Advertisment

Sports: ବର୍ଡର-ଗାଭାସ୍କର ଟ୍ରଫିରେ ଫର୍ମକୁ ଫେରିବେ କି ରୋହିତ ଶର୍ମା

ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍‌ରେ ଫର୍ମକୁ ଫେରିବେ କି ରୋହିତ ଶର୍ମା? ପୁଣି ଥରେ ଦେଖିବାକୁ ମିଳିବ କି ହିଟ୍‌ମ୍ୟାନ୍‌ଙ୍କ ଚମକ?

ଅଦ୍ୟତନ ହୋଇଛି
Will Rohit Sharma return to form in the Border-Gavaskar Trophy

Will Rohit Sharma return to form in the Border-Gavaskar Trophy

Advertisment

ଅଷ୍ଟ୍ରେଲିଆରେ ପିଙ୍କ୍ ବଲ୍‌ର ପ୍ରଥମ ପରୀକ୍ଷାରେ ଟିମ୍ ଇଣ୍ଡିଆ ପାସ୍ ହୋଇଛି । ଏହା କାନ୍‌ବେରା ଠାରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏକାଦଶ ବିପକ୍ଷ ଏକ ଅଭ୍ୟାସ ମ୍ୟାଚ୍ ଥିଲା, ଯେଉଁଥିରେ ପିଙ୍କ୍ ବଲ୍‌ର ବ୍ୟବହାର କରାଯାଇଥିଲା ।

Advertisment

ଭାରତ ୬ ୱିକେଟ୍‌ରେ ଏହି ମ୍ୟାଚ୍ ଜିତିଥିଲା, କିନ୍ତୁ ଟିମ୍‌ର ଅଧିନାୟକ ରୋହିତ ଶର୍ମା ବ୍ୟାଟର୍ ଭାବେ ଫେଲ୍ ହୋଇଥିଲେ । ସେ ଘରେ ଖେଳାଯାଇଥିବା ପୂର୍ବ ଦୁଇ ଟେଷ୍ଟ ସିରିଜ୍‌ରେ ମଧ୍ୟ ବ୍ୟାଟିଂରେ ନିରାଶ କରିଥିଲେ । ଏହା ଏବେ ଟିମ୍ ପାଇଁ ଚିନ୍ତାର ବିଷୟ ହୋଇଛି ।

ଆଡିଲେଡ୍ ଓଭାଲ୍‌ରେ ଡିସେମ୍ବର ୬ରୁ ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଆରମ୍ଭ ହେବ, ଯାହା ଦିବା-ରାତ୍ର ମ୍ୟାଚ୍ ହେବ । ପୂର୍ବ ଗସ୍ତରେ ଭାରତୀୟ ଟିମ୍ ଏଠାରେ ପିଙ୍କ୍ ବଲ୍ ଟେଷ୍ଟ ହାରିଥିଲା । ଏପରି ସ୍ଥଳେ ପିଙ୍କ୍ ବଲ୍‌ରେ ପ୍ରସ୍ତୁତି ଦୃଷ୍ଟିରୁ ଏହି ଅଭ୍ୟାସ ମ୍ୟାଚ୍ ଖୁବ୍ ଗୁରୁତ୍ୱପୂର୍ଣ୍ଣ ଥିଲା ।

Advertisment

ଅଭ୍ୟାସ ମ୍ୟାଚ୍‌ରେ ଛୁଇଁପାରିଲେନି ଦୁଇ ଅଙ୍କ

ଦ୍ୱି-ଦିବସୀୟ ଅଭ୍ୟାସ ମ୍ୟାଚ୍‌ର ପ୍ରଥମ ଦିନର ଖେଳ ବର୍ଷା ଯୋଗୁଁ ଧୋଇ ହୋଇଯାଇଥିଲା । ଡିସେମ୍ବର ୧ରେ ଦ୍ୱିତୀୟ ଦିନର ଆରମ୍ଭରେ ମାତ୍ର ୫ ଓଭର୍ ପରେ ବର୍ଷା ହୋଇଥିଲା, ଯାହା ଫଳରେ ମ୍ୟାଚ୍ ୫୦ ପରିବର୍ତ୍ତେ ୪୬ ଓଭର୍ ବିଶିଷ୍ଟ ହୋଇଥିଲା ।

ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ପ୍ରଧାନମନ୍ତ୍ରୀ ଏକାଦଶ ୪୩.୨ ଓଭର୍‌ରେ ୨୪୦ ରନ୍ କରି ଅଲ୍‌ଆଉଟ୍ ହୋଇଯାଇଥିଲା । ଜବାବରେ ଭାରତୀୟ ଟିମ୍ ୪ ୱିକେଟ୍ ହରାଇ ୪୨.୫ ଓଭର୍‌ରେ ବିଜୟଲକ୍ଷ୍ୟ ହାସଲ କରିଥିଲା ।

Advertisment

ତେବେ ଏହା ଏକ ଅଭ୍ୟାସ ମ୍ୟାଚ୍ ହୋଇଥିବାରୁ ଭାରତ ପୂରା ୪୬ ଓଭର୍ ବ୍ୟାଟିଂ କରିଥିଲା ଏବଂ ୫ ୱିକେଟ୍ ହରାଇ ମୋଟ୍ ୨୫୭ ରନ୍ ସଂଗ୍ରହ କରିଥିଲା ।

Will Rohit Sharma return to form in the Border-Gavaskar Trophyବର୍ଡର-ଗାଭାସ୍କର ଟ୍ରଫିରେ ଫର୍ମକୁ ଫେରିବେ କି ରୋହିତ ଶର୍ମା

ପର୍ଥରେ ଟେଷ୍ଟ ପଦାର୍ପଣ କରିଥିବା ଯୁବ ପେସର୍ ହର୍ଷିତ ରାଣା କାନ୍‌ବେରାରେ ମଧ୍ୟ ପ୍ରଭାବିତ କରିଥିଲେ । ସେ ଭାରତୀୟ ବୋଲର୍‌ଙ୍କ ମଧ୍ୟରେ ସର୍ବାଧିକ ୪ ୱିକେଟ୍ ନେଇଥିଲେ । ଅଙ୍ଗୁଳିରେ ଆଘାତ ଯୋଗୁଁ ପ୍ରଥମ ଟେଷ୍ଟରେ ଖେଳିପାରି ନ ଥିବା ଯୁବ ବ୍ୟାଟର୍ ଶୁଭମନ ଗିଲ୍ ଅର୍ଦ୍ଧଶତକୀୟ ଇନିଂସ୍ ଖେଳିଥିଲେ ।

ତେବେ ସମସ୍ତଙ୍କ ନଜର ରୋହିତଙ୍କ ଉପରେ ଥିଲା । ସେ ଓପନିଂ ପରିବର୍ତ୍ତେ ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିଲେ । କିନ୍ତୁ ଅଧିକ ସମୟ କ୍ରିଜ୍‌ରେ ତିଷ୍ଠିପାରି ନ ଥିଲେ । ସେ ପେସର୍‌ଙ୍କ ବିପକ୍ଷରେ ନିଜ ପୁରୁଣା ଭୁଲ୍‌ର ପୁନରାବୃତ୍ତି କରିଥିଲେ ।

ରୋହିତ ମାତ୍ର ୩ ରନ୍ କରି ପାଭିଲିଅନ୍ ଫେରିଥିଲେ । ସେ ଚାର୍ଲି ଆଣ୍ଡରସନ୍‌ଙ୍କ ବଲ୍‌ରେ ପ୍ରଥମ ସ୍ଲିପ୍‌ରେ ଥିବା ଅଲିଭର ଡେଭିସ୍‌ଙ୍କୁ କ୍ୟାଚ୍ ଦେଇଥିଲେ ।

