ଗୋଟିଏ ପରେ ଗୋଟିଏ ବିଫଳତା। ବର୍ଷବ୍ୟାପୀ ପ୍ରସ୍ତୁତି ସତ୍ତ୍ୱେ ୨୦୨୨ ଟି-୨୦ ବିଶ୍ୱକପ୍ ଓ ଏହା ପୂର୍ବରୁ ଏସିଆ କପ୍ରେ ବିଫଳତା ଏବଂ ଏହାପରେ ନ୍ୟୁଜିଲାଣ୍ଡ ଓ ବାଂଲାଦେଶ ଠାରେ ଦ୍ୱିପାକ୍ଷିକ ଦିନିକିଆ ଶୃଙ୍ଖଳାରେ ପରାଜୟ - ଏସବୁ ଭାରତୀୟ କ୍ରିକେଟ୍ରେ ବର୍ଦ୍ଧିତ ସଙ୍କଟକୁ ଦର୍ଶାଉଛି।
ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ବହୁ ପରୀକ୍ଷାନିରୀକ୍ଷା କରିବା ସତ୍ତ୍ୱେ ଭାରତୀୟ କ୍ରିକେଟ୍ରେ ବିଫଳତା ବଢ଼ିଚାଲିଛି। ପ୍ରଶିକ୍ଷକ ବଦଳିଲେ, ଅଧିନାୟକ ବଦଳିଲେ, ନୂଆ ନୂଆ ଖେଳାଳିଙ୍କୁ ବି ନିଆଗଲା; ତଥାପି ସ୍ଥିତିରେ ଆଶାଜନକ ସୁଧାର ହେଲା ନାହିଁ।
୨୦୨୩ କ୍ରିକେଟ୍ ବିଶ୍ୱକପ୍କୁ ୧୦ ମାସ ବାକି ଅଛି। ଏହି ସମୟ ପର୍ଯ୍ୟାପ୍ତ ବୋଲି କୁହାଯାଇପାରେ। କିନ୍ତୁ ଭାରତୀୟ ଦିନିକିଆ ଟିମ୍ର ସାମ୍ପ୍ରତିକ ସ୍ଥିତିକୁ ଦେଖିଲେ, ବିଶ୍ୱକପ୍ ପୂର୍ବରୁ ଟିମ୍ର ସ୍ଥିତି ସୁଦୃଢ଼ ହେବା ନେଇ କ୍ରିକେଟ୍ ବିଶ୍ଲେଷକ ସନ୍ଦିହାନ ହୋଇପଡ଼ିବା ବିଚିତ୍ର ନୁହେଁ। ଭାରତୀୟ ବୋର୍ଡର ବି ଚିନ୍ତା ବଢ଼ିଛି।
ଟି-୨୦ ବିଶ୍ୱକପ୍ ୨୦୨୧ ଓ ୨୦୨୨ ସଂସ୍କରଣ ମଧ୍ୟରେ ବର୍ଷେ ସମୟ ଥିଲା। ଏହି ସମୟ ମଧ୍ୟରେ ଟିମ୍ ଇଣ୍ଡିଆ ଅନେକ ଟି-୨୦ ମ୍ୟାଚ୍ ଖେଳିଥିଲା। ଏସିଆ କପ୍କୁ ଛାଡ଼ିଦେଲେ, ଅନ୍ୟ ସମସ୍ତ ମ୍ୟାଚ୍ ଥିଲା ଦ୍ୱିପାକ୍ଷିକ ଶୃଙ୍ଖଳାର ଅନ୍ତର୍ଭୁକ୍ତ। ସଫଳତା ବି ମିଳିଥିଲା। କିନ୍ତୁ ବହୁପାକ୍ଷିକ ମଞ୍ଚରେ ପହଞ୍ଚିବା ପରେ ଟିମ୍ ଦ୍ୱିପାକ୍ଷିକ ସଫଳତାକୁ ଦୋହରାଇ ପାରି ନ ଥିଲା। ଚଳିତ ବର୍ଷ ଟି-୨୦ ଫର୍ମାଟ୍ରେ ଖେଳାଯାଇଥିବା ଏସିଆ କପ୍ରେ ରୋହିତ ସେନାର ଶୋଚନୀୟ ପ୍ରଦର୍ଶନ ଚିନ୍ତା ବଢ଼ାଇ ଦେଇଥିଲା।
Also Read
