Sports: ଜଣେ କ୍ରିକେଟ୍‌ର ଭଗବାନ ଆଉ ଜଣେ ଅସଫଳ-ଅସହାୟ ମଣିଷ

ଏକାଠି କ୍ରିକେଟ୍ କ୍ୟାରିଅର୍ ଆରମ୍ଭ କଲେ ଦୁଇ ପ୍ରତିଭାଶାଳୀ ବାଲ୍ୟ ବନ୍ଧୁ - ସଚିନ ତେନ୍ଦୁଲକର ଓ ବିନୋଦ କାମ୍ବଲୀ । ତେବେ ସଚିନ ପହଞ୍ଚିଲେ ତୁଙ୍ଗ ଶିଖରରେ ଅଥଚ ପଥହୁଡ଼ା ହୋଇ କାମ୍ବଲୀ ପାଲଟିଗଲେ ଜଣେ ଅସଫଳ ଓ ଅସହାୟ ମଣିଷ ।

ଜଣେ କ୍ରିକେଟ୍‌ର ଭଗବାନ ଆଉ ଜଣେ ଅସଫଳ-ଅସହାୟ ମଣିଷ

ସଚିନ ରମେଶ ତେନ୍ଦୁଲକର ଓ ବିନୋଦ ଗଣପତ କାମ୍ବଲୀ ଦୁଇ ବାଲ୍ୟ ବନ୍ଧୁ । ଏକସଙ୍ଗେ ଆରମ୍ଭ କଲେ କ୍ରିକେଟ୍ କ୍ୟାରିଅର୍ । ଜଣେ ଗୁରୁଙ୍କ ଠାରୁ ଶିଖିଲେ କ୍ରିକେଟ୍ ଖେଳ । ଆନ୍ତର୍ଜାତିକ ସ୍ତରରେ ବି ଦେଖିବାକୁ ମିଳିଲା ଉଭୟଙ୍କ ପ୍ରତିଭାର ନିଦର୍ଶନ ।

ତେବେ ସଚିନ ପହଞ୍ଚିଲେ ତୁଙ୍ଗ ଶିଖରରେ, ‘କ୍ରିକେଟ୍‌ର ଭଗବାନ’ ଭାବରେ ଆଖ୍ୟାୟିତ ହେଲେ ଅଥଚ ବନ୍ଧୁ କାମ୍ବଲୀ ଆଦ୍ୟ ସଫଳତା ପରେ ପଥହୁଡ଼ା ହୋଇ ପାଲଟିଗଲେ ଜଣେ ଅସଫଳ ଓ ଅସହାୟ ମଣିଷ ।

ଆନ୍ତର୍ଜାତିକ ସ୍ତରରେ ବି ଦେଖିବାକୁ ମିଳିଲା ଉଭୟଙ୍କ ପ୍ରତିଭାର ନିଦର୍ଶନ

କେବଳ ପ୍ରତିଭାଶାଳୀ ହେବା ଯଥେଷ୍ଟ ନୁହେଁ

‘ଶୃଙ୍ଖଳା’ ଓ ‘ପରିଶ୍ରମ’ - ଏହି ଦୁଇ ଶବ୍ଦର ଗୁରୁତ୍ୱକୁ ସଚିନ ବୁଝିଥିଲେ, କିନ୍ତୁ କାମ୍ବଲୀ ବୁଝିପାରି ନ ଥିଲେ । କେବଳ ପ୍ରତିଭାଶାଳୀ ହେବା ସଫଳତା ପାଇଁ ଯଥେଷ୍ଟ ନୁହେଁ, ସଫଳ ହେବା ପାଇଁ ଶୃଙ୍ଖଳା ଓ କଠିନ ପରିଶ୍ରମ ଆବଶ୍ୟକ । ଉଭୟଙ୍କ କ୍ୟାରିଅର୍‌ରେ ଏହା ହିଁ ବ୍ୟବଧାନ ସୃଷ୍ଟି କରିଥିଲା ।