ଆଡିଲେଡ୍‌ରେ ନଂ.୫ରେ ଖେଳିପାରନ୍ତି

ଆଡିଲେଡ୍ ଟେଷ୍ଟ ପୂର୍ବରୁ ଟିମ୍‌ର ବ୍ୟାଟିଂ କ୍ରମ ସ୍ଥିର କରିବା ଟିମ୍ ମ୍ୟାନେଜ୍‌ମେଣ୍ଟ ପାଇଁ ସବୁଠାରୁ ବଡ଼ ଚାଲେଞ୍ଜ୍ ଥିଲା । ଏବେ ଏହା ଆପାତତଃ ସ୍ଥିର ହୋଇଯାଇଛି ।

ଅଧିନାୟକ ରୋହିତ ଓପନିଂ କରିବାକୁ ପସନ୍ଦ କରନ୍ତି; କିନ୍ତୁ ଲୋକେଶ ରାହୁଲ ପର୍ଥରେ ଭାରତର ଦ୍ୱିତୀୟ ଇନିଂସ୍‌ରେ ଯେଉଁଭଳି ବ୍ୟାଟିଂ ପ୍ରଦର୍ଶନ କରିଥିଲେ, ତାହା ପ୍ରଶଂସାଯୋଗ୍ୟ ଥିଲା । ଓପନିଂ ଯୋଡ଼ିରେ ସେ ଯଶସ୍ୱୀ ଜୟସ୍ୱାଲଙ୍କ ସହ ଦ୍ୱି-ଶତକୀୟ ଭାଗୀଦାରୀ କରିଥିଲେ ।

ଅଭ୍ୟାସ ମ୍ୟାଚ୍‌ରେ ମଧ୍ୟ ରାହୁଲ-ଯଶସ୍ୱୀ ଯୋଡ଼ି ଉପରେ ଭରସାବ୍ୟକ୍ତ କରାଯାଇଥିଲା । ଉଭୟ ଓପନିଂ ୱିକେଟ୍ ପାଇଁ ୭୫ ରନ୍ ଯୋଗ କରିଥିଲେ । ଯଶସ୍ୱୀ ୪୫ ରନ୍ କରି ଆଉଟ୍ ହୋଇଥିବା ବେଳେ ରାହୁଲ ୨୭ ରନ୍ କରି ରିଟାୟର୍ଡ ହୋଇଥିଲେ ।

Will Rohit Sharma return to form in the Border-Gavaskar Trophyଆଡିଲେଡ୍‌ରେ ନଂ.୫ରେ ଖେଳିପାରନ୍ତି

ଏଥିରୁ ସ୍ପଷ୍ଟ ହୋଇଯାଇଛି ଯେ ପିଙ୍କ୍ ବଲ୍ ଟେଷ୍ଟରେ ରାହୁଲ ଓ ଯଶସ୍ୱୀଙ୍କ ଯୋଡ଼ି ହିଁ ଓପନିଂ କରିବେ ଏବଂ ରୋହିତ ମଧ୍ୟକ୍ରମରେ ଖେଳିବେ । ଭାରତୀୟ ଅଧିନାୟକ ପଞ୍ଚମ ସ୍ଥାନରେ ବ୍ୟାଟିଂ କରିପାରନ୍ତି ।

ଶୁଭମନ ଅଙ୍ଗୁଳି ଆଘାତରୁ ସୁସ୍ଥ ହୋଇ ଅଭ୍ୟାସ ମ୍ୟାଚ୍ ଜରିଆରେ ସଫଳ ପ୍ରତ୍ୟାବର୍ତ୍ତନ କରିଛନ୍ତି । ସେ ତିନି ନମ୍ବରରେ ବ୍ୟାଟିଂ କରିବା ନିଶ୍ଚିତ । ପର୍ଥରେ ଭାରତର ଦ୍ୱିତୀୟ ଇନିଂସ୍‌ରେ ଶତକ ଲଗାଇ ଫର୍ମକୁ ଫେରିଥିବା ବିରାଟ କୋହଲି ଚାରି ନମ୍ବରରେ ଆସିବେ । ଏହାପରେ ରୋହିତ ବ୍ୟାଟିଂ ପାଇଁ ଆସିପାରନ୍ତି ।

