Advertisment

ଗରିବ ଲୋକଙ୍କୁ ଧନୀମାନଙ୍କ ତୁଳନାରେ ଅଧିକ ଟିକସ ଦେବାକୁ ପଡୁଛି

ଦେଶର ୨୧ଜଣ ଧନ କୁବେରଙ୍କ ପାଖରେ ଯେତିକି ସମ୍ପତ୍ତି ରହିଛି, ତାହା ୭୦ କୋଟି ଗରିବ ଭାରତୀୟଙ୍କ ସମ୍ପତ୍ତି ସହ ସମାନ। ସାଧାରଣ ଲୋକେ ଯିଏ ଦୈନନ୍ଦିନର ଗୁଜୁରାଣ ମେଣ୍ଟାଇବାରେ ଅକ୍ଷମ, ସେମାନଙ୍କଠାରୁ ଆଦାୟ ହେଉଥିବା ଟିକସର ପରିମାଣ ୬୪ ପ୍ରତିଶତ।

ଅଦ୍ୟତନ ହୋଇଛି
Poor Have To Pay More Taxes Than Rich

The poor have to pay more taxes than the rich

Advertisment

ଅସମାନତାକୁ ନେଇ ଏକ ଦଶନ୍ଧିରୁ ଅଧିକ ସମୟ ହେବ ଚର୍ଚ୍ଚା ଚାଲିଛି। ଏ ବାବଦରେ ବେସରକାରୀ ସଂସ୍ଥା ଅକ୍ସଫୋମ୍ ଏବେ ଯେଉଁ ରିପୋର୍ଟ ପ୍ରକାଶ କରିଛି, ତାହା ଅତ୍ୟନ୍ତ ସମ୍ବେଦନଶୀଳ। ଅକ୍ସଫୋମ୍ ଇଣ୍ଡିଆ ଭାରତ ସମ୍ବନ୍ଧିତ ୨୦୨୩ରେ “ସର୍ଭାଇଭାଲ୍ ଅଫ୍ ଦି ରିଚେଷ୍ଟ: ଦି ଇଣ୍ଡିଆ ଷ୍ଟୋରୀ” ରିପୋର୍ଟରେ ଭାରତ ପ୍ରସଙ୍ଗରେ ଅନେକ କଥା ଉଲ୍ଲେଖ କରିଛି।

Advertisment

ରିପୋର୍ଟ ଅନୁସାରେ ୨୦୨୦ର କରୋନା ମହାମାରୀ କାରଣରୁ ପାଖାପାଖି ୭୫ କୋଟି ଭାରତୀୟଙ୍କୁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ୨୦ କୋଟି ଲୋକ ନିଯୁକ୍ତି ହରାଇଥିଲେ। ପାଖାପାଖି ୪୦ କୋଟି ଲୋକ ସେମାନଙ୍କ ଜମା ରଖିଥିବା ଅର୍ଥକୁ ମହାମାରୀ ସମୟରେ ଖର୍ଚ୍ଚ କରିବା ପାଇଁ ବାଧ୍ୟ ହୋଇଥିଲେ।

ଅଧିକ ପଢ଼ନ୍ତୁ: ଦେଶରେ ବଢୁଛି ଧନୀ-ଗରିବ ତାରତମ୍ୟ, ୨୧ଜଣଙ୍କ ପାଖରେ ୭୦କୋଟି ଲୋକଙ୍କ ସଂପତ୍ତି

Advertisment

ଠିକ୍ ସେହି ସମୟରେ ଭାରତର ଧନ କୁବେରମାନଙ୍କ ସମ୍ପତ୍ତି ୨୧ପ୍ରତିଶତ ବୃଦ୍ଧି ପାଇଥିଲା। ଦେଶର ୨୧ଜଣ ଧନ କୁବେରଙ୍କ ପାଖରେ ଯେତିକି ସମ୍ପତ୍ତି ରହିଛି, ତାହା ୭୦ କୋଟି ଗରିବ ଭାରତୀୟଙ୍କ ସମ୍ପତ୍ତି ସହ ସମାନ। କିନ୍ତୁ ଦେଶରେ ଯେଉଁ ଟିକସ ଓ ଜିଏସ୍‌ଟି ଆଦାୟ ହେଉଛି, ତା’ର ୩ ପ୍ରତିଶତ ଏହି ଧନ କୁବେରମାନେ ଦେଇଥାଆନ୍ତି।

