ସରିଲା ନାମାଙ୍କନ, ମଇଦାନରେ ହେଭିୱେଟ୍‌ଙ୍କୁ ଟକ୍କର ଦେବେ ଉଚ୍ଚଶିକ୍ଷିତ

ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ନାମାଙ୍କନ ଦାଖଲ ଶେଷ ହୋଇଥିବା ବେଳେ ଉଚ୍ଚଶିକ୍ଷିତ ଓ ପେସାଦାରମାନେ ନିର୍ବାଚନ ମଇଦାନକୁ ଡେଇଁବା ନୂଆ ଟ୍ରେଣ୍ଡ ସୃଷ୍ଟି କରିଛି । ଏପଟେ ପ୍ରାର୍ଥିପତ୍ର ଦାଖଲ ସରୁ ସରୁ ନିଜ ନିଜ ସଫଳତାକୁ ନେଇ ଆଶାବାଦୀ ଅଛନ୍ତି ପ୍ରମୁଖ ରାଜନୈତିକ ଦଳ ।

Panchayat election

ସରିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ନାମାଙ୍କନ ଦାଖଲ । ଶେଷ ଦିନରେ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବହୁ ଆଶାୟୀ । ଏଥର ନିର୍ବାଚନରେ ନୂଆ ଟ୍ରେଣ୍ଡ ଦେଖିବାକୁ ମିଳିଛି । ନିଜ ଅଞ୍ଚଳର ବିକାଶ ଲାଗି ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ଉଚ୍ଚଶିକ୍ଷିତ ଓ ପେସାଦାର । 

ସେମିତି ଜଣେ ହେଉଛନ୍ତି ମିନତୀଲତା ବଳ । ସ୍ୱାମୀଙ୍କ ଅଧୁରା ସ୍ୱପ୍ନ ପୂରଣ ଲାଗି ଭଦ୍ରକ ବ୍ଲକ ଏରଡ଼ା ପଞ୍ଚାୟତର ସମିତିସଭ୍ୟ ପଦ ଲାଗି ନାମାଙ୍କନ ଦାଖଲ କରିଛନ୍ତି । ସେହିଭଳି ଅନ୍ୟ ଜଣେ ବୟସ୍କା ପ୍ରାର୍ଥୀ ହେଲେ କୋରାପୁଟ କୁନ୍ଦୁରା ଜିଲ୍ଲା ପରିଷଦ ଜୋନ୍-୨ ଲାଗି ନାମାଙ୍କନ ଭରିଥିବା କନକଲତା ପେଣ୍ଠିଆ । ୬୫ ବର୍ଷୀୟା କନକଲତା ରାଜନୀତିରେ ଖୁବ୍ ପୋଖତ । ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲାପରିଷଦ ସଦସ୍ୟ ଭାବେ ୩୦ ବର୍ଷର ରାଜନୈତିକ କ୍ୟାରିୟର । ଏଥର ବି ତାଙ୍କଠି ସେଇ ଜୋସ୍‌, ସେଇ ଆଗ୍ରହ ।

ତେବେ ଚିରାଚରିତ ତଥା ପୁରୁଖାଙ୍କୁ ଚ୍ୟାଲେଞ୍ଜ ଦେବା ପାଇଁ ମଇଦାନରେ ଏଥର ଉଚ୍ଚଶିକ୍ଷତ ଓ ପେସାଦାରଙ୍କ ଭିଡ଼ । ଅଧ୍ୟାପକଠୁ ଆରମ୍ଭ କରି ଇଞ୍ଜିନିୟର, ଓକିଲ, ଏମ୍‌ବିଏ, ସ୍ନାତକ, ୟୁପିଏସ୍‌ସି ଆଶାୟୀ, ଏୟାର ହୋଷ୍ଟେସ୍ ଓ ସେନା କର୍ମଚାରୀ ନିଜ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି । ଏଇ ଯେମିତି, ପୁରୀ କୃଷ୍ଣପ୍ରସାଦ-ପାରିକୁଦ-ସାତପଡ଼ା ଦ୍ୱୀପାଞ୍ଚଳର ଭକ୍ତିରଞ୍ଜନ ପଲାଇ । ନିଜ ଅ଼ଚଳର ବିକାଶ ଲାଗି ଅଧ୍ୟାପକ ଚାକିରି ଛାଡ଼ି ପାରିକୁଦ ଜୋନ୍-୯ ଜିଲ୍ଲା ପରିଷଦରୁ ସ୍ୱାଧୀନ ପ୍ରାର୍ଥୀ ହୋଇଛନ୍ତି ।

ସେହିଭଳି ଭକ୍ତିରଂଜନ ବାଲେଶ୍ୱର ନୀଳଗିରିରେ ୧୩ ନମ୍ବର ଜୋନ୍‌ରେ ଏମ୍‌ବିଏ ପଢୁଆ ତାପସ ମହାନ୍ତି, ସମ୍ବଲପୁର ରେଙ୍ଗାଲି ୨ ନମ୍ବର ଜୋନ୍‌ର ଅବସରପ୍ରାପ୍ତ ସୈନିକ ଦେ ନାରାୟଣ ତିୱାରୀ, ତେଲକୋଇ ବ୍ଲକ୍ ୧୯ ନମ୍ବର ଜୋନ୍‌ରେ ୟୁପିଏସ୍‌ସି ଆଶାୟୀ ଶୈଳବାଳା ନାଏକ, ରାଇରଙ୍ଗପୁର ବିଜାତଳା ୩୧ ନମ୍ବର ଜିଲ୍ଲା ପରିଷଦରେ ଏୟାର ହୋଷ୍ଟେସ୍ ବିଜୟଲକ୍ଷ୍ମୀ ମହାନ୍ତ, ପ୍ରାର୍ଥୀ ହୋଇଥିବା ବେଳେ ମୋଟା ଦରମାର ଇଞ୍ଜିନିୟର ଚାକିରି ଛାଡ଼ି କେନ୍ଦୁଝର ସଦର ବ୍ଲକ୍ ରାଇସୁଆଁ ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ଭାବେ ଭାଗ୍ୟ ପରୀକ୍ଷା କରୁଛନ୍ତି ଅନନ୍ତ ଦେହୁରୀ ।

ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ନାମାଙ୍କନ ଦାଖଲ ଶେଷ ହୋଇଥିବା ବେଳେ ଉଚ୍ଚଶିକ୍ଷିତ ଓ ପେସାଦାରମାନେ ନିର୍ବାଚନ ମଇଦାନକୁ ଡେଇଁବା ନୂଆ ଟ୍ରେଣ୍ଡ ସୃଷ୍ଟି କରିଛି । ଏପଟେ ପ୍ରାର୍ଥିପତ୍ର ଦାଖଲ ସରୁ ସରୁ ନିଜ ନିଜ ସଫଳତାକୁ ନେଇ ଆଶାବାଦୀ ଅଛନ୍ତି ପ୍ରମୁଖ ରାଜନୈତିକ ଦଳ । ବିଜେଡି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତୀକୁ ଅସ୍ତ୍ର କରି ପଞ୍ଚାୟତ ନିର୍ବାଚନ ବୈତରଣୀ ପାର ହେବାକୁ ଲକ୍ଷ୍ୟ ରଖିଥିବା ବେଳେ କଂଗ୍ରେସ କହିଛି ପୂର୍ବ ତୁଳନାରେ ଦଳ ଏଥର ଭଲ କରିବ । ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା, ଏଥର ଦଳକୁ ଅଧିକ ଆସନରେ ଜିତାଇବ ବୋଲି ଆଶା ରଖିଛି ବିଜେପି ।