ଏହି ୧୦ଟି କାରଣ ପାଇଁ ପଞ୍ଜାବରେ ଜିତିଲା ଆପ୍

ସମସ୍ତଙ୍କ ମନରେ ପ୍ରଶ୍ନ, ପଞ୍ଜାବରେ କେଉଁ କାରଣରୁ କଂଗ୍ରେସ ହାରିଲା ଆଉ ଆପ୍ ଜିତିଲା ? ବିଶେଷଜ୍ଞଙ୍କ ମତରେ ୧୦ଟି କାରଣ ହିଁ ମୁଖ୍ୟତଃ ପଞ୍ଜାବରେ ରାଜନୈତିକ ପଟ୍ଟ ପରିବର୍ତ୍ତନ ପାଇଁ ଦାୟୀ ।

Arvind Kejriwal

 

୫ ରାଜ୍ୟର ନିର୍ବାଚନ ଫଳାଫଳର ସବୁଠାରୁ ଉଲ୍ଲେଖନୀୟ ଘଟଣାଟି ହେଉଛି ପଞ୍ଜାବରେ କଂଗ୍ରେସର ଗଡ଼କୁ ଭାଙ୍ଗି, ଆମ୍ ଆଦମୀ ପାର୍ଟି (AAP) ସିଂହାସନ ହାସଲ କରିବା । ଦିଲ୍ଲୀ ବାହାରେ ଦଳର ଏହା ପ୍ରଥମ ବୃହତ ବିଜୟ । ସମସ୍ତଙ୍କ ମନରେ ପ୍ରଶ୍ନ, ପଞ୍ଜାବରେ କେଉଁ କାରଣରୁ କଂଗ୍ରେସ ହାରିଲା ଆଉ ଆପ୍ ଜିତିଲା ? ବିଶେଷଜ୍ଞଙ୍କ ମତରେ ୧୦ଟି କାରଣ ହିଁ ମୁଖ୍ୟତଃ ପଞ୍ଜାବରେ ରାଜନୈତିକ ପଟ୍ଟ ପରିବର୍ତ୍ତନ ପାଇଁ ଦାୟୀ ।

ସେଗୁଡ଼ିକ ହେଲା:-

୧. ଆପ୍‌ର ଦିଲ୍ଲୀ ମଡେଲର ଉତ୍ସୁକତା । ଦିଲ୍ଲୀ ମଡେଲରେ ପଞ୍ଜାବର ବିକାଶ ହେବ ବୋଲି ଆପ୍ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଘୋଷଣା କରିଥିଲେ । ପଞ୍ଜାବବାସୀଙ୍କ ଭିତରେ ଏହାକୁ ନେଇ ଆଶା ସୃଷ୍ଟି ହେଲା ।

୨. କଂଗ୍ରେସ ସରକାର ବିରୋଧୀ ହାୱା । ବେକାରୀ ସଂଖ୍ୟା ବୃଦ୍ଧି, କୋଭିଡ୍‌ ସମୟରେ ଠିକ୍ ଭାବେ ସ୍ୱାସ୍ଥ୍ୟସେବା ଯୋଗାଇ ନପାରିବା ଏବଂ ଦରଦାମ ବୃଦ୍ଧି । ଏସବୁ ସମସ୍ୟାର ଫାଇଦା ନେଲା ଆପ୍ ।

୩. ଆରମ୍ଭରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା । ୨୦୧୭ ନିର୍ବାଚନରେ ଆପ୍ ୧୧୨ଟି ଆସନରେ ପ୍ରାର୍ଥୀ ଦେଇ ୨୦ ଜଣଙ୍କୁ ଜିତାଇ ପାରିଥିଲା । ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲେ ଦଳ ଆହୁରି ଭଲ କରିପାରି ଥାଆନ୍ତା ବୋଲି ସେତେବେଳେ କୁହାଯାଇଥିଲା । ତେଣୁ ଦଳ ଏଥର ଏହାକୁ କାମରେ ଲଗାଇଲା ।

୪. ଭଗୱନ୍ତ ମାନଙ୍କ ଲୋକପ୍ରିୟତା । ମୁଖ୍ୟମନ୍ତ୍ରୀ ପଦ ପାଇଁ ସାଙ୍ଗ୍‌ରୁର ସାଂସଦ ଭଗୱନ୍ତ ମାନଙ୍କ ନାଁ ଘୋଷଣା ପରେ ମାଲୱା ଅଞ୍ଚଳରେ ଏହାର ପ୍ରଭାବ ପଡିଥିଲା । ଏହି ଅଞ୍ଚଳରେ ଜଣେ ଭଲ ରାଜନେତା ତଥା ଅଭିନେତା ଭାବେ ଲୋକ ତାଙ୍କୁ ପସନ୍ଦ କରନ୍ତି ।