ସାଧାରଣ ଲୋକେ ଯିଏ ଦୈନନ୍ଦିନର ଗୁଜୁରାଣ ମେଣ୍ଟାଇବାରେ ଅକ୍ଷମ, ସେମାନଙ୍କଠାରୁ ଆଦାୟ ହେଉଥିବା ଟିକସର ପରିମାଣ ୬୪ ପ୍ରତିଶତ। ଏଥିରୁ ସ୍ପଷ୍ଟ ଯେ, ରିପୋର୍ଟରେ ଉଲ୍ଲେଖ କରାଯାଇଥିବା ତଥ୍ୟ କେତେ ସମ୍ବେଦନଶୀଳ।

Advertisment

ଗତବର୍ଷର ଅକ୍ସଫୋମ୍ ରିପୋର୍ଟ ଓ ୨୦୨୩ର ରିପୋର୍ଟକୁ ଅନୁଧ୍ୟାନ କଲେ ସ୍ପଷ୍ଟ ଯେ, ପ୍ରତିବର୍ଷ ଗରିବ ଓ ଧନୀଙ୍କ ମଧ୍ୟରେ ଦୂରତା ବା ପ୍ରତିଶତ ବଢିବାରେ ଲାଗିଛି। ୨୦୨୦ରେ କରୋନା ସମୟରେ ଦେଶରେ ୧୦୨ଜଣ ଧନ କୁବେର ଥିବାବେଳେ ୨୦୨୨ ନଭେମ୍ବର ବେଳକୁ ଏମାନଙ୍କ ସଂଖ୍ୟା ୧୬୬ରେ ପହଞ୍ଚିଥିଲା।

ଏହାର ସିଧାସଳଖ ଅର୍ଥ ହେଉଛି, କରୋନା ମହାମାରୀ ଧନକୁବେରମାନଙ୍କର କିଛି କ୍ଷତି କରି ନାହିଁ ବରଂ ସେମାନଙ୍କୁ ଅଧିକ ଭାବେ ଆର୍ଥିକ ସ୍ତରରେ ମଜଭୁତ୍ କରିଦେଇଛି। ଅକ୍ସଫୋମ୍‌ର ରିପୋର୍ଟ କହୁଛି, ଧନ କୁବେରମାନଙ୍କର ପ୍ରତି ମିନିଟ୍‌ରେ ଅଢେଇ କୋଟି ଟଙ୍କା ଲାଭ ହୋଇଛି।

ଏଠାରେ ପ୍ରଶ୍ନ ଉଠିବା ସ୍ୱଭାବିକ ଯେ, ଧନ କୁବେର ଓ ଗରିବଙ୍କ ମଧ୍ୟରେ ଥିବା ଏହି ଅନ୍ତର କମିବ କେବେ ? ଏହି ଅସନ୍ତୁଳନ ଗଣିତ ପାଠ ନୁହେଁ । ଏହା ପଛରେ ଏକ ବଡ଼ ରଣନୀତି ଲୁଚି ରହିଛି। ଶକ୍ତିଶାଳୀ ଶାସକ ଏମାନଙ୍କ ବିରୁଦ୍ଧରେ କୌଣସି ପଦକ୍ଷେପ ନେଇପାରୁ ନାହାଁନ୍ତି । କାରଣ ଅନ୍ୟ ରାସ୍ତାରେ ଏହି ଧନ କୁବେରମାନେ ରାଜନୈତିକ ଦଳମାନଙ୍କର ପୃଷ୍ଠପୋଷକତା କରୁଛନ୍ତି।

ଆର୍ଥିକ ଅସମାନତା ବଢିବାର କାରଣ ହେଉଛି, ଅର୍ଥ ବ୍ୟବସ୍ଥାର ସ୍ୱରୂପ ପରିବର୍ତ୍ତନ। ଅନେକ ଅର୍ଥଶାସ୍ତ୍ରୀଙ୍କ ମତ ମଧ୍ୟ ଏହା। ବ୍ରିଟେନ୍‌ରେ ଅକ୍ସଫୋମ୍‌ର ମୁଖ୍ୟ ଡେନି ଶିକନ୍ଦରାଜା କହିଛନ୍ତି ଯେ, “ଆଜିର ଆର୍ଥିକ ବ୍ୟବସ୍ଥା ଯଥାର୍ଥ ମାନବ ମୂଲ୍ୟର ଅପମାନ । ୨୫ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ଦାରିଦ୍ର୍ୟ ଓ ଗରିବ ସଂଖ୍ୟା ଆଶାତୀତ ବୃଦ୍ଧି ପାଇଛି ଏବଂ ବିଶ୍ୱର ପାଖାପାଖି ୧୦୦ କୋଟିରୁ ଅଧିକ ଲୋକ ଏବେ ଖାଦ୍ୟାଭାବର ଶିକାର । ଅନ୍ୟପକ୍ଷରେ ପ୍ରତିଦିନ ଧନକୁବେରମାନଙ୍କର ସମ୍ପତ୍ତି ବଢ଼ିବାରେ ଲାଗିଛି। ଆମେ ଏମିତି ଏକ ବ୍ୟବସ୍ଥାକୁ କେମିତି ସ୍ୱୀକାର କରିପାରିବା ଯେଉଁ ବ୍ୟବସ୍ଥାରେ ଅନେକ ଦେଶର ଗରିବ ଲୋକମାନଙ୍କୁ ଧନୀମାନଙ୍କ ତୁଳନାରେ ଅଧିକ ଟିକସ ଦେବାକୁ ପଡ଼ିଥାଏ।”