ସଚିନଙ୍କୁ ବିଶ୍ୱ କ୍ରିକେଟ୍‌ର ସର୍ବକାଳୀନ ସର୍ବଶ୍ରେଷ୍ଠ କ୍ରିକେଟର୍‌ଙ୍କ ମଧ୍ୟରେ ପରିଗଣନା କରାଯାଏ । ସେ ତାଙ୍କ ଦୀର୍ଘ କ୍ୟାରିଅର୍‌ରେ କେତେ ଶୃଙ୍ଖଳିତ ଓ ପରିଶ୍ରମୀ ଥିଲେ, ତାହା ତାଙ୍କ ପ୍ରଦର୍ଶନ ବଖାଣିଥାଏ ।

କିନ୍ତୁ କାମ୍ବଲୀ ମଦ୍ୟପାନ ଭଳି ବଦଭ୍ୟାସ ଓ ଶୃଙ୍ଖଳାର ଅଭାବ ଯୋଗୁଁ ନିଜେ ହିଁ ନିଜ କ୍ୟାରିଅର୍‌କୁ ନଷ୍ଟ କରିଛନ୍ତି । ମଧ୍ୟ-ବୟସରେ ତାଙ୍କୁ ବାର୍ଦ୍ଧକ୍ୟ ମାଡ଼ିବସିଛି ।

ସଚିନ-କାମ୍ବଲୀଙ୍କ ଭିଡିଓ ଭାଇରାଲ୍‌

ନିକଟରେ ଏକ କାର୍ଯ୍ୟକ୍ରମରେ ସଚିନ ଓ କାମ୍ବଲୀ ଏକାଠି ଥିବା ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ଛତ୍ରପତି ଶିବାଜୀ ମହାରାଜ ପାର୍କରେ ଉଭୟଙ୍କ ଦିବଙ୍ଗତ ଗୁରୁ ରମାକାନ୍ତ ଆଚରେକରଙ୍କ ସ୍ମାରକ ଅନାବରଣର କାର୍ଯ୍ୟକ୍ରମ ଥିଲା । ସଚିନ ଓ କାମ୍ବଲୀଙ୍କୁ ସେଥିରେ ନିମନ୍ତ୍ରଣ କରାଯାଇଥିଲା ।

ପାଖାପାଖି ସମବୟସ୍କ ହେବା ସତ୍ତ୍ୱେ ଭିଡିଓରେ ଉଭୟଙ୍କ ଚେହେରା, ଆବଭାବ ଓ କଥାବାର୍ତ୍ତାରେ ଆକାଶ-ପାତାଳ ଫରକ ଦେଖିବାକୁ ମିଳୁଛି । ସଚିନ ବନ୍ଧୁ କାମ୍ବଲୀଙ୍କୁ ଇଭେଣ୍ଟ ପୂର୍ବରୁ ଓ ପରେ ଭେଟୁଛନ୍ତି । କାମ୍ବଲୀ ସ୍ପଷ୍ଟ ଭାବେ କଥାବାର୍ତ୍ତା କରିପାରୁ ନାହାନ୍ତି । ସେ ବଡ଼ ଅସହାୟ ଓ ରୁଗ୍‌ଣ ଦିଶୁଛନ୍ତି । ତେବେ ଏସବୁ ତାଙ୍କ କର୍ମର ଫଳ ।

କିଛି ମାସ ପୂର୍ବରୁ ଅନ୍ୟ ଏକ ଭିଡିଓରୁ ଦେଖିବାକୁ ମିଳିଥିଲା ଯେ କାମ୍ବଲୀ ଠିକ୍‌ରେ ଚାଲି ବି ପାରୁ ନାହାନ୍ତି ।

