Odisha High Court: ଏତଲା ରଦ୍ଦ କରିବାକୁ ମନାକଲେ ହାଇକୋର୍ଟ, ଅଡୁଆରେ ଓକିଲ

ଜାମିନ୍ ପାଇଁ ହାଇକୋର୍ଟ ଜଜଙ୍କୁ ଲାଞ୍ଚ ଦିଆଯିବ ବୋଲି ମହକିଲଙ୍କୁ କହି ଅଡୁଆରେ ପଡିଛନ୍ତି ଜଣେ ଓକିଲ । ଏହି ଓକିଲଙ୍କ ବିରୋଧରେ ରୁଜୁ ହୋଇଥିବା ଏତଲା ଖାରଜ ପାଇଁ କରାଯାଇଥିବା ଆବେଦନକୁ ହାଇକୋର୍ଟ ରଦ୍ଦ କରିଦେଇଛନ୍ତି । ତାଙ୍କ ବିରୋଧରେ କେସ୍ ଚାଲିବ ।

ଓକିଲଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ

ଜଣେ ଓକିଲଙ୍କ ବିରୋଧରେ ରୁଜୁ ହୋଇଥିବା ଏକ ଏତଲାକୁ ରଦ୍ଦ କରିବାକୁ ମନା କରି ଦେଇଛନ୍ତି ଓଡ଼ିଶା ହାଇକୋର୍ଟ । ସ୍ପଷ୍ଟ ଭାବେ କହିଛନ୍ତି, କେବଳ ତଦନ୍ତ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି ବୋଲି ନୁହେଁ ହାଇକୋର୍ଟର ଜଣେ ପୂର୍ବତନ ବିଚାରପତିଙ୍କ ନାଁ ନେଇ ଭାବମୂର୍ତ୍ତି କ୍ଷୁର୍ଣ୍ଣ କରାଯାଇଥିବାରୁ ଏତଲାକୁ ଖାରଜ କରାଯିବ ନାହିଁ । ମାମଲାର ବିବରଣୀ ଅନୁଯାୟୀ, ଜଣେ ଓକିଲ ହାଇକୋର୍ଟରେ ତାଙ୍କ ମହକିଲଙ୍କ ଜାମିନ କରାଇଦେବା ପାଇଁ ୧୬ ଲକ୍ଷ ଟଙ୍କା, ସୁନା ଚେନ୍ ଓ ବ୍ରେସଲେଟ୍ ନେଇଛନ୍ତି ।

କଥା ଏତିକିରେ ସରିନାହିଁ, ଏହି ଜାମିନ୍ କରାଇ ଦେବା ପାଇଁ ଜଜ୍‌ଙ୍କୁ ଲାଞ୍ଚ ଦେବାକୁ ପଡିବ ବୋଲି କୁଆଡେ କହିଥିଲେ । କିନ୍ତୁ ଜାମିନ ନ ମିଳିବାରୁ ମହକିଲ ଓକିଲଙ୍କୁ ଏହି ଅର୍ଥ ରାଶି ମାଗିଥିଲେ । କିନ୍ତୁ ଓକିଲ ଆଉ ତାଙ୍କ କଥା ଶୁଣିନଥିଲେ । ପରେ ମହକିଲ ଜଣକ ଓକିଲଙ୍କ ନାଁରେ ଏତଲା ଦେଇଛନ୍ତି । ଏହି ଏତଲାକୁ ଖାରଜ କରିବାକୁ ସଂପୃକ୍ତ ଓକିଲ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତେବେ ହାଇକୋର୍ଟ ଏହାକୁ ଏକ ଗୁରୁତର ଘଟଣା କହି ଏତଲା ଖାରଜ କରିବାକୁ ମନା କରିଦେବା ସହ ୧୦ ହଜାର ଟଙ୍କା କଷ୍ଟ୍ କରିଛନ୍ତି ।

ମହକିଲଙ୍କ ଅଭିଯୋଗ ଅନୁସାରେ ରାଜ୍ୟ ବାର୍ କାଉନସିଲ୍ ତଦନ୍ତ କରିବାକୁ ମଧ୍ୟ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟ କହିଛନ୍ତି. ଏହା ଏକ ସାଧାରଣ ଘଟଣା ନୁହେଁ । ଅଭିଯୋଗକାରୀ ଜଣେ ଓକିଲଙ୍କ ସାମାଜିକ ପ୍ରତିଷ୍ଠା ବିଷୟରେ ଅବଗତ ଅଛନ୍ତି । ଜଣେ ସାଧାରଣ ଲୋକ ଜଣେ ଓକିଲ ବା ଜଜଙ୍କ ବିରୋଧରେ ଏଭଳି ଅଭିଯୋଗ କରିବାକୁ ସାଧାରଣତଃ ସାହସ କରିନପାରେ । କାରଣ ସେ ଭଲଭାବେ ଜାଣିଛନ୍ତି, ଯଦି ଏହା ଭୁଲ୍ ପ୍ରମାଣିତ ହୁଏ, ଏହାର ପରିଣାମ ଭୟଙ୍କର ହେବ ।

ଜଜଙ୍କୁ ଲାଞ୍ଚ ଦିଆଯିବ କହିଥିଲେ ?

