Advertisment

Sports: ଆଡିଲେଡ୍‌ରେ ‘ପିଙ୍କ୍ ବଲ୍‌’ ଚାଲେଞ୍ଜ୍‌ର ମୁକାବିଲା କରିପାରିବ କି ଟିମ୍ ଇଣ୍ଡିଆ ?

ଆଡିଲେଡ୍ ଠାରେ ଡିସେମ୍ବର ୬ରୁ ଆରମ୍ଭ ହେବାକୁ ଯାଉଛି ‘ପିଙ୍କ୍ ବଲ୍‌’ ଟେଷ୍ଟ । ପର୍ଥ ପରେ ଆଡିଲେଡ୍ ଚାଲେଞ୍ଜ୍‌ର ମୁକାବିଲା କରିପାରିବ କି ଟିମ୍ ଇଣ୍ଡିଆ? ପୁଣି ଥରେ କମାଲ୍ କରିବେ କି ଭାରତୀୟ ବ୍ୟାଟର୍‌-ବୋଲର୍‌?

ଅଦ୍ୟତନ ହୋଇଛି
Can Team India confronted to the 'pink ball' challenge in Adelaide

Can Team India confronted to the 'pink ball' challenge in Adelaide

Advertisment

ପର୍ଥରେ ଐତିହାସିକ ବିଜୟ ପରେ ଏବେ ଭାରତୀୟ ଟେଷ୍ଟ ଟିମ୍‌ର ପରବର୍ତ୍ତୀ ଲକ୍ଷ୍ୟ ଆଡିଲେଡ୍ । ସେଠାରେ ଡିସେମ୍ବର ୬ରୁ ବର୍ଡର-ଗାଭାସ୍କର ଟ୍ରଫି ଅନ୍ତର୍ଗତ ଦ୍ୱିତୀୟ ମ୍ୟାଚ୍ ଆରମ୍ଭ ହେବ । ଏହା ଦିବା-ରାତ୍ର ଟେଷ୍ଟ ହେବ, ଯାହାକି ପିଙ୍କ୍ (ଗୋଲାପୀ) ବଲ୍‌ରେ ଖେଳାଯିବ ।

Advertisment

ଅପ୍ଟସ୍ ଷ୍ଟାଡିୟମ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ପ୍ରଦର୍ଶନରୁ ଆଶାବାଦର ଝଲକ ମିଳିଛି । ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜ୍ ପୂର୍ବ ଯାଏଁ ଟିମ୍ ଯେଉଁ ସ୍ଥିତିରେ ଥିଲା, ଏବେ ସେହି ସ୍ଥିତିକୁ ଫେରିବା ଭଳି ମନେ ହେଉଛି ।

ଅବଶ୍ୟ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରୁ ଟିମ୍ ସମ୍ପୂର୍ଣ୍ଣ ରୂପେ ଟ୍ରାକ୍‌କୁ ଫେରିଛି ବୋଲି କହିବା ତରବରିଆ ହେବ । କିନ୍ତୁ ଏହି ବିଜୟ ଯେ ଟିମ୍‌କୁ ଆଶ୍ୱସ୍ତି ଦେଇଛି ଏବଂ ଖେଳାଳିଙ୍କ ମନୋବଳ ବଢ଼ାଇଛି, ଏଥିରେ ଦ୍ୱିମତ ନାହିଁ । ଆଗକୁ ଭଲ ପ୍ରଦର୍ଶନ ଜାରି ରଖିବା ପାଇଁ ଏହା ପ୍ରେରଣା ଦେବ ।

Advertisment

ଏବେ ବଡ଼ ପ୍ରଶ୍ନ ହେଉଛି, ପର୍ଥ ପରେ ଆଡିଲେଡ୍ ଚାଲେଞ୍ଜ୍‌ର ମୁକାବିଲା କରିପାରିବ କି ଟିମ୍ ଇଣ୍ଡିଆ? ପୁଣି ଥରେ କମାଲ୍ କରିବେ କି ଭାରତୀୟ ବ୍ୟାଟର୍ ଓ ବୋଲର୍‌?

