Advertisment

ଟିମ୍ ଇଣ୍ଡିଆ ପାଇଁ ଅଲୋଡ଼ା ହୋଇଗଲେଣି କି ରାହୁଲ !

ଲଗାତାର ଖରାପ ପ୍ରଦର୍ଶନ, ଦୁର୍ବଳ ସଟ୍ ଚୟନ ଓ ଦୟନୀୟ ଫର୍ମ ସତ୍ତ୍ୱେ ଲୋକେଶ ରାହୁଲ ଭାରତୀୟ ଟେଷ୍ଟ ଟିମ୍‌ରେ ନିଜ ସ୍ଥାନ ସୁରକ୍ଷିତ ରଖିବାରେ ସଫଳ ହୋଇଛନ୍ତି । କ୍ରିକେଟ୍ ପଡ଼ିଆ, ଇଣ୍ଟର୍‌ନେଟ୍ ମିଡିଆ, କ୍ରିକେଟ୍ ପ୍ରଶଂସକ ମହଲରେ ଚର୍ଚ୍ଚା ହେଉଛି ଯେ ରାହୁଲଙ୍କ ପାଖରେ ଏମିତି କେଉଁ ପ୍ରତିଭା ଅଛି ଯେ ଟିମ୍ ଇଣ୍ଡିଆରୁ ତାଙ୍କୁ କଢ଼ାଯାଇପାରୁନି? ତାଙ୍କ ଉପରେ ଟିମ୍ ମ୍ୟାନେଜ୍‌ମେଣ୍ଟର ଏତେ ଭରସା କାହିଁକି?

ଅଦ୍ୟତନ ହୋଇଛି
KL Rahul unwanted for Team India

KL Rahul unwanted for Team India

Advertisment

ଏକଦା ଲୋକେଶ ରାହୁଲଙ୍କୁ ସମସ୍ତ ଫର୍ମାଟ୍ ପାଇଁ ଭାରତୀୟ ଟିମ୍‌ର ଭବିଷ୍ୟତର ଅଧିନାୟକ ଦୃଷ୍ଟିରୁ ବିଚାର କରାଯାଉଥିଲା । ରୋହିତ ଶର୍ମାଙ୍କ ପରେ ସେ ହିଁ ଟିମ୍‌ର ମଙ୍ଗ ଧରିବେ ବୋଲି ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡର ଆଶା ଥିଲା। ଅନ୍ୟମାନଙ୍କର ମଧ୍ୟ ଆପାତତଃ ସେଇଆ ହିଁ ବିଚାର ଥିଲା । ରାହୁଲ ଯେ ଜଣେ ପ୍ରତିଭାଶାଳୀ ବ୍ୟାଟର୍, ଏଥିରେ କାହାର ସନ୍ଦେହ ନ ଥିଲା।

Advertisment

ବୟସଜନିତ କାରଣରୁ ରୋହିତଙ୍କ ନେତୃତ୍ୱ ଦୀର୍ଘକାଳୀନ ନୁହେଁ, ଏ କଥା ପ୍ରାୟ ସମସ୍ତେ ଅଳ୍ପବହୁତେ ଆକଳନ କରିସାରିଥିଲେ । ସେଥିପାଇଁ ରାହୁଲଙ୍କୁ ସୀମିତ ଓଭର୍ ଓ ଟେଷ୍ଟ ଟିମ୍‌ର ଉପ-ଅଧିନାୟକ କରାଯାଇଥିଲା । କିନ୍ତୁ ସମୟକ୍ରମେ ସେଭଳି ବିଚାରର ପୁନଃସମୀକ୍ଷା କରିବାକୁ ପଡ଼ିଲା ।

