Advertisment

ମନରୁ ଯାଇନି ବାହାନଗା ! ପୁଣି ଘଟିଲା ଦୁର୍ଘଟଣା, ଉଜୁଡ଼ିଗଲା ଅନେକ ପରିବାର

ଦ୍ରୁତ ଉଦ୍ଧାର ଓ ପୁନରୁଦ୍ଧାର ପାଇଁ ବଞ୍ଚିଗଲା ବହୁ ଜୀବନ । ଅପରାହ୍ନରେ ସ୍ବାଭାବିକ ହେଲା ଟ୍ରାକ୍ ।

undefined

Train Tragedy

Advertisment

ପୁଣି ଏକ କାଳ ସଂଧ୍ୟା । ପୁଣି ଏକ ଛାତିଥରା ଟ୍ରେନ ଦୁର୍ଘଟଣା । ରବିବାର ସନ୍ଧ୍ୟା ପ୍ରାୟ ୭ଟା । ଓଡ଼ିଶା ସୀମାନ୍ତ ଆନ୍ଧ୍ର ପ୍ରଦେଶର ଆଲମଣ୍ଡାରୁ ହଠାତ୍ ଆସିଲା ବଡ଼ ଧରଣର ଟ୍ରେନ ଦୁର୍ଘଟଣା ଖବର। ଆଲମଣ୍ଡା ଷ୍ଟେସନର କିଛି ବାଟ ପୂର୍ବରୁ କଣ୍ଟକାପାଲ୍ଲୀ ପରେ ପରେ ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନ୍‌କୁ ପଛପଟୁ ଖୁବ ଜୋରରେ ଧକ୍କା ଦେଇଥିଲା ବିଶାଖାପାଟଣା- ରାୟଗଡା ପାସେଞ୍ଜର ଟ୍ରେନ୍।

Advertisment

ମଝି ଟ୍ରାକରେ ଧିରେ ଧିରେ ଗଡୁଥିଲା ପଲାସା ପାସେଞ୍ଜର। ହେଲେ ରେଡ୍ ସିଗନାଲ୍ ନମାନି ହଠାତ୍ ପଛପଟୁ ଦ୍ରୁତ ଗତିରେ ଆସୁଥିବା ରାୟଗଡ଼ା ପାସେଞ୍ଜର ତାକୁ ଧକ୍କା ଦେବାରୁ ପଲାସା ପାସେଞ୍ଜରର ୨ଟି ବଗି ଲାଇନଚ୍ୟୁତ ହୋଇ ଛିଡ଼ା ହୋଇଥିବା ଅନ୍ୟ ଏକ ମାଲ୍ ଗାଡ଼ିରେ ପିଟି ହୋଇଯାଇଥିଲା।

ମାତ୍ର କେଇ କ୍ଷଣର ନିରବତା, ତା ପରେ ଶୁଭିଥିଲା ଯାତ୍ରୀଙ୍କ ଆର୍ତ୍ତଚିତ୍କାର। ଚାହୁଁ ଚାହୁଁ ଖବର ବ୍ୟାପିଗଲା, ଆଖାପାଖର ଲୋକେ ପହଞ୍ଚିଗଲେ। ଅଧଘଣ୍ଟାରୁ ୪୫ ମିନିଟ୍ ଭିତରେ ବିଶାଖାପାଟଣା ଓ ବିଜୟନଗରମରୁ ରେସ୍କ୍ୟୁ ଟିମ୍ ବି ପହଞ୍ଚି ଆରମ୍ଭ କରିଥିଲେ ଉଦ୍ଧାର କାର୍ଯ୍ୟ। ମୃତ ଯାତ୍ରୀଙ୍କୁ ବଗିରୁ ଖୋଜି ବାହାର କରିବା ଓ ଆହତମାନଙ୍କୁ ଶୀଘ୍ର ମେଡିକାଲ ପହଞ୍ଚାଇବା ଥିଲା ସମସ୍ତଙ୍କ ପ୍ରାଥମିକତା।

Advertisment

ରାତିତମାମ ଓ ସାରା ଦିନ ଚାଲିଥିଲା ରେସ୍କ୍ୟୁ ଓ ରିଷ୍ଟୋରେସନ କାମ। ଆଉ ଦୁର୍ଘଣାସ୍ଥଳରୁ ଓଟିଭି ଟିମ୍ ବି ତାଜା ସ୍ଥିତିର ବରାବର ଟିକନିଖି ସୂଚନା ଦେଇ ଚାଲିଥିଲା। ତେଣେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଗତକାଲି ରାତିରେ ଉଦ୍ଧାର କାର୍ଯ୍ୟରେ ଓଡ଼ିଶାରୁ ଅଗ୍ନିଶମ ଏବଂ ଓଡ୍ରାଫ୍ ଟିମ୍ ମଧ୍ୟ ଅପରେସନରେ ସାମିଲ୍ ହୋଇଥିଲେ।