ପର୍ଥ ବିଜୟର ବିଶେଷତ୍ୱ

ପର୍ଥରେ ଟିମ୍ ଇଣ୍ଡିଆର ପ୍ରଦର୍ଶନର ବିଶେଷତ୍ୱ ହେଉଛି ଯେ ଟିମ୍ କାର୍ଯ୍ୟନିର୍ବାହୀ ଅଧିନାୟକ ଯଶପ୍ରୀତ ବୁମ୍‌ରାଙ୍କ ନେତୃତ୍ୱରେ ବିଜୟ ହାସଲ କରିଛି । କେବଳ ନିୟମିତ ଅଧିନାୟକ ରୋହିତ ଶର୍ମା ନୁହନ୍ତି, ଶୁଭମନ ଗିଲ୍ (ଅନ୍‌ଫିଟ୍ ଥିଲେ) ବି ଚୂଡ଼ାନ୍ତ ଏକାଦଶରେ ନ ଥିଲେ ।

Advertisment

ଟିମ୍‌ରେ ଦୁଇ ନବାଗତ - ନୀତୀଶ କୁମାର ରେଡ୍ଡୀ ଓ ହର୍ଷିତ ରାଣା ଖେଳିଥିଲେ । ଉଭୟ ଭଲ ପ୍ରଦର୍ଶନ ମଧ୍ୟ କରିଥିଲେ ।

ବୁମ୍‌ରା କେବଳ ଟିମ୍‌ର ସଫଳ ନେତୃତ୍ୱ ନେଇ ନ ଥିଲେ, ନିଜର ଘାତକ ବୋଲିଂ ବଳରେ ଅଷ୍ଟ୍ରେଲିଆର ବ୍ୟାଟିଂ ବିପର୍ଯ୍ୟୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେ ମ୍ୟାଚ୍‌ରେ ମୋଟ୍ ୮ ୱିକେଟ୍ ନେବା ସହ ‘ପ୍ଲେୟର୍ ଅଫ୍ ଦ ମ୍ୟାଚ୍‌’ ବିବେଚିତ ହୋଇଥିଲେ ।

ଟିମ୍ ଇଣ୍ଡିଆ ୨୯୫ ରନ୍‌ର ବିପୁଳ ବ୍ୟବଧାନରେ ଏହି ମ୍ୟାଚ୍ ଜିତିଥିଲା । ରନ୍ ବ୍ୟବଧାନ ଦୃଷ୍ଟିରୁ ଅଷ୍ଟ୍ରେଲିଆରେ ଏହା ଭାରତର ସର୍ବବୃହତ୍ ଟେଷ୍ଟ ବିଜୟ ଥିଲା । ଏହାଛଡ଼ା ପର୍ଥରେ ଅଷ୍ଟ୍ରେଲୀୟ ଟିମ୍ ପ୍ରଥମ ଥର ଟେଷ୍ଟ ହାରିଥିଲା ।

Can Team India confronted to the 'pink ball' challenge in Adelaideଆଡିଲେଡ୍‌ରେ ‘ପିଙ୍କ୍ ବଲ୍‌’ ଚାଲେଞ୍ଜ୍‌ର ମୁକାବିଲା କରିପାରିବ କି ଟିମ୍ ଇଣ୍ଡିଆ