ସ୍କୁଲ୍ କ୍ରିକେଟ୍‌ରେ ଅବିସ୍ମରଣୀୟ ଭାଗୀଦାରୀ

ମୁମ୍ବାଇର ଆଜାଦ ମଇଦାନ କ୍ରିକେଟ୍‌ର ଅନେକ ଐତିହାସିକ ମୁହୂର୍ତ୍ତର ମୁକସାକ୍ଷୀ ହୋଇଛି । ୧୯୮୮ ଫେବ୍ରୁଆରୀରେ ଏହି ଗ୍ରାଉଣ୍ଡରେ ଆଚରେକରଙ୍କ ଦୁଇ ଶିଷ୍ୟ - ସଚିନ ଓ କାମ୍ବଲୀ ଏଭଳି ପ୍ରଦର୍ଶନ କରିଥିଲେ, ଯାହାର ଗୁଞ୍ଜନ ପୂରା କ୍ରିକେଟ୍ ଜଗତରେ ଶୁଣିବାକୁ ମିଳିଥିଲା ।

ସ୍କୁଲ୍‌ସ୍ତରରେ ଖେଳାଯାଉଥିବା ହାସିସ୍ ଶିଲ୍ଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲ୍ ମ୍ୟାଚ୍ ଚାଲିଥିଲା । ଏଥିରେ ସଚିନ ଓ କାମ୍ବଲୀ ଶାରଦାଶ୍ରମ ବିଦ୍ୟାମନ୍ଦିର ଟିମ୍ ପକ୍ଷରୁ ଖେଳି ସେଣ୍ଟ ଜାଭିଅର୍ସ ହାଇସ୍କୁଲ୍ ବିପକ୍ଷରେ ଅପରାଜିତ ୬୬୪ ରନ୍‌ର ଅବିସ୍ମରଣୀୟ ଭାଗୀଦାରୀ କରିଥିଲେ । କାମ୍ବଲୀ ୩୪୯ ଓ ସଚିନ ୩୨୬ ରନ୍‌ର ଇନିଂସ୍ ଖେଳିଥିଲେ ।

ସ୍କୁଲ୍ କ୍ରିକେଟ୍‌ରେ ଅବିସ୍ମରଣୀୟ ଭାଗୀଦାରୀ

ସେତେବେଳେ କ୍ରିକେଟ୍‌ର କୌଣସି ବୟସ ବର୍ଗରେ ଏହା ସବୁଠାରୁ ବଡ଼ ଭାଗୀଦାରୀ ଥିଲା । ସେହି ମ୍ୟାଚ୍‌ରେ କାମ୍ବଲୀ ପ୍ରଭାବଶାଳୀ ବୋଲିଂ ପ୍ରଦର୍ଶନ ବି କରିଥିଲେ ଏବଂ ୩୭ ରନ୍ ଦେଇ ୬ ୱିକେଟ୍ ନେଇଥିଲେ ।

ସେହି ଭାଗୀଦାରୀ ସଚିନ ଓ କାମ୍ବଲୀଙ୍କ କ୍ରିକେଟ୍ କ୍ୟାରିଅର୍ ପାଇଁ ଏକ ଟର୍ଣ୍ଣିଂ ପଏଣ୍ଟ ଥିଲା । ଏହା ମୁମ୍ବାଇ ଓ ଭାରତୀୟ ଟିମ୍‌ରେ ଉଭୟଙ୍କ ଚୟନର ବାଟ ଫିଟାଇଥିଲା ।

୧୯୮୯ରେ ସଚିନ ଓ ୧୯୯୧ରେ କାମ୍ବଲୀଙ୍କ ଆନ୍ତର୍ଜାତିକ ପଦାର୍ପଣ

ସଚିନ ୧୯୮୯ ନଭେମ୍ବରରେ ପାକିସ୍ତାନ ବିପକ୍ଷ କରାଚୀ ଟେଷ୍ଟ ଜରିଆରେ ଆନ୍ତର୍ଜାତିକ ପଦାର୍ପଣ କରିବାରେ ସଫଳ ହୋଇଥିଲେ । ସେତେବେଳେ ତାଙ୍କୁ ମାତ୍ର ୧୬ ବର୍ଷ ବୟସ ହୋଇଥିଲା । ଡିସେମ୍ବରରେ ସେ ପାକ୍ ଟିମ୍ ବିପକ୍ଷରେ ଦିନିକିଆ ଆନ୍ତର୍ଜାତିକରେ ବି ପଦାର୍ପଣ କରିଥିଲେ ।

ଅବଶ୍ୟ କାମ୍ବଲୀଙ୍କୁ ଟିକେ ଅପେକ୍ଷା କରିବାକୁ ପଡ଼ିଥିଲା । ସେ ୧୯୯୧ ଅକ୍ଟୋବରରେ ଶାରଜାହ ଠାରେ ପାକିସ୍ତାନ ବିପକ୍ଷରେ ଦିନିକିଆ ପଦାର୍ପଣ କରିଥିଲେ । ୧୯୯୩ ଜାନୁଆରୀରେ ସେ ଇଡେନ୍ ଗାର୍ଡେନ୍ସ ଠାରେ ଇଂଲଣ୍ଡ ବିପକ୍ଷରେ କ୍ୟାରିଅର୍‌ର ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳିଥିଲେ ।

ଆନ୍ତର୍ଜାତିକ କ୍ୟାରିଅର୍‌ର ଆଦ୍ୟଭାଗରେ ପ୍ରଭାବିତ କରିଥିବା କାମ୍ବଲୀ କିନ୍ତୁ ବେଶୀ ବାଟ ଯାଇପାରି ନ ଥିଲେ । ମଦଭ୍ୟାସ ଓ ଶୃଙ୍ଖଳାର ଅଭାବ ଛଡ଼ା ପ୍ରଦର୍ଶନରେ ନିରନ୍ତରତାର ଅଭାବ ଏହା ପଛର ପ୍ରମୁଖ କାରଣ ଥିଲା । ଥରେ ଟିମ୍‌ରୁ ବାଦ୍ ପଡ଼ିବା ପରେ ପ୍ରତ୍ୟାବର୍ତ୍ତନ କରିବା ତାଙ୍କ ପାଇଁ କଷ୍ଟସାଧ୍ୟ ହୋଇପଡ଼ିଥିଲା ।

କାମ୍ବଲୀ ଦିନିକିଆ ଟିମ୍‌କୁ ନଅ ଥର ପ୍ରତ୍ୟାବର୍ତ୍ତନ କରିଥିଲେ, ହେଲେ ଟେଷ୍ଟ ଟିମ୍‌କୁ ଆଉ ଫେରିପାରି ନ ଥିଲେ । ସେ କ୍ୟାରିଅର୍‌ର ଶେଷ ଟେଷ୍ଟ ମ୍ୟାଚ୍ ୧୯୯୫ ନଭେମ୍ବରରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିଥିଲେ । ସେତେବେଳକୁ ତାଙ୍କୁ ମାତ୍ର ୨୩ ବର୍ଷ ବୟସ ହୋଇଥିଲା ।

ସେ ଜଣେ ଆକର୍ଷଣୀୟ ଷ୍ଟ୍ରୋକ୍ ଖେଳାଳି ଥିଲେ ଏବଂ ସ୍ପିନର୍‌ଙ୍କ ବିପକ୍ଷରେ ଭଲ ଖେଳୁଥିଲେ; କିନ୍ତୁ ଶର୍ଟ ବଲ୍ ତାଙ୍କ ପାଇଁ ଅଡ଼ୁଆ ହେଉଥିଲା, ଯାହା ତାଙ୍କ ସାମଗ୍ରିକ ପ୍ରଦର୍ଶନକୁ ପ୍ରଭାବିତ କରିଥିଲା ।