ରୋହିତ ଓପନର୍ ଭାବେ କ୍ରମାଗତ ବିଫଳ ହେଉଛନ୍ତି । ତେଣୁ ମଧ୍ୟକ୍ରମରେ ଖେଳିବା ତାଙ୍କ ପାଇଁ ଅଧିକ ନିରାପଦ ।

ଦକ୍ଷତା ଥିବା ସତ୍ତ୍ୱେ ସମାଲୋଚିତ

ଭାରତୀୟ ଅଧିନାୟକ ରୋହିତ ବିଳମ୍ବରେ ଟେଷ୍ଟ କ୍ରିକେଟ୍ ଖେଳିବା ଆରମ୍ଭ କରିଥିଲେ । କ୍ରିକେଟ୍‌ର ଦୀର୍ଘତମ ଫର୍ମାଟ୍‌ରେ ତାଙ୍କୁ ବିରାଟଙ୍କ ଭଳି ସଫଳତା ମିଳି ନାହିଁ, ହେଲେ ଟେଷ୍ଟରେ ବି ସେ ବଡ଼ ଖେଳାଳିଙ୍କ ମଧ୍ୟରେ ପରିଗଣିତ ହୁଅନ୍ତି ।

ରୋହିତ ନିଜ କ୍ୟାରିଅର୍‌ର ପ୍ରଥମ ଦୁଇ ଟେଷ୍ଟ ମ୍ୟାଚ୍‌ରେ ଶତକ ହାସଲ କରିଥିଲେ । କିନ୍ତୁ ଏହାପରେ ତାଙ୍କୁ ସଂଘର୍ଷ କରିବାକୁ ପଡ଼ିଥିଲା, ଏପରିକି ଗୋଟିଏ ସମୟରେ ତାଙ୍କୁ ଟିମ୍‌ରେ ସ୍ଥାନ ବି ମିଳି ନ ଥିଲା ।

୨୦୧୯ରେ ରୋହିତଙ୍କୁ ଟେଷ୍ଟରେ ଓପନିଂ କରିବାର ସୁଯୋଗ ମିଳିଥିଲା । ଏହାପରେ ପରବର୍ତ୍ତୀ ତିନି ବର୍ଷ ଯାଏଁ ସେ ଟିମ୍‌ର ଶ୍ରେଷ୍ଠ ବ୍ୟାଟର୍ ରହିଥିଲେ ।

ହିଟ୍‌ମ୍ୟାନ୍ ସୀମିତ ଓଭର୍‌ରେ ଜଣେ ଦମ୍‌ଦାର ବ୍ୟାଟର୍ ଭାବେ ଜଣାଶୁଣା । ସେ ଟେଷ୍ଟରେ ମଧ୍ୟ ଭଲ ବ୍ୟାଟର୍ ହୋଇଥିଲେହେଁ କ୍ରମାଗତ ବଡ଼ ସ୍କୋର୍ କରି ନ ପାରିବା ଯୋଗୁଁ ସମାଲୋଚନାର ଶରବ୍ୟ ହେଉଛନ୍ତି ।

ତେବେ ସମସ୍ତେ ଏ କଥାରେ ସହମତ ଯେ ସେ ଫର୍ମରେ ଥିବା ସ୍ଥଳେ ଟିମ୍‌ର ବିଜୟ ସମ୍ଭାବନା ବଢ଼ିଯାଏ । ତେଣୁ ପ୍ରଦର୍ଶନରେ ନିରନ୍ତରତା ରହୁ ନ ଥିଲେ ବି ତାଙ୍କ ଦକ୍ଷତା ପ୍ରତି ସେଭଳି ପ୍ରଶ୍ନ ଉଠେ ନାହିଁ ।