ଆହୁରି ତିନି ମ୍ୟାଚ୍ ଜିତିବା ଜରୁରୀ

ପ୍ରଥମ ମ୍ୟାଚ୍ ଜିତି ଭାରତୀୟ ଟିମ୍ ସକାରାତ୍ମକ ଢଙ୍ଗରେ ଅଭିଯାନ ଆରମ୍ଭ କରିଛି ସତ, ହେଲେ ଟିମ୍‌କୁ ଆହୁରି ତିନି ଟେଷ୍ଟ ଜିତିବାକୁ ହେବ । ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପ୍ (ଡବ୍ଲ୍ୟୁଟିସି) ଫାଇନାଲ୍‌ରେ ସିଧାସଳଖ ପ୍ରବେଶ ପାଇଁ ଟିମ୍ ଆଗରେ କଷ୍ଟସାଧ୍ୟ ଟାସ୍କ ଅଛି ।

ଚଳିତ ଟେଷ୍ଟ ଚକ୍ରରେ ଏହା ଭାରତର ଶେଷ ସିରିଜ୍ । ତେଣୁ ଟିମ୍‌କୁ ସିରିଜ୍‌ର ଅବଶିଷ୍ଟ ମ୍ୟାଚ୍‌ଗୁଡ଼ିକରେ ବି ଦମ୍‌ଦାର ପ୍ରଦର୍ଶନ କରିବାକୁ ହେବ ।

ନ୍ୟୁଜିଲାଣ୍ଡ ଠାରୁ ୦-୩ରେ ସିରିଜ୍ ପରାଜୟ ପରେ ଭାରତୀୟ ଟିମ୍‌ର ଡବ୍ଲ୍ୟୁଟିସି ଫାଇନାଲ୍‌ରେ ପ୍ରବେଶ ସମ୍ଭାବନା ଉପରେ ପ୍ରଶ୍ନଚିହ୍ନ ଲାଗିଯାଇଥିଲା ଏବଂ ପଏଣ୍ଟ ଟେବୁଲ୍‌ରେ ଟିମ୍ ଦ୍ୱିତୀୟ ସ୍ଥାନକୁ ଖସି ଆସିଥିଲା ।

ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଟେଷ୍ଟ ଜିତିବା ପରେ ଟିମ୍ ଇଣ୍ଡିଆ ପୁଣି ଶୀର୍ଷ ସ୍ଥାନ ହାସଲ କରିଛି । ଏବେ ଟିମ୍‌ର ପଏଣ୍ଟ ପ୍ରତିଶତ ୬୧.୧୧ ଥିବା ବେଳେ ଦ୍ୱିତୀୟ ସ୍ଥାନକୁ ଖସି ଆସିଥିବା ଅଷ୍ଟ୍ରେଲିଆର ପଏଣ୍ଟ ପ୍ରତିଶତ ୫୭.୬୯ ରହିଛି ।

ରୋହିତ ଫେରିଲେ, ବଦଳିବ ଟିମ୍ ସଂଯୋଜନା

ଅଧିନାୟକ ରୋହିତ ଟେଷ୍ଟ ଟିମ୍‌କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ସେ ତାଙ୍କର ଦ୍ୱିତୀୟ ସନ୍ତାନର ଜନ୍ମ ଯୋଗୁଁ ପର୍ଥରେ ଖେଳି ନ ଥିଲେ । ନଭେମ୍ବର ୨୪ରେ ସେ ପର୍ଥରେ ପହଞ୍ଚିଥିଲେ ଏବଂ ତା’ ପରଦିନ ପିଙ୍କ୍ ବଲ୍‌ରେ ବ୍ୟାଟିଂ ଅଭ୍ୟାସ କରିଥିଲେ ।

ରୋହିତ ଆଡିଲେଡ୍‌ରେ ଖେଳିବା ନିଶ୍ଚିତ । ଏପରି ସ୍ଥଳେ ଦ୍ୱିତୀୟ ଟେଷ୍ଟରେ ଟିମ୍ ସଂଯୋଜନା କ’ଣ ହେବ, ତାହା ବଡ଼ ପ୍ରଶ୍ନ । ରୋହିତ ଆସିବା ଯୋଗୁଁ ଦେବଦତ୍ତ ପଡିକ୍କଲ ବାଦ୍ ପଡ଼ିବେ ।

