ଦିନେ ନବୀନ କିମ୍ବା ପାଣ୍ଡିଆନଙ୍କ ନିର୍ଦ୍ଦେଶକୁ ଅନେଇ ବସୁଥିଲେ ବିଜେଡି ନେତାଏ। ଯେଉଁ ପଦକ କଥା, ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ କିମ୍ବା ସେତେବେଳେ ଦଳର ସେକେଣ୍ଡ ପାୱାରଫୁଲ୍ ନେତା ଭିକେ ପାଣ୍ଡିଆନ୍ କହୁଥିଲେ, ସେଇ ପଦକ କଥାକୁ ଦଳର ସୈନିକମାନେ ହନୁମାନ ପରି ଏ ଗଛରୁ ସେ ଗଛକୁ ଡେଇଁ ପ୍ରଚାର କରୁଥିଲେ। କାହା ଜିଭରେ ହାଡ଼ ନଥିଲା ସେମାନଙ୍କ ନିଷ୍ପତ୍ତିକୁ ଅବମାନନା କରି ନୂଆ ଧାଡ଼ିଏ କଥା କହିବାକୁ।
ହୁଗୁଳି ଗଲାଣି ଅନୁଶାସନ
ଏହାକୁ ସେତେବେଳେ ଦଳର ଅନୁଶାସନ କୁହନ୍ତୁ କିମ୍ବା ହାଇକମାଣ୍ଡଙ୍କ ଆତଙ୍କ, କାହାର କିନ୍ତୁ ଦଳ ଲାଇନରୁ ବାହାରିବାକୁ ସାହସ ନଥିଲା। ଯଦିଓ ଦଳର ସେହି ମତ, ନବୀନ ବାବୁଙ୍କର ନିଜସ୍ବ ହୋଇଥାଇ ପାରେ, କିମ୍ବା ନବୀନଙ୍କ ନାଁରେ ତାହା ଦଳର ଦ୍ବିତୀୟ କ୍ଷମତା କେନ୍ଦ୍ର ଭିକେ ପାଣ୍ଡିଆନଙ୍କର ମତ ତାହା ଅଲଗା କଥା ଥିଲା।
Also Read
କିନ୍ତୁ ଏବେ ଆଉ ଦଳର ସ୍ଥିତି ସେମିତି ନାହିଁ। ଯେତେ ଚେଷ୍ଟା କଲେ ମଧ୍ୟ ବିଜେଡି ଭିତରେ ଯେ ଅନୁଶାସନ ହୁଗୁଳି ଗଲାଣି ତାହା ଜଳ ଜଳ ଧରାପଡ଼ି ଯାଉଛି। ଦଳ କ୍ଷମତାରୁ ଗଲାପରେ ଏବଂ ପାଣ୍ଡିଆନ୍ ଲୁଚି ଲୁଚି ଦଳ ଚଳାଉଥିବା ଭିତରେ, ଦଳର ନେତାମାନେ ଧୀରେ ଧୀରେ ଦଳୀୟ ଅନୁଶାସନକୁ ହେୟଜ୍ଞାନ କରିବା ଆରମ୍ଭ କରିଛନ୍ତି।
ଫାଟ ଧରାପଡ଼ି ଯାଇଛି
ୱାକଫ ସଂଶୋଧନ ବିଲ୍ ମାମଲାରେ ଦଳର ଫାଟ ଧରାପଡ଼ି ଯାଇଛି। କେନ୍ଦ୍ରର ଏନଡିଏ ସରକାର ଆଣିଥିବା ଏହି ସଂଶୋଧନ ବିଲକୁ ସଂସଦରେ ବିଜେଡି ସମର୍ଥନ କରିଛି ନା ବିରୋଧ କରିଛି, ଏହାକୁ ନେଇ ରାଜନୀତି ଜୋର୍ ଧରିଛି। ଧୀରେ ଧୀରେ ଜଣାପଡ଼ି ଗଲାଣି ଯେ, ଦଳର ସାଂସଦମାନେ ଦଳକୁ ଅଣଦେଖା କରିବା ଆରମ୍ଭ କଲେଣି । ଦଳ ବି କହିଲା, ନିଜର ବିବେକ ଅନୁସାରେ ଭୋଟ ଦିଅ । ଦଳ କଣ ଏତେ ଦୁର୍ବଳ ହୋଇଗଲା ଯେ, ହ୍ୱିପ୍ ଜାରି କରିପାରିଲାନାହିଁ । ଦଳର କୌଣସି ଷ୍ଟାଣ୍ଡ୍ ନାହିଁ ବୋଲି ଜଣାପଡିଗଲା ।
ଏହି ୭ ଜଣ ସାଂସଦ
ଏବେ ରାଜ୍ୟସଭାରେ ବିଜେଡିର ୭ ଜଣ ସଦସ୍ୟ ଅଛନ୍ତି। ସେମାନେ ହେଲେ- ମାନସ ରଂଜନ ମଙ୍ଗରାଜ, ମୁଜିବୁଲ୍ଲା ଖାଁ, ଶୁଭାଶିଷ ଖୁଣ୍ଟିଆ, ଦେବାଶିଷ ସାମନ୍ତରାୟ, ସସ୍ମିତ ପାତ୍ର, ସୁଲତା ଦେଓ ଓ ନିରଂଜନ ବିଶି। ଏମାନଙ୍କ ଭିତରୁ ମୁଜିବୁଲ୍ଲା ଖାଁ ବା ମୁନା ଖାଁ ବିରୋଧରେ ଭୋଟ୍ ଦେଇଥିବା ବେଳେ ସସ୍ମିତ ପାତ୍ର ସମର୍ଥନ କରିଥିବା ସୂଚନା ମିଳିଛି। ସେହିପରି ଦେବାଶିଷ ସାମନ୍ତରାୟ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଦଳର ନିଷ୍ପତ୍ତି ମତେ ଠିକ୍ ଲାଗିଲାନି, ତେଣୁ ଭୋଟିଂରୁ ବିରତ ରହିଲି।
କିଏ କଣ କହିଲେ?