୫. କଂଗ୍ରେସର ଗୋଷ୍ଠୀ କନ୍ଦଳ । ଲୋକଙ୍କ ବିଶ୍ୱାସ ହରାଇଲା କଂଗ୍ରେସ ଦଳ । ଅମରିନ୍ଦର ସିଂହଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଚରଣଜିତ୍ ଚନ୍ନିଙ୍କୁ କଂଗ୍ରେସ ମୁଖ୍ୟମନ୍ତ୍ରୀ ପଦରେ ବସାଇଲା । ପିସିସି ସଭାପତି ଭାବେ ନବଜୋତ ସିଂହ ସିଦ୍ଧୁ ଦାୟିତ୍ୱ ନେବା ପରେ ଗୋଷ୍ଠୀକନ୍ଦଳ ବହୁତ ବଢିଯାଇଥିଲା । କଂଗ୍ରେସର ମୁଖ୍ୟମନ୍ତ୍ରୀ ପଦକୁ ନେଇ ଚନ୍ନି, ସିଦ୍ଧୁ ଓ ସୁନୀଲ ଜାଖରଙ୍କ ମଧ୍ୟରେ ବିବାଦ ଥିଲା ।

୬. ଦୁଇଟି ଆସନରେ ମୁଖ୍ୟମନ୍ତ୍ରୀ ଚନ୍ନି । କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚନ୍ନି ଦୁଇଟି ଆସନରୁ ଛିଡ଼ା ହୋଇଥିଲେ । ଦ୍ୱିତୀୟ ଆସନ ଭାଦୌର ଭଗୱନ୍ତ ମାନଙ୍କ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ଥିଲା । ଚନ୍ନିଙ୍କ ଜିତିବା ନେଇ ତାଙ୍କ ନିଜ ମନରେ ଆଶଙ୍କା ଥିଲା । ଦ୍ୱିତୀୟ ସିଟ୍ ବି ଫାଇଦା ଦେଲାନି ।

୭. ମିଳିଲାନି ଦଳିତ ଭୋଟ । ଚନ୍ନିଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରାଯାଇଥିଲେ ବି ତାଙ୍କ ଭାଇ ଓ ସଂପର୍କୀୟଙ୍କୁ ଟିକେଟ୍ ମିଳିନଥିଲା । ତେଣୁ କେବଳ ଭୋଟ୍‌ବ୍ୟାଙ୍କ ରାଜନୀତି ପାଇଁ ଚନ୍ନିଙ୍କୁ ପ୍ରାର୍ଥୀ କରାଯାଇଥିବା ଆପ୍ ପକ୍ଷରୁ ପ୍ରଚାର କରାଯାଇଥିଲା ।

୮. କୃଷକ ଆନ୍ଦୋଳନ । କେନ୍ଦ୍ର ସରକାରଙ୍କ ବିରୋଧରେ କୃଷକଙ୍କ ଆନ୍ଦୋଳନରେ ହଜାର ହଜାର ପଞ୍ଜାବ ଚାଷୀ ସାମିଲ ହୋଇଥିଲେ । ଏହି ଆନ୍ଦୋଳନକୁ ଆପ୍ ପ୍ରଥମରୁ ହିଁ ସମର୍ଥନ ଦେଇ ଆସୁଥିଲା । ଅରବିନ୍ଦ କେଜରିୱାଲ, ମନୀଷ ସିସୋଦିଆଙ୍କ ଭଳି ଆପ୍‌ର ବରିଷ୍ଠ ନେତାମାନେ ଆନ୍ଦୋଳନରତ କୃଷକମାନଙ୍କ ପାଖରେ ପହଞ୍ଚୁଥିଲେ । ତେଣୁ ନିର୍ବାଚନରେ ଅଧିକାଂଶ କୃଷକଙ୍କର ପସନ୍ଦ ଥିଲା ଆପ୍ ।

୯. ଆପ୍‌ର ପ୍ରତିଶ୍ରୁତି । ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ଆପ୍ ପ୍ରତିଶ୍ରୁତି ଦେଇଛି । ଏପରିକି ମହିଳା ଓ ଯୁବକଙ୍କୁ ଭତ୍ତା ଦେବାକୁ ଦଳ ଘୋଷଣା କରିଛି ।

୧୦. ବିଜେପିର ଦୁର୍ବଳ ସଂଗଠନ । ବିଜେପି ସଂଗଠନ ସେତେଟା ଦୃଢ ନଥିଲା । କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାବମୂର୍ତ୍ତୀ ଛଡ଼ା ରାଜ୍ୟ ବିଜେପିର କୌଣସି ନେତାଙ୍କର ପ୍ରଭାବ ଆଖିଦୃଶିଆ ନଥିଲା ।