ୍ଵାରା ବୀର୍ଯ୍ୟ ଗାଢ଼ ହୋଇ ଶୀଘ୍ର ପତନ ଏବଂ ନପୁଂସକତା ଦୋଷ ଦୂର ହୁଏ। ଏହା ମଧ୍ୟ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ।
ଶ୍ଵାସରୋଗ/ଆଜମା: ଅଁଳା ଏବଂ ଏହାର ମଞ୍ଜିକୁ ୧୨ ଘଣ୍ଟା ପାଣିରେ ଭିଜାନ୍ତୁ। ସକାଳୁ ଏହି ପାଣିକୁ ପିଅନ୍ତୁ। ଏହା ଆଜମା ରୋଗ ପାଇଁ ପଳପ୍ରଦ। ସେହିପରି ଅଁଳାଚୂର୍ଣ୍ଣକୁ ମହୁ ସହିତ ଚାଟି ଚାଟି ଖାଇଲେ ଏହା ଶ୍ୱାସରୋଗ ପାଇଁ କାମ ଦେଇଥାଏ। ବିଶେଷକରି ଅଁଳା ମଞ୍ଜି ଆଜମା ରୋଗକୁ ଭଲ କରିବାଲେ ସହାୟତା ହୁଏ।
:ନାକରୁ ରକ୍ତ ପଡ଼ିଲେ ଅଁଳାକୁ ଘିଅରେ ଭାଜି ପାଣିରେ ବାଟି ମୁଣ୍ଡରେ ବହୁଳ କରି ଲେପ ଦେଲେ ନାକରୁ ରକ୍ତ ପଡ଼ିବା ବନ୍ଦ ହୋଇଯାଏ। ଏଥିସହିତ ଅଁଳାରସ ଦିନକୁ ୩/୪ଥର ପାନ କରନ୍ତୁ।
କାଶ: ୧ ଭାଗ ଅଁଳାଚୂର୍ଣ୍ଣକୁ ୪ ଭାଗ କ୍ଷୀରରେ ରାନ୍ଧି ବା ପାକ କରି, ୧୨ରୁ ୨୪ ମିଲି.ଲି. ସହ ସମାନ ପରିମାଣରେ ଘିଅ ମିଶାଇ ଦିନକୁ ୨ଥର ସେବନ କରନ୍ତୁ। ଆଉ ଯଦି ଶ୍ଵାସ ଓ କାଶ ଉଭୟ ଅଛି, ତେବେ ଅଁଳା ରସ ଏକତୋଳା ସହିତ ମହୁ ଏକତୋଳା ଏବଂ ପିପ୍ପଳିଚୂର୍ଣ୍ଣ ଅଣାଏ ଓଜନର ମିଶାଇ ସେବନ କଲେ ଶ୍ଵାସ କାଶର ବେଦନା ଦୂର ହୁଏ।
ମିଳିମିଳା: ଅଁଳାକୁ ସିଝାଇ ସେଇ କ୍ୱାଥ ୨ରୁ ୪ ଚାମଚ କରି ପିଲାଙ୍କୁ ବାରମ୍ବାର ଦେଲେ ମିଳିମିଳା ପରେ ହେଉଥିବା ନାଳରକ୍ତ ଝାଡ଼ା ଆଦି ସମସ୍ତ ଲକ୍ଷଣ ଦୂର ହୁଏ।
ନାଳଝାଡ଼ା, ପେଟବିନ୍ଧା: ଅଁଳାରସ, ପୋସ୍ତକ ବଟା ଏବଂ ଚିନି ମିଶାଇ ସେବନ କଲେ ନାଳଝାଡ଼ ଓ ପେଟ ବିନ୍ଧା ରୋଗ ଭଲ ହୋଇଯାଏ।
ରକ୍ତହୀନତା ପାଇଁ: ଅଁଳାକ ପାଣିରେ ବତୁରାଇ କିମ୍ବା ସିଝାଇ ସେଥସହିତ ୨୦ ଗ୍ରାମ ଶତାବରୀ ଚର୍ଷ ବା ରସ ମିଶାଇ ତାକୁ ଚିନି ଏବଂ ଗାଈ କ୍ଷୀରରେ ଗୋଳି ପାନ କରିବେ । ବର୍ଭାବସ୍ଥାରେ ଭିଟାମିନ୍ ‘ସି’ର ଯେଉଁ ଆବଶ୍ୟକତା ଅଛି ଅଁଳା ତାକୁ ପୂରଣ