ଟେଷ୍ଟରେ ରୋହିତ ଏ ଯାବତ ୬୪ ମ୍ୟାଚ୍ ଖେଳି ୪୨୭୦ ରନ୍ ସଂଗ୍ରହ କରିଛନ୍ତି । ଏଥିରେ ୧୨ ଶତକ ଓ ୧୮ ଅର୍ଦ୍ଧଶତକ ରହିଛି ।

ଅଗ୍ନିପରୀକ୍ଷା ହେବ ଅଷ୍ଟ୍ରେଲିଆ ଗସ୍ତ

ରୋହିତଙ୍କ ପାଇଁ ଅଷ୍ଟ୍ରେଲିଆ ଗସ୍ତ କେବଳ ଅଧିନାୟକ ଭାବେ ନୁହେଁ, ଜଣେ ବ୍ୟାଟର୍ ଭାବେ ମଧ୍ୟ ଅଗ୍ନିପରୀକ୍ଷା । ଟିମ୍ ଇଣ୍ଡିଆ ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପ୍‌ର ଫାଇନାଲ୍‌ରେ ସିଧାସଳଖ ପ୍ରବେଶ କରିପାରିବ କି ନାହିଁ, ତାହା ଏହି ଗସ୍ତରୁ ସ୍ପଷ୍ଟ ହୋଇଯିବ । ଅବଶ୍ୟ ଅନ୍ୟ ସମୀକରଣରୁ ପ୍ରବେଶ ମିଳିବାର ସମ୍ଭାବନା ବି ରହିଛି ।

Will Rohit Sharma return to form in the Border-Gavaskar Trophyବର୍ଡର-ଗାଭାସ୍କର ଟ୍ରଫିରେ ଫର୍ମକୁ ଫେରିବେ କି ରୋହିତ ଶର୍ମା

ଭାରତ ପାଇଁ ଅଷ୍ଟ୍ରେଲିଆରେ ଅତି କମ୍‌ରେ ଚାରି ମ୍ୟାଚ୍ ଜିତିବା ଜରୁରୀ । ପର୍ଥ ବିଜୟ ଜରିଆରେ ଟିମ୍ ସକାରାତ୍ମକ ଢଙ୍ଗରେ ଅଭିଯାନ ଆରମ୍ଭ କରିଛି ସତ, ହେଲେ ଆହୁରି ଅନେକ ଚାଲେଞ୍ଜ୍ ବାକି ଅଛି । ଟିମ୍‌କୁ ଅବଶିଷ୍ଟ ଚାରି ଟେଷ୍ଟରୁ ତିନି ମ୍ୟାଚ୍ ଜିତିବାକୁ ହେବ ।

ପ୍ରଥମ ଟେଷ୍ଟରେ ରୋହିତ ଖେଳି ନ ଥିଲେ, ଅଥଚ ଟିମ୍ ବଡ଼ ବ୍ୟବଧାନରେ ବିଜୟ ହାସଲ କରିଥିଲା । ଏବେ ରୋହିତଙ୍କୁ ସିରିଜ୍‌ର ଅବଶିଷ୍ଟ ମ୍ୟାଚ୍‌ଗୁଡ଼ିକରେ ସଫଳ ନେତୃତ୍ୱ ନେବାକୁ ହେବ ।

ଘରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ରେ କ୍ଲିନ୍ ସୁଇପ୍ ହେବା ପରେ ଭାରତୀୟ ଟିମ୍ ବ୍ୟାକ୍‌ଫୁଟ୍‌କୁ ଚାଲିଆସିଥିଲା, କିନ୍ତୁ ପର୍ଥ ବିଜୟ ଖେଳାଳିଙ୍କ ମନୋବଳ ବଢ଼ାଇଛି । ଏବେ ପିଙ୍କ୍ ବଲ୍ ଅଭ୍ୟାସ ମ୍ୟାଚ୍‌ରେ ବି ଟିମ୍‌କୁ ସଫଳତା ମିଳିଛି । ଏହି ସକାରାତ୍ମକତାକୁ ବଜାୟ ରଖିବା ରୋହିତଙ୍କ ପାଇଁ ଚାଲେଞ୍ଜ୍ ହେବ ।