ତେବେ ରୋହିତ କେଉଁ ସ୍ଥାନରେ ବ୍ୟାଟିଂ କରିବେ? ସେ ସାଧାରଣତଃ ଓପନିଂ କରନ୍ତି । ପ୍ରଥମ ଟେଷ୍ଟରେ ଯଶସ୍ୱୀ ଜୟସ୍ୱାଲଙ୍କ ସହ ଲୋକେଶ ରାହୁଲ ଓପନିଂ କରିଥିଲେ ।

ଯଦି ରୋହିତ ନିଜେ ଯଶସ୍ୱୀଙ୍କ ସହ ଓପନିଂ କରିବେ, ତା’ହେଲେ ରାହୁଲ ତିନି ନମ୍ବରରେ ବ୍ୟାଟିଂ କରିପାରନ୍ତି । ଯଶସ୍ୱୀ ଓ ରାହୁଲ ଓପନିଂ କରିବା ସ୍ଥଳେ ରୋହିତଙ୍କୁ ଅନ୍ୟ ସ୍ଥାନରେ ବ୍ୟାଟିଂ କରିବାକୁ ହେବ ।

ଏହା ଅନେକାଂଶରେ ଶୁଭମନ ଗିଲ୍‌ଙ୍କ ଫିଟ୍‌ନେସ୍ ଉପରେ ବି ନିର୍ଭର କରିବ । ଯଦି ସେ ଫିଟ୍ ହୁଅନ୍ତି, ତା’ହେଲେ ତିନି ନମ୍ବରରେ ଖେଳିବେ ।

କିନ୍ତୁ ଭାରତୀୟ କ୍ରିକେଟ୍‌ର କେତେକ ଲୋକଙ୍କ ବିଚାରରେ ପର୍ଥରେ ବିଜୟ ପରେ ଭାରତୀୟ ଶୀର୍ଷକ୍ରମକୁ ଅପରିବର୍ତ୍ତିତ ରଖିବା ଆବଶ୍ୟକ । ଏହି ସିରିଜ୍‌ରେ ଯଦି ରୋହିତ ମଧ୍ୟକ୍ରମର ପଞ୍ଚମ କିମ୍ବା ଷଷ୍ଠ ସ୍ଥାନରେ ବ୍ୟାଟିଂ କରିବେ, ତା’ହେଲେ ଏହା ଟିମ୍ ପାଇଁ ଅଧିକ ଲାଭପ୍ରଦ ହେବ ।

ପ୍ରଥମ ଟେଷ୍ଟରେ ରୋହିତଙ୍କ ଅନୁପସ୍ଥିତି ଯୋଗୁଁ ରାହୁଲ ଅସ୍ଥାୟୀ ଓପନର୍ ଭାବେ ଖେଳିବାର ସୁଯୋଗ ପାଇଥିଲେ । ଏଥିରେ ସେ ୨୬ ଓ ୭୭ ରନ୍‌ର ଇନିଂସ୍ ଖେଳିବା ସହ ଟିମ୍‌ର ଦ୍ୱିତୀୟ ଇନିଂସ୍‌ରେ ଯଶସ୍ୱୀଙ୍କ ସହ ଦ୍ୱିଶତକୀୟ ଭାଗୀଦାରୀ କରିଥିଲେ । ଏହା ପୂର୍ବରୁ ସେ ଇଣ୍ଡିଆ-ଏ ପକ୍ଷରୁ ଗୋଟିଏ ମ୍ୟାଚ୍‌ରେ ଓପନର୍ ଦାୟିତ୍ୱ ତୁଲାଇଥିଲେ ।