ଏହି ପୂରା ପ୍ରସଙ୍ଗରେ କିଏ କଣ କହିଲେ ପ୍ରଥମେ ଜାଣନ୍ତୁ। ପ୍ରଥମେ ବିଜେଡି ଦ୍ୱନ୍ଦ୍ୱ ଆରମ୍ଭ ହୋଇଥିଲା ଦଳର ରାଜ୍ୟସଭା ସଦସ୍ୟ ସସ୍ମିତ ପାତ୍ରଙ୍କ ସୋସିଆଲ୍ ମିଡିଆ ପୋଷ୍ଟରୁ। ସେ ଲେଖିଲେ ୱାକଫ୍ ପ୍ରସଙ୍ଗରେ ବିଜେଡି ସାଂସଦମାନେ ବିବେକାନୁମୋଦିତ ଭୋଟ ଦେବେ। ଅର୍ଥାତ ତାଙ୍କ ବିବେକ ଯାହା କହିବ ସିଏ ସେଇଆ କରିବେ। କିନ୍ତୁ ସେଇ ସସ୍ମିତ ପାତ୍ର ପୂର୍ବରୁ କହିଥିଲେ ଯେ, ଦଳ ନିଷ୍ପତ୍ତି ନେଇଛି ଆମ ସାଂସଦମାନେ ୱାକଫ୍ ସଂଶୋଧନ ବିଲକୁ ବିରୋଧ କରିବୁ।
ସେହିପରି ଦଳର ସାଂସଦ ମୁନା ଖାଁ ବିଲକୁ ବିରୋଧ କଲେ ଓ ଏକ ଲମ୍ବା ଭାଷଣ ମଧ୍ୟ ଦେଇଥିଲେ। ତେଣୁ ସେ ବିରୋଧରେ ଭୋଟ୍ ଦେଇଥିଲେ। କିନ୍ତୁ ଆଉ କେଉଁ ସାଂସଦ କଣ କଲେ ତାହା ସ୍ପଷ୍ଟ ହୋଇନାହିଁ।
ବଡ଼ ବୟାନ ଦେଇ ଦେବାଶିଷ ସାମନ୍ତରାୟ କହିଛନ୍ତି, ମୁଁ ଅସନ୍ତୁଷ୍ଟ ହୋଇ ଭୋଟ ଦେଲିନି। କାରଣ ଦଳର ନିଷ୍ପତ୍ତି ମତେ ଠିକ୍ ଲାଗିଲାନି। ସେହିପରି ପୂର୍ବତନ ମନ୍ତ୍ରୀ ତଥା ବିଜେଡି ବିଧାୟକ ବଦ୍ରି ନାରାୟଣ ପାତ୍ର କହିଛନ୍ତି, ଭିତରେ ଭିତରେ କିଛି ଖେଳ ହୋଇଛି। ଦଳରେ ଗୋଟେ ନିଷ୍ପତ୍ତି ହେଲା, କିନ୍ତୁ ଏହାପରେ ଯିଏ ଯାହାକୁ ଭୋଟ୍ ଦେବା ଘଟଣା ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ଅର୍ଥାତ ସେ ନିଜେ ନିଜ ଦଳର କାର୍ଯ୍ୟକଳାପ ଉପରେ ସନ୍ଦେହ କରିଛନ୍ତି।
ସେହିପରି ଦଳର ନେତା ଶଶିଭୂଷଣ ବେହେରା କହିଛନ୍ତି, ଆମର କଥା ହୋଇଥିଲା ୱାକଫକୁ ବିରୋଧ କରିବୁ। ହେଲେ ଗୃହରେ କେମିତି କନଫ୍ୟୁଜନ୍ ସୃଷ୍ଟି ହେଲା ଜଣାପଡୁନି। ସଭାପତିଙ୍କ ସହ ଆଲୋଚନା କଲେ କାରଣ ଜଣାପଡ଼ିବ। ସେହିପରି ବିଜେପି ବିଧାୟକ ବାବୁ ସିଂହ କହିଛନ୍ତି, ବିଜେଡି ନେତୃତ୍ବ ବିହୀନ ହୋଇଯାଇଥିବାରୁ ନେତାଙ୍କ ଭିତରେ ସହମତି ରହୁନି। ଦଳ ଭିତରେ ସହମତି ନାହିଁ, ଦୁଇଭାଗ ହୋଇଯାଇଛି। ବିଜେଡି ଲୋକସଭାରେ ଶୂନ ହୋଇଯାଇଛି, ଏପଟେ ରାଜ୍ୟସଭାରେ ସହମତି ନାହିଁ। କାହାକୁ ସମର୍ଥନ କରିବେ, କାହାକୁ ବିରୋଧ କରିବେ ଜାଣି ପାରୁନାହାନ୍ତି।