ଗତ ବର୍ଷ ଏସିଆ କପ୍ ଓ ଟି-୨୦ ବିଶ୍ୱକପ୍ ବିଫଳତା ପରେ କ୍ଷୁଦ୍ରତମ ଫର୍ମାଟ୍ରେ ରୋହିତ, ବିରାଟ କୋହଲିଙ୍କ ଭଳି ବରିଷ୍ଠ ଖେଳାଳିଙ୍କ ଭବିଷ୍ୟତ ଉପରେ ପ୍ରଶ୍ନଚିହ୍ନ ଲାଗିଗଲା । ସେଥିରେ ରାହୁଲ ମଧ୍ୟ ଥିଲେ ଯଦିଓ ତାଙ୍କୁ ଏବେ କେବଳ ୩୦ ବର୍ଷ ବୟସ ।

Advertisment

ଯୁବ ଖେଳାଳିମାନଙ୍କୁ ନେଇ ନୂଆ ଟି-୨୦ ଟିମ୍ ଗଢ଼ାଯାଇଛି, ଯାହାର ନେତୃତ୍ୱ ଦାୟିତ୍ୱ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି ଦକ୍ଷ ଅଲ୍ରାଉଣ୍ଡର୍ଙ୍କ ଉପରେ ନ୍ୟସ୍ତ ହୋଇଛି । ହାର୍ଦ୍ଦିକ ବିଦେଶରେ ଆୟରଲାଣ୍ଡ ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ଏବଂ ଘରେ ଶ୍ରୀଲଙ୍କା ଓ ନୁ୍ୟଜିଲାଣ୍ଡ ବିପକ୍ଷରେ ଶୃଙ୍ଖଳା ଜିତାଇ ନିଜ ନେତୃତ୍ୱ ଦକ୍ଷତା ପ୍ରମାଣିତ କରିଛନ୍ତି ।

ଟି-୨୦ ଫର୍ମାଟ୍ରେ ଏବେ ରାହୁଲଙ୍କ ବାଟ ଏକପ୍ରକାର ବନ୍ଦ ହୋଇଯାଇଛି । ସେହିପରି ଦିନିକିଆ ଫର୍ମାଟ୍ରେ ମଧ୍ୟ ତାଙ୍କ ସ୍ଥାନ ସେତେ ସୁରକ୍ଷିତ ନୁହେଁ । ଏବେ ଟେଷ୍ଟରେ ତାଙ୍କ ନୈରାଶ୍ୟଜନକ ପ୍ରଦର୍ଶନକୁ ନେଇ ଚର୍ଚ୍ଚା । ଏଥିରେ ବି ସ୍ଥାନ ସୁରକ୍ଷିତ ରଖିବା ତାଙ୍କ ପାଇଁ ବଡ଼ ପ୍ରଶ୍ନ ହୋଇଛି ।

Advertisment

ବ୍ୟାଟିଂ ପ୍ରଦର୍ଶନରେ ଅବନତି ଯୋଗୁଁ ତାଙ୍କୁ ଗୋଟିଏ ପରେ ଗୋଟିଏ - ସବୁ ଫର୍ମାଟ୍‌ରେ ଉପ-ଅଧିନାୟକ ପଦବୀ ବି ହରାଇବାକୁ ପଡ଼ିଛି । ବାରମ୍ବାର ବିଫଳତା ସତ୍ତ୍ୱେ ଟିମ୍ ମ୍ୟାନେଜ୍‌ମେଣ୍ଟ ତାଙ୍କ ଉପରେ ଭରସା ବ୍ୟକ୍ତ କରୁଥିଲେ ମଧ୍ୟ ସେ ଫର୍ମ ହାସଲ କରିପାରୁ ନାହାନ୍ତି।

ବିଫଳତା ସତ୍ତ୍ୱେ ରାହୁଲଙ୍କୁ ବାରମ୍ବାର ସୁଯୋଗ ଦିଆଯିବା ଫଳରେ ଶୁଭମନ ଗିଲଙ୍କ ଭଳି ସବୁ ଫର୍ମାଟ୍ ପାଇଁ ପର୍ଫେକ୍ଟ ଖେଳାଳିଙ୍କୁ ବାହାରେ ବସିବାକୁ ପଡ଼ୁଛି । ପ୍ରତିଭା କଥା ବିଚାର କଲେ, ଗିଲ୍ ବି କମ୍ ପ୍ରତିଭାଶାଳୀ ନୁହନ୍ତି ।