କଟକରେ ତଳ କୋର୍ଟରେ ଏହି ଓକିଲଙ୍କ ବିରୋଧରେ ମହକିଲ ରୁଜୁ କରିଥିବା କ୍ରିମିନାଲ୍ କେସ୍ ବିଚାରାଧୀନ ଅଛି । ଏତଲା ଅନୁସାରେ, ଓପିଆଇଡି ମାମଲାରେ ଗିରଫ ହୋଇଥିବା ଜଣେ ଅଭିଯୁକ୍ତଙ୍କ ଜାମିନ ପାଇଁ ଏହି ଓକିଲଙ୍କୁ ସେ ନିଯୁକ୍ତି ଦେଇଥିଲେ । ମହକିଲଙ୍କ ପତ୍ନୀ ଦାବି କରୁଛନ୍ତି ଯେ, ଓକିଲଙ୍କ କଥା ଅନୁସାରେ ସେ ଭୁବନେଶ୍ୱରରେ ଜଣେ ବ୍ୟକ୍ତିଙ୍କୁ ୧୬ ଲକ୍ଷ ୩୫ ହଜାର ଟଙ୍କା ଦେଇଛନ୍ତି । ଓକିଲଙ୍କୁ ୬୫ ଗ୍ରାମର ଏକ ସୁନା ଚେନ୍ ଓ ୫୦ ଗ୍ରାମର ଏକ ସୁନା ବ୍ରେସଲେଟ୍ ଦେଇଛନ୍ତି । ବେଲ୍ ମ୍ୟାଟର ପଡୁଥିବା କୋର୍ଟର ଜଣେ ଜଜଙ୍କ ଝିଅ ବାହାଘର ପାଇଁ ଏହା ଦିଆଯିବ ବୋଲି ସଂପୃକ୍ତ ଓକିଲ କୁଆଡେ ତାଙ୍କୁ କହିଥିଲେ । ଓକିଲଙ୍କୁ ତାଙ୍କ କଥା ଅନୁସାରେ ଲ୍ୟାଣ୍ଡ୍ ଡିଡ୍ ମଧ୍ୟ କରାଯାଇଥିବା ଅଭିଯୋଗ ହୋଇଛି । ହାଇକୋର୍ଟରେ ଜାମିନ ନାମଞ୍ଜୁର ହୋଇଯିବା ପରେ ପୁଣି ଏକ ପିଟିସନ୍ ପାଇଁ ଓକିଲ ଜଣକ ଅଧିକ ୧୬ ଲକ୍ଷ ଟଙ୍କା ମାଗିଥିଲେ ବୋଲି ଦର୍ଶାଇଛନ୍ତି ଏତଲାକାରୀ । କିନ୍ତୁ ଯେତେବେଳେ ମହକିଲ କେସ୍ ଫାଇଲ୍ ଓ ଟଙ୍କା ଫେରାଇ ଦେବା ପାଇଁ କହିଥିଲେ, ଓକିଲ ଜଣକ ତାଙ୍କୁ ମିଥ୍ୟା କେଶରେ ଫସାଇଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି । ପରେ ଅଭିଯୁକ୍ତଙ୍କ ପତ୍ନୀ ଏକ କ୍ରିମିନାଲ୍ କେସ୍ କରିଥିଲେ ।

ସାଧୁତା ବଜାୟ ରଖିବାକୁ ପରାମର୍ଶ

ଏହି ମାମଲାର ଶୁଣାଣି ବେଳେ ହାଇକୋର୍ଟ କହିଛନ୍ତି, କେସ୍ ଲଢୁଥିବା ଓକିଲମାନେ କେବଳ କୋର୍ଟର ଅଫିସର ନୁହଁନ୍ତି ସମାଜରେ ଆଇନର ଆମ୍ବାସଡର୍ ମଧ୍ୟ । ତେଣୁ ଓକିଲମାନେ ବୃତ୍ତିଗତ ନିଷ୍ଠା ଓ ସାଧୁତା ବଜାୟ ରଖିବା ଉଚିତ । ହାଇକୋର୍ଟ ଏ କଥା ମଧ୍ୟ କହିଛନ୍ତି, ନୈତିକ କର୍ତ୍ତବ୍ୟ ଭାବେ ଜଣେ ଜଜଙ୍କ ଠାରୁ ଜଣେ ଓକିଲ କିଛି ବି ଫେଭର୍ ବା ପକ୍ଷପାତିତା ଆଶା କରିବା ଉଚିତ ନୁହେଁ । ଯଦି ଜଣେ ଓକିଲ ଜଣେ ଜଜ୍ ବା ସହକର୍ମୀଙ୍କ ମର୍ଯ୍ୟାଦାରେ ଆଞ୍ଚ ଆସିଲା ଭଳି କିଛି କରନ୍ତି, ପୂରା ନ୍ୟାୟ ବ୍ୟବସ୍ଥା ଉପରେ ତାର ପ୍ରଭାବ ପଡିବ । ଏହି ଘଟଣା ଓଡିଶା ଇତିହାସରେ ବୋଧହୁଏ ପ୍ରଥମ ଘଟଣା ହୋଇପାରେ, ଯେଉଁଠି ଜଣେ ଓକିଲଙ୍କ ବିରୋଧରେ ଲାଞ୍ଚକୁ ନେଇ ଏଭଳି ଅଭିଯୋଗ ସାମ୍ନାକୁ ଆସିଛି ।