ଏହାପରେ ଟିମ୍ ଇଣ୍ଡିଆ ଘରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକାକୁ ଟି-୨୦ ଶୃଙ୍ଖଳାରେ ହରାଇଥିଲା। କିନ୍ତୁ ଟି-୨୦ ବିଶ୍ୱକପ୍ ଖେଳିବା ବେଳେ ଟିମ୍ ପୁଣି ଥରେ ଅପେକ୍ଷାକୃତ ଦୁର୍ବଳ ସ୍ଥିତିକୁ ଚାଲିଆସିଥିଲା। ଭାରତୀୟ ଟିମ୍ ସେମିଫାଇନାଲ୍ରେ ଇଂଲଣ୍ଡ ଠାରୁ ଶୋଚନୀୟ ପରାଜୟ ବରଣକରିଥିଲା। ଟି-୨୦ ବିଶ୍ୱକପ୍ ବିଫଳତା ପଛରେ ଟିମ୍ର ବ୍ୟାଟିଂ ପ୍ରଦର୍ଶନରେ ନିର୍ଭୀକ ମନୋଭାବର ଅଭାବକୁ ମୁଖ୍ୟତଃ ଦାୟୀ କରାଗଲା। ଅବଶ୍ୟ ବୋଲିଂ ବି ଅନ୍ୟତମ ବଡ଼ କାରଣ ଥିଲା।
ତେବେ ଦିନିକିଆ କ୍ରିକେଟ୍ରେ ସବୁ କିଛି ଠିକ୍ଠାକ୍ ଅଛି ଏବଂ ଭାରତୀୟ ଟିମ୍ ନିଜ ମାଟିରେ ୨୦୨୩ ବିଶ୍ୱକପ୍ ଟ୍ରଫି ଉଠାଇବାକୁ ସମର୍ଥ ବୋଲି ଅନୁମାନ କରାଯାଉଥିଲା। କିନ୍ତୁ ଟି-୨୦ ବିଶ୍ୱକପ୍ ପରେ ଦିନିକିଆ ଫର୍ମାଟ୍ ଉପରେ ଧ୍ୟାନ ଫେରାଇ ଆଣିବା ବେଳକୁ ଟିମ୍ ପ୍ରଥମରୁ କଠୋର ବାସ୍ତବତାର ସମ୍ମୁଖୀନ ହୋଇଥିଲା ଏବଂ ନ୍ୟୁଜିଲାଣ୍ଡ୍ ଓ ଏହାପରେ ବାଂଲାଦେଶ ଠାରୁ ଶୃଙ୍ଖଳା ହାରିଥିଲା।
ଦୁଇ ବର୍ଷ (୨୦୨୧ ଓ ୨୦୨୨) ମଧ୍ୟରେ ଦୁଇଟି ବିଶ୍ୱକପ୍ ଖେଳାଯାଉଥିବାରୁ ଟି-୨୦ କ୍ରିକେଟ୍ ଉପରେ ଅଧିକ ଫୋକସ୍ କରାଗଲା। ଏହା ଦିନିକିଆ ଟିମ୍କୁ ପ୍ରଭାବିତ କରିଥିଲା। ଏବେ ଦିନିକିଆ ଉପରେ ଫୋକସ୍ କରାଗଲେ, ଟି-୨୦ ଟିମ୍ ପ୍ରଭାବିତ ହୋଇପାରେ। ସମ୍ଭବତଃ ଏହି କାରଣରୁ ଏବେ ଉଭୟ ଫର୍ମାଟ୍ ପାଇଁ ଭିନ୍ନ ଭିନ୍ନ ଅଧିନାୟକ ଓ ପ୍ରଶିକ୍ଷଣ ରଖାଯିବା ଉପରେ ବିଚାର କରାଯାଉଛି।
ଟି-୨୦ ଅଧିକ ଆକ୍ରମଣାତ୍ମକ ଖେଳ ହୋଇଥିବାରୁ ଏଥିରେ ଯୁବ ଖେଳାଳିମାନଙ୍କୁ ଅଗ୍ରାଧିକାର ଦିଆଯାଇ ବରିଷ୍ଠ ଖେଳାଳିମାନଙ୍କୁ ବାଦ୍ ଦିଆଯାଇପାରେ। ଏହାର ନେତୃତ୍ୱ ଦାୟିତ୍ୱ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି ଦକ୍ଷ ଅଲ୍ରାଉଣ୍ଡର୍ଙ୍କୁ ଦିଆଯାଇପାରେ। ଏବେ ସବୁ ଫର୍ମାଟ୍ର କୋଚ୍ ଥିବା ରାହୁଲ ଦ୍ରାବିଡ଼ଙ୍କ ଠାରୁ ଟି-୨୦ ଫର୍ମାଟ୍ର ଦାୟିତ୍ୱ କାଢ଼ି ନିଆଯାଇପାରେ।
ଆଗକୁ ଦିନିକିଆ ବିଶ୍ୱକପ୍ ଥିବାରୁ ଟିମ୍ ଇଣ୍ଡିଆ ଏହି ଫର୍ମାଟ୍ରେ ବେଶୀ ମ୍ୟାଚ୍ ଖେଳିବ, ଟି-୨୦ରେ କମ୍। ଏହା ତ ସ୍ୱାଭାବିକ କଥା; କିନ୍ତୁ ଦିନିକିଆରେ ଟିମ୍ ନିଜ ସ୍ଥିତିକୁ ସୁଧାରିବା ଜରୁରୀ ହୋଇଯାଇଛି।