ଟିମ୍ ମ୍ୟାନେଜମେଣ୍ଟର ଏତେ ଭରସା କାହିଁକି:

ଲଗାତାର ଖରାପ ପ୍ରଦର୍ଶନ, ଦୁର୍ବଳ ସଟ୍ ଚୟନ ଓ ଦୟନୀୟ ଫର୍ମ ସତ୍ତ୍ୱେ ରାହୁଲ ଟିମ୍‌ରେ ନିଜ ସ୍ଥାନ ସୁରକ୍ଷିତ ରଖିବାରେ ସଫଳ ହୋଇଛନ୍ତି । କ୍ରିକେଟ୍ ପଡ଼ିଆ, ଇଣ୍ଟର୍ନେଟ୍ ମିଡିଆ, କ୍ରିକେଟ୍ ପ୍ରଶଂସକ ମହଲରେ ଚର୍ଚ୍ଚା ହେଉଛି ଯେ ରାହୁଲଙ୍କ ପାଖରେ ଏମିତି କେଉଁ ପ୍ରତିଭା ଅଛି ଯେ ଟିମ୍ ଇଣ୍ଡିଆରୁ ତାଙ୍କୁ କଢ଼ାଯାଇପାରୁନି? ତାଙ୍କ ଉପରେ ଟିମ୍ ମ୍ୟାନେଜେମେଣ୍ଟର ଏତେ ଭରସା କାହିଁକି?

ନିକଟରେ ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଦୁଇ ଟେଷ୍ଟ ମ୍ୟାଚ୍ ପାଇଁ ଘୋଷିତ ଟିମ୍‌ରେ ରାହୁଲଙ୍କୁ ବି ରଖାଯାଇଛି; ହେଲେ ତାଙ୍କ ଠାରୁ ଉପ-ଅଧିନାୟକ ପଦବୀ କାଢ଼ି ନିଆଯାଇଛି । ଟେଷ୍ଟ ଓ ଦିନିକିଆରେ ସେ ୱିକେଟ୍କିପର୍ ଭୂମିକାରେ ବି ନାହାନ୍ତି । ଚୟନ କମିଟି ତାଙ୍କ ପକ୍ଷ ଛେଦନ କରିବାକୁ ପ୍ରୟାସ କରିଛି; କିନ୍ତୁ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ଼ଙ୍କ ନେତୃତ୍ୱାଧୀନ ଟିମ୍ ମ୍ୟାନେଜ୍‌ମେଣ୍ଟ ତାଙ୍କୁ ଖେଳାଇବାକୁ ଚାହୁଁଛି ।

ଦ୍ୱିତୀୟ ଟେଷ୍ଟ ପରେ ସାମ୍ବାଦିକ ସମ୍ମିଳନୀରେ ରୋହିତ କହିଥିଲେ, “ଓପନର୍ ଭାବେ ରାହୁଲଙ୍କ ଖେଳିବା ଦକ୍ଷତା ଉପରେ ଟିମ୍ ମ୍ୟାନେଜ୍‌ମେଣ୍ଟର ବିଶ୍ୱାସ ରହିଛି । ଏହା କେବଳ ରାହୁଲଙ୍କର ନୁହେଁ, ଯେକୌଣସି ଖେଳାଳିଙ୍କ କାହାଣୀ ହୋଇପାରେ । ଯଦି ଆପଣ ବିଦେଶରେ ଲଗାଇଥିବା ତାଙ୍କ ଶତକକୁ ବିଚାରକୁ ନେବେ, ମୋ ଦୃଷ୍ଟିରେ ଲର୍ଡ୍ସରେ ଖେଳିଥିବା ଶତକୀୟ ଇନିଂସ୍ ତାଙ୍କ ସର୍ବଶ୍ରେଷ୍ଠ ଇନିଂସ୍ ମଧ୍ୟରେ ଅନ୍ୟତମ। ଦ୍ରୁତ ବୋଲର୍‌ଙ୍କ ଅନୁକୂଳ ପିଚ୍‌ରେ ଶତକ ଲଗାଇବା ସହଜ ନ ଥିଲା । ସେଞ୍ଚୁରିଆନ୍ ଠାରେ ବି ସେ ଏମିତି ଇନିଂସ୍ ଖେଳିଥିଲେ । ଟିମ୍ ଉଭୟ ମ୍ୟାଚ୍ ଜିତିଥିଲା।” ଅଧିନାୟକ ରୋହିତଙ୍କ ଛଡ଼ା ମୁଖ୍ୟ କୋଚ୍ ଦ୍ରାବିଡ଼ ମଧ୍ୟ ରାହୁଲଙ୍କ ଉପରେ କ୍ରମାଗତ ଭରସା କରିଆସୁଛନ୍ତି।

ରାହୁଲଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ଅବ୍ୟାହତ:

ଏବେ ଚାଲିଥିବା ଚାରି ଟେଷ୍ଟ ବିଶିଷ୍ଟ ବର୍ଡର-ଗାଭାସ୍କର ଟ୍ରଫିରେ ଭାରତ ୨-୦ରେ ଆଗରେ ରହିଛି; କିନ୍ତୁ ଚର୍ଚ୍ଚାର କେନ୍ଦ୍ରରେ ରହିଛନ୍ତି ରାହୁଲ। ସେ ଟେଷ୍ଟରେ ପୂର୍ବ ଦଶ ଇନିଂସ୍‌ରେ ୮, ୧୨, ୧୦, ୨୨, ୨୩, ୧୦, ୨, ୨୦, ୧୭, ୧ ରନ୍ ସଂଗ୍ରହ କରିଛନ୍ତି।

ରାହୁଲ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦୁଇ ଟେଷ୍ଟର ତିନି ଇନିଂସ୍‌ରେ ମାତ୍ର ୩୮ ରନ୍ କରିଛନ୍ତି । ଏହା ପୂର୍ବରୁ ବାଂଲାଦେଶ ବିପକ୍ଷରେ ଚାରି ଇନିଂସ୍ରେ ସେ ବିଫଳ ହୋଇଥିଲେ । ସେ ଏଯାବତ ୪୭ ଟେଷ୍ଟ ମ୍ୟାଚ୍ ଖେଳି ମାତ୍ର ୩୩.୪୪ ଆଭରେଜ୍‌ରେ ରନ୍ କରିଛନ୍ତି ।

ରାହୁଲଙ୍କ ଭଳି ସମର୍ଥନ କ୍ୱଚିତ ଖେଳାଳିଙ୍କୁ ମିଳିଛି । ଟିମ୍ ମ୍ୟାନେଜ୍‌ମେଣ୍ଟ ବିଚାରରେ ମୟଙ୍କ ଅଗ୍ରୱାଲ ଓ ଶିଖର ଧାବନଙ୍କ ତୁଳନାରେ ରାହୁଲ ଅଧିକ ପ୍ରତିଭାଶାଳୀ । କିନ୍ତୁ କଠିନ ପରିଶ୍ରମ ବିନା ପ୍ରତିଭା ମୂଲ୍ୟହୀନ । କେବଳ ପ୍ରତିଭା ଥିଲେ ଯଥେଷ୍ଟ ନୁହେଁ, ପ୍ରଦର୍ଶନ ଦରକାର । ପ୍ରଦର୍ଶନରେ ନିରନ୍ତରତା ଦରକାର । ଏ କଥା ବି ବୁଝିବାକୁ ହେବ।