ଅନ୍ୟପଟେ, ଶୁଭମନ ଫେରିବା ସ୍ଥଳେ ଆଉ ଜଣେ ଖେଳାଳି - ସମ୍ଭବତଃ ଧ୍ରୁବ ଜୁରେଲ୍ ବାଦ୍ ପଡ଼ିବେ ।

Can Team India confronted to the 'pink ball' challenge in Adelaideଆଡିଲେଡ୍‌ରେ ‘ପିଙ୍କ୍ ବଲ୍‌’ ଚାଲେଞ୍ଜ୍‌ର ମୁକାବିଲା କରିପାରିବ କି ଟିମ୍ ଇଣ୍ଡିଆ

ଆଡିଲେଡ୍‌ରେ ବି ଖେଳିପାରନ୍ତି ସୁନ୍ଦର

ଆଡିଲେଡ୍‌ରେ ଏହା ବି ଦେଖିବାକୁ ହେବ ଯେ ଟିମ୍ ମ୍ୟାନେଜ୍‌ମେଣ୍ଟ ସ୍ପିନ୍ ବୋଲିଂ ବିଭାଗରେ କୌଣସି ପରିବର୍ତ୍ତନ କରିବ କି ନାହିଁ । ପର୍ଥରେ ରବିଚନ୍ଦ୍ରନ ଅଶ୍ୱିନ ଓ ରବୀନ୍ଦ୍ର ଜାଡ଼େଜାଙ୍କ ଭଳି ଅଭିଜ୍ଞ ସ୍ପିନର୍‌ଙ୍କ ପରିବର୍ତ୍ତେ ୱାଶିଂଟନ୍ ସୁନ୍ଦରଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ୍ କରାଯାଇଥିଲା ।

ବର୍ତ୍ତମାନର ପରିସ୍ଥିତିକୁ ଦେଖିଲେ ଆଡିଲେଡ୍ ପିଚ୍ ମଧ୍ୟ ସ୍ପିନର୍‌ଙ୍କ ପାଇଁ ବେଶୀ ଅନୁକୂଳ ହେବା ଭଳି ଜଣାପଡ଼ୁ ନାହିଁ । ତେଣୁ ଚୂଡ଼ାନ୍ତ ଏକାଦଶରେ କେବଳ ଜଣେ ସ୍ପିନର୍‌ଙ୍କୁ ନିଆଯିବ ।

ଅଶ୍ୱିନ ୨୦୨୦ ଡିସେମ୍ବରରେ ଆଡିଲେଡ୍‌ରେ ଖେଳାଯାଇଥିବା ଗୋଲାପୀ ବଲ୍ ଟେଷ୍ଟରେ ୫ ୱିକେଟ୍ ନେଇଥିଲେ । ତେବେ ବିଦେଶ ମାଟିରେ ଭଲ ବ୍ୟାଟିଂ ପ୍ରଦର୍ଶନ ଯୋଗୁଁ ଜାଡ଼େଜାଙ୍କୁ ପ୍ରାୟତଃ ଅଶ୍ୱିନଙ୍କ ଠାରୁ ଅଗ୍ରାଧିକାର ଦିଆଯାଇଥାଏ । କିନ୍ତୁ ସୁନ୍ଦରଙ୍କୁ ବୈଷୟିକ ଦୃଷ୍ଟିରୁ ଜାଡ଼େଜାଙ୍କ ଠାରୁ ଅଧିକ ଉତ୍ତମ ବିବେଚନା କରାଯାଉଛି ।

ସୁନ୍ଦର ପର୍ଥରେ ଭାରତର ଦ୍ୱିତୀୟ ଇନିଂସ୍‌ରେ ବିରାଟ କୋହଲିଙ୍କ ସହ ୮୯ ରନ୍‌ର ଭାଗୀଦାରୀ କରିଥିଲେ, ଯାହା ଫଳରେ ଟିମ୍‌ର ସ୍କୋର୍ ୪୦୦ ଅତିକ୍ରମ କରିଥିଲା । ଏହାଛଡ଼ା ସେ ୨ ୱିକେଟ୍ ବି ନେଇଥିଲେ।