ସେହିପରି ପିସିସି ସଭାପତି ଭକ୍ତ ଦାସ କହିଛନ୍ତି, ବିଜେପି-ବିଜେଡି ଡିଲ୍ ହୋଇଛି। ଦିଲ୍ଲୀରେ ନବୀନଙ୍କୁ ନେଇ ଡିଲ୍ କରିଛନ୍ତି ତାଙ୍କ ମାନସପୁତ୍ର। ବିଜେପି ନିକଟରେ ନବୀନଙ୍କୁ ବିକିଛନ୍ତି ସେହି ମାନସପୁତ୍ର। ଉଭୟେ ବିଜେପିକୁ ଚାଲିଯିବେ, ଏପଟେ ବଳି ପଡିବେ ଅନ୍ୟ ବିଜେଡି ନେତା। ମାନସପୁତ୍ରଙ୍କୁ ବଞ୍ଚାଇବାକୁ ଯାଇ ଡିଲ ହୋଇଥିବା ଭକ୍ତ ଦାସ କହିଛନ୍ତି।
ଆଉ ନାହିଁ ପାଣ୍ଡିଆନ୍ ଭୟ
ସାଂସଦ ଦେବାଶିଷ ସାମନ୍ତରାୟ ଯାହା କହିଛନ୍ତି, ସେଥିରୁ ଜଣାପଡ଼ୁଛି ଦଳରେ କେହି କାହାକୁ ନମାନିଲେ କିଛି ଅସୁବିଧା ହେବନି। ତାଙ୍କୁ ଦଳର ନିଷ୍ପତ୍ତି ଠିକ୍ ଲାଗିଲାନି ବୋଲି ସେ ଭୋଟ୍ ଦେଲେନି। ଯଦି ଏବେ ଦଳ କ୍ଷମତାରେ ଥାଆନ୍ତା, ସେ ଏହି ସାହସ କରିପାରିଥାନ୍ତେ କି? ଯାହାତ କଲେ, ପୁଣି ଖୋଲାଖୋଲି ଗଣମାଧ୍ୟମରେ କହୁଛନ୍ତି। ସେତେବେଳେ ପାଣ୍ଡିଆନଙ୍କ ଭୟରେ ଲାଙ୍ଗୁଡ଼ ଜାକୁଥିବା ନେତାଏ ଏବେ କେମିତି ଫଣା ଦେଖାଉଛନ୍ତି ଦେବାଶିଷ ଏହାର ଏକ ଉଦାହରଣ।
ପ୍ରବଳ ଅନୁଶାସନ ଭିତରେ ଥିବା ଦଳ ବିଜେଡିରେ ସମସ୍ତେ ବାଧ୍ୟ ହୋଇ ଭୟରେ ଚୁପ୍ ଥିଲେ। ଏବେ ଦଳ କ୍ଷମତାରୁ ଗଲାପରେ ଆଉ ପାଣ୍ଡିଆନ୍ ବାବୁ ରାଜନୀତିରୁ ଲୁଚୁଥିବା ବେଳେ, ଚୁପ୍ ଥିବା ନେତାଏ ଏବେ ସେମାନଙ୍କ ବିଷ ଦାନ୍ତ ଦେଖାଇଲେଣି। ରାଜନୈତିକ ପଣ୍ଡିତଙ୍କ କହିବା ଅନୁଯାୟୀ, ଏହିପରି ଧୀରେ ଧୀରେ ଦଳ ଦୁର୍ବଳ ହୋଇଯିବ। ଆଗରୁ ରାଜ୍ୟ କଂଗ୍ରେସରେ ଯେମିତି ସମସ୍ତେ ସମସ୍ତଙ୍କ ହାତରେ ଚଉଦ ପା’ ଥିଲେ, ବିଜେଡିରେ ମଧ୍ୟ ସେହି ଅବସ୍ଥା ହେବ। ଆଗକୁ ବିଜେଡି ଯଦି ଦୁର୍ବଳ ହୋଇ ଦୁଇଭାଗ ହୋଇଯାଏ, ତେବେ ୱାକଫ୍ ପ୍ରସଙ୍ଗ ଏହାର ମୁଖ୍ୟ କାରଣ ହୋଇପାରେ।