ଭାରତର ଟି-୨୦ ହେଉ ବା ଦିନିକିଆ ଟିମ୍, ବୋଲିଂ ଏକ ବଡ଼ ସମସ୍ୟା ଭାବେ ଦେଖାଦେଇଛି। ଉଭୟ ଏସିଆ କପ୍ ଓ ଟି-୨୦ ବିଶ୍ୱକପ୍ରେ ଭାରତୀୟ ଟିମ୍ର ବିଫଳତା ପଛରେ ବୋଲିଂ ଏକ ବଡ଼ କାରଣ ଥିଲା। ବିଶେଷକରି ବୁମ୍ରାଙ୍କ ଅନୁପସ୍ଥିତି ପରେ ବୋଲିଂ ୟୁନିଟ୍ ଦୁର୍ବଳ ହୋଇଛି। ଅନ୍ୟତମ ଅଭିଜ୍ଞ ବୋଲର୍ ଶାମୀ କେତେବେଳେ ସୁଯୋଗ ପାଉ ନାହାନ୍ତି ତ କେତେବେଳେ ଅସୁସ୍ଥତା ବା ଆଘାତ ଯୋଗୁଁ ଟିମ୍ରୁ ବାଦ୍ ପଡ଼ୁଛନ୍ତି। ଭୁବନେଶ୍ୱରଙ୍କ ପ୍ରଦର୍ଶନ ଆଶାଜନକ ନୁହେଁ। ପ୍ରତିଭାଶାଳୀ ବାମହାତି ପେସର୍ ଅର୍ଶଦୀପ ସିଂହଙ୍କ ଭଳି ଖେଳାଳିଙ୍କୁ ଦିନିକିଆରେ ସୁଯୋଗ ମିଳିବା ଦରକାର।
ଏମିତି ଦେଖିବାକୁ ଗଲେ, ନ୍ୟୁଜିଲାଣ୍ଡ ଓ ବାଂଲାଦେଶ ଉଭୟ ଗସ୍ତରେ ଭାରତ ପାଖରେ ଫୁଲ୍ ଷ୍ଟ୍ରେନ୍ଥ୍ ଟିମ୍ ନ ଥିଲା। ନ୍ୟୁଜିଲାଣ୍ଡ୍ରେ ଶିଖର ଧାବନ୍ ନେତୃତ୍ୱ ନେଉଥିଲେ ଏବଂ ବରିଷ୍ଠ ଖେଳାଳିମାନଙ୍କୁ ବିଶ୍ରାମ ଦିଆଯାଇଥିଲ। ବାଂଲାଦେଶ ଗସ୍ତରେ ରୋହିତ ଅଧିନାୟକତ୍ୱ କରିଥିଲେ; ହେଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୂର୍ଯ୍ୟକୁମାର ଯାଦବ, ଭୁବନେଶ୍ୱର କୁମାର, ଅନ୍ଫିଟ୍ ଯଶପ୍ରୀତ ବୁମ୍ରା, ରବୀନ୍ଦ୍ର ଜାଡ଼େଜା ଓ ମହମ୍ମଦ ଶାମୀଙ୍କ ଭଳି ଖେଳାଳି ନ ଥିଲେ।
ବାଂଲାଦେଶ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ଟିମ୍ ଇଣ୍ଡିଆ କ୍ରମାଗତ ଦ୍ୱିତୀୟ ମ୍ୟାଚ୍ ହାରିବା ପରେ ଦ୍ରାବିଡ଼ ସାମ୍ବାଦିକ ସମ୍ମିଳନୀରେ କହିଥିଲେ, “ଗତ ତିନି-ଚାରି ମାସ ହେଲା ବ୍ୟସ୍ତ କାର୍ଯ୍ୟସୂଚୀ ରହିଥିଲା। ନ୍ୟୁଜିଲାଣ୍ଡ୍ରେ ମଧ୍ୟ ଦିନିକିଆର ପୂରା ଟିମ୍ ନ ଥିଲା। ବାଂଲାଦେଶ ଗସ୍ତରେ ବି ଟିମ୍କୁ ଆଘାତଜନିତ ସମସ୍ୟା ଦେଇ ଗତି କରିବାକୁ ପଡ଼ିଛି। ଆଶା କରୁଛି ଯେ ଯଦି ଖେଳାଳିମାନେ ଆହତ ନ ହୁଅନ୍ତି ଏବଂ ସବୁକିଛି ଠିକ୍ଠାକ୍ ରହେ, ତା’ହେଲେ ଜାନୁଆରୀରୁ ଆମ ପାଖରେ ଫୁଲ୍ ଷ୍ଟ୍ରେନ୍ଥ୍ ଟିମ୍ ରହିବ, ଯେଉଁ ଟିମ୍ ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ବିଶ୍ୱକପ୍ ଯାଏଁ ଲଗାତାର ଖେଳିବ। ଆମକୁ ଆଇପିଏଲ୍ ପୂର୍ବରୁ ନଅ ଦିନିକିଆ (ତିନି ଲେଖାଏଁ ମ୍ୟାଚ୍ ଶ୍ରୀଲଙ୍କା, ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ବିପକ୍ଷରେ) ଖେଳିବାର ଅଛି ଏବଂ ଆଶା କରୁଛୁ ଯେ ଆମକୁ ଏହି ମ୍ୟାଚ୍ଗୁଡ଼ିକ ପାଇଁ ଏକ ସ୍ଥିର ଟିମ୍ ମିଳିବ।”
ନିର୍ଭୀକ ପ୍ରଦର୍ଶନ ଜରୁରୀ:
୨୦୧୯ ବିଶ୍ୱକପ୍ ଯାଏଁ ଭାରତ ପାଖରେ ଭଲ ଦିନିକିଆ ଟିମ୍ ଥିଲା। ଟିମ୍ ସେମିଫାଇନାଲ୍ରେ ହାରିଥିଲେ ବି ଟିମ୍ ଲିଗ୍ ପର୍ଯ୍ୟାୟରେ ଶୀର୍ଷରେ ଥିଲା। ପୁଣି ଥରେ ଏକ ମଜଭୁତ ଟିମ୍ ଗଢ଼ିବାକୁ ହେବ। ବରିଷ୍ଠ ଖେଳାଳି ଆଶାଜନକ ପ୍ରଦର୍ଶନ କରି ନ ପାରିବା, ଆଘାତଜନିତ ସମସ୍ୟା ଏବଂ ଆକ୍ରମଣାତ୍ମକ ଓ ନିର୍ଭୀକ ମନୋଭାବର ଅଭାବ ଭଳି ସମସ୍ୟାଗୁଡ଼ିକର ସମାଧାନ କରିବାକୁ ହେବ। ୨୦୨୩ ଦିନିକିଆ ବିଶ୍ୱକପ୍ ଅଧିନାୟକ ଭାବେ ରୋହିତଙ୍କ ଲାଗି ଶେଷ ଦାୟିତ୍ୱ ହୋଇପାରେ। ତେଣୁ ସେ ଆଗରେ ରଖି ଟିମ୍ର ଦୃଢ଼ ନେତୃତ୍ୱ ନେବା ସହ ନିଜ ଉତ୍ତରାଧିକାରୀଙ୍କୁ ଗଢ଼ିବା ଦାୟିତ୍ୱ ବି ତାଙ୍କର। ସେ ଦିଗକୁ ବି ଧ୍ୟାନରେ ରଖିବାକୁ ହେବ।
ଟିମ୍ରେ ତାଜା ଓ ନିର୍ଭୀକ ମନୋଭାବ ରଖୁଥିବା ଯୁବ ଖେଳାଳିମାନଙ୍କର ଆବଶ୍ୟକତା ରହିଛି। ବାଂଲାଦେଶ ବିପକ୍ଷ ତୃତୀୟ ତଥା ଶେଷ ଦିନିକିଆରେ ଦ୍ୱିଶତକୀୟ ଇନିଂସ୍ ଖେଳିଥିବା ଈଶାନ୍ କିଶନଙ୍କ ଭିତରେ ସେଭଳି ନିର୍ଭୀକ ମନୋଭାବ ଦେଖିବାକୁ ମିଳିଥିଲା। ଈଶାନ୍, ଶୁଭମନ ଗିଲ୍, ସଞ୍ଜୁ ସାମ୍ସନ୍ଙ୍କ ବ୍ ହଳି ପ୍ରତିଭାଶାଳୀ ଯୁବ ଖେଳାଳିମାନଙ୍କୁ ପର୍ଯ୍ୟାପ୍ତ ସୁଯୋଗ ମିଳିବା ଆବଶ୍ୟକ। ପ୍ରଥମ ଶ୍ରେଣୀ ହେଉ ବା ଲିଷ୍ଟ-ଏ, ନିର୍ଭୀକ ମନୋଭାବ ନେଇ ଖେଳୁଥିବା ପ୍ରତିଭାଶାଳୀ ଖେଳାଳିଙ୍କୁ ଚିହ୍ନଟ କରିବାକୁ ହେବ।
ଇମେଲ୍: biswasports@gmail.com
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)