ରେଳ ବିଭାଗର ସୂଚନା ଅନୁସାରେ ଏ ଦୁର୍ଘଟଣାରେ ମୋଟ ୧୩ଜଣଙ୍କ ପ୍ରାଣହାନୀ ଘଟିଛି। ସୌଭାଗ୍ୟବଶତଃ ସେଥିରେ ଓଡ଼ିଶାରୁ କେହି ନାହାନ୍ତି। ମୃତକଙ୍କ ମଧ୍ୟରେ ରାୟଗଡା ପାସେଞ୍ଜରର ଲୋକୋ ପାଇଲଟ ଏସ.ଏମ୍.ଏସ୍ ରାଓ ଏବଂ ପଲାସା ପାସେଞ୍ଜରର ଗାର୍ଡ ଏମ.ଶ୍ରୀନିବାସ ମଧ୍ୟ ଅଛନ୍ତି। ଆହତ ହୋଇଥିବା ୫୦ରୁ ଅଧିକ ଯାତ୍ରୀଙ୍କ ମଧ୍ୟରୁ ୨୯ ଜଣ ବିଶାଖାପାଟଣା ଓ ବିଜୟନଗରମ୍‌ର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ ୧୦ଜଣଙ୍କ ଅବସ୍ଥା ଗୁରୁତର ରହିଛି।

Advertisment

ଅନେକ ଆହତ ଯାତ୍ରୀ କ୍ୟାମେରା ଆଗରେ ଦୁର୍ଘଟଣାବେଳର ଛାତିଥରା କାହାଣୀ ବଖାଣିଛନ୍ତି। ସେପଟେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଏସ୍ ଜଗନମୋହନ ରେଡ୍ଡୀ ଆହତମାନଙ୍କୁ ଡାକ୍ତରଖାନାରେ ଭେଟିବା ସହ ଆକାଶମାର୍ଗରୁ ଦୁର୍ଘଟଣାସ୍ଥଳକୁ ନିରୀକ୍ଷଣ କରିଛନ୍ତି।

ପୂର୍ବତଟ ରେଳପଥ ଅନ୍ତର୍ଗତ ଚେନ୍ନାଇ-ହାୱଡ଼ା ରୁଟ୍ ଅତି ବ୍ୟସ୍ତବହୁଳ। ଗତକାଲିର ଦୁର୍ଘଟଣା ପରଠୁ ୪୫ରୁ ଅଧିକ ଟ୍ରେନ୍ ବାତିଲ କରାଯାଇଥିବା ବେଳେ ୪୧ଟି ଟ୍ରେନର ଗତିପଥ ଆଂଶିକ ବାତିଲ୍ ଓ ମାର୍ଗ ପରିବର୍ତ୍ତନ କରାଯାଇଥିଲା। ଧକ୍କା ହୋଇଥିବା ୨ଟି ଟ୍ରେନରେ ୧୪-୧୪ ମୋଟ୍ ୨୮ଟି ବଗି ମଧ୍ୟରୁ ପ୍ରଭାବିତ ୫ଟି ବଗିକୁ ଛାଡ଼ି ବାକି ସବୁଗୁଡିକୁ ପାଖ ଷ୍ଟେସନକୁ ଫେରାଇ ନିଆଯାଇଥିଲା।

ତେଣେ ଟ୍ରାକ୍ ପୁନରୁଦ୍ଧାର କାମରେ ପ୍ରାୟ ୯ ଶହ ଶ୍ରମିକଙ୍କୁ ନିୟୋଜିତ କରାଯାଇଛି। ଯେଉଁମାନଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ ମରାମତି ସରିବା ପରେ ଅପରାହ୍ନ ୨ଟା ୩୬ରେ ପ୍ରଥମ ଟ୍ରେନ୍ ଭାବେ ଗଡ଼ିଥିଲା ଭୁବନେଶ୍ବର-ବେଙ୍ଗାଳୁରୁ ପ୍ରଶାନ୍ତି ଏକ୍ସପ୍ରେସ୍।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