ହୃଦ୍ରୋଗ: ଅଁଳା ହେଉଛି ହୃଦ୍ରୋଗ ବା ହାର୍ଟ ଆଟାକ ପାଇଁ ମହୌଷଧି ପରି କାମ କରିଥାଏ। ଅଳ୍ପ କିଛି ଅଁଳା ଚୂର୍ଣ୍ଣକୁ (ସୁଉକି ଓଜନର) ଦୈନିକ ସକାଳେ ଓ ସନ୍ଧ୍ୟାରେ ମହୁ ସହିତ ମିଶାଇ ଖାଆନ୍ତୁ, ଏହା ହୃଦରୋଗ ପାଇଁ ରାମବାଣ ପରି କାମ କରିଥାଏ।
ଅପରେସନ୍ ପରେ: ସାଧାରଣତଃ କୌଣସି ଅପରେସନ୍ କରାଗଲେ, ଏହାପରେ ରୋଗୀର ଦୁର୍ବଳ ଅବସ୍ଥା ଲାଗି ରହିଥାଏ। ଏହାକୁ ଦୂର କରିବା ପାଇଁ ଅଁଳା ରସ ଏକ ମୂଲ୍ୟବାନ ଟନିକ ପରି କାମ କରିଥାଏ।
ଅଧିକ ଝାଳ ବୋହିଲେ: ଅଁଳାକୁ ବାଟି ଦେହରେ ଲଗାନ୍ତୁ। ଅଁଳା ରସରେ ମିଶ୍ରି ମିଶାଇ ସର୍ବତ କରି ପିଅନ୍ତୁ। ହାତ ପାପୁଲି ଓ ପାଦରୁ ଅଧିକ ଝାଳ ବୋହୁଥିଲେ, ଅଁଳା ଚୂର୍ଣ୍ଣ ତିନିଗ୍ରାମ ଦିନକୁ ଦୁଇଥର ସକାଳେ ଓ ସନ୍ଧ୍ୟାରେ ସେବନ କରନ୍ତୁ। ସେହି ରସରେ ଦିନକୁ ୫/୭ଥର ହାତ ପାଦକୁ ଧୁଅନ୍ତୁ। ଦେଖିବେ ଏହି ସମସ୍ୟା ଦୂର ହୋଇଯିବ।
ପରିସ୍ରା ପୋଡୁଥିଲେ: ଅଁଳା ରସ ୧୦ ଗ୍ରାମ ସହିତ ମିଶ୍ରି ମିଶାଇ ସର୍ବତ କରି ପିଅନ୍ତୁ। ସଙ୍ଗେ ସଙ୍ଗେ ପରିସ୍ରା ପୋଡ଼ା ବନ୍ଦ ହୋଇଯିବ। ରକ୍ତ ପରିସ୍ରା ହେଉଥିଲେ ତିନିତୋଳା ଅଁଳାରସ ସହିତ ତିନିତୋଳା ଆଖୁରସ ଏବଂ ୧ ଚାମଚ ମହୁ ମିଶାଇ ପାନ କରନ୍ତୁ।
ମାନସିକ ଅସ୍ଥିରତା: ୨୦ ମିଲି ଲିଟର ଅଁଳା ରସରେ ୧ ଚାମଚ ମହୁ ମିଶାଇ ନିୟମିତ ସକାଳୁ ଖାଲି ପେଟରେ ପାନ କଲେ ମାନସିକ ଅସ୍ଥିରତା ସହିତ ଥଣ୍ଡା ସର୍ଦ୍ଦି ମଧ୍ୟ ବଲ ହୋଇଯାଏ। ଏହି ପ୍ରୟୋଗ ଫଳରେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ।
(ଏହିସବୁ ଆୟୁର୍ବେଦିକ ପ୍ରୟୋଗ ପୂର୍ବରୁ ଡାକ୍ତରଙ୍କଠାରୁ ସିଧାସଳଖ ପରାମର୍ଶ ନେବା ଉଚିତ। କାରଣ ଆୟୁର୍ବେଦରେ ଭାଗମାପ ଏପଟସେପଟ ହେଲେ ସମସ୍ୟା ସୃଷ୍ଟି ହୋଇଥାଏ)