୨୦୦୦ ଅକ୍ଟୋବର ପରେ କାମ୍ବଲୀଙ୍କୁ ଦିନିକିଆ ଟିମ୍‌ରେ ଚୟନ କରାଯାଇ ନ ଥିଲା । ସେ ଶାରଜାହ ଠାରେ ଶ୍ରୀଲଙ୍କା ବିପକ୍ଷରେ ଶେଷ ଦିନିକିଆ ଖେଳିଥିଲେ । ୨୦୦୯ରେ ସେ ଆନ୍ତର୍ଜାତିକ କ୍ରିକେଟ୍‌ରୁ ଅବସର ଘୋଷଣା କରିଥିଲେ । ଏହାପରେ ୨୦୧୧ରେ ପ୍ରଥମ-ଶ୍ରେଣୀ କ୍ରିକେଟ୍ ବି ଛାଡ଼ିଥିଲେ ।

ଭାରତ ପକ୍ଷରୁ କାମ୍ବଲୀ ୧୭ ଟେଷ୍ଟ ଓ ୧୦୪ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍ ଖେଳିଛନ୍ତି । ଟେଷ୍ଟରେ ସେ ଚାରି ଶତକ ସହାୟତାରେ ୧,୦୮୪ ରନ୍ ଏବଂ ଦିନିକିଆରେ ଦୁଇ ଶତକ ସହାୟତାରେ ୨,୪୭୭ ରନ୍ କରିଛନ୍ତି ।

ଅନ୍ୟପଟେ, ସଚିନ ରେକର୍ଡ ପରେ ରେକର୍ଡ କରିଥିଲେ । ଆନ୍ତର୍ଜାତିକ କ୍ରିକେଟ୍‌ରେ ସେ ସର୍ବାଧିକ ୩୪,୩୫୭ ରନ୍ କରିବା ସହ ପ୍ରଥମ କ୍ରିକେଟର୍ ଭାବେ ୧୦୦ ଶତକ ହାସଲ କରିଛନ୍ତି । ତାଙ୍କର ୨୪ ବର୍ଷ ବ୍ୟାପ୍ତ ଆନ୍ତର୍ଜାତିକ କ୍ୟାରିଅର୍‌ରେ ରେକର୍ଡର ତାଲିକା ବେଶ୍ ଲମ୍ବା ।

ପଥ ହୁଡ଼ିଲେ କାମ୍ବଲୀ, ନୂଆ ଅଧ୍ୟାୟ ଯୋଡ଼ିଲେ ସଚିନ

କାମ୍ବଲୀ କ୍ୟାରିଅର୍‌ର ଆଦ୍ୟ ସଫଳତାରୁ ମିଳିଥିବା ଖ୍ୟାତିକୁ ସମ୍ଭାଳି ପାରି ନ ଥିଲେ । ବାଟବଣା ହୋଇଥିଲେ । ନାଇଟ୍ କ୍ଲବ୍‌ରେ ପାର୍ଟି ଆୟୋଜନ, ନାଚ-ଗୀତରେ ତାଙ୍କର ସଉକ ଥିଲା; କିନ୍ତୁ ମଦଭ୍ୟାସ ଓ ଶୃଙ୍ଖଳାର ଅଭାବ ତାଙ୍କ କ୍ୟାରିଅର୍ ଓ ଜୀବନକୁ ନଷ୍ଟ କରିଦେଲା । ସେ ଆର୍ଥିକ ସଙ୍କଟର ବି ସମ୍ମୁଖୀନ ହୋଇଛନ୍ତି ।

ମଦଭ୍ୟାସ ଯୋଗୁଁ ତାଙ୍କୁ ବହୁ ବାର ରିହାବ୍ ସେଣ୍ଟର ଯିବାକୁ ପଡ଼ିଛି । ୨୦୧୩ରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି ହୋଇଥିଲା ।