ବ୍ୟକ୍ତିଗତ ପ୍ରଦର୍ଶନକୁ ବିଚାରକୁ ନେଲେ, ରୋହିତ ଏବେ ଦୁର୍ବଳ ଫର୍ମରେ ଅଛନ୍ତି । ରୋହିତଙ୍କ ବ୍ୟାଟିଂ ପ୍ରଦର୍ଶନରେ ଆଉ ପୂର୍ବ ଚମକ ଦେଖିବାକୁ ମିଳୁ ନାହିଁ ।

ଭାରତରେ ଖେଳାଯାଇଥିବା ବାଂଲାଦେଶ ଓ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରେ ସେ ୧୦ ଇନିଂସ୍‌ରେ ମୋଟ୍ ୧୩୩ ରନ୍ ସଂଗ୍ରହ କରିଥିଲେ । ଏଥିରେ ମାତ୍ର ଗୋଟିଏ ଅର୍ଦ୍ଧଶତକ ରହିଛି ।

ଅନ୍ତିମ ସୋପାନ ଅଭିମୁଖେ ଟେଷ୍ଟ କ୍ୟାରିଅର୍

ବିଶେଷକରି ଟେଷ୍ଟ କ୍ରିକେଟ୍‌ରେ ବିରାଟ, ରବିଚନ୍ଦ୍ରନ ଅଶ୍ୱିନ ଓ ରବୀନ୍ଦ୍ର ଜାଡ଼େଜାଙ୍କ ଭଳି ୩୭ବର୍ଷୀୟ ରୋହିତଙ୍କ କ୍ୟାରିଅର୍ ମଧ୍ୟ ଅନ୍ତିମ ସୋପାନ ଆଡ଼କୁ ଗତି କରୁଛି ।

କ୍ୟାରିଅର୍‌କୁ ଆଉ ଟିକେ ଆଗକୁ ନେବାକୁ ହେଲେ, ତାଙ୍କୁ ଭଲ ବ୍ୟାଟିଂ ପ୍ରଦର୍ଶନ କରିବାକୁ ହେବ । ଫିଟ୍‌ନେସ୍ ସହ ପ୍ରଦର୍ଶନରେ ନିରନ୍ତରତା ରହିବା ବି ଜରୁରୀ । ଏହାଛଡ଼ା ଅଧିନାୟକତ୍ୱର ଅତିରିକ୍ତ ଦାୟିତ୍ୱ ମଧ୍ୟ ରହିଛି ।

ଚଳିତ ଟେଷ୍ଟ ଚକ୍ରରେ ବର୍ଡର-ଗାଭାସ୍କର ଟ୍ରଫି ଭାରତର ଶେଷ ସିରିଜ୍ । ଏହା ରୋହିତଙ୍କ ଟେଷ୍ଟ କ୍ୟାରିଅର୍‌ର ଭବିଷ୍ୟତ ନିର୍ଦ୍ଧାରଣ କରିପାରେ ।

ଏହି ଗୁରୁତ୍ୱପୂର୍ଣ୍ଣ ଟେଷ୍ଟ ସିରିଜ୍‌ରେ ଫର୍ମ ହାସଲ କରିପାରିବେ କି ରୋହିତ? ପୁଣି ଥରେ ଦେଖିବାକୁ ମିଳିବ କି ହିଟ୍‌ମ୍ୟାନ୍‌ଙ୍କ ଚମକ?

ଇମେଲ୍: biswasports@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Rohit Sharma Indian Cricket Indian Cricket Team
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