ଗତ ପାଞ୍ଚ ବର୍ଷ ମଧ୍ୟରେ ତିନି ଟେଷ୍ଟ ଓପନର୍ - ରାହୁଲ, ମୟଙ୍କ ଓ ଶିଖରଙ୍କ ପ୍ରଦର୍ଶନକୁ ବିଚାରକୁ ନିଆଯିବା ଏଠାରେ ଆବଶ୍ୟକ ମନେହୁଏ।

ଏହି ସମୟ ମଧ୍ୟରେ ରାହୁଲ ୮୧ ଇନିଂସ୍ ଖେଳିଛନ୍ତି ଏବଂ ୨୦ ଥର ୫୦ ରନ୍ ମାର୍କକୁ ଅତିକ୍ରମ କରିଛନ୍ତି, ଯେଉଁଥିରେ ସାତ ଶତକ ଓ ୧୩ ଅର୍ଦ୍ଧଶତକ ରହିଛି । ତେବେ ପ୍ରତି ଚାରି ଇନିଂସ୍‌ରେ ଗୋଟିଏ ୫୦+ ସ୍କୋର୍ କରିବା ଉଲ୍ଲେଖନୀୟ ନୁହେଁ ।

ମୟଙ୍କ ଏହି ସମୟରେ ୩୬ ଟେଷ୍ଟ ଇନିଂସ୍ ଖେଳି ୧୦ ଥର ୫୦ରୁ ଅଧିକ ସ୍କୋର୍ କରିଛନ୍ତି, ଯେଉଁଥିରେ ଚାରି ଶତକ ଓ ଛଅ ଅର୍ଦ୍ଧଶତକ ରହିଛି । ଅର୍ଥାତ୍ ପ୍ରତି ୩.୬ ଇନିଂସ୍‌ରେ ଗୋଟିଏ ୫୦+ ସ୍କୋର୍ ।

ସେହିପରି ଶିଖର ଏହି ସମୟରେ ୫୮ ଇନିଂସ୍ ଖେଳି ୧୨ ଥର ୫୦ରୁ ଅଧିକ ସ୍କୋର୍ କରିଛନ୍ତି, ଯେଉଁଥିରେ ସାତ ଶତକ ଓ ପାଞ୍ଚ ଅର୍ଦ୍ଧଶତକ ରହିଛି । ଅର୍ଥାତ୍ ପ୍ରତି ୪.୮୩ ଇନିଂସ୍‌ରେ ଗୋଟିଏ ୫୦+ ସ୍କୋର୍ ।

ଶିଖର ଓ ମୟଙ୍କଙ୍କୁ ଲଗାତାର ଚାରି ଟେଷ୍ଟରେ ଖରାପ ପ୍ରଦର୍ଶନ ପରେ ଟେଷ୍ଟ ଟିମ୍‌ରୁ କାଢ଼ି ଦିଆଯାଇଥିଲା । କିନ୍ତୁ ରାହୁଲଙ୍କ କ୍ଷେତ୍ରରେ ସେମିତି ହୋଇ ନାହିଁ । ତାଙ୍କୁ ବାରମ୍ବାର ସୁଯୋଗ ମିଳିଛି ।

ମାର୍ଚ୍ଚ ୧ରୁ ଆରମ୍ଭ ହେବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟରେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିବା ସ୍ଥଳେ ରାହୁଲଙ୍କ ପାଇଁ ପ୍ରତ୍ୟାବର୍ତ୍ତନ ନିମନ୍ତେ ବଡ଼ ସୁଯୋଗ ହେବ। ସବୁବେଳେ ଟିମ୍ ମ୍ୟାନେଜ୍‌ମେଣ୍ଟ୍‌ ସମର୍ଥନ ଦେଇପାରିବ ନାହିଁ। ନିଜ କ୍ୟାରିଅର୍‌କୁ ବଞ୍ଚାଇବା ପାଇଁ ରାହୁଲଙ୍କୁ ସେହି ସୁଯୋଗର ସଦୁପଯୋଗ କରିବାକୁ ହେବ।

ଇମେଲ୍: biswasports@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

KL Rahul
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