ସିନେମା ଓ ରାଜନୀତିରେ ମଧ୍ୟ ସେ ଭାଗ୍ୟ ପରୀକ୍ଷା କରିଥିଲେ, ହେଲେ ସଫଳତା ପାଇ ନ ଥିଲେ । ତାଙ୍କ ସାଂସାରିକ ଜୀବନରେ ବି ଉତ୍‌ଥାନ-ପତନ ଦେଖିବାକୁ ମିଳିଛି । ସେ ଦୁଇ ଥର ବିବାହ କରିଛନ୍ତି ।

କାମ୍ବଲୀ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ ବିପକ୍ଷରେ ପକ୍ଷପାତିତାର ଅଭିଯୋଗ ଆଣିବା ସହ ଦୁର୍ଦ୍ଦିନରେ ବନ୍ଧୁ ସଚିନ ତାଙ୍କୁ ସହାୟତା କରି ନ ଥିବା କଥା କହିବାକୁ ପଛାଇ ନ ଥିଲେ ।

ସଚିନ ତେନ୍ଦୁଲକର ଓ ବିନୋଦ କାମ୍ବଲୀ ଦୁଇ ବାଲ୍ୟ ବନ୍ଧୁ

ଅନ୍ୟପଟେ, ସଚିନ କ୍ରିକେଟ୍ ଜଗତରେ ତୁଙ୍ଗ ଶିଖର ଛୁଇଁଛନ୍ତି । ତାଙ୍କୁ ବାଦ୍ ଦେଇ ଭାରତୀୟ କ୍ରିକେଟ୍‌ର ଆଲୋଚନା ସମ୍ଭବ ନୁହେଁ । କିମ୍ବଦନ୍ତୀ କ୍ରିକେଟର୍ ସାର୍ ଡନ୍ ବ୍ରାଡ୍‌ମ୍ୟାନ୍‌, ସୁନୀଲ ଗାଭାସ୍କର, ଭିଭିଆନ୍ ରିଚାର୍ଡ୍ସ ପ୍ରମୁଖ ସଚିନଙ୍କୁ ପ୍ରଶଂସା କରିଛନ୍ତି । ମାଷ୍ଟର ବ୍ଲାଷ୍ଟରଙ୍କ ବ୍ୟକ୍ତିଗତ ଜୀବନ ବି ବିବାଦମୁକ୍ତ ।

କେହି କେହି କହନ୍ତି ଯେ କାମ୍ବଲୀ ତାଙ୍କ ବନ୍ଧୁ ସଚିନଙ୍କ ଠାରୁ ଅଧିକ ପ୍ରତିଭାଶାଳୀ ଥିଲେ । ଯଦି ତାଙ୍କ କ୍ୟାରିଅର୍ ଆଗକୁ ବଢ଼ିଥା’ନ୍ତା, ସେ ବି ସଚିନଙ୍କ ଭଳି ରାଜତ୍ୱ କରିଥା’ନ୍ତେ ।

ବାମହାତି ବ୍ୟାଟର୍ ଭାବେ ଭାରତକୁ ଏକ ତାରକା ମିଳିଥିଲା, କିନ୍ତୁ ପ୍ରତିଭାର ଅଧିକାରୀ ହେବା ସତ୍ତ୍ୱେ କାମ୍ବଲୀ ଭୁଲ୍ ବାଟରେ ୠଲେ । ତାଙ୍କ ପାଖରେ ପାଇବା ପାଇଁ ବହୁତ କିଛି ଥିଲା, ହେଲେ ସେ ହରାଇ ଚାଲିଲେ । ଏହାର ବିପରୀତ ସଚିନ କ୍ରିକେଟ୍ ଇତିହାସରେ ନୂଆ ନୂଆ ଅଧ୍ୟାୟ ଯୋଡ଼ିଲେ । ମହାନତାର କୀର୍ତ୍ତିସ୍ତମ୍ଭ ସ୍ଥାପନ କଲେ ।

ଇମେଲ୍: biswasports@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)