ଚାରି ବର୍ଷ ପୂର୍ବର କଳଙ୍କ ଧୋଇବାର ଚାଲେଞ୍ଜ୍‌

ଚାରି ବର୍ଷ ପୂର୍ବେ ଭାରତ ଆଡିଲେଡ୍ ଠାରେ ହିଁ ପିଙ୍କ୍ ବଲ୍ ଟେଷ୍ଟ ଖେଳିଥିଲା । ଏହି ମ୍ୟାଚ୍‌ର ଦ୍ୱିତୀୟ ଇନିଂସ୍‌ରେ ଟିମ୍ ଇଣ୍ଡିଆର ବ୍ୟାଟିଂରେ ଯେଉଁ କଳଙ୍କ ଲାଗିଥିଲା, ଏଥର ତାହାକୁ ଧୋଇବାର ଚାଲେଞ୍ଜ୍ ରହିଛି।

ଭାରତୀୟ ଟିମ୍ ମାତ୍ର ୩୬ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଥିଲା । କୌଣସି ବ୍ୟାଟର୍ ଦୁଇ ଅଙ୍କ ଛୁଇଁପାରି ନ ଥିଲେ । ଟିମ୍ ସେହି ମ୍ୟାଚ୍ ହାରିଯାଇଥିଲା । ଅବଶ୍ୟ ଭାରତ୍ ପ୍ରତ୍ୟାବର୍ତ୍ତନ କରି ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ ଜିତିଥିଲା।

ଗୋଲାପୀ ବଲ୍ ଟେଷ୍ଟରେ ଅଷ୍ଟ୍ରେଲିଆର ଚମକପ୍ରଦ ରେକର୍ଡ ରହିଛି । ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷରେ ମାତ୍ର ଗୋଟିଏ ଦିବା-ରାତ୍ର ଟେଷ୍ଟ ଖେଳିଛି।

ଅତଏବ ଆଡିଲେଡ୍ ଓଭାଲ୍‌ରେ ଭାରତୀୟ ବ୍ୟାଟର୍‌, ବିଶେଷକରି ଶୀର୍ଷକ୍ରମ ବ୍ୟାଟର୍‌ଙ୍କ ଉପରେ ଅଧିକ ଦାୟିତ୍ୱ ରହିବ । ରୋହିତ ଫର୍ମକୁ ଫେରିବା ନିହାତି ଜରୁରୀ । ଯଶସ୍ୱୀ, ବିରାଟ ଓ ରାହୁଲଙ୍କୁ ପୁଣି ଥରେ ଦୃଢ଼ ପ୍ରଦର୍ଶନ କରିବାକୁ ହେବ ।

ପ୍ରତ୍ୟାବର୍ତ୍ତନ ସ୍ଥଳେ ଶୁଭମନଙ୍କ ଠାରୁ ବି ଟିମ୍ ଉତ୍ତମ ପ୍ରଦର୍ଶନ ଆଶା କରିବ । ଯଶପ୍ରୀତ ବୁମ୍‌ରାଙ୍କ ନେତୃତ୍ୱରେ ପେସ୍ ବାହିନୀ ପୂର୍ବ ପ୍ରଦର୍ଶନକୁ ଦୋହରାଇବାକୁ ଚାହିଁବ।

ତେବେ ଏ କଥା ବି ମନେ ରଖିବାକୁ ହେବ ଯେ ପ୍ରଥମ ଟେଷ୍ଟ ହାରିବା ପରେ କଙ୍ଗାରୁ ଟିମ୍ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଅଛି । ଅଷ୍ଟ୍ରେଲିଆ ପାଇଁ ମଧ୍ୟ ବର୍ଡର-ଗାଭାସ୍କର ସିରିଜ୍ ଗୁରୁତ୍ୱପୂର୍ଣ୍ଣ।

ଇମେଲ୍: biswasports@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Team India Rohit Sharma Indian Cricket Indian Cricket Team
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