ନବ ଉଦାରବାଦୀ ଆର୍ଥିକ ବ୍ୟବସ୍ଥା କାରଣରୁ ସୃଷ୍ଟି ହେଉଥିବା ଧନ ସବୁ ସ୍ତରର ଲୋକଙ୍କ ଅବସ୍ଥା ସୁଧାରି ପାରୁଛି ବୋଲି କୁହାଯାଉଛି। ସାରା ବିଶ୍ୱରେ ଗରିବଙ୍କ ସଂଖ୍ୟା କମୁଛି ବୋଲି ନବ ଉଦାରବାଦୀ ଅର୍ଥ ବ୍ୟବସ୍ଥା ସପକ୍ଷରେ ମତ ଦେଉଥିବା ଲୋକେ କହୁଛନ୍ତି । ବିଶ୍ୱବ୍ୟାଙ୍କ୍‌ ପକ୍ଷରୁ ଗରିବର ନ୍ୟୁନ ପରିଭାଷାର ଆଧାରରେ ଟ୍ରିକିଲ୍ ଡାଉନ୍‌ର କାହାଣୀ ସବୁ କୁହାଯାଉଛି।

ଉଦାରବାଦୀ ଅର୍ଥ ବ୍ୟବସ୍ଥା କାରଣରୁ ଆମେରିକାର ମଧ୍ୟବର୍ଗୀୟ ଲୋକଙ୍କ ଅବସ୍ଥା ସୁଧୁରୁଛି ବୋଲି ଉଦାହରଣ ଦିଆଯାଉଛି। କିନ୍ତୁ ପ୍ରକୃତ ତଥ୍ୟ ହେଉଛି ଅସମାନତା ପ୍ରସଙ୍ଗ, ଯାହା ୨୦୦୮ ମସିହାରେ ଆମେରିକାରେ ଅଧିକ ଭାବେ ଚର୍ଚ୍ଚାର ବିଷୟ ପାଲଟିଥିଲା।

ବିଶ୍ୱସ୍ତରରେ ଦେଖାଯାଇଥିବା ଆର୍ଥିକ ମାନ୍ଦାବସ୍ଥା କାରଣରୁ ଏ ପ୍ରସଙ୍ଗ ଜୋର୍ ଧରିଥିଲା। ଆର୍ଥିକ ମାନ୍ଦାବସ୍ଥା ଆରମ୍ଭ ହୋଇଥିଲା ଗୃହ ଋଣ କାରଣରୁ। ୨୦୦୭ ମସିହାରେ ଋଣ ସୁଝିବାର ଯୋଗ୍ୟତା ପରିକ୍ଷଣ ନ କରି ଆମେରିକାର ବ୍ୟାଙ୍କ୍‌ଗୁଡିକ ଲକ୍ଷ ଲକ୍ଷ ଲୋକଙ୍କୁ ଗୃହଋଣ ଦେଇଥିଲେ। ଅଧିକ ଲୋକ ଋଣ ସୁଝିବା ପାଇଁ ଅସମର୍ଥ ହୋଇଥିଲେ। ଏଣୁ ବ୍ୟାଙ୍କିଙ୍କ୍ ସେକ୍ଟର ସଙ୍କଟରେ ପଡ଼ିଯାଇଥିଲା।

ସେପଟେ ଋଣ ସୁଝି ନପାରିବା ଲୋକଙ୍କ ଘର ମଧ୍ୟ ନିଲାମ ହେବାରେ ଲାଗିଲା। ଧିରେ ଧିରେ ଏହି ଘଟଣା କାରଣରୁ ଆମେରିକାରେ ଅର୍ଥ ବ୍ୟବସ୍ଥା ମାନ୍ଦା ପଡ଼ିଗଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଆମେରିକାର ଅର୍ଥ ବ୍ୟବସ୍ଥା ବିଶ୍ୱ ଅର୍ଥ ବ୍ୟବସ୍ଥାର କେନ୍ଦ୍ରବିନ୍ଦୁ ପାଲଟିଛି।

ଏଣୁ ଏହି ମାନ୍ଦାବସ୍ଥାର ପ୍ରଭାବ ଏବେବି ବିଶ୍ୱ ସମୁଦାୟ ଉପରେ ପଡ଼ିଛି। ଫ୍ରାନ୍ସର ଅର୍ଥଶାସ୍ତ୍ରୀ ଥୋମାସ୍ ପିକେଟି ୨୦୧୩ରେ “କ୍ୟାପିଟାଲ୍ ଇନ୍ ଟ୍ୱେଣ୍ଟିଫାଷ୍ଟ୍‌ ସେଞ୍ଚୁରୀ” ପୁସ୍ତକରେ ଏ ସମ୍ପର୍କରେ ଅନେକ ତଥ୍ୟ ପ୍ରଦାନ କରିଥିଲେ।

ଅକ୍ସଫୋମ୍ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, କରୋନା ସମୟରେ ସୁଧହାର କମାଇବା, ଅଧିକ ନୋଟ୍ ଛପାଯିବାର ସୁଫଳ ଧନୀଲୋକଙ୍କୁ ମିଳିଥିଲା। ଏମାନେ ବ୍ୟାଙ୍କ୍‌ରୁ ଋଣ ନେଇ ଶେୟାର ବଜାରରେ ବିନିଯୋଗ କଲେ ଓ ଭୂସମ୍ପତ୍ତି କିଣିଲେ। ଫଳରେ ସମ୍ପତ୍ତିର ମୂଲ୍ୟ ବଢିଲା। ଏଣୁ ଏମାନଙ୍କ ପାଖକୁ ଅଧିକ ଅର୍ଥ ଆସିଲା।

ଅକ୍ସଫୋମ୍ ଓ ଫ୍ରାନ୍ସର ଅର୍ଥଶାସ୍ତ୍ରୀ ପିକେଟି ଓ ଅନ୍ୟ କେତେକ ଅର୍ଥଶାସ୍ତ୍ରୀଙ୍କ ମତ ଅନୁସାରେ ନବ ଉଦାରବାଦୀ ଅର୍ଥ ବ୍ୟବସ୍ଥା କାରଣରୁ ଅସମାନତା ବଢୁଛି। ଏଣୁ ପ୍ରଶ୍ନ ଉଠିବା ସ୍ୱଭାବିକ ଯେ, ନବ ଉଦାରବାଦୀ ଅର୍ଥ ବ୍ୟବସ୍ଥାର ଔଚିତ୍ୟ କେତେ? କୌଣସି ତର୍କରେ ଏହାକୁ ଉଚିତ୍ ବୋଲି କୁହାଯାଇପାରିବ କି ? କିନ୍ତୁ ବିଡ଼ମ୍ବନା ଯେ, ଯେଉଁ ସଂସ୍ଥାମାନେ ଏ ବାବଦରେ ରିପୋର୍ଟ ପ୍ରକାଶ କରୁଛନ୍ତି, ସେମାନେ ଏହି ନବ ଉଦାରବାଦୀ ଅର୍ଥ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଉ ନାହାଁନ୍ତି । ବରଂ ସେମାନେ ବୁନିଆଦି ପ୍ରଶ୍ନ ଉଠାଇବା ପରିବର୍ତ୍ତେ ଭିନ୍ନ ଭିନ୍ନ ଉପଦେଶ ଦେଉଛନ୍ତି।

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଏଭଳି ସ୍ଥିତି ଜାରି ରହିଛି ଯେ, ଧନୀ ଧନୀ ହେବାରେ ଲାଗିଛି ଓ ଗରିବ ଗରିବ ହେବାରେ ଲାଗିଛି। ଏବେ ଚିନ୍ତା କରାଯିବା ଆବଶ୍ୟକ, ଯେଉଁ ଅର୍ଥ ବ୍ୟବସ୍ଥା ସାଧାରଣ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ, ସେଭଳି ଅର୍ଥ ବ୍ୟବସ୍ଥାର ଔଚିତ୍ୟ କ’ଣ ?

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

ରାମଚନ୍ଦ୍ରପୁର, ରଣପୁର

ଇମେଲ୍: mediaodisha2@gmail